ବୈଜ୍ଞାନିକ ନାମ :ଆକୋରସ କାଲାମସ
ବଂଶ : ଆରେସୀ
ଆଞ୍ଚଳିକ ଭାଷାଗତ ନାମ
ଓଡିଆ : ବଚ
ସଂସ୍କୃତ : ବଚ, ଉଗ୍ରଗନ୍ଧା
ତେଲୁଗୁ : ବାସା , ବସ
ଗୁଜୁରାଟୀ : ବଜ , ଘୋଡାବଜ
ହିନ୍ଦୀ : ବଚ, ଘୋଡାବଚ
ବଙ୍ଗଳା : ବଚ
ତାମିଲ : ବଶାମ୍ବୁ
ମରାଠୀ : ବେଖଣ୍ଡ
ଇଂରାଜୀ – sweet flag
ବଚ ୩-୪ ହାତ ଉଚ୍ଚତା ବିଶିଷ୍ଟ ଏକ ପ୍ରକାର ଗୁଳ୍ମ ଜାତୀୟ ବନୌଷଧି । ଭାରତୀୟ ଚିକିତ୍ସା ବିଜ୍ଞାନ ଆୟୁର୍ବେଦର ଚିକିତ୍ସା ପରମ୍ଫରାରେ ବଚ ଏକ ମହତ୍ତ୍ଵପୂର୍ଣ୍ଣ ବନୌଷଧି ଭାବରେ ବହୁ ପ୍ରାଚୀନ କାଳରୁ ବ୍ୟବହୃତ ହୋଇଆସୁଛି । ମୁଖ୍ୟତଃ ମସ୍ତିସ୍କ ବା କେନ୍ଦ୍ରୀୟ ସ୍ନାୟୁ ସଂସ୍ଥାନ ସମ୍ବନ୍ଧୀୟ ରୋଗର ଉପଚାର କ୍ଷେତ୍ରରେ ବଚ ଅତ୍ୟନ୍ତ ପ୍ରଭାବଶାଳୀ ବନୌଷଧି ଭାବରେ ପରିଣତ ହୋଇଥାଏ । ଉନ୍ମାଦ ବା ପାଗଳାମି, ବଚନ ଦୋଷ , ସ୍ମରଣଶକ୍ତିହୀନତା , ନିଦ୍ରାହୀନତା , ଅପସ୍ମାର ଓ କଣ୍ଠରୋଗ ପ୍ରଭୁତି ଦୋଷରେ ବଚକୁ ସେବନ କରାଯାଇଥାଏ । ଆୟୁର୍ବେଦର ଦ୍ରବ୍ୟଗୁଣ ଶାସ୍ତ୍ରରେ ଏହାକୁ ସଂଜ୍ଞାସ୍ଥାପନ ବନୌଷଧି ଭାବରେ ବର୍ଣ୍ଣନା କରାଯାଇଛି ।
ମଧ୍ୟ ଏସିଆ ଓ ପୂର୍ବ ୟୁରୋପକୁ ବଚର ଆଦି ଉତ୍ପତ୍ତିସ୍ଥାନ ବୋଲି ବିବେଚନା କରାଯାଏ । ଆମ ଦେଶରେ ମଣିପୁର , ନାଗାପାହାଡ , କାଶ୍ମୀର , ସିରମୁର ପ୍ରଭୃତି ପର୍ବତ୍ୟାଞ୍ଚଳର ଜଳାଚ୍ଛନ୍ନ ସ୍ଥାନମାନଙ୍କରେ ପ୍ରକୃତିକ ରୂପେ ବଚ ବଜାରରେ ହୋଇଥିବାର ଦେଖାଯାଏ । ଆଜିକାଲି ଉଭୟ ଦେଶୀୟ ଓ ଆନ୍ତର୍ଜାତୀୟ ବଜାରରେ ଏହାର ବର୍ଦ୍ଧିତ ଚାହିଦାକୁ ଦୃଷ୍ଟିରେ ରାଖୀ ଭାରତର ଅନେକ ରାଜ୍ୟରେ ବ୍ୟବସାୟିକ ଭିତ୍ତିରେ ଏହାକୁ ଚାଷ କରାଯାଉଛି ।
