ଚାଷରେ ଜମି ପ୍ରସ୍ତୁତିଠାରୁ ଆରମ୍ଭକରି ଫସଲ କାଟିବା ପର୍ଯ୍ୟନ୍ତ ବିଭିନ୍ନ ଯନ୍ତ୍ରପାତି ବ୍ୟବହୃତ ହୋଇଥାଏ । ପ୍ରାଥମିକ ଚାଷ ଲାଗି ବ୍ୟବହୃତ ଯନ୍ତ୍ରପାତିଗୁଡିକୁ ପ୍ରାଥମିକ ଯନ୍ତ୍ରପାତି ଏବଂ ପରବର୍ତ୍ତୀ କର୍ଷଣ ପାଇଁ ବ୍ୟବହୃତ ଯନ୍ତ୍ରପାତିଗୁଡିକୁ ଅନ୍ତଚାଷ ଯନ୍ତ୍ରପାତି ବୋଲି କୁହାଯାଇଥାଏ । କିନ୍ତୁ କେତେକ ଯନ୍ତ୍ରପାତି ସବୁ ସମୟରେ ବ୍ୟବହୃତ ହୁଏ । କୃଷି ଲାଗି ବ୍ୟବହୃତ ବିଭିନ୍ନ ଯନ୍ତ୍ରପାତିର ବିବରଣୀ ନିମ୍ନରେ ପ୍ରଦତ୍ତ ହେଲା ।
ଏହା ସର୍ବପ୍ରଥମ ଓ ସର୍ବପ୍ରଧାନ ଚାଷ ଉପକରଣ । ଏହା ଚାଷଲାଗି ଅପରିହାର୍ଯ୍ୟ । ପୃଥିବୀର ବିଭିନ୍ନ ଦେଶରେ ଏହି ଲଙ୍ଗଳର ଆକାର ଓ ପ୍ରକାର ଭିନ୍ନ ହେଲେହେଁ ସର୍ବତ୍ର ଏହାର ସ୍ଥାନ ପ୍ରଥମ ଓ ଉଦ୍ଦେଶ୍ୟ ସମାନ । କାଳକ୍ରମେ ଏହାର ପ୍ରକାର ଓ କାର୍ଯ୍ୟକାରୀତା ଶକ୍ତିର ପରିବର୍ତ୍ତନ ଅଣାଯାଇଛି । ପ୍ରାଥମିକ ବିଦାରଣ ପାଇଁ ଲଙ୍ଗଳ ଏକମାତ୍ର ଯନ୍ତ୍ର । ଲଙ୍ଗଳ ଦୁଇ ପ୍ରକାର - କାଠ ଲଙ୍ଗଳ ଓ ଲୁହା ଲଙ୍ଗଳ । ଭାରତ ତଥା ପୂର୍ବ ଏସୀୟ ଦେଶମାନଙ୍କରେ କାଠ ଲଙ୍ଗଳ ବହୁ ପୁରାକାଳରୁ କୃଷିଲାଗି ଅପରିହାର୍ଯ୍ୟ ସର୍ବପ୍ରଧାନ ଓ ପ୍ରଥମ ଯନ୍ତ୍ର ରୂପେ ବ୍ୟବହୃତ ହୋଇଆସୁଛି ।
ଲଙ୍ଗଳ ପଡିଆ ଜମି ଚିରିବା, ମାଟି ଗୁଣ୍ଡ କରିବା, ମାଟିରେ ଖତ ଓ ସାର ମିଶାଇବା , ବିହନ ବୁଣିବା ପରେ ମାଟି ଘୋଡାଇବା, ଅନାବନା ଘାସ ମାରିବା ଇତ୍ୟାଦି ବିଭିନ୍ନ କାମ ପାଇଁ ବ୍ୟବହୃତ ହୋଇଥାଏ । ଏହା ଏକ ନାନାବିଧି କର୍ମ ସମ୍ପାଦନକାରୀ ବହୁମୂଖୀ କୃଷି ଯନ୍ତା ବିଭିନ୍ନ କାମ ପାଇଁ ଏହାର ଆକାର ପ୍ରକାର ଭିନ୍ନ ହୋଇଥାଏ ।
(୧) ମୁଣ୍ଡା ବା ଗଣ୍ଡି, (୨) କଣ୍ଟି, (୩) ଈଷ, (୪) ଫାଳ, (୫) ଲଙ୍ଗଳ ଲୁହା । ଲଙ୍ଗଳ ସଜପାଇଁ ଆବଶ୍ୟକ ଜୁଆଳି ଓ ଦଉଡି । ଜୁଆଳି ମଧ୍ୟ କାଠରେ ତିଆରି । ଓଡିଶାରେ ମଧ୍ୟ ଲଙ୍ଗଳର ଆକାର ବିଭିନ୍ନ ଜାଗାରେ ଭିନ୍ନ ଭିନ୍ନ ହୋଇଥାଏ । ପାହାଡିଆ ଅଞ୍ଚଳରେ ଏହା ଗୋଜିଆ ଓ ସରୁ ଏବଂ ଖଣ୍ଡିଏ କାଠରେ ତିଆରି । ଉପକୂଳ ଜିଲ୍ଲାରେ ଏହା ଦୁଇଜଣ କାଠରେ ତିଆରି । ଅପେକ୍ଷାକୃତ ବଡ ଓ ଓଜନିଆ । ବ୍ୟବହାର ଦୃଷ୍ଟିରୁ ଏହାକୁ ଗୋଡିଙ୍ଗା, ଅଧାପରି ଓ ବଡ ଲଙ୍ଗଳ କୁହାଯାଏ ।
ଏହା ମୁଣ୍ଡା ଲୁହାରେ ତିଆରି । ମୁଣ୍ଡା ଡାହାଣ ପାଖକୁ ବକ୍ର । ଏହି ମୁଣ୍ଡାରେ କାଠର କଣ୍ଟି ଓ ଈଷ ଲାଗିଥାଏ । ଏହି ଲଙ୍ଗଳକୁ ଇଂରାଜୀରେ ମୋଲଡ ବୋର୍ଡ ଲଙ୍ଗଳ କୁହାଯାଏ । ମୁଣ୍ଡାଟି ଟାଣ ଅଳ୍ପ ପାଣିଦିଆ ଲୁହାରେ ତିଆରି । ଏହାର ଆଗରେ ଗୋଟିଏ ଗୋଜିଆ ତିନିକଣିଆ ଲୁହା ଯୋଡା ହୋଇଥାଏ । କେତେକ ଲଙ୍ଗଳରେ ଲୁହା ଓ ମୁଣ୍ଡା ଖଣ୍ଡିଏ ଲୁହାରେ ଗଢା । ଏପରି ଲଙ୍ଗଳ ଅ ଭାଙ୍ଗିଗଲେ ମୁଣ୍ଡାଟିକୁ ସଂପୂର୍ଣ୍ଣ ବଦଳେଇବାକୁ ପଡେ । ଏଥିରେ ଆଉ ଲୁହାଫାଳ ଯୋଡି କାମ କରି ହୁଏ ନାହିଁ ।
