ବୈଜ୍ଞାନିକ ନାମ : କ୍ଳୋରୋଫାଇଟମ ବୋରୀଭିଲିଆନମ
ବଂଶ : ଲିଲୀଏସୀ
ଆଞ୍ଚଳିକ ଭାଷାଗତ ନାମ :
ଓଡିଆ =- ମୁସଳୀକନ୍ଦ , ସଫେଦ ମୁସଳୀ
ସଂସ୍କୃତ – ମୁସଳୀ , ଶ୍ଵେତ ମୁସଳୀ
ତେଲୁଗୁ- ସଲ୍ଲୋଗଡଡା ।
ହିନ୍ଦୀ – ସଫେଦ ମୁସଳୀ
ବଙ୍ଗଳା – ଶ୍ଵେତ ମୁସଳୀ
ତାମିଲ – ତନ୍ନିରବିଟଙ୍ଗ
ସଫେଦ ମୁସଲି ଏକ ଉଚ୍ଚ ଅର୍ଥକରି ଔଷଧୀୟ ଫସଲ । ଆଞ୍ଚଳିକ ଭାଷାରେ ଏହା ମୁସଳୀ କନ୍ଦ ନାମରେ ପରିଚିତ । ତେବେ ବ୍ୟବହାରିକ ଭାଷାରେ ଏହାକୁ ସଫେଦମୁସଲି କୁହାଯାଏ । ସଫେଦମୁସଲି ମୁଖ୍ୟତଃ ଯୌନ ଶକ୍ତି ବୃଦ୍ଧିକାରୀ ବନୌଷଧି ଭାବରେ ପ୍ରସିଦ୍ଧ । ଏହି କାରଣରୁ କେହି କେହି ଏହାକୁ “ ଇଣ୍ଡିଆନ ଭାଏଗ୍ରା “ ବୋଲି କୁହିଥାନ୍ତି । ଏହା ଏକ ପ୍ରାକୃତିକ ଶୁକ୍ରଳ ପ୍ରଭାବଯୁକ୍ତ ବନୌଷଧି ହୋଇଥିବାରୁ ମୁଖ୍ୟତଃ ଶୁକ୍ରାଣୁହୀନତାଜନିତ ପୁରୁଷ ବନ୍ଧ୍ୟାତ୍ଵ ରୋଗର ଉପଚାର ପାଇଁ ଉଦ୍ଧିଷ୍ଟ ଆୟୁର୍ବେଦୀୟ ଔଷଧମାନଙ୍କରେ ଏହାର ବହୁଳ ଉପଯୋଗ ହୋଇଥାଏ । ଏହି କାରଣରୁ ଉଭୟ ଜାତୀୟ ଓ ଆନ୍ତର୍ଜାତୀକ ବଜାରରେ ଏହାର ଚାହିଦା ଯଥେଷ୍ଟ ବେଶୀ । ଏହାର ସଫଳପୂର୍ବକ ଚାଷ ଅନ୍ୟାନ୍ୟ ପାରମ୍ପରିକ ତଥା ବ୍ୟବସାୟିକ ଫସଲ ତୁଳନାରେ ଲାଭଜନକ ହୋଇଥିବାରୁ ଏହାର ଚାଷ ପାଇଁ ସାରା ଭାରତବର୍ଷ ଚାଷୀଭାଇମାନଙ୍କ ମଧ୍ୟରେ ବିଶେଷ ଆଗ୍ରହ ପ୍ରକାଶ ପାଇଛି ।
ସଫେଦ ମୁସଲି ୧ରୁ ୨ ଫୁଟ ଉଚ୍ଚତା ବିଶିଷ୍ଟ ଏକ କ୍ଷୁପ ଜାତୀୟ ଉଦ୍ଭିଦ । ଏହାର ପତ୍ର ୧୫ ଇଞ୍ଚ ଲମ୍ବା ତଥା ୨.