অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଆମ୍ବ ଚାଷ

ଆମ୍ବ ଚାଷ ଚାହିଦା

ଆମ୍ବକୁ ଫଳ ମାନଙ୍କର ରାଜା କୁହାଯାଏ । ଏହାର ଫଳ ଖୁବ୍ ରସାଳ । ପାଚିଲା ଫଳର ଶତକଡା  ୬୦ – ୭୦ ଭାଗ ଖିଆଯାଏ । ପାଚିଲା ଆମ୍ବରୁ ପ୍ରଚୁର  ପରିମାଣର ଶର୍କରା ଓ ଜୀବନିକା ‘କ’ ମିଳିଥାଏ । କଞ୍ଚା ଆମ୍ବରୁ ପ୍ରଚୁର ପରିମାଣର ଲୌହ ମିଳିଥାଏ । ଆମ୍ବରୁ ଆଚାର, ଆମ୍ବୁଲ, ଆମ୍ବ ସଢା, ଜ୍ୟାମ, ସ୍କ୍ୱାସ୍ ପ୍ରଭୃତି ଦ୍ରବ୍ୟ ପ୍ରସ୍ତୁତ କରାଯାଏ । ଆମ ଦେଶରୁ ବିଦେଶରୁ ଅନେକ ଆମ୍ବଜାତ ଦ୍ରବ୍ୟ ରପ୍ତାନୀ କରାଯାଉଛି ।

  • ଆମ୍ବ ଗୋଟିଏ ଚିର ସବୁଜ ବୃକ୍ଷ । ପ୍ରକାର ଭେଦରେ  ଏହା ୧୦ – ୧୪ ମିଟର ପର୍ଯ୍ୟନ୍ତ ଉଚ୍ଚ ହୁଏ । କିସମ ଅନୁସାରେ ଗଛରେ ପ୍ରତିବର୍ଷ କିମ୍ବା ଦୁଇବର୍ଷରେ ଥରେ ବଉଳ ଆସେ ।
  • ଗୋଟିଏ ପେନ୍ଥାରେ ପ୍ରାୟ ୧୦୦୦ ରୁ ୬୦୦୦ ପର୍ଯ୍ୟନ୍ତ ଫୁଲଥାଏ ।  ସେଥି ମଧ୍ୟରୁ  ସାଧାରଣତଃ ଶତକଡା ଛଅ  ଭାଗ ପର୍ଯ୍ୟନ୍ତ ଉଭୟଲିଙ୍ଗୀ ଫୁଲ ଓ ଅନ୍ୟସବୁ ଅଣ୍ଡିରା ଫୁଲ । କେତେକ କିସମରେ ବହୁ ସଂଖ୍ୟାରେ ଉଭୟଲିଙ୍ଗୀ ଫୁଲଥାଏ । କେବଳ ମାଈ ଫୁଲରେ ଆମ୍ବ ଧରେ ।

ଆମ୍ବ ଚାଷ ପାଇଁ ପରିବେଶ : -

  • ସମୁଦ୍ର ପତ୍ତନଠାରୁ ୧୨୦୦ମିଟର ଉଚ୍ଚ ସ୍ଥାନ ପର୍ଯ୍ୟନ୍ତ ଆମ୍ବଚାଷ କରାଯାଇପାରିବ ।
  • ଆମ୍ବ ଗଛର ବୃଦ୍ଧି ପାଇଁ ୨୨ ରୁ ୩୫ ଡିଗ୍ରୀ ସେଲସିଅସ ଉତ୍ତାପ ଆବଶ୍ୟକ ।
  • ୭୫୦ ରୁ ୨୫୦୦ ମିଲିମିଟର ପର୍ଯ୍ୟନ୍ତ ବୃଷ୍ଟିପାତ ଅଞ୍ଚଳରେ ଆମ୍ବ ଚାଷ ଭଲ ହୁଏ ।
  • ଆମ୍ବରେ ବଉଳ ଆସିବା ସମୟରେ ଶୁଷ୍କ ଜଳବାୟୁ ଓ ପାଚିବା ସମୟରେ ଅଧିକ ଉତ୍ତାପ ଆବଶ୍ୟକ ହୋଇଥାଏ ।