ଲୁହା ଲଙ୍ଗଳରେ ଦେଶୀ ଲଙ୍ଗଳ ଅପେକ୍ଷା ବେଶି ଚାଷ କରିହୁଏ । ମାଟି ସମ୍ପୂର୍ଣ୍ଣଭାବେ କାଟି ହୋଇଯାଏ । କାଟି ହୋଇଯାଉଥିବା ମାଟି ଅଚାରେ ଡାହାଣ ପଟକୁ ପଡେ । ଗୋଟିଏ ଲୁହା ଲଙ୍ଗଳର ଓଜନ ପ୍ରାୟ ୬.୫ କିଗ୍ରା ।ମଧ୍ୟମ ପ୍ରକାର ବଳଦ ହଳେ ଏହାକୁ ସହଜରେ ଟାଣି ପାରିବେ । ଦିନକୁ ୮ ଘଣ୍ଟା ହଳକରେ ପ୍ରାୟ ୫୦ – ୭୫ ଡେସିମିଲ ଜମି ଚାଷ କରିହେବ । କୁହା ଲଙ୍ଗଳରେ ଗୋଟିଏ ଓଡ ଚାଷ ଦେଶୀ ଲଙ୍ଗଳରେ ପ୍ରାୟ ୩ ଓଡ ଚାଷ ସହିତ ସମାନ ।
ବୋଷ ଲଙ୍ଗଳ , ସାମସ ଲଙ୍ଗଳ , ୱାହାୱାହା ଲଙ୍ଗଳ ବିଭିନ୍ନ କିସମର ଲୁହାଲଙ୍ଗଳ । ଏହି ଲଙ୍ଗଳର ଡାହାଣ ପଟକୁ ପତ୍ରିଥାଏ । କିନ୍ତୁ ଦ୍ଵିପତ୍ରିଆ ଲଙ୍ଗଳର ଦୁଇପଟକୁ ପଟିଥାଏ । ଏହା ମାଟି ଦୁଇପଟକୁ କାଟେ । ମଝିରେ ପହଣି ହୋଇଯାଏ ।
ଏହି ଲଙ୍ଗଳ ମଧ୍ୟ ଗୋଟିଏ ଲୁହା ଲଙ୍ଗଳ । ଏହା କିନ୍ତୁ ବୋଷା / ଲଙ୍ଗଳ ଠାରୁ ଓଜନିଆ । ଏହାର ମୋଡ ପତ୍ର ଦୁଇପଟକୁ ହୋଇଥିବାରୁ ଦେଶୀ ଲଙ୍ଗଳ ଭଳି କାମ ଦିଏ । ଏଥିରେ ଗଭୀର ଚାଷ ହୋଇପାରିବ । ଛୋଟ ଛୋଟ ହୁଡା ଓ ନାଳି ମଧ୍ୟ ହୋଇପାରିବ । ସାଧାରଣ ବଳଦ ଟାଣି ପାରିବେ ।
ଏହା କାଠରେ ତିଆରି । ଏହାର ମୁଖ୍ୟ ଅଂଶକୁ ଗଣ୍ଡି କୁହନ୍ତି । ଏହାର ଲମ୍ବ ୧ ରୁ ୨ ମିଟର । ଏହା ଦେହରେ କଣା କରି ଲୁହାରେ ତିଆରି ଗୋଜା ଓ ବଙ୍କା କାଠି ୩’’ ଦୂରତାରେ ଖଞ୍ଜା ହୋଇଥାଏ । ଏହି କାଠିକୁ ବିଦାକାଠି କୁହନ୍ତି , ବିଦା ଗଣ୍ଡି ମଝିରେ ଗୋଟିଏ କାଠ ବା ବାଉଁଶର ଈଷ ମଞ୍ଜି ହୋଇଥାଏ । ଈଷ ଆଗରେ ଜୁଆଳି ଲଗାଇ ଏଥିରେ ବଳଦ ଯୋଚି ବିଦା ଟାଣି ଦିଆଯାଏ । ବିଦା ଚାଲିଲେ ବଙ୍କା ବିଦାକାଠି ଆଗରେ ମାଟି ଖୋଳି ହୋଇଥାଏ । ଉପର ମାଟି ଖୋଳପା ଛାଡିଯାଏ ଏବଂ ମାଟି ନରମ ହୋଇଯାଏ । ଛୋଟ ଛୋଟ ଅନାବନା ଘାସ ମଧ୍ୟ ଉପୁଡିଯାଏ । ବର୍ଷା ହେଲେ ବର୍ଷାପାଣି ସହଜରେ ମାଟି ଭିତରକୁ ଭେଦିପାରେ । ଉପକୂଳ ଜିଲ୍ଲାମାନଙ୍କରେ ବିଆଳି ବିଲରେ ବିଦା ଦେବା ପୁରାତନ ଅନ୍ତଃକମଣ ପଦ୍ଧତି ହିସାବରେ ଚଳିଆସୁଛି ।
