ବୈଜ୍ଞାନିକ ନାମ : ଆସପାରାଗସ ରେସିମୋସସ୍
ବଂଶ : ଲିଲିଏସୀ
ଆଞ୍ଚଳିକ ଭାଷାଗତ ନାମ
ଓଡିଆ –ଶତାବରୀ, ଶତମୂଳୀ
ସଂସ୍କୃତ –ଶତାବରୀ, ବହୁସୁତା
ଗୁଜୁରାଟୀ /ମରାଠୀ –ଶତାବରୀ
ହିନ୍ଦୀ –ସତାଭର , ସତମୁଳି
ବଙ୍ଗଳା – ଶତମୂଳୀ
ତାମିଲ – ପାଣିୟନାକୁ
ଶତାବରୀ ଭାରତୀୟ ପ୍ରାକୃତିକ ରୂପରେ ମିଳୁଥିବା ଏକ ଆରୋହଣଶୀଳ ବହୁବର୍ଷାୟୁ ଲତାଜାତୀୟ ଉଦ୍ଭିଦ । ପ୍ରାଚୀନ କାଳରୁ ଏହାର ମୂଳ ଓ କନ୍ଦ ଆୟୁର୍ବେଦୀୟ ଚିକିତ୍ସାରେ ଔଷଧ ପ୍ରସ୍ତୁତିରେ ବ୍ୟବହର କରାଯାଇଆସୁଛି । ଭାରତରେ ଏକା ବିଷୁବୀୟ ଓ ଉପବିଷୁବୀୟ ଅଞ୍ଚଳରେ ଦୃଷ୍ଟିଗୋଚର ହୁଏ । ମହାରାଷ୍ଟ୍ରର ଜଙ୍ଗଲରେ ପ୍ରାକୃତିକ ଭାବରେ ଏହା ବହୁଳ ପରିମାଣରେ ଦେଖିବାକୁ ମିଳେ । ଉତ୍ତର ଭାରତରେ ମଧ୍ୟ ଏହାକୁ ବହୁଳ ପରିମାଣରେ ଚାଷ କରାଯାଉଛି ।
ଏହା ଏକ ତୀକ୍ଷଣ କଣ୍ଟାଯୁକ୍ତ କାଠୁଆ ଲତା । ଏହାର ଛୋଟ ଛୋଟ ଦା’ ଆକୃତିର ତୀକ୍ଷଣ ପତ୍ରଗୁଡିକ କଣ୍ଟାରେ ପରିବର୍ତ୍ତନ ହୋଇଥାଏ । ଏହା ୩୦ରୁ ୩୫ ଫୁଟ ଉଚ୍ଚତା ପର୍ଯ୍ୟନ୍ତ ବଢିପାରେ ଫୁଲଗୁଡିକ ଛୋଟ ଛୋଟ, ଗୋଲାକାର ପାଚିଲେ ଲାଲ ରଙ୍ଗଯୁକ୍ତ ହୋଇଯାଏ । ଏଥିରେ ୧-୨ ମଞ୍ଜିଥାଏ । ଏହାର ନୀଳ ପରି ସ୍ତବକ ଚେରଗୁଡିକ ୩୦ ସେମି ପର୍ଯ୍ୟନ୍ତ ଲମ୍ବା ହୋଇଥାଏ ।
ଶତବରୀ ଲତାର ମୂଳରେ ୪ଟି ଷ୍ଟେର ଏଡ ଯଥା ସାପୋନିନ , ସତାଭରିନ ୧-୪ ଥାଏ । ଆୟୁର୍ବେଦୀୟ ଦ୍ରବ୍ୟଗୁଣ ଶାସ୍ତ୍ରରେ ଶତାବରୀ ମୂଳ ଓ କନ୍ଦକୁ ଶୁକ୍ରବର୍ଦ୍ଧକ , ବଳକାରକ, ପୃଷ୍ଟିଦାୟକ, ରସାୟନ, ମେଧାକାରକ, ସ୍ତନବର୍ଦ୍ଧକ , ବାତ-ପିତ୍ତ- ଶୋଧହର ବୋଲି ବର୍ଣ୍ଣନା କରାଯାଇଛି । ତେଣୁ ଏହାକୁ ଶୁକ୍ରକ୍ଷୟଜନିତ ନପୁଂସକତା ବା ପୁରୁଷ ବନ୍ଧ୍ୟାତ୍ଵ ସମସ୍ୟା , କ୍ଳାନ୍ତ ଦୁର୍ବଳତା, ହୃତପିଣ୍ଡ ସମସ୍ୟା , ଅପସ୍ମାର ଓ ସମସ୍ତ ସ୍ତ୍ରୀରୋଗର ଚିକିତ୍ସା ପାଇଁ ଔଷଧ ପ୍ରସ୍ତୁତିରେ ବ୍ୟବହାର କରାଯାଏ ।
ବାର୍ଷିକ ବୃଷ୍ଟିପାତ ହାରାହାରି ୨୫୦୦ ମିଲିମିଟର ହେଉଥିବା ଅଞ୍ଚଳରେ ଏହା ଚାଷ କରାଯାଏ । ଏହା ପର୍ଯ୍ୟାପ୍ତ ପରିମାଣରେ ଆଲୋକ ଦରକାର କରେ ଓ ଖରାପଡୁଥିବା ନିଗିଡା ଜମିରେ ଓ ଆଦ୍ର ଜଳବାୟୁରେ ଏହା ଚାଷ କରାଯାଏ । ୧୦ ଡିଗ୍ରୀ ରୁ ୫୦ ଡିଗ୍ରୀ ସେଲସିୟମ ତାପମାତ୍ରା ଏଥିପାଇଁ ଉପଯୁକ୍ତ । ସେହିପରି ଏହାର ଚେର ବା କନ୍ଦ ମୁଖ୍ୟତଃ ଔଷଧ ପ୍ରସ୍ତୁତିରେ ବ୍ୟବହାର ହେଉଥିବାରୁ ଚେରର ଉତ୍ତମ ବୃଦ୍ଧି ନିମିତ୍ତ ହାଲକା ମାଟି ଓ ଦୋରସା ମାଟି ଉପଯୁକ୍ତ ।
ଏହା ୨ରୁ ୩ ବର୍ଷର ଫସଲ ହୋଇଥିବାରୁ ଏଥିପାଇଁ ଜମିକୁ ପ୍ରଥମରୁ ପ୍ରସ୍ତୁତ କରିବା ଦରକାର । ଏଥିପାଇଁ ମେ-ଜୁନ ମାସରେ ଗହୀର ଚାଷ କରି ଏକର ପିଛା ୭-୮ ଟନ ଗୋବର ଖତ କିମ୍ବା କମ୍ପୋଷ୍ଟ ମିଶାଇବା ଉଚିତ ।
ଡିସେମ୍ବର ମାସରେ ପାଚିଲା ଫଳସବୁ ସଂଗ୍ରହ କରାଯାଏ । ଏହାକୁ ଭଲ ଭାବରେ ଧୁଆଯାଇ ଖରାରେ ସୁଖାଯାଏ । ଦୁଇଦିନ ପାଇଁ ମଞ୍ଜିସବୁ ପାଣିରେ ବୁଡାଯାଇ ଶୁଖାଯାଏ । ଯଦି ଜିର୍ବଲିକ ଏସିଡରେ ଏହାକୁ ବୁଡାଯାଏ ତେବେ ଏଥିରୁ ଶୀଘ୍ର ଗଜା ବାହାରିଥାଏ । ଜୁନ ମାସରେ ଏହାକୁ ଚାଷ କରାଯାଏ । ମଞ୍ଜିଗୁଡିକ ୪.୫ X ୧.୨ ମି ପଟାଳିରେ ୧୦ ସେମି ବ୍ୟବଧାନରେ ଧାଡିରେ ବୁଣାଯାଏ । ଚାରା ଉତ୍ପନ୍ନ ହେବା ପାଇଁ ୧୫ ରୁ ୨୦ ଦିନ ସମୟ ନିଏ ଓ ଶତକଡା ୭୦ଭାଗରୁ ୮୦ ଭାଗ ଚାରା ହୋଇଥାଏ ।
ପୁରୁଣା ଗଛର ମୂଳରୁ ବାହାରୁଥିବା ଟିଲର ମଧ୍ୟ ଚାରା ଭାବରେ ଲଗାଯାଏଥାଏ । ଅଗଷ୍ଟ ମାସ ରୋପଣ ପାଇଁ ଉପଯୁକ୍ତ ମାସ । ଦୁଇରୁ ତିନିମାସରେ ଚାରାଗୁଡିଏ ୪୫X ୪୫ X୪୫ X ସେମିର ଗାତ ୧ମି X ୧ମି ବ୍ୟବଧାନରେ ଲଗାଯାଏ । ଚାରା ଲଗାଇବାରେ ପ୍ରଥମ ଦୁଇମାସରେ ସପ୍ତାହକୁ ଥରେ ପାଣି ଦିଆଯାଏ । ପରବର୍ତ୍ତୀ ସମୟରେ ମାସକୁ ଥରେ ପାଣି ଦିଆଯାଏ ।
ଶତାବରୀ ଏକ ଲଟା ହୋଇଥିବାରୁ ଏହାର ପୂର୍ଣ୍ଣ ବୃଦ୍ଧି ନିମନ୍ତେ ପ୍ରତ୍ୟେକ ଗଛ ପାଖରେ ବାଉଁଶ ବା ଶକ୍ତ କାଠର ରଞ୍ଜା ଦେବା ଆବଶ୍ୟକ । ଏହି ଲଟାର ମୂଳ ପ୍ରଧାନ ଔଷଧୀୟ ଅଂଶ ହୋଇଥିବାରୁ ଏହାର ବୃଦ୍ଧି ନିର୍ଦ୍ଧିଷ୍ଟ ବ୍ୟବଧାନରେ ଘାସ ବଛାବଛି କଲେ ମାଟି ହାଲକା ହୋଇ ମୂଳ ଭଲ ଭାଲ ବୃଦ୍ଧିପାଏ । ଏଗୁଡିକ ମାସକୁ ଥରେ ବୁଡା ଜଳସେଚନ ବ୍ୟବସ୍ଥା କରିପାରିଲେ ଅଧିକ ଚେର ଅମଳ ହୋଇପାରିବ । କିନ୍ତୁ ଚେର ମୂଳରେ ପାଣି ଜମି ରହିଲେ ଏହା ପଚିଯିବ ।
ରୋପଣ କରିବାର ୨ ବର୍ଷରୁ ୩ ବର୍ଷ ଏପ୍ରିଲ – ମେ ମାସରେ ଏହାର ମୂଳକୁ ଖୋଲି ବାହାର କରାଯାଏ । ଫସଲ ଅମଳ କରିବା ପୂର୍ବରୁ ସାମାନ୍ୟ ସିଞ୍ଚନ କରି ସାବଧାନତାର ସହ ଚେରକୁ ଖୋଲିବାକୁ ହୁଏ । ଏହାପରେ ସଙ୍ଗେ ସଙ୍ଗେ ଚେରଗୁଡିକର ଉପରର ଚୋପା ଛଡାଇ ଦିଆଯାଏ । କାରଣ ଏହା ବିଷଯୁକ୍ତ ଅଟେ । ଚେରଗୁଡିକ ଓଦା ଥିବା ସମୟରେ ଚୋପା ଛଡାଇବା ସୁବିଧା ହୋଇଥାଏ । ଚୋପା ଛଡାଯାଇଥିବା ଚେରଗୁଡିକ ଶୁଖାଇ ନିବୁଜ ଅଖାରେ ପୁରାଇ ବିକ୍ରି ପାଇଁ ପ୍ରସ୍ତୁତ କରାଯାଏ ।
ଏକ ଏକରରେ ଚାଷ କରାଯାଇଥିବା ୨ ବର୍ଷୀୟ ଶତାବରୀ ଫସଲରୁ ପ୍ରାୟ ୨୫୦୦୦ କିଲୋଗ୍ରାମ କଞ୍ଚାଟ୍ୟୁବର (କନ୍ଦ) ଅମଳ କରାଯାଇପାରିବ , ଯାହା ଶୁଖିଗଲା ପରେ ୨୫୦୦ କି.ଗ୍ରା ହୁଏ । ୧ କି.ଗ୍ରା ଟ୍ୟୁବର ଆନୁମାନିକ ମୂଲ୍ୟ ୨୦ ଟଙ୍କା ହେଲେ ଏକ ଏକରରୁ ୫୦,୦୦୦ ଟଙ୍କା ମିଳିପାରିବ । ୧୯୯୯-୨୦୦୦ ମସିହାରେ ଶତାବରୀ ମୂଳର ମୂଲ୍ୟ ନୂଆଦିଲ୍ଲୀରେ ୪୦ଟଙ୍କା, ବାଙ୍ଗାଲୋରରେ ୨୫ ଟଙ୍କା ଏବଂ ମୁମ୍ବାଇରେ ୨୫ ଟଙ୍କା ଥିଲା ।
ଆଧାର: ଡାକ୍ତର ଦୀନବନ୍ଧୁ ମହାରଣା
Last Modified : 6/26/2019