ମୃର୍ତ୍ତିକା

ଗଭୀର, ଦୋରସା, ବାଲିଆ, ନିଗିଡା ମାଟି ଆମ୍ବ ଚାଷ ପାଇଁ ଅନୁକୂଳ । ନାଲି ମାଟିରେ ମଧ୍ୟ ଆମ୍ବ ଚାଷ କରାଯାଇପାରିବ ।  ପଥୁରିଆ, ଚିକିଟା, ମଟାଳ ଓ ରୁଗୁଡିଆ ମାଟିରେ ଆମ୍ବଗଛ ଭଲ ବଢେ ନାହିଁ । ମାଟିର ଅମ୍ଲତ୍ଵ ୫.୫ ରୁ ୭.୦ ପିଏଚ  ମଧ୍ୟରେ ରହିବା ଭଲ ।

କିସମ

ଆମ ଦେଶରେ ୧୦୦୦ ଉର୍ଦ୍ଧ୍ଵ କିସମର ଆମ୍ବ ଦେଖାଯାଏ । ବିଭିନ୍ନ ପ୍ରକାର ଜଳବାୟୁରେ ଭିନ୍ନ ଭିନ୍ନ କିସମର ଆମ୍ବ ଚାଷ କରାଯାଏ । ଅମଳ ସମୟ ଅନୁସାରେ ଆମ୍ବକୁ ସଅଳ, ମଧ୍ୟମ ଏବଂ ଉଛୁର ଏହିପରି ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଇଛି । ଗୁଲାବ ଖାସ, ବମ୍ବାଇ ଓ ସୁବର୍ଣ୍ଣ ରେଖା ସଅଳ କିସମର, ବାଇଗଣପଲ୍ଲୀ, ହିମସାଗର, ଦଶେରୀ,ଲଙ୍ଗଡା ମଧ୍ୟମ ଏବଂ ଚୌସା, ଫଜିଲ ପ୍ରଭୃତି ଉଛୁର କିସମର ଆମ୍ବ ଅଟେ । ଏହା ବ୍ୟତୀତ ଆମ୍ବକୁ ମାଂସଳ, ରସାଳ ଓ ଆଚାର କିସମର ଭାଗ କରାଯାଇଛି । ଆମ ପ୍ରଦେଶରେ ବ୍ୟବସାୟିକ ଭିତ୍ତିରେ ପ୍ରାୟ ୨୦ଟି କିସମରେ ଆମ୍ବ ଚାଷ କରାଯାଏ । ମୁଖ୍ୟ କିସମ ଗୁଡିକ ହେଲା ବାଇଗଣପଲ୍ଲୀ, ନିଲମ୍, ସୁବର୍ଣ୍ଣରେଖା, ଆଖୁରସ, ତୋତାପୁରୀ, ଲଙ୍ଗଡା, ଦଶେରୀ ପ୍ରଭୃତି । ଏହା ବ୍ୟତୀତ ଆମ୍ରପଲୀ,ମଲିକା, ଅର୍କକିରଣ, ରତ୍ନା, ଅର୍କପୁନିତା ପ୍ରଭୃତି କେତେକ ସଙ୍କର କିସମ ଆମ୍ବ ଚାଷ କରାଯାଉଛି । ନିଲମ୍, ତୋତାପୁରୀ, ସୁବର୍ଣ୍ଣରେଖା ଓ କେତେକ ଶଙ୍କର କିସମକୁ ଛାଡି ଅଧିକାଂଶ କିସମରେ ପ୍ରାୟ ବର୍ଷେ ଛଡା ବର୍ଷେ ଫୁଲ ଆସେ ।