ଏହା ମଧ୍ୟ ଏକ ପ୍ରକାର ବିଦା । ଏହା ମାଟି ଗୁଣ୍ଡ କରିବା ପାଇଁ ବ୍ୟବହୃତ ହୁଏ । ଗୋଟିଏ ଲୁହା ଅଖରେ ୪ଟି ଥାଳିଆ ଭଳି ଲୁହାପଟି ଯୋଡା ହୋଇଥାଏ । ଅଖଟିରେ ଈଷ ଲାଗିଥାଏ । ବଳଦ ଦ୍ଵାରା ଏ ବିଦା ଟଣାଯାଇ ମାଟି ହଲ ବା ଯୋତ କରାଯାଇପାରେ ମାଟି ବତର ଥିଲେ ଏଥିରେ କାମ କଲେ ଜମି ଭଲ କମଣ ହୋଇଥାଏ । ପ୍ରତ୍ୟକ ଥାଳିଆର ବ୍ୟାସ ୩୫ ସେ.ମି. । ଗୋଟିଏ ଥାଳିଆ ବିଦାର ଓଜନ ପ୍ରାୟ ୩୫ କି.ଗ୍ରା. । ଏହା ମଧ୍ୟ ଟ୍ରାକ୍ଟର ଦ୍ଵାରା ଟଣାଯାଇପାରେ । ଏହାଦ୍ଵାରା ଦିନକୁ ୮ ଘଣ୍ଟା କାମ କରି ପ୍ରାୟ ୨ ଏକର ବତର ଜମି ବୁଣିବା ପାଇଁ ହଲ କରାଯାଇପାରେ । ଏହାଦ୍ଵାରା ମଧ୍ୟ କାଦୁଅ କରାଯାଇପାରେ । ଦିନକୁ ୧ ଏକର ଜମି କାଦୁଅ କରାଯାଇପାରେ ।
ଧାନ ରୋଇବା ପାଇଁ ଜମି କାଦୁଅ କରିବା ଆବଶ୍ୟକ । ଏହା ଯନ୍ତ୍ର ସାହାଯ୍ୟରେ କରାଯାଇପାରେ । ଏହି କାଦୁଅକରା ଯନ୍ତ୍ର ଲଘୁ ଇସ୍ପାତରେ ତିଆରି ।
ଏହା ହଳେ ବଳଦ ଯୋଚି କାମ କରାଯାଇପାରେ । ଏହାର ଓଜନ ପ୍ରାୟ ୩୦ କି.ଗ୍ରା. ଏବଂ ସଜରେ ଗୋଟିଏ କିଆରୀରୁ ଆଉ ଗୋଟିଏ କିଆରୀକୁ ଦିଆଯାଇପାରେ ।
ଏହି ଯନ୍ତ୍ର ସାହାଯ୍ୟରେ ଦିନକୁ ୨ ଏକର ଜମି କାଦୁଅ କରାଯାଇପାରେ । ଏହାକୁ ମଧ୍ୟ ଧାନ ଅମଳ ପାଇଁ ବ୍ୟବହାର କରାଯାଇପାରେ । ଦିନକୁ ଏଥିରେ ୬ – ୭ କ୍ଵିଣ୍ଟାଲ ଧାନ ଅମଳ କରାଯାଇପାରିବ ।
ଧାନରୁଆ ସାଧାରଣତଃ ହାତରେ କରାଯାଇଥାଏ । ଏହା ଏକ କଠିନ କାମ । ନଇଁପଡି ବାଁ ହାତରେ ତଳିଧରି ଡାହାଣ ହାତରେ ପୋତି ପୋତି ପଛକୁ ପଛ ଯିବାକୁ ପଡେ । ଏଥିରେ ଅଣ୍ଟା ପିଠି ଲାଗିଯାଏ । କିନ୍ତୁ ଏ କାମ ମଧ୍ୟ ଯନ୍ତ୍ର ସାହାଯ୍ୟରେ କରାଯାଇପାରେ । ତଳି ଉପାଡି ଭଲ ଭାବରେ ଧୋଇ ସଜାଡି ଏ ଯନ୍ତ୍ରରେ ରଖାଯାଏ । ଯନ୍ତ୍ରରେ ଲାଗିଥିବା ହାତ ଓ ଆଙ୍ଗୁଠି ସାହାଯ୍ୟରେ ଥରକୁ ୨-୩ଟି ତଳି ବାହାରକୁ ବାହାରିଯାଏ ଏବଂ ଆଉ ଗୋଟିଏ ପୋତାଳି କଣ୍ଟା ସାହାଯ୍ୟରେ ପୋତି ହୋଇଥାଏ । ଏହି ଯନ୍ତ୍ରକୁ ଆଗରୁ ପଛକୁ ଟାଣି ଟାଣି ନେବାକୁ ପଡେ । ଏହାଦ୍ଵାରା ଦିନକୁ ୧ ଏକର ଜମି ରୁଆଯାଇପାରେ । ଏହି ଯନ୍ତ୍ର ଭଲ ଭାବରେ କାମ କରିବା ପାଇଁ ଜମି ଭଲ ଭାବରେ କାଦୁଅ ହେବା ଓ ସମାନ ହେବା ଆବଶ୍ୟକ । ଏହି ଯନ୍ତ୍ରରେ ଥିବା ସାମାନ୍ୟ ଅସୁବିଧା ଦୂର ହୋଇଗଲେ ଏହାଦ୍ଵାରା ଆମ୍ଭମାନଙ୍କର ଅନେକ ଉପକାର ସାଧିତ ହେବ ।
ବିଭିନ୍ନ ପ୍ରକାର ମଞ୍ଜି ଯନ୍ତ୍ର ସାହାଯ୍ୟରେ ମଧ୍ୟ ବୁଣାଯାଇପାରେ । ଧାନ, ଗହମ, ମୁଗ, ନଳିତା , ଚିନାବାଦାମ ଇତ୍ୟାଦି ଫସଲ ମଞ୍ଜି ଯନ୍ତ୍ର ସାହାଯ୍ୟରେ ଧାଡି ଧାଡି କରି ବୁଣାଯାଇପାରେ । ଯନ୍ତ୍ର ଓସାର ଅନୁସାରେ ଏକକାଳୀନ ୩-୪ ଧାଡି ବୁଣା ମଧ୍ୟ ହୋଇପାରେ । ମଞ୍ଜି ପରିମାଣ ମଞ୍ଜି ବୁଣିବା ଗଭୀରତା ମଧ୍ୟ ଏ ଯନ୍ତ୍ର ସାହାଯ୍ୟରେ ସ୍ଥିର କରାଯାଇପାରେ । ଏହି ବୁଣାଯନ୍ତ୍ର କାଠ, ପ୍ଲାଷ୍ଟିକ ପାଇପ୍ ଓ ଲୁହାରେ ତିଆରି । ଏହା ଗୋଟିଏ ମଞ୍ଜି ବୁଣା