୫ ଓସାର ସଦ୍ୟ ଅବସ୍ଥାରେ ସବୁଜ ଏବଂ ପରିପକ୍ଵ ଅବସ୍ଥାରେ ଈଷତ ହଳଦିଆ ରଙ୍ଗର ହୋଇଥାଏ । ପତ୍ରଗୁଡିକ ବଢିଗଲେ ନଇଁ ପଡି ଭୂମିକୁ ସ୍ପର୍ଶ କରିଥାଏ । ପତ୍ରଗୁଡିକ ମଝିରେ ଶ୍ଵେତବର୍ଣ୍ଣର ପୁଷ୍ପଦଣ୍ଡ ସଳଖ ଭାବରେ ବଢିଥାଏ । ପୁଷ୍ପଦଣ୍ଡର ଅଗ୍ରଭାଗରେ ଶ୍ଵେତବର୍ଣ୍ଣର କ୍ଷୁଦ୍ରାତିକ୍ଷୁଦ୍ର ଫୁଲ ଫୁଟିଥାଏ । ସମୁଦାୟ ପୁଷ୍ପଦଣ୍ଡର ଲମ୍ବ ୫ରୁ ୧୫ ଇଞ୍ଚ ଏଥିରେ ବହୁସଂଖ୍ୟାରେ ମାଂସାଳ , କନ୍ଦ ଗୁଚ୍ଛ ହୋଇ ମାଟିତଳକୁ ଯାଇଥାଏ । ଏହି ମାଂସାଳ କନ୍ଦ ସ୍ଵାଦହୀନ ଏବଂ ଜେଲି ପରି ଅତ୍ୟାଧିକ ଲାଲୁଆ କିସମର ତଥା ଅତ୍ୟନ୍ତ ପୌଷ୍ଟିକ ଅଟେ । ଚିକିତ୍ସାରେ ମୁଖ୍ୟତଃ ଏହି କନ୍ଦକୁ ଉପଯୋଗ କରାଯାଏ ।
ପ୍ରୟୋଗନୀୟ ଅଂଶ : କନ୍ଦ (କନ୍ଦଳ)
ଏହାର ରସାୟନିକ ବିଶ୍ଳେଷଣ ରୁ ଜଣାଯାଇଛି ଯେ ଏଥିରେ ଷ୍ଟେରଏଡ , ସାପୋଜିନିନ , ପ୍ରୋଟିନ , କ୍ୟାଲସିୟମ ଏବଂ ଧାତବ ଲବଣ ଥାଏ ।
ଆୟୁର୍ବେଦ ଦ୍ରବ୍ୟଗୁଣ ଶାସ୍ତ୍ରରେ ଶ୍ଵେତ ମୁସଳୀ କୁ ଶୁକ୍ରଜନନ ବା ଶୁକ୍ରଳ ଗୁଣଯୁକ୍ତ ବନୌଷଧି ଭାବରେ ମୁଖ୍ୟତଃ ବର୍ଣ୍ଣନା କରାଯାଇଛି । ଏହା ବିଶେଷତଃ ଧାତୁକ୍ଷୀଣତା ବା ଶୁକ୍ରାଣୁହୀନତା ସ୍ଥିତିରେ ଅନ୍ତ୍ୟନ୍ତ ଉପଯୋଗୀ ଅଟେ । ଏହି କାରଣରୁ ଶୁକ୍ରାଣୁହୀନତା ଜନ୍ୟ ପୁରୁଷ ବନ୍ଧ୍ୟାତ୍ଵ ସମସ୍ୟା , କାମୋତ୍ତେଜନାର ଅଭାବ ସ୍ଥିତିରେ ଏହାକୁ ସେବନ ପାଇଁ ପରାମର୍ଶ ଦିଆଯାଇଥାଏ । ଏହା ଛଡା ଏହା ଅତ୍ୟନ୍ତ ପୌଷ୍ଟିକ ହୋଇଥିବାରୁ ଦୁର୍ବଳ ସ୍ୱାସ୍ଥ୍ୟ ଥିବା ବ୍ୟକ୍ତିମାନେ ମଧ୍ୟ ଏହି ସେବନ କରିପାରିବେ । ଏହାଛଡା ବାତ- ପିତ୍ତନାଶକ, ଶ୍ଵାସହର ରକ୍ତ ଶୁଦ୍ଧିକର ଏବଂ ମୁତ୍ରରୋଗ ହର ଅଟେ ।
ଜଳବାୟୁ ଓ ମୃତ୍ତିକା