କଲମି ପ୍ରସ୍ତୁତି : -

ଆଗ କାଳରେ କେବଳ ଟାକୁଆ ଆମ୍ବ ଗଛ ଲଗାଯାଉଥିଲା । ଏହା ଯଦିଓ ପ୍ରତିକୂଳ ଅବସ୍ଥାରେ ଭଲ ବଢିପାରେ, କିନ୍ତୁ ମା’ ଗଛର ଗୁଣ ରକ୍ଷାକରିପାରେ ନାହିଁ । ତେଣୁ ନିର୍ଦ୍ଧିଷ୍ଟ କିସମର ଗୁଣବତ୍ତା ରକ୍ଷା କରିବା ପାଇଁ କଲମି ପ୍ରଣାଳୀରେ ଗଛର ବଂଶବୃଦ୍ଧି କରାଯାଉଛି । କଲମି ଗଛ ପ୍ରସ୍ତୁତି ପାଇଁ ଟାକୁଆ ଗଛକୁ ମୂଳଦଣ୍ଡ ରୂପେ ବ୍ୟବହାର କରାଯାଏ । ଏହି ମୂଳଦଣ୍ଡ ଉପରେ ମା ଗଛର ପୋଷ୍ୟ ଡାଳକୁ ବିଭିନ୍ନ ପ୍ରଣାଳୀରେ ସଂଯୋଗ କରି କଲମି ଗଛ ପ୍ରସ୍ତୁତ କରାଯାଏ । ଯୋଡ କଲମି, ଶୀର୍ଷ କଲମି, ପାର୍ଶ୍ଵ କଲମି ପ୍ରଭୃତି ପ୍ରଣାଳୀ ଦ୍ଵାରା ଆମ୍ବ କଲମି କରାଯାଇଥାଏ । ନଅ ମାସରୁ ବର୍ଷିକିଆ କଲମି ଗଛରୁ ଲଗାଯାଏ ।

ଜମି ପ୍ରସ୍ତୁତି ଓ ଲଗାଇବା ପ୍ରଣାଳୀ

ଆମ୍ବ ଚାଷ କରିବା ପୂର୍ବରୁ ଜମିକୁ ସଫା କରି ଦୁଇତିନି ଓଡ ଚାଷ କରିଦିଆଯାଏ । ଏହା ପରେ ୧୦ ମିଟର ଦୂରତାରେ ୧ ଘନ ମିଟର ଆୟତନର ଗାତ ଖୋଳାଯାଏ । ଗାତ ଖୋଳିଲା ବେଳେ ଉପରମାଟି ଓ ତଳମାଟିକୁ ଅଲଗା ଅଲଗା ରଖାଯାଏ । ଖରାଦିନର ଶେଷ ସମୟରେ ଗାତ ଖୋଳି ସେ ଭିତରେ କିଛି ଶୁଖିଲା ପତ୍ର, ଘାସ, ନଡା ଇତ୍ୟାଦି ପୋଡି ମାଟିକୁ ବିଶୋଧନ କରାଯାଏ । ଜୁନ୍ ଜୁଲାଇ ମାସ ରେ ପ୍ରଥମ ବର୍ଷ ପରେ ପରେ ଗଛ ଲଗାଯାଏ । ଗଛ ଲଗାଇବା ସମୟରେ ଗାତ ପିଛା ୨୫ କି.ଗ୍ରା. ସଢା ଗୋବର ଖତ, ୧୦ କି.ଗ୍ରା. ପାଉଁଶ, ୨ କି.ଗ୍ରା. ହାଡଗୁଣ୍ଡ, ୫୦ ଗ୍ରାମ୍ ନିମ୍ବ ପିଡିଆ ଉପରମାଟିରେ ମିଶାଇ ଏହାକୁ ପ୍ରଥମେ ଗାତରେ ଭର୍ତ୍ତି କରି ଓ ତଳମାଟି ତା ଉପରେ ରଖି ଗଛ ଲଗାଯାଏ । କଲମିର ଯୋଡ ଅଂଶଟି ମାଟି ଠାରୁ ୧୦ ସେ.ମି. ଉପରେ ରହିବା ଆବଶ୍ୟକ । ଗଛକୁ ସିଧା ରଖିବା ପାଇଁ ଗୋଟିଏ କାଠି ପୋତି ତା ସହିତ ବାନ୍ଧି ଦିଆଯାଏ ।