ଏହି ଗୁଳ୍ମ ଜାତୀୟ ବନୌଷଧି ୩-୪ ହାତ ଉଚ୍ଚ ହୋଇଥାଏ । ଏହାର ମୂଳ ଅନ୍ୟ ଉଦ୍ଭିଦ ମୂଳ ଭଳି ସିଧା ହୋଇନଥାଏ । ଏଗୁଡିକ ଅନେକ ଜଟା ବା ଗଣ୍ଠିଯୁକତଲ ହୋଇ ରହିଥାଏ । ଆକାରରେ ଏହା ମଧ୍ୟମା ଆଙ୍ଗୁଠି ସହ ସମାନ ହୋଇଥାଏ । ପ୍ରତ୍ୟେକ ଗଣ୍ଠିର ଚତୁଃପାର୍ଶ୍ଵ ସଘନ ରୋମଶ ହୋଇଥାଏ । ଏହାର ପତ୍ରଗୁଡିକ ଲମ୍ବା, ପତଳା, ଏବଂ ଖଣ୍ଡା ସଦୃଶ ହୋଇଥାଏ । ବଚର ସର୍ବାଙ୍ଗରୁ ଏକ ପ୍ରକାର ସୁଗନ୍ଧ ଆସିଥାଏ ଏବଂ ମୂଳରୁ ଏହା ବେଶୀ ଜଣାପଡେ । ଏହାର ଫୁଲ ଛୋଟ ହାଲୁକା ସବୁଜ ଓ ହଳଦିଆ ମିଶ୍ରିତ, ୫ରୁ ୧୦ ସେମି ଲମ୍ବ ତଥା ନଳୀ ଆକୃତିର । ଫଳ ସବୁଜ ଗୋଲାକାର ଓ ଏଥିରେ ୧ରୁ ୩ ଟି ପର୍ଯ୍ୟନ୍ତ ମଞ୍ଜିଥାଏ । ବଚର ମୂଳସ୍ତମ୍ବ ତଥା ମୂଳକନ୍ଦ କୁ ଖଣ୍ଡ ଖଣ୍ଡ କରି ବଜାରରେ ବିକ୍ରି କରାଯାଏ ।
ବଜାରରେ ବଚ ନାମରେ ପ୍ରାୟତଃ କୁଳିଞ୍ଜନ ର ମୂଳ ବିକ୍ରି କରାଯାଏ । ଏହାକୁ ଅପମିଶ୍ରିଣରେ ବ୍ୟବହାର କରାଯାଏ । ତେଣୁ ଯଦି ବଚ ର ଆବଶ୍ୟକତା ହୁଏ ତେବେ ଘୋଡାବଚ ନାମରେ ଔଷଧ କିଣିବା ଦରକାର ।
ବଚରେ ଏକ ସୁଗନ୍ଧିତ ହଳଦିଆ ରଙ୍ଗର ଉଡ଼ନ ତୈଳ ୧.୫ ରୁ ୩.୫ ପ୍ରତିଷ୍ଟ ଏକୋରିନ ନାମକ ଗ୍ଲୁକୋସାଇଡ , ଏକୋରିଟିନ ନାମକ ରାଳ ସଦୃଶ ପଦାର୍ଥ , କାଲାମେନ ନାମକ ଖାରାଭ ରହିଥାଏ । ଏହା ବ୍ୟତୀତ , ଏଥିରେ ଷ୍ଟାର୍ଚ୍ଚ ନିର୍ଯ୍ୟାସ , ଟେନିନ ଏବଂ କ୍ୟାଲସିୟମ ଆଦି ପଦାର୍ଥ ରହିଥାଏ । ଏହାର ଉଡ଼ନଶୀଳ ତୈଳର ଆଶାରିଳ- ଅଳଡିହାଇଡ, ଆଲଫାପାଇନ ଏବଂ କ୍ୟାମ୍ଫିନ ଆଦି ପଦାର୍ଥ ରହିଥାଏ ।
ବଚ ଏୟାର ବହୁମୁଖୀ ଔଷଧୀୟ ଗୁଣଳ ପାଇଁ ପ୍ରସିଦ୍ଧ ଅଟେ । ଆୟୁର୍ବେଦ ଶାସ୍ତ୍ରମାନଙ୍କରେ ବଚ କେନ୍ଦ୍ରୀୟ ସ୍ନାୟୁ ସଂସ୍ଥାନଗତ ରୋଗ ପାଇଁ ବିଶେଷ ଫଳପ୍ରଦ ବୋଲି ଉଲ୍ଲେଖ କରାଯାଇଛି । ଏହାକୁ ଉନ୍ମାଦ , ଅପସ୍ମାର , ଶ୍ଵାସ, କାଶ, କଣ୍ଠରୋଗ, ଜୀର୍ଣ୍ଣଅତିସାର , ଏବଂ ଅସ୍ମାରୀ ରୋଗର ଚିକିତ୍ସାରେ ଉପଯୋଗ କରାଯାଇଥାଏ । ତେବେ ମସ୍ତିସ୍କ ସମ୍ବନ୍ଧୀୟ ବିକାଶକୁ ଦୂର କରିବା ପାଇଁ ଏହା ବିଶେଷ ଭାବରେ ଉପଯୋଗୀ ହୋଇଥାଏ । ଅପସ୍ମାର ବା ଏପିଲେପସି , ଅପତନ୍ତ୍ରକ ଏବଂ ଅଙ୍ଗଘାତ ପ୍ରଭୃତି ରୋଗ ଚିକିତ୍ସା ନିମିତ୍ତ ବଚଚୃର୍ଣ୍ଣ ସେବନ କଲେ ବିଶେଷ ଉପକାର ମିଳିଥାଏ । ଏହାକୁ ସେବନ କରିବା ଦ୍ଵାରା ଧାରଣ ଶକ୍ତି (ମେଧା) ବଢିଥାଏ । ବଚ ଚୂର୍ଣ୍ଣକୁ ଶଙ୍ଖପୁଷ୍ପୀ ଚୂର୍ଣ୍ଣ ସହ ମିଶାଇ ବ୍ରାହ୍ମୀରସରେ ଭାବନା ଦେଇ ମହୁ ସହ ସେବନ କଲେ ସମସ୍ତ ପ୍ରକାର ମସ୍ତିଷ୍କ ବିକୃତି ଦୂର ହୋଇଯାଏ । ଏହାଛଡା, ବଚକୁ ଶ୍ଵସନସଂସ୍ଥାନଗତ ରୋଗ ଓ ପାଚନସଂସ୍ଥାଗତ ରୋଗର ଉପଚାରରେ ମଧ୍ୟ ବ୍ୟବହାର କରାଯାଇଥାଏ ।
ବଚର ଉପରୋକ୍ତ ବହୁମୁଖୀ ଔଷଧୀୟ ଗୁଣ ଯୋଗୁଁ ଏହାର ଚାହିଦା ଏବେ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଭାରତର ଅନେକ ରାଜ୍ୟରେ ଏବେ ଏହାର ବ୍ୟବସାୟୀଭିତ୍ତିକ କୃଷିକୁ ପ୍ରୋତ୍ସାହନ ମିଳୁଛି । ଏହାର କୃଷିକରଣ ଦ୍ଵାରା କୃଷକମାନଙ୍କର ଆର୍ଥିକ ମାନଦଣ୍ଡର ବିକାଶ ସମ୍ଭବ ହୋଇପାରିଛି ।
ବଚ ଚାଷ ପାଇଁ ଦୋରସା ହାଲକା ମାଟି ଉପଯୁକ୍ତ ଅଟେ । ନଦୀକୂଳିଆ ପଟୁମାଟିରେ ମଧ୍ୟ ଏହା ଭଲ ବଢିପାରେ । ବଚ ପାଇଁ ସାଧାରଣତଃ ସନ୍ତସନ୍ତିଆ ମାଟି ଚୟନ କରାଗଲେ ଭଲ ହୋଇଥାଏ ।
ବଚ ଗଛର କାଣ୍ଡ ଅଗକୁ ଭାଙ୍ଗି ଏହାର ଚାରା ରୂପେ ବ୍ୟବହାର କରାଯାଏ । ମୂଳ କନ୍ଦକୁ ୫ ସେମି ଲମ୍ବର ଖଣ୍ଡ ଖଣ୍ଡ କରି କାଟି ଚାରା ପଟାଳିରେ ଚାରା ପ୍ରସ୍ତୁତି କରାଯାଏ । ପ୍ରତ୍ୟେକ ଖଣ୍ଡରେ ଗୋଟିଏ ଆଖି ରହିବା । ଦରକାର ଯେଉଁତିରେ ଗଜା ବାହାରିବ । ଏହି କଟା ଖଣ୍ଡଗୁଡିକୁ , ଆଖିକୁ ଉପରକୁ ରଖି ବାଲି ଓ ଖତ ମିଶା ପଟାଳିରେ ୨.