ଲଙ୍ଗଳ, ଏଥିରେ ଏକାବେଳକେ ୩ ଧାଡି ବୁଣାଯାଇପାରିବ । ଲଙ୍ଗଳ ଭଳି କଣ୍ଟି ଓ ଈଷ ଅଛି । କଣ୍ଟି ମଝି ଭାଗରେ ଗୋଟିଏ ଅଖ ଆଡୁଆ ଯୋଡା ହୋଇଛି । ଏହି ଅଖରୁ ୩ଟି ଲୁହା ମୁନ ବାହାରିଛି । ଲୁହା ପଛକୁ ୩ଟି ପ୍ଲାଷ୍ଟିକ ପାଇପ୍ ଲାଗିଛି । ଏ ପ୍ଲାଷ୍ଟିକ ପାଇପ୍ ୩ଟିର ମୂଳ ଘୋଡା ହୋଇଛି । ଗୋଟିଏ ମଞ୍ଜି ବାୟୁ ସହିତ ମଞ୍ଜି ବାୟୁରେ ଭର୍ତ୍ତି କରାଯାଏ । ମଞ୍ଜିଗୁଡିକ ଗୋଟିକ ପରେ ଗୋଟିଏ ପ୍ଲାଷ୍ଟିକ ପାଇପ ଭିତର ଦେଇ ଲୁହାମୁନ ପଛ ପଟରେ ପଡେ । ଲଙ୍ଗଳ ଚାଲିଲେ ଦୁଇପଟରୁ ଖୋଳି ହୋଇ ଯାଉଥିବା ମାଟି ପୁଣି ବେରହା ଉପରେ ପଡେ ଏବଂ ମଞ୍ଜି ମାଟିରେ ଘୋଡେଇ ହୋଇଯାଏ । ଏହି ଯନ୍ତ୍ରଟିକୁ ହଳେ ବଳଦ ସହଜରେ ଟାଣିପାରିବେ । ଯନ୍ତ୍ରଦ୍ଵାରା ବୁଣିଲେ ମଞ୍ଜି ସମାନ ଭାବରେ ପଡେ । କିଆରୀରେ ଯନ୍ତ୍ର ସାହାଯ୍ୟରେ ବୁଣିବା ପାଇଁ ମାଟି ଭଲଭାବରେ ଗୁଣ୍ଡ ଓ କିଆରୀ ଖୁବ୍ ସମାନ ହେବା ଆବଶ୍ୟକ । ଖାଲ ଢିପ ରହିଲେ ଯନ୍ତ୍ର ଚାଲିବାରେ ଅସୁବିଧା ହୁଏ । ମଞ୍ଜି ଠିକ୍ ଭାବରେ ପଡେ ନାହିଁ । କିଆରୀରେ ଡେଣୁଆ ଥିଲେ ଲୁହା ପଛପଟ ପ୍ଲାଷ୍ଟିକ ପାଇପ୍ ମୁହଁରେ ଡେଣୁଆ ଲାଗି ଯାଇ ମୁହଁ ବନ୍ଦ ହୋଇଯାଏ ଏବଂ ମଞ୍ଜି ତଳକୁ ଖସେ ନାହିଁ । ଯନ୍ତ୍ରର ଓଜନ ବେଶୀ ହେଲେ ବଳଦ ଟାଣି ପାରନ୍ତି ନାହିଁ । କିଆରୀ ବେଶି ବତର ଥିଲେ ମଧ୍ୟ ଏ ଯନ୍ତ୍ର କାମ କରେ ନାହିଁ । ଏହିସବୁ କାରଣରୁ ଆମ ରାଜ୍ୟରେ ବୁଣା ଯନ୍ତ୍ର ବେଶି ଆଦୃତ ହୋଇପାରୁନାହିଁ ।
ଚିତ୍ର ୨.୪ ରେ ଦେଖାଯାଉଥିବା ଯନ୍ତ୍ରଟିର ଗୋଟିଏ ୩ ଧାଡିଆ ମଞ୍ଜି ବୁଣା ଯନ୍ତା ଏହାକୁ ହାତରେ ଟାଣି ମଞ୍ଜି ବୁଣାଯାଇପାରେ । ଏହା ସାହାଯ୍ୟରେ ଗହମ ଧାନ ବୁଣାଯାଇପାରିବ । ବାକ୍ସରେ ମଞ୍ଜି ଭର୍ତ୍ତି କରାଯାଏ । ବାକ୍ସରେ କଣା ୩ଟା । ପ୍ରତି କଣାକୁ ଗୋଟାଏ ଲେଖାଏ ପ୍ଲାଷ୍ଟିକ ନଳୀ ଖଞ୍ଜା ହୋଇଥାଏ । ପ୍ଲାଷ୍ଟିକ ନଳୀର ମୁହଁ ଲୁହା ପଛକୁ ଲାଗିଥାଏ । ମଝିରେ ଗୋଟିଏ ଈଷ । ଈଷ ଅଗକୁ ଧରି ଟାଣିବା ପାଇଁ ଗୋଟିଏ ବେଣ୍ଟ । ଯନ୍ତ୍ରଟି ବିଲରେ ଗଡିବା ପାଇଁ ଅଖ ଲାଗିଛି ଓ ଅଖର ଦୁଇପଟେ ୨ଟି ଚକ । ଏ ଯନ୍ତ୍ରଟିରେ କାମ କରିବା ସହଜ । ମାଟି ଭଲ ଭାବରେ ଗୁଣ୍ଡ ହୋଇଥିଲେ ଓ ବିଲ ସମତଳ ଥିଲେ ଏ ମଧ୍ୟ ଭଲ କାମକରେ ।
ଏ ଯନ୍ତ୍ର ସାହାଯ୍ୟରେ ମଞ୍ଜି ଓ ସାର ଏକାବେଳକେ ବୁଣାଯାଇପାରିବ । ଏହି ଯନ୍ତ୍ରକୁ ହାତରେ ଟାଣି ବା ବଳଦ ଦ୍ଵାରା ଟାଣି ମଞ୍ଜି ଓ ସାର ବୁଣାଯାଇ ପାରିବ । ସାର ଆଗ ପଡିବ । ତା’ପରେ ମଞ୍ଜି ଗୋଟି ଗୋଟି ହୋଇପଡିବ । ଦୁଇପଟୁ ପଡୁଥିବା ଗୁଣ୍ଡ ମାଟି ଦ୍ଵାରା ସାର ଓ ମଞ୍ଜି ଘୋଡେଇ ହୋଇଯିବ । ଧାଡିକୁ ଧାଡି ୧୫ ସେ.ମି. ବ୍ୟବଧାନରେ ସାର ଓ ମଞ୍ଜି ବୁଣାଯାଇପାରିବ । ହାତ ଟଣା ଯନ୍ତ୍ରର ଓଜନ ପ୍ରାୟ ୧୫ କି.ଗ୍ରା. ସହଜରେ ଗୋଟିଏ କିଆରୀରୁ ଆଉ ଗୋଟିଏ କିଆରୀକୁ ନେଇହେବ । ଦିନକୁ ୭୫ ଡେସିମିଲ ଜମି ବୁଣି ହେବ ।
ଚିନାବାଦାମ ମଞ୍ଜି ଛଡାଇବା ପାଇଁ ବହୁତ ସମୟ ଲାଗେ । କିନ୍ତୁ ଯନ୍ତ୍ର ସାହାଯ୍ୟରେ ଏହି କାମ ଶୀଘ୍ର ହୋଇଯାଏ । ଚିନାବାଦାମ ଛୁଇଁ ପୂରାଇବା ପାଇଁ ଗୋଟିଏ ବାକ୍ସ ଯନ୍ତ୍ରର ଉପରିଭାଗରେ ଖଞ୍ଜା ଯାଇଥାଏ । ଏହା ତଳକୁ ଗୋଟିଏ ରୋଲର ଥାଏ । ରୋଲର ତଳକୁ ଗୋଟିଏ ଆବୁଆବୁଆ ତାର ଜାଲି, ରୋଲର ଓ ତାରଜାଲି ମଧ୍ୟରେ ଥିବା ଫାଙ୍କ ଜାଗାରେ ଚିନାବାଦାମ ରାହିଜାଏ । ରୋଲର ବୁଲିଲେ ଏହାର ଛୋଟ ଦାନ୍ତ ଚିନାବାଦାମ ଛୁଇଁକୁ ଜାଲି ଉପରେ ଗଡେଇ ଘୋଷାରି ନିଏ ଏହାଦ୍ଵାରା ଚିନାବାଦାମ ଛୁଇଁରୁ ଚୋପା ଛାଡିଯାଏ ।ମଞ୍ଜିଗୁଡିକ ତଳକୁ ଗଳିଯାଏ । ତଳେ ଚିନାବାଦାମ ମଞ୍ଜିଗୁଡିକୁ ଗୋଟିଏ ଛୋଟ ଘର ଭଳିଆ ଜାଗାରେ ପଡିଥାଏ ।
ଏଥିରେ ଘଣ୍ଟାକୁ ୧୫ କି.ଗ୍ରା. ଚିନାବାଦାମରୁ ମଞ୍ଜି ଛଡା ଯାଇପାରେ । ଏ ଦୃଷ୍ଟିରୁ ଏହା ଅତ୍ୟନ୍ତ ଦରକାରୀ ଯନ୍ତ୍ର । ହାତରେ ଛଡାଇବା ପାଇଁ ଆବଶ୍ୟକ ମୂଲ ତୁଳନାରେ ଏହି ଯନ୍ତ୍ର ସାହାଯ୍ୟରେ ୯୦% ମୂଳ କମିଯିବ । ଶତକଡା ୧ ଭାଗରୁ କମ୍ ଚିନାବାଦାମ ମଞ୍ଜି ଏଥିରେ ଗୁଣ୍ଡ ହୋଇଯାଇଥାଏ । ଏହି ଯନ୍ତ୍ରର ଓଜନ ପ୍ରାୟ ୧୪ କି.ଗ୍ରା ଏହି ଯନ୍ତ୍ରକୁ ସହଜରେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ନେଇ ବ୍ୟବହାର କରାଯାଇପାରେ । ଏହି ଯନ୍ତ୍ରଟି ଚିନାବାଦାମ ଚାଷୀଙ୍କ ପାଖରେ ଅତ୍ୟନ୍ତ ଆଦୃତ ହେଲାଣି ।
ଚିନାବାଦାମ ଖୋଳିବା ଓ ନାଡିରୁ ଚିନାବାଦାମ ତୋଳିବା ପାଇଁ ଯନ୍ତ୍ର ଏବେ ଉଦ୍ଭାବିତ ହେଲାଣି । ଯନ୍ତ୍ରଟି ଖୋଲିବା ସାଥି ସାଥି ଆଙ୍ଗୁଠିରେ ନାଡିରୁ ଚିନାବାଦାମ ଛୁଇଁ ଟାଣି ଛିଣ୍ଡାଇଲା ଭଳି କାମ କରିପାରୁଛି । ଏହା କାଠ ଓ ଲୁହାପାତ ଏବଂ ଜାଲିରେ ତିଆରି । କେତେକ କ୍ଷେତ୍ରରେ ଚିନାବାଦାମ ଖୋଳିବା ପାଇଁ ଗୋଟିଏ ଯନ୍ତ୍ର ଓ ଚିନାବାଦାମ ତୋଳିବା ପାଇଁ ଆଉ ଏକ ଯନ୍ତ୍ର ବ୍ୟବହାର କରାଯାଏ ।
ଏହି ଯନ୍ତ୍ରଟି ଶାଳ କାଠରେ ତିଆରି, ମକାର ଆକାର ଅନୁସାରେ ଏହି ଯନ୍ତ୍ର ମଧ୍ୟ ସାନ ଓ ବଡ ହୋଇଥାଏ । ଏହି ଯନ୍ତ୍ର ସାହାଯ୍ୟରେ ଗୋଟିଏ ବଡ ମକାରୁ ମଞ୍ଜି ଗୁଡିକୁ ଛଡାଇବା ପାଇଁ ମାତ୍ର ୨ ମିନିଟ୍ ଲାଗିଥାଏ । ଏହି ଯନ୍ତ୍ରଟିର ଓଜନ ୨୫୦ ଗ୍ରାମ ମାତ୍ର ।