ଅନ୍ତଃ ଫସଲ : -

ଗଛ ଲଗାଇବାର ଚାରିରୁ  ପାଞ୍ଚ ବର୍ଷ ପରେ ଫଳ ଆସେ । ଗଛ ଗୁଡିକ  ମଧ୍ୟ ଧୀରେ ଧୀରେ ବଢିଥାଏ । ତେଣୁ ଆମ୍ବ ବଗିଚାର ମଧ୍ୟବର୍ତ୍ତୀ ସ୍ଥାନକୁ ପଡିଆ ନରଖି ଅମୃତଭଣ୍ଡା, ସପୁରୀ, କଦଳୀ ପ୍ରଭୃତି ଅଳ୍ପଦିନିଆ ଫଳଗଛ କିମ୍ବା ଝୁଡୁଙ୍ଗ, ଗୁଆଁର, ଭେଣ୍ଡି, କଖାରୁ,କାକୁଡି ପ୍ରଭୃତି ପନିପରିବା କିମ୍ବା କୋଳଥ, ବିରି, ମୁଗ ପ୍ରଭୃତି ଡାଲି ଜାତୀୟ ଫସଲ ଚାଷ କରାଯାଇପାରେ ।

ଖତ ଓ ସାର ପ୍ରୟୋଗ

ଆମ୍ବ ଏକ ବିରାଟକାୟ ଗଛ । ଏହା ସାଙ୍ଗକୁ ଏଥିରେ ପ୍ରଚୁର ପରିମାଣରେ ଫୁଲ ଓ ଫଳ ଆସେ । ସେହି ଦୃଷ୍ଟିରୁ ଏହି  ଗଛ ଅନେକ  ଖାଦ୍ୟ ସାର ଆବଶ୍ୟକ କରିଥାଏ । ପ୍ରତିବର୍ଷ କିଛି କିଛି ଖତସାର ପ୍ରୟୋଗ ନକଲେ ଗଛ ଦୁର୍ବଳ ହୁଏ ଏବଂ ନିୟମିତ ଫୁଲ ଫଳ ଆସେ ନାହିଁ । ଗଛ ଲଗାଇବା ପର ଠାରୁ ନିୟମିତ ଖତସାର ପ୍ରୟୋଗ କରିବା ଉଚିତ୍ । ପ୍ରତିବର୍ଷ ଜୁନ୍ ମାସ ଶେଷରେ ବର୍ଷାଦିନ ଆରମ୍ଭରୁ ଖତ ପ୍ରୟୋଗ କରାଯାଏ । ଗଛ ଲଗାଇବାର ଏକ ବର୍ଷ ପରେ  ପ୍ରତି  ଗଛ ମୂଳରେ ଦୁଇ ଝୁଡି ଖତ, ଯଦି ସମ୍ଭବ ହୁଏ ୮୦ ଗ୍ରାମ ଯବକ୍ଷାରଜନ, ୧୦୦ ଗ୍ରାମ ଫସଫରସ୍ ଏବଂ ୬୦ ଗ୍ରାମ୍ ପଟାସ ପ୍ରୟୋଗ କରାଯାଏ । ଏହାକୁ ଧୀରେ ଧୀରେ ବୃଦ୍ଧି କରି ସାତବର୍ଷ ବେଳକୁ ଗଛ ପିଛା ୪ ଝୁଡି ଖତ, କିଲୋଗ୍ରାମ ଯବକ୍ଷାରଜାନ, ୫୦୦ ଗ୍ରାମ୍ ଫସଫରସ୍ ଏବଂ ୬୦୦ ଗ୍ରାମ୍ ପଟାସ ପ୍ରୟୋଗ କରାଯାଏ । ଗଛର ଉପରି ଭାଗରେ ବିସ୍ତୃତି ଆକାରରେ ଗଣ୍ଡି ଚାରିପଟେ ଗୋଲାକାର ଗାତ ଖୋଳି ଖତ ଓ ସାର ଏକତ୍ର  ମିଶାଇ ପ୍ରୟୋଗ  କରାଯାଏ।