ଆମ ଦେଶରେ ଉପକ୍ରାନ୍ତିମଣ୍ଡଳୀୟ ଉଷ୍ଣ ଓ ଆଦ୍ର ଜଳବାୟୁ ଥିବାରୁ ମୁସଲି ଚାଷ ପାଇଁ ଉପଯୋଗୀ ଭିତ୍ତିଭୂମି ରହିଛି । ଆମ ରାଜ୍ୟ ଓଡିଶାରେ ଜଳବାୟୁ ମଧ୍ୟ ମୁସଲି ଚାଷ ପାଇଁ ଉପଯୁକ୍ତ ଅଟେ ।ଆମ ରାଜ୍ୟ ଓଡିଶାର ଜଳବାୟୁ ମଧ୍ୟ ମୁସଲି ଚାଷ ପାଇଁ ଉପଯୁକ୍ତ ଅଟେ । ମୃତ୍ତିକାର ଗୁଣବର୍ତ୍ତା ଓ ପ୍ରକୃତିକୁ ବିଚାରକୁ ନେଲେ ହାଲୁକା ମଧ୍ୟମ ଲାଲ , କାପାସିଆ , ବାଲିଆ , ଦୋରସା ଉର୍ବର ମାଟିରେ ମୁସଲି ଚାଷ ଭଲ ହୋଇପାରିବ । ଏହାର ଚାଷ ପାଇଁ ଜମି ଅଧିକ ଜୈବସାରଯୁକ୍ତ ତଥା ନିଗିଡା ହୋଇଥିବା ଦରକାର ।
ଜମି ପ୍ରସ୍ତୁତି
ମୁସଲି ଚାଷ ପାଇଁ ପ୍ରଥମେ ୩ରୁ ୪ ଓଡ ଗଭୀର ଚାଷ କରି ମାଟିକୁ ଭଲଭାବେ ଗୁଣ୍ଡକରିବ । ଏକର ପ୍ରତି ୨୦ରୁ ୨୫ ଟନ ଗୁଣ୍ଡିଖତ ବା କମ୍ପୋଷ୍ଟ ମାଟିରେ ଭଲ ଭାବରେ ମିସାଇବ । ଏହାଦ୍ଵାରା ମାଟି ହାଲୁକା ରହିବ । ବାୟୁ ସଞ୍ଚାଳନ ସହ ମୁସଲି କନ୍ଦର ଔଷଧୀୟ ଗୁଣ ଓ ପରିମାଣ ବୃଦ୍ଧି ହେବ । ଏକର ପ୍ରତି ୨୦୦-୩୦୦ କିଗ୍ରା ନିମ୍ବ ପିଡିଆ ଜମିରେ ପ୍ରୟୋଗ କରିବା ଉଚିତ । ଏହା ପରେ ପ୍ରାୟ ୧ ମିଟର ଚଉଡା ଓ ୧୫ ସେମି ଉଚ୍ଚତା ବିଶିଷ୍ଟ ହୁଡା ତିଆରି କରିବ । ଦୁଇଟି ଜିଡା ମଧ୍ୟରେ ୩୦ ସେମି ବ୍ୟବଧାନର ପାଣି ନାଳୀ ରହିବା ଆବଶ୍ୟକ । ଭବିଷ୍ୟତରେ ଉଈ ପ୍ରାଦୁର୍ଭାବ ଏଡାଇବା ପାଇଁ ବିହନ ଲଗାଇବା ପୂର୍ବରୁ ପଟିରେ ୦.୦୫% କ୍ଳୋରେଫାଇରଫସ ଗୋଳା ଅଢାଲିଟର ପାଣି ସ୍ପ୍ରେ କରାଯିବ ।
ରୋପଣ ପଦ୍ଧତି
ସାଧାରଣତଃ ମୌସୁମୀ ବର୍ଷା ଆରମ୍ଭ ହୋଇଗଲେ ଜୁନ- ଜୁଲାଇ ମାସ ମଧ୍ୟରେ ବତୁରି ମାଟିରେ ମୁସଲିର କନ୍ଦ ଗଜା ଲଗାଯାଏ । ଏହି କନ୍ଦ ବା କନ୍ଦଳ ଗଜା ମାଟିରେ ପୋତିବା ପୂର୍ବରୁ ପ୍ରଥମେ ବିଶୋଧନ କରାଯାଏ ।ଏହି ବିଶୋଧନ ପାଇଁ ଲଗାଯାଇ ପୂର୍ବରୁ କନ୍ଦ ଗଜା (ବିହନ) କୁ ୦.୦୧% ବେଷ୍ଟିକ ଗୋଳା ପାଣିରେ ପ୍ରାୟ ୫ ମିନିଟ ବୁଡାଇ ଦିଆଯାଇଥାଏ । ଏହି ପ୍ରକାରେ ବିହନ ବିଶୋଧନ ପରେ ଗଛକୁ ଗଛ ପ୍ରାୟ ୧୫ରୁ ୨୦ ସେମି ଧାଡିକୁ ଧାଡି ୩୦ ସେମି ଦୂରତା ରଖି ପ୍ରାୟ ୫ ସେମି ମାଟି ତଳେ ବିହନ ପୋତି ଦିଆଯାଏ । ଏକ ଏକରରେ ୨୨୦୦ ଚାରା ଲଗାଯାଇପାରିବ । ଏକର ପ୍ରତି ୪୦୦ କିଗ୍ରା ବିହନ ଅବଶ୍ୟକ । ଏହାର କିଗ୍ରା ପ୍ରତି ମୂଲ୍ୟ ହାରାହାରି ୪୦୦ରୁ ୫୦୦ ଟଙ୍କା ଅଟେ ।
ମୁସଲି ବର୍ଷାଦିନ ପ୍ରାରମ୍ଭରେ ରୋପଣ କରାଯାଉଥିବାରୁ ଏଥିରେ ବିଶେଷ ଜଳସେଚନ ଅବଶ୍ୟକ ହୁଏ ନାହିଁ । ଆବଶ୍ୟକ ସ୍ଥଳେ ସିଞ୍ଚା ଜଳସେଚନ ଅତି ଫଳପ୍ରଦ । ଏହା ଛଡା ମୁସଲି କ୍ଷେତକୁ ସର୍ବଦା ଘାସମୁକ୍ତ ରଖିବ । ଗଜା ମୁସଲି କନ୍ଦ ମଧ୍ୟରେ ଥିବା ଷ୍ଟେରଏଡ ସାପୋଜିନିକ ଗୁଣ ଓ ପରିମାଣରେ ପ୍ରତିକୂଳ ପ୍ରଭାବ ପକାଏ । ତେଣୁ କେବଳ ନିମ୍ବ ପିଡିଆ ଓ ଜିଆ ଖତ ବ୍ୟବହାର କରାଯାଏ ।
ସୁତରାଂ ମୁସଲି ଫସଲରେ ପ୍ରାୟ ରୋଗ ପୋଲ ସମସ୍ୟା ଦେଖାଯାଏ ନାହିଁ । କିନ୍ତୁ ବିହନ କନ୍ଦଳରେ ଭୂତାଣୁ ବା କବକ ସଂକ୍ରମଣ ଥିଲେ କମିଯାଏ କ୍ଵଚିତ ଉଈ ମଳା ଲାଗିବା ଦେଖାଯାଏ । ନିରାକରଣ ପାଇଁ କ୍ଳୋରାପାଇଋ ଫସ ୦.୧ ସ୍ଥାନିତ ସ୍ପ୍ରେ କରିବା ଉଚିତ । ପତ୍ରଚିତା ରୋଗ ଦେଖାଦେଲେ ଡିଥେନ- ଏମ ୪୫ (୦.୨%) ସ୍ପ୍ରେ କରିବ ।
ଅମଳ
ଡିସେମ୍ବର – ଜାନୁଆରୀ ମାସ ଏହାର ଅମଳ ସମୟ । ଏହି ସମୟରେ ତଳପତ୍ର ଶୁଖିଆସେ ଏବଂ ମୂଳରେ କନ୍ଦିଳ ପେନ୍ଥା ହୋଇଥାଏ । ସାବଧାନତା ସହ ଖୋଲି ପେନ୍ଥାକୁ ଅକ୍ଷତ ଭାବେ ବାହାର କରାଯାଏ । ଖୋଳିବା ପୂର୍ବରୁ ଜଳସେଚନ କରି ମାଟି ଭିଜାଇ ଦେଲା ପରେ କୋଡିରେ କନ୍ଦଳ ଗୁଡିକୁ ବାହାର କରାଯାଏ । ଏହାପରେ ଏହି କନ୍ଦଳ ପେନ୍ଥାଗୁଡିକୁ ପାଣିରେ ଧୋଇ ମାଟି ଛଡାଇ ଦିଆଯାଏ । ଧୁଆ ହେବା ପରେ ଦୁଇଦିନ ଛାଇରେ ଶୁଖାଯାଏ । ଏହାପରେ ଉପର ଚେପା ଛଡାଇବା ପାଇଁ ପ୍ରତି କନ୍ଦଳକୁ ଦୁଇ ଆଙ୍ଗୁଠିରେ ଟିପି ଦିଆଯାଏ କିମ୍ବା ଛୁରୀରେ ଛଡ଼ାଯାଏ । ସଫା କନ୍ଦଳଗୁଡିକୁ ଆଉଥରେ ପାଣିରେ ଧୋଇ ୩-୪ ଦିନ ଛାଇରେ ଶୁଖାଇ ପଲିଥିନ ମୁଣାରେ ଭାରି ମୁହଁ ବାନ୍ଧି ରଖାଯାଏ ।
ଅମଳ ହାର
ଉପଯୁକ୍ତ ପ୍ରଣାଳୀରେ ଚାଷ କରାଗଲେ ବିହନ ତୁଳନାରେ ୫ରୁ ୬ ଗୁଣ ଫସଲ ଉତ୍ପାଦନ ହୋଇଥାଏ । ଏକର ପ୍ରତି ପ୍ରାୟ ୨୦ କ୍ଵିଣ୍ଟାଲ ବାଦ ଦେଲେ ବାକି ୧୬ କ୍ଵିଣ୍ଟାଲ ସୁଖିବା ପରେ ୨୦୦ କିଗ୍ରା ଓଜନ ହୁଏ । ଶୁଖିଲା କନ୍ଦଳଳ କିଗ୍ରା ପ୍ରତି ମୂଲ୍ୟ ୧୨୦୦ ଟଙ୍କାରେ ବିକ୍ରିହୁଏ ।
ଅମଳ ହୋଇଥିବା ୨୦ କ୍ଵିଣ୍ଟାଲ କନ୍ଦଳରୁ ୪ କ୍ଵିଣ୍ଟାଲ ବିହନ ପାଇଁ ରଖାଯାଏ । ଅବଶିଷ୍ଟ ୧୬ କ୍ଵିଣ୍ଟାଲ ଶୁଖିଲା ପରେ ପ୍ରାୟ ୨୦୦ କିଗ୍ରା ହୁଏ । ଶୁଖିଲା ୨୦୦ କିଗ୍ରାର ମୂଲ୍ୟ ଟ୧,୨୦୦/- କିଗ୍ରା ହିସାବରେ ୨,୨୪,୦୦୦/- ଟଙ୍କା ହୋଇଥାଏ । ସେହିପରି କନ୍ଦଳ ବିହନ ୪୦୦ କିଗ୍ରା ଗଯା ହେଲାପରେ ପ୍ରାୟ ୫୦୦ କିଗ୍ରା ହୁଏ । ଏହାର ମୂଲ୍ୟ ଟ ୪୦୦/- ହିସାବରେ ଟ୨,୦୦୦/- ହୁଏ ଅତଏବ ଶୁଖିଲା କନ୍ଦିଳ ଓ ବିହନରୁ ମୋଟ ଆୟ (ଟ ୨,୪୦,୦୦୦/+ଟ୨,୦୦,୦୦୦/-)= ୪,୪୦,୦୦୦/- ହୁଏ । ସମୁଦାୟ ବ୍ୟୟ ଟ ୨,୧୦,୫୦୦/- ହେଲେ ନେଟ ଲାଭ ୨,୨୯,୫୦୦/- ହେବ ।
ଆଧାର : ଡାକ୍ତର ଦୀନବନ୍ଧୁ ମହାରଣା
Last Modified : 12/8/2019