ଏହି ପ୍ରକାର ଯନ୍ତ୍ରଟି ଟିଣ ପତ୍ରରେ ତିଆରି । ଏଥିରେ ଘଣ୍ଟାକୁ ୧୫ – ୨୦ କି.ଗ୍ରା. ମଞ୍ଜି ଛଡା ଯାଇପାରେ । ଯନ୍ତ୍ରଟିର ଓଜନ ମାତ୍ର ୩୫୦ ଗ୍ରାମ ।ଏହାକୁ ସହଜରେ ବିଭିନ୍ନ ଜାଗାକୁ ନିଆଯାଇପାରେ ।
ଏହି ଯନ୍ତ୍ର ସାହାଯ୍ୟରେ ମାଣ୍ଡିଆ , ନଳିତା ଓ ସୋରିଷ ଭଳି ଛୋଟ ବିହନ ସହଜରେ ବୁଣା ଯାଇପାରେ ବିହନକୁ ଧାଡିରେ ଠିକ୍ ବ୍ୟବଧାନରେ ଓ ଗଭୀରତାରେ ପକାଯାଇପାରେ ।
ଏହି ଯନ୍ତ୍ରରେ ବିହନ ରଖିବା ପାଇଁ ଖୋପଥାଏ । ଆଗରେ ଗୋଟିଏ ଦୁଇ ହାତରେ ଧରି ଚଳାଇବା ପାଇଁ ବେଣ୍ଟ ମୁଠା ଥାଏ ।
ଖୋପରୁ ମଞ୍ଜି ପ୍ଲାଷ୍ଟିକ ବା ଟିଣ ନଳୀ ଭିତର ଦେଇ ଲୁହା ମୁହଁ ପଛରେ ପଡେ । ଲୁହା ମୁନରେ ଖୋଳି ହୋଇଯାଉଥିବା ମାଟିରେ ପଡୁଥିବା ମଞ୍ଜି ଘୋଡାଇ ହୋଇଯାଏ । ଯନ୍ତ୍ର ସାହାଯ୍ୟରେ ବୁଣିଲେ ଅଳ୍ପ ମଞ୍ଜି ଖର୍ଚ୍ଚ ହୁଏ ଏବଂ ବିଲରେ ବିହନ ସମାନ ଭାବରେ ପଡେ ।
ଆମ ରାଜ୍ୟରେ ସାଧାରଣତଃ ଧାନ ହଳାକୁ ବାଡେଇ, ବଳଦ ଦ୍ଵାରା ବେଙ୍ଗଳା ପକେଇ କିମ୍ବା ଟ୍ରାକ୍ଟର ଦ୍ଵାରା ବେଙ୍ଗଳା ପକେଇ ଅମଳ କରାଯାଇଥାଏ । ବଳଦ ବେଙ୍ଗଳାରେ ବେଶି ସମୟ ନଷ୍ଟ ହୁଏ । ଟ୍ରାକ୍ଟର ବେଙ୍ଗଳା ପାଇଁ ବେଶି ହଲା ଦରକାର । ଖଳା ମଧ୍ୟ ଭଲ ହେବା ଦରକାର ।
କିନ୍ତୁ ଏହି ଧାନ ଅମଳ ଯନ୍ତ୍ର ଛୋଟ । ଯେ କୌଣସି ଛୋଟ ବଡ ଚାଷୀ ଏହାକୁ ବ୍ୟବହାର କରିପାରିବେ । ଏହି ଯନ୍ତ୍ରଟି ସାଇକେଲରେ ବସି ପେଡାଲ ମାରିଲା ଭଳି ପେଡାଲ ମାରି ଚଳାଯାଇପାରେ । କିମ୍ବା ବିଜୁଳି ଶକ୍ତି ସାହାଯ୍ୟରେ ଚଳାଯାଇ ପାରେ । ବିଦ୍ୟୁତ ଚାଳିତ ଯନ୍ତ୍ରଟି ଏକ ଅଶ୍ଵଶକ୍ତି ବିଶିଷ୍ଟ ବିଜୁଳି ମୋଟର ସାହାଯ୍ୟରେ ଚାଳିତ ହୁଏ । ଜାପାନୀ ଧାନ ଅମଳ ଯନ୍ତ୍ର ଭଳି ଏହି ଯନ୍ତ୍ର କାମ କରେ । ହଳାକୁ ଅଳ୍ପ ଅଳ୍ପ ଧାନ ଗଛର ଆଗ ଏହି ଯନ୍ତ୍ରର ଦାନ୍ତି ଉପରେ ଦେଖାଇଲେ କେଣ୍ଡାରୁ ଧାନଗୁଡିକ ଝଡିଯାଏ । ବଡ ବଡ ଧାନ ଅମଳ ଯନ୍ତ୍ରରେ ହଳାକୁ ଗୋଟା ଗୋଟା କରି ଭର୍ତ୍ତି କରିଦିଆଯାଏ । ଧାନ ଗୋଟିଏ ମୁହଁରେ , ପାଳ ଅନ୍ୟାନ୍ୟ ଗୁଣ୍ଡକୁଟା ଆଉ ଗୋଟିଏ ମୁହଁରେ ବାହାରେ । ଯେଉଁଥିରେ ପଙ୍ଖା ଖଞ୍ଜା ହୋଇଥାଏ, ସେ ଯନ୍ତ୍ରରେ ଧାନ ଉଡା ହୋଇ ସଫା ଧାନ ଆଉ ଗୋଟାଏ ମୁହଁରେ ବାହାରେ । ଏଇ ମୁହଁରେ ବସ୍ତା ବାନ୍ଧି ଦେଲେ ସଫା ଧାନ ବସ୍ତାରେ ପଶେ । ବସ୍ତା ପୁରିଗଲେ , ଖାଲି ବସ୍ତା ପୁଣି ସେ ମୁହଁରେ ବାନ୍ଧି ଦିଆଯାଏ ।
ଛୋଟ ମଧ୍ୟମ ଧରଣର ଶକ୍ତି ଚାଳିତ ଧାନ ଅମଳ ଯନ୍ତ୍ରର ଓଜନ ପ୍ରାୟ ୯୦ କିଲୋଗ୍ରାମ । ଏହାଦ୍ଵାରା ଘଣ୍ଟାକୁ ୨୪୦ କି.ଗ୍ରା. ଧାନ ଅମଳ ହୋଇପାରେ ।
ନାଲି ରୁଗୁଡିଆ ମାଟି ଯେତେ ଚାଷ ହୋଇଥିଲେ ସୁଦ୍ଧା ଛେଚା ବର୍ଷା ପରେ ଉପର ଭିଦେଇ ଯାଏ । କାଦୁଅ ଜମିରେ ମଧ୍ୟ ଏପରି ଗୋଟିଏ ସର ଉପରେ ପଡିଯାଏ । ମାଟି ଉପରେ ବାନ୍ଧି ହୋଇଯାଏ । ଗଜା ଶୀଘ୍ର ବାହାରେ ନାହିଁ । ବଙ୍କେଇ ହୋଇ ତଳେ ରହିଯାଏ । କ୍ରମେ ଶୁଖିଯାଇ ମରିଯାଏ ଅଥବା ଗଜା ବହୁ କଷ୍ଟରେ ବାହାରି ହଳଦିଆ ପଡି ଶୁଖିଯାଇ ମରିଯାଏ । ଏପରି ଜମିରେ ବର୍ଷା ପରେ ବତର ଥିବା ଅବସ୍ଥାରେ ଏହି ଯନ୍ତ୍ରକୁ ଚଳାଇଲେ ଉପର ମାଟିରେ କଠିନତା ଭାଙ୍ଗିଯାଏ । ମାଟି ନରମ ହୋଇଯାଏ । ଗଜା ଶୀଘ୍ର ବାହାରି ଆସେ । ଏହି ଯନ୍ତ୍ରକୁ ଜଣେ ଲୋକ ସହଜରେ ଟାଣି ପାରେ । ଏହାର ଓଜନ ପ୍ରାୟ ୧୧ କିଲୋଗ୍ରାମ । ଏହି ଯନ୍ତ୍ର ଦ୍ଵାରା ଘଣ୍ଟାକୁ ୨୦ ଡିସିମିଲ ଜମିରେ କଠିନତା ଭଙ୍ଗା ଯାଇପାରିବ ।
ଧାନ ବିଲରେ ଇଉରିଆ ଜାତୀୟ ସାର ସହଜରେ ମିଳେଇଯାଏ ଏବଂ ପାଣିରେ ଧୋଇ ହୋଇଯାଏ । ୧୦୦ କି.ଗ୍ରା. ଇଉରିଆରୁ ପ୍ରାୟ ୩୦ – ୩୫ କି.ଗ୍ରା. ଇଉରିଆ ସାରର ଫଳ ମିଳିଥାଏ । ଏହି ସାରକୁ ନ ବିଞ୍ଚି ଧାନ ବୁଦା ମଝିରେ ୫-୧୦ ସେ.ମି. ତଳେ ରଖିଦେଲେ ଏ ସାରର ଉପଯୋଗୀତା ବୃଦ୍ଧିପାଏ । ଧାନ ଚେର ଏ ସାର ସହଜରେ ଗ୍ରହଣ କରିଥାଏ ।
ଏହି କାମଟି ଯନ୍ତ୍ର ସାହାଯ୍ୟରେ କରାଯାଇପାରେ , ଏହାଦ୍ଵାରା ଇଉରିଆ ସାରର ଦାନା ଠିକ୍ ଜାଗାରେ ରଖାଯାଇପାରେ । ଏହି ଯନ୍ତ୍ରର ଓଜନ ପ୍ରାୟ ୪ କି.ଗ୍ରା. । ଜଣେ ଲୋକ ଟାଣି ଧାଡିରେ ଥାଇ ଠିକ୍ ମୁତାବକ ପକାଇପାରିବା । ଏହା ଦ୍ଵାରା ବଡ ଦାନା ଇଉରିଆ ସାର ମଧ୍ୟ ପକାଯାଇ ପାରିବ ।
ଫସଲ ବୁଣିବା ବା ଲଗାଇବାଠାରୁ ଅମଳ କରିବା ସମୟ ଭିତରେ କିଆରୀରେ ଫସଲ ଚାହିଦା ଅନୁସାରେ ଖୁସାଇବା, କୋଡିବା , ହୁଡାଦେବା ଇତ୍ୟାଦି କାମ ଆବଶ୍ୟକ ହୋଇଥାଏ । ଏହା କେବଳ ଛୋଟ କୋଦାଳ, କୋଡି ଦ୍ଵାରା ସମ୍ଭବ ନୁହେଁ । ଏହି କାମକୁ ସହଜରେ , ଅଳ୍ପ ପରିଶ୍ରମରେ ଓ ଅଧିକ ଫଳପ୍ରଦ ଭାବେ କରିବା ପାଇଁ ବିଭିନ୍ନ ଛୋଟ ଯନ୍ତ୍ରପାତି ବାହାର କରାଯାଇଛି ।
ଏହି ଯନ୍ତ୍ରଟିର ଗୋଟିଏ ପଟ ସରୁ ନାଳ ବା ସିଆର କରିବା ପାଇଁ ଗୃହିତ ପରି ଏବଂ ତାର ଅନ୍ୟ ପଟଟି ହଣାହଣି ଓ ଖୁସାଖୁସି କରିବା ପାଇଁ କୋଦାଳ ପରି ହୋଇଥାଏ । ଏଥିରେ ଗୋଟିଏ ଲାମ୍ବା ବେଣ୍ଟ ଲାଗିଥାଏ ।
ବେଣ୍ଟକୁ ଧରି ଠିଆ ହୋଇ ବା ଅଳ୍ପ ନଇଁ ପଡି କୋଡା ଖୁସା କାମ ସହଜରେ କରିହୁଏ । ଧାଡି ଧାଡି ହୋଇ ଲଗାହୋଇଥିବା ଫସଲରେ କାମ କରିବା ପାଇଁ ସୁବିଧା ହୁଏ । ବୁଣା ଫସଲରେ ମଧ୍ୟ ଗଛ ଉଠିବାର 20 – 25 ଦିନ ଗଛ ଛୋଟଥିବା ଅବସ୍ଥାରେ ଏହା ବ୍ୟବହାର କରାଯାଇପାରେ ।
ବଗିଚାରେ ମାଟି ଗୁଣ୍ଡ କରିବା ପାଇଁ , ଧାଡି ବା ସିଆର ଟାଣି ମଞ୍ଜି ବୁଣିବା ପାଇଁ ଏହା ଏକ ଉପଯୁକ୍ତ ଯନ୍ତ୍ର । ଲୁହା ଖଣ୍ଡେ – ପତଳା , ଚେପ୍ ଟା । ଭିତର ପଟକୁ ସାମାନ୍ୟ ବଙ୍କା । ଏଥିରେ ଗୋଟିଏ ଲାମ୍ବା ବେଣ୍ଟ ଲାଗିଥାଏ । ଏହି ଛୋଟ ଯନ୍ତ୍ରଟି ଧରି ଠିଆହୋଇ ଧାଡି ଟଣାଯାଇପାରେ । ଅଳ୍ପ ଖୁସାଖୁସି କାମ ମଧ୍ୟ କରାଯାଇପାରେ ।
ଏହା ଗୋଟିଏ ଛୋଟ ବିଦା । ଗୋଟିଏ ପତଳା ଲୁହା ଦସ୍ତାରେ ୩ଟି ଲୁହା ଦାନ୍ତି ଲାଗିଥାଏ । ଏହି ଦଣ୍ଡାର ଦୁଇ ପଟୁ ପଛକୁ ଲମ୍ବ ବେଣ୍ଟ ୨ଟି ଲାଗିଥାଏ । ଲମ୍ବ ବେଣ୍ଟ ଦୁଇଟିକୁ ଏକାଠି ଯୋଡି ଧରିବା ପାଇଁ ସିଡିରେ କଇଁଆ ଲାଗିଲା ଭଳି ଦୁଇବେଣ୍ଟ ମଝିରେ ଓ ଶେଷ ଆଡକୁ ଦୁଇଟି କଇଁଆ ଲାଗିଥାଏ ।
ବେଣ୍ଟର ଶେଷରେ ବଙ୍କୁଲି ମୁଠା । ଅଖ ଦଣ୍ଡାର ଆଗକୁ ଗୋଟିଏ ଚକ ଲାଗିଥାଏ । ବିଦାଟିକୁ ଆଗକୁ ଓ ପଛକୁ ସହଜରେ ପେଲିବା ପାଇଁ ହକା ସାହାଯ୍ୟ କରେ । ଲୁହା ଦାନ୍ତି ସାହାଯ୍ୟରେ ମାଟି ଖୋଳି ହୋଇଯାଏ । ଅନାବନା ଘାସ ଉପୁଡି ପଡେ । ଏହାର ଓଜନ ପ୍ରାୟ ୪.୫ କି.ଗ୍ରା. ଏହାକୁ ଧରି ୨ ହାତରେ ଠିଆ ହୋ କାମ କରିହୁଏ ।
ଧାଡି ରୁଆ ଫସଲରେ ଧାଡିରୁ ଘାସ ବାଛିବା ପାଇଁ ଏହା ଏକ ସହଜ ଓ ସରଳ ଉପଯୋଗୀ ଉପକରଣ । ବିଆଳି ଧାନ, ଗହମ, ସୋରିଷ, ଚିନାବାଦାମ ଇତ୍ୟାଦି ଫସଲ ଧାଡିରେ ଲଗା ହୋଇଥିଲେ ଏ ଉପକରଣ ଦ୍ଵାରା ଖୁସାଇବା ସୁବିଧା ହୋଇଥାଏ ।
ଏହି ଉପକରଣ ସାହାଯ୍ୟରେ ପଟାଳିରୁ ଘାସ, ପଥର, କୁଟା କାଠି ଓ ଅନ୍ୟାନ୍ୟ ଅନାବନା ପଦାର୍ଥ ସହଜରେ ଟାଣିଆଣି ଏକାଠି କରାଯାଇପାରେ ।
ମଞ୍ଜି ବୁଣିବା ପୂର୍ବରୁ ବୁଣା ଫସଲର ଗଜା ଉଠିବା ପରେ ଏ ଉପକରଣ ସାହାଯ୍ୟରେ ଅଳ୍ପଖୁସା ଯାଇପାରେ ।
ଏହାକୁ ଟାଣି ମଧ୍ୟ ମାଟି ଉପର ସର ବା ବଳକା ଭଙ୍ଗାଯାଇପାରେ ।
ଏହି ଉପକରଣଟି ଭଲ ଦସ୍ତା ପତରରେ ତିଆରି । ଏହା ସାହାଯ୍ୟରେ ଛୋଟ ଛୋଟ ପହଣି ମଧ୍ୟ ଟଣାଯାଇପାରେ । ଏହାକୁ ଟାଣିଲା ବେଳେ ଦୁଇ ପଟର ଦନ୍ତୁରିତ ଧାରା ସାହାଯ୍ୟରେ ମାଟି ଖୋଳି ହୋଇଯାଏ ଏବଂ ହୁଡା ମଧ୍ୟ ଦିଆ ହୋଇଯାଏ । ଓସାରିଆ ଧାଡିରେ ଲଗାଯାଇଥିବା ଫସଲ କପା, ଆଳୁ, କୋବି ଇତ୍ୟାଦି ଫସଲରେ ଅନ୍ତଃଚାଷ ପାଇଁ ଏହା ଉପଯୁକ୍ତ । ଏହି ଉପକରଣଟିର ଓଜନ ପ୍ରାୟ ୧.୨୫ କି.ଗ୍ରା. ।
ଏହିସବୁ ଉପକରଣ ବ୍ୟତୀତ ଦା,ଦାଇଲି, ଖୁରୁପି, ନେଡେଣି, କଟୁରୀ କୋଦାଳ କାଙ୍କ, ଗଇନ୍ତି, କୋଡି ଇତ୍ୟାଦି ସବୁ ଅପରିହାର୍ଯ୍ୟ କୃଷି ଉପକରଣ ଅଟେ । ଏଗୁଡିକ ଛୋଟ ହେଲେହେଁ ଅତି ଉପକାରୀ , ଦରକାରୀ ଓ ଅପରିହାର୍ଯ୍ୟ ଉପକରଣ ଅଟେ ।
ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ
Last Modified : 5/11/2021