ଅନ୍ତଃ ଚାଷ, କାଣ୍ଟଛାଣ୍ଟ ଓ ଅନ୍ୟାନ୍ୟ ବ୍ୟବସ୍ଥା : -

ପ୍ରଥମ ଅବସ୍ଥାରେ ଗଛର ଭାରସାମ୍ୟ ରଖି ସିଧାରେ ବଢିବା ପାଇଁ ସାମାନ୍ୟ କାଣ୍ଟଛାଣ୍ଟ କରାଯାଏ । ଗଛ ପୁରୁଣା ହୋଇଗଲେ ଗଛର ଡାଳକୁ ଲାଗିଯାଏ  ଏବଂ ବଗିଚାରେ କମ୍ ସୂର୍ଯ୍ୟାଲୋକ ପଡେ । ତେଣୁ ପୁରୁଣା ବଗିଚାରୁ କିଛି କିଛି ଡାଳକାଟି ଦେବା ଆବଶ୍ୟକ । ଗଛ ଲଗାଇବାର ତିନି ବର୍ଷ ଭିତରେ ଯଦି ବଉଳ ଆସେ ତେବେ ସେଗୁଡ଼ିକୁ ଛିଣ୍ଡାଇ ଦେବା ଆବଶ୍ୟକ । ଝଡ ତୋଫାନ ହେଉଥିବା ଅଞ୍ଚଳରେ ବଗିଚା ଚାରିପଟେ ଝାଉଁ, ଇଉକାଲିପଟାସ୍, ସିଲଭରଓକ ପ୍ରଭୃତି ବାୟୁନିରୋଧକ ବୃକ୍ଷ  ପାଖପାଖ କରି ଲଗାଇବା ଆବଶ୍ୟକ । ବଉଳ ଆସିବା ପୂର୍ବରୁ ବଗିଚାର ବିଭିନ୍ନ ସ୍ଥାନରେ ଶୁଖିଲା ପତ୍ର ଏକାଠି କରି ଗଛକୁ ଧୂଆଁ ଦେଲେ ବେଶୀ ବଉଳ ଆସିଥାଏ । ଆମ୍ବ ଫଳରେ କଳାନାସୀ ଦେଖାଦେଲେ ପ୍ରତି ଲିଟର ପାଣିରେ ୨ ଗ୍ରାମ୍ ବୋରକ୍ସ ମିଶାଇ ସିଞ୍ଚନ କରିବା ଆବଶ୍ୟକ । ପ୍ରତିବର୍ଷ ଖରାଦିନେ ବର୍ଷା ପରେ ପରେ ଆମ୍ବ ବଗିଚାକୁ ହାଲୁକା ଭାବରେ ଚାଷ କରି ଦିଆଯାଏ । ଏହାଦ୍ୱାରା ବର୍ଷାଜଳ ମାଟିରେ ସଂରକ୍ଷିତ ହୁଏ । ବର୍ଷା ଦିନେ ବଗିଚାରୁ ଅନାବନା ଘାସ ବାଛି ଦେବା ଆବଶ୍ୟକ ।

ଜଳସେଚନ

ପ୍ରଥମ ଅବସ୍ଥାରେ ଆମ୍ବ ଗଛକୁ ନିୟମିତ ଜଳସେଚନ କରିବା ଉଚିତ୍ । ଏହା ଦ୍ଵାରା ଗଛ ଭଲ ବଢେ । ଫୁଲଆସିବା ପୂର୍ବରୁ ଜଳସେଚନ କରିବା ନିଷେଧ । କଷି ଧରିବା ଠାରୁ ଆମ୍ବ ପାକଳ ହେବାର ପୂର୍ବାବସ୍ଥା ପର୍ଯ୍ୟନ୍ତ ମଝିରେ ମଝିରେ  ଜଳସେଚନ କରିବା ଉଚିତ୍ । ଏହାଦ୍ଵାରା ଫଳ ବଡ ହୁଏ ଏବଂ ଫଳ ଝଡିବା କମିଯାଏ ।

ସମନ୍ଵିତ ପ୍ରଣାଳୀରେ ରୋଗ ଓ ପୋକ ନିୟନ୍ତ୍ରଣ

ଆମ୍ବ ଗଛରେ ଆମ୍ବ ଡାହାଣୀ ଲାଗିଲେ ମହୁଭଳି ଏକ ପ୍ରକାର ରାସାୟନିକ ପଦାର୍ଥ ବାହାରିଥାଏ । ସେଥିରେ କବକ ଲାଗିଲେ ଆମ୍ବ ବଉଳ ପୋଡିଯାଏ ଓ କଳା ପଡିଯାଏ । ଏହା ପରେ ଆମ୍ବ କଷି ଝଡିଯାଏ । ଏହାର ନିରାକରଣ ପାଇଁ ଆମ୍ବ ବଉଳ ଆସିବାର ୨ – ୩ ସପ୍ତାହ ପୂର୍ବରୁ ଲିଟର ପାଣିରେ ୪ ଗ୍ରାମ ସଲଫ୍ୟାକ୍ସ ଓ ୨ ମିଲିଲିଟର ମିଶାଇ ସିଞ୍ଚନ କରିବା  ଦରକାର । ଆମ୍ବ କଷି ମିଟର ଆକାରର ହୋଇଗଲେ ଏହି ଦ୍ରବଣକୁ ଆଉଥରେ ସିଞ୍ଚନ କରାଯାଏ । ଏହା ଦ୍ଵାରା ବଉଳ ନଷ୍ଟ ହୁଏ ନାହିଁ । ଛୋଟ ଆମ୍ବ ଝଡେ ନାହିଁ । ଆମ୍ବରେ ଫଳମାଛି ଲାଗି ପାଚିଲା ଫଳକୁ ନଷ୍ଟ କରିଦିଏ । ଏଥିରୁ ରକ୍ଷା ପାଇବା ପାଇଁ ଏକ ଲିଟର ପାଣିରେ ୧୦ ଗ୍ରାମ ଗୁଡ, ଏକ ମି.ଲି ମାଲାଥିଅନ୍ ଏବଂ ୪ ଗ୍ରାମ ସେଭିନ୍ ମିଶାଇ ଛୋଟ ଛୋଟ ପ୍ଲାଷ୍ଟିକ ପାତ୍ର,  ନଡିଆ ସଢେଇ କିମ୍ବା ମାଟି ପାତ୍ରରେ ବଗିଚାରେ ରଖିଦେଲେ ଫଳ ମାଛି ଗୁଡିକ ସେଥିରେ ପଡି ମରିଯାଆନ୍ତି । ପାଉଁଶିଆ ରୋଗର ନିରାକରଣ ପାଇଁ ଗଛରେ ୦.୨% ସଲଫ୍ୟାକ୍ସ ସିଞ୍ଚନ କରିବା ଦରକାର । ପତ୍ର, ଡେମ୍ଫ, ଫୁଲ ଓ ପତ୍ରରେ ଆନ୍ଥ୍ରାକନୋଜ ରୋଗ ଲାଗେ । ଶତକଡା ୦.୧ ଭାଗ ବାଭିