ଏହା ସର୍ବପ୍ରଥମ ଓ ସର୍ବପ୍ରଧାନ ଚାଷ ଉପକରଣ । ଏହା ଚାଷଲାଗି ଅପରିହାର୍ଯ୍ୟ । ପୃଥିବୀର ବିଭିନ୍ନ ଦେଶରେ ଏହି ଲଙ୍ଗଳର ଆକାର ଓ ପ୍ରକାର ଭିନ୍ନ ହେଲେହେଁ ସର୍ବତ୍ର ଏହାର ସ୍ଥାନ ପ୍ରଥମ ଓ ଉଦ୍ଦେଶ୍ୟ ସମାନ । କାଳକ୍ରମେ ଏହାର ପ୍ରକାର ଓ କାର୍ଯ୍ୟକାରୀତା ଶକ୍ତିର ପରିବର୍ତ୍ତନ ଅଣାଯାଇଛି । ପ୍ରାଥମିକ ବିଦାରଣ ପାଇଁ ଲଙ୍ଗଳ ଏକମାତ୍ର ଯନ୍ତ୍ର । ଲଙ୍ଗଳ ଦୁଇ ପ୍ରକାର - କାଠ ଲଙ୍ଗଳ ଓ ଲୁହା ଲଙ୍ଗଳ । ଭାରତ ତଥା ପୂର୍ବ ଏସୀୟ ଦେଶ ମାନଙ୍କରେ କାଠ ଲଙ୍ଗଳ ବହୁ ପୁରାକାଳରୁ କୃଷିଲାଗି ଅପରିହାର୍ଯ୍ୟ ସର୍ବପ୍ରଧାନ ଓ ପ୍ରଥମ ଯନ୍ତ୍ର ରୂପେ ବ୍ୟବହୃତ ହୋଇଆସୁଛି ।
ଲଙ୍ଗଳ ପଡିଆ ଜମି ଚିରିବା, ମାଟି ଗୁଣ୍ଡ କରିବା, ମାଟିରେ ଖତ ଓ ସାର ମିଶାଇବା, ବିହନ ବୁଣିବା ପରେ ମାଟି ଘୋଡାଇବା, ଅନାବନା ଘାସ ମାରିବା ଇତ୍ୟାଦି ବିଭିନ୍ନ କାମ ପାଇଁ ବ୍ୟବହୃତ ହୋଇଥାଏ । ଏହା ଏକ ନାନାବିଧି କର୍ମ ସମ୍ପାଦନକାରୀ ବହୁମୂଖୀ କୃଷି ଯନ୍ତ୍ର ବିଭିନ୍ନ କାମ ପାଇଁ ଏହାର ଆକାର ପ୍ରକାର ଭିନ୍ନ ହୋଇଥାଏ ।
(୧) ମୁଣ୍ଡା ବା ଗଣ୍ଡି, (୨) କଣ୍ଟି, (୩) ଈଷ, (୪) ଫାଳ, (୫) ଲଙ୍ଗଳ ଲୁହା । ଲଙ୍ଗଳ ସଜପାଇଁ ଆବଶ୍ୟକ ଜୁଆଳି ଓ ଦଉଡି । ଜୁଆଳି ମଧ୍ୟ କାଠରେ ତିଆରି । ଓଡିଶାରେ ମଧ୍ୟ ଲଙ୍ଗଳର ଆକାର ବିଭିନ୍ନ ଜାଗାରେ ଭିନ୍ନ ଭିନ୍ନ ହୋଇଥାଏ । ପାହାଡିଆ ଅଞ୍ଚଳରେ ଏହା ଗୋଜିଆ ଓ ସରୁ ଏବଂ ଖଣ୍ଡିଏ କାଠରେ ତିଆରି । ଉପକୂଳ ଜିଲ୍ଲାରେ ଏହା ଦୁଇଜଣ କାଠରେ ତିଆରି । ଅପେକ୍ଷାକୃତ ବଡ ଓ ଓଜନିଆ । ବ୍ୟବହାର ଦୃଷ୍ଟିରୁ ଏହାକୁ ଗୋଡିଙ୍ଗା, ଅଧାପରି ଓ ବଡ ଲଙ୍ଗଳ କୁହାଯାଏ ।
ଏହା ମୁଣ୍ଡା ଲୁହାରେ ତିଆରି । ମୁଣ୍ଡା ଡାହାଣ ପାଖକୁ ବକ୍ର । ଏହି ମୁଣ୍ଡାରେ କାଠର କଣ୍ଟି ଓ ଈଷ ଲାଗିଥାଏ । ଏହି ଲଙ୍ଗଳକୁ ଇଂରାଜୀରେ ମୋଲଡ ବୋର୍ଡ ଲଙ୍ଗଳ କୁହାଯାଏ । ମୁଣ୍ଡାଟି ଟାଣ ଅଳ୍ପ ପାଣିଦିଆ ଲୁହାରେ ତିଆରି । ଏହାର ଆଗରେ ଗୋଟିଏ ଗୋଜିଆ ତିନିକଣିଆ ଲୁହା ଯୋଡା ହୋଇଥାଏ । କେତେକ ଲଙ୍ଗଳରେ ଲୁହା ଓ ମୁଣ୍ଡା ଖଣ୍ଡିଏ ଲୁହାରେ ଗଢା । ଏପରି ଲଙ୍ଗଳ ଭାଙ୍ଗିଗଲେ ମୁଣ୍ଡାଟିକୁ ସଂପୂର୍ଣ୍ଣ ବଦଳେଇବାକୁ ପଡେ । ଏଥିରେ ଆଉ ଲୁହାଫାଳ ଯୋଡି କାମ କରି ହୁଏ ନାହିଁ ।
ଲୁହା ଲଙ୍ଗଳରେ ଦେଶୀ ଲଙ୍ଗଳ ଅପେକ୍ଷା ବେଶି ଚାଷ କରିହୁଏ । ମାଟି ସମ୍ପୂର୍ଣ୍ଣ ଭାବେ କାଟି ହୋଇଯାଏ । କାଟି ହୋଇଯାଉଥିବା ମାଟି ଅଚାରେ ଡାହାଣ ପଟକୁ ପଡେ । ଗୋଟିଏ ଲୁହା ଲଙ୍ଗଳର ଓଜନ ପ୍ରାୟ ୬.୫ କିଗ୍ରା । ମଧ୍ୟମ ପ୍ରକାର ବଳଦ ହଳେ ଏହାକୁ ସହଜରେ ଟାଣି ପାରିବେ । ଦିନକୁ ୮ ଘଣ୍ଟା ହଳକରେ ପ୍ରାୟ ୫୦ – ୭୫ ଡେସିମିଲ ଜମି ଚାଷ କରିହେବ । କୁହା ଲଙ୍ଗଳରେ ଗୋଟିଏ ଓଡ ଚାଷ ଦେଶୀ ଲଙ୍ଗଳରେ ପ୍ରାୟ ୩ ଓଡ ଚାଷ ସହିତ ସମାନ ।
ବୋଷ ଲଙ୍ଗଳ, ସାମସ ଲଙ୍ଗଳ, ୱାହାୱାହା ଲଙ୍ଗଳ ବିଭିନ୍ନ କିସମର ଲୁହାଲଙ୍ଗଳ । ଏହି ଲଙ୍ଗଳର ଡାହାଣ ପଟକୁ ପତ୍ରିଥାଏ । କିନ୍ତୁ ଦ୍ଵିପତ୍ରିଆ ଲଙ୍ଗଳର ଦୁଇପଟକୁ ପଟିଥାଏ । ଏହା ମାଟି ଦୁଇପଟକୁ କାଟେ । ମଝିରେ ପହଣି ହୋଇଯାଏ ।
ଏହି ଲଙ୍ଗଳ ମଧ୍ୟ ଗୋଟିଏ ଲୁହା ଲଙ୍ଗଳ । ଏହା କିନ୍ତୁ ବୋଷା / ଲଙ୍ଗଳ ଠାରୁ ଓଜନିଆ । ଏହାର ମୋଡ ପତ୍ର ଦୁଇପଟକୁ ହୋଇଥିବାରୁ ଦେଶୀ ଲଙ୍ଗଳ ଭଳି କାମ ଦିଏ । ଏଥିରେ ଗଭୀର ଚାଷ ହୋଇପାରିବ । ଛୋଟ ଛୋଟ ହୁଡା ଓ ନାଳି ମଧ୍ୟ ହୋଇପାରିବ । ସାଧାରଣ ବଳଦ ଟାଣି ପାରିବେ ।
ଏହା କାଠରେ ତିଆରି । ଏହାର ମୁଖ୍ୟ ଅଂଶକୁ ଗଣ୍ଡି କୁହନ୍ତି । ଏହାର ଲମ୍ବ ୧ ରୁ ୨ ମିଟର । ଏହା ଦେହରେ କଣା କରି ଲୁହାରେ ତିଆରି ଗୋଜା ଓ ବଙ୍କା କାଠି ୩’’ ଦୂରତାରେ ଖଞ୍ଜା ହୋଇଥାଏ । ଏହି କାଠିକୁ ବିଦାକାଠି କୁହନ୍ତି , ବିଦା ଗଣ୍ଡି ମଝିରେ ଗୋଟିଏ କାଠ ବା ବାଉଁଶର ଈଷ ମଞ୍ଜି ହୋଇଥାଏ । ଈଷ ଆଗରେ ଜୁଆଳି ଲଗାଇ ଏଥିରେ ବଳଦ ଯୋଚି ବିଦା ଟାଣି ଦିଆଯାଏ । ବିଦା ଚାଲିଲେ ବଙ୍କା ବିଦାକାଠି ଆଗରେ ମାଟି ଖୋଳି ହୋଇଥାଏ । ଉପର ମାଟି ଖୋଳପା ଛାଡିଯାଏ ଏବଂ ମାଟି ନରମ ହୋଇଯାଏ । ଛୋଟ ଛୋଟ ଅନାବନା ଘାସ ମଧ୍ୟ ଉପୁଡିଯାଏ । ବର୍ଷା ହେଲେ ବର୍ଷାପାଣି ସହଜରେ ମାଟି ଭିତରକୁ ଭେଦିପାରେ । ଉପକୂଳ ଜିଲ୍ଲାମାନଙ୍କରେ ବିଆଳି ବିଲରେ ବିଦା ଦେବା ପୁରାତନ ଅନ୍ତଃକମଣ ପଦ୍ଧତି ହିସାବରେ ଚଳିଆସୁଛି ।
ଏହା ମଧ୍ୟ ଏକ ପ୍ରକାର ବିଦା । ଏହା ମାଟି ଗୁଣ୍ଡ କରିବା ପାଇଁ ବ୍ୟବହୃତ ହୁଏ । ଗୋଟିଏ ଲୁହା ଅଖରେ ୪ଟି ଥାଳିଆ ଭଳି ଲୁହାପଟି ଯୋଡା ହୋଇଥାଏ । ଅଖଟିରେ ଈଷ ଲାଗିଥାଏ । ବଳଦ ଦ୍ଵାରା ଏ ବିଦା ଟଣାଯାଇ ମାଟି ହଲ ବା ଯୋତ କରାଯାଇପାରେ ମାଟି ବତର ଥିଲେ ଏଥିରେ କାମ କଲେ ଜମି ଭଲ କମଣ ହୋଇଥାଏ । ପ୍ରତ୍ୟକ ଥାଳିଆର ବ୍ୟାସ ୩୫ ସେ.ମି. । ଗୋଟିଏ ଥାଳିଆ ବିଦାର ଓଜନ ପ୍ରାୟ ୩୫ କି.ଗ୍ରା. । ଏହା ମଧ୍ୟ ଟ୍ରାକ୍ଟର ଦ୍ଵାରା ଟଣାଯାଇପାରେ । ଏହାଦ୍ଵାରା ଦିନକୁ ୮ ଘଣ୍ଟା କାମ କରି ପ୍ରାୟ ୨ ଏକର ବତର ଜମି ବୁଣିବା ପାଇଁ ହଲ କରାଯାଇପାରେ । ଏହାଦ୍ଵାରା ମଧ୍ୟ କାଦୁଅ କରାଯାଇପାରେ । ଦିନକୁ ୧ ଏକର ଜମି କାଦୁଅ କରାଯାଇପାରେ ।
ଧାନ ରୋଇବା ପାଇଁ ଜମି କାଦୁଅ କରିବା ଆବଶ୍ୟକ । ଏହା ଯନ୍ତ୍ର ସାହାଯ୍ୟରେ କରାଯାଇପାରେ । ଏହି କାଦୁଅକରା ଯନ୍ତ୍ର ଲଘୁ ଇସ୍ପାତରେ ତିଆରି । ଏହା ହଳେ ବଳଦ ଯୋଚି କାମ କରାଯାଇପାରେ । ଏହାର ଓଜନ ପ୍ରାୟ ୩୦ କି.ଗ୍ରା. ଏବଂ ସଜରେ ଗୋଟିଏ କିଆରୀରୁ ଆଉ ଗୋଟିଏ କିଆରୀକୁ ଦିଆଯାଇପାରେ । ଏହି ଯନ୍ତ୍ର ସାହାଯ୍ୟରେ ଦିନକୁ ୨ ଏକର ଜମି କାଦୁଅ କରାଯାଇପାରେ । ଏହାକୁ ମଧ୍ୟ ଧାନ ଅମଳ ପାଇଁ ବ୍ୟବହାର କରାଯାଇପାରେ । ଦିନକୁ ଏଥିରେ ୬ – ୭ କ୍ଵିଣ୍ଟାଲ ଧାନ ଅମଳ କରାଯାଇପାରିବ ।
ଧାନରୁଆ ସାଧାରଣତଃ ହାତରେ କରାଯାଇଥାଏ । ଏହା ଏକ କଠିନ କାମ । ନଇଁପଡି ବାଁ ହାତରେ ତଳିଧରି ଡାହାଣ ହାତରେ ପୋତି ପୋତି ପଛକୁ ପଛ ଯିବାକୁ ପଡେ । ଏଥିରେ ଅଣ୍ଟା ପିଠି ଲାଗିଯାଏ । କିନ୍ତୁ ଏ କାମ ମଧ୍ୟ ଯନ୍ତ୍ର ସାହାଯ୍ୟରେ କରାଯାଇପାରେ । ତଳି ଉପାଡି ଭଲ ଭାବରେ ଧୋଇ ସଜାଡି ଏ ଯନ୍ତ୍ରରେ ରଖାଯାଏ । ଯନ୍ତ୍ରରେ ଲାଗିଥିବା ହାତ ଓ ଆଙ୍ଗୁଠି ସାହାଯ୍ୟରେ ଥରକୁ ୨-୩ଟି ତଳି ବାହାରକୁ ବାହାରିଯାଏ ଏବଂ ଆଉ ଗୋଟିଏ ପୋତାଳି କଣ୍ଟା ସାହାଯ୍ୟରେ ପୋତି ହୋଇଥାଏ । ଏହି ଯନ୍ତ୍ରକୁ ଆଗରୁ ପଛକୁ ଟାଣି ଟାଣି ନେବାକୁ ପଡେ । ଏହାଦ୍ଵାରା ଦିନକୁ ୧ ଏକର ଜମି ରୁଆଯାଇପାରେ । ଏହି ଯନ୍ତ୍ର ଭଲ ଭାବରେ କାମ କରିବା ପାଇଁ ଜମି ଭଲ ଭାବରେ କାଦୁଅ ହେବା ଓ ସମାନ ହେବା ଆବଶ୍ୟକ । ଏହି ଯନ୍ତ୍ରରେ ଥିବା ସାମାନ୍ୟ ଅସୁବିଧା ଦୂର ହୋଇଗଲେ ଏହାଦ୍ଵାରା ଆମ୍ଭମାନଙ୍କର ଅନେକ ଉପକାର ସାଧିତ ହେବ ।
ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ
Last Modified : 5/11/2021