୫ ସେମି ମାଟିତଳେ ସମାନ୍ତରାଳ ଭାବରେ ପୋତାଦିଆଯାଏ । ଚାରା ପଟାଳିରେ ଧାଡି ଧାଡି ମଧ୍ୟରେ ଓ ପ୍ରତ୍ୟେକ ଖଣ୍ଡ ମଧ୍ୟରେ ୧୫ ସେମି ବ୍ୟବଧାନ ରହିବା ଦରକାର । ମାଟିକୁ ପାଣି ମଡାଇ ଓଦା ରଖାଯାଏ । ଘାସ ବଛାବଛି କରି ଚାରାଗୁଡିକ ବଢାଯାଇଥାଏ । ଏକ ଏକରରେ ୨୩୦୦ ଚାରା ଲଗାଯାଇପାରିବ ।
ରୋପଣ ଜମିକୁ ଗଛ ଲଗାଇବା ପୂର୍ବରୁ ଭଲ ଭାବରେ ଗଭୀର ହଳକରି ଖତ ମିଶାଇ ଏବଂ ପାଣି ମଡାଇ ଦିଆଯାଏ ।
ଜୁନ-ଜୁଲାଇ ମାସ ଏହି ଗଛ ଲଗାଇବାର ଉପଯୁକ୍ତ ସମୟ ଅଟେ । ପୂର୍ବ ପ୍ରସ୍ତୁତି ଚାରାଗୁଡିକ ୩୦ ସେମି ବ୍ୟବଧାନରେ ଧାଡି ଧାଡି କରି ଲଗାଯାଏ । ଲଗାଇବା ସମୟରେ ଜମିରେ ଆଦ୍ରତା ଥିବା ଅବଶ୍ୟକ । ଗଛଗୁଡିକ ଚେର ଧରିଗଲାପରେ ଜମିରେ ଧାନ ଫସଲରେ ପାଣି ରହିଲା ଭଳି ମାଟି ଓଦା ରହିବା ଦରକାର । କ୍ଷେତରୁ ବାଳୁଙ୍ଗା ବାଛି ଦେଲେଳ କନ୍ଦ ଭଲ ବଢିଥାଏ ।
ବଚକୁ ଧାନ ବିଲରେ ଧାନ ସହିତ ମିଶାଇ ଚାଷ କରାଯାଇପାରେ । ସନ୍ତସନ୍ତିଆ ମାଟିରେ ହେଉଥିବା ଅନ୍ୟ ଫସଲ ସାଙ୍ଗରେ ମିଶାଇ ବଚକୁ ମଧ୍ୟ ଚାଷ କରାଯାଇପାରେ ।
ଏକ ବର୍ଷ ମଧ୍ୟରେ ଫସଲ ଅମଳଯୋଗ୍ୟ ହୋଇଥାଏ । ଗଛଗୁଡିକ ଖୋଲାଯାଇ ଏହାର ଧାବକ କନ୍ଦକୁ ବାହାର କରାଯାଇଥାଏ ଏବଂ କାଣ୍ଡର ଆଗଗୁଡିକୁ ପରବର୍ତ୍ତୀ ବର୍ଷରେ ଫସଲର ଚାରା ରୂପେ ବ୍ୟବହାର କରାଯାଏ । କନ୍ଦଗୁଡିକ ୫-୮ ସେମି ଲମ୍ବାର ଛୋଟ ଛୋଟ ଖଣ୍ଡରେ କଟାଯାଏ । ସମସ୍ତ ଶାଖା ସୂତାପରି ଚେରକୁ ବାହାର କରିଦିଆଯାଏ । କନ୍ଦ ଖଣ୍ଡଗୁଡିକ ପରିଷ୍କାର କରି ଧୋଇ ଦିଆଯାଇ ଖରାରେ ସୁଖାଯାଏ । ଏହାପରେ ଏହାକୁ ଅଖାରେ ଘୋଡାଇ ଘସି ଘସି ଏହା ଉପର ଚୋପାକୁ ଛଡ଼ାଯାଏ । ଏକର ପ୍ରତି ୧୧/୨ ଟନ କନ୍ଦ ମିଳେ । ଏହା ୫ % ତେଲ ଉତ୍ପାଦନ କରିଥାଏ ।
ଆଧାର : ଡାକ୍ତର ଦୀନବନ୍ଧୁ ମହାରଣା
Last Modified : 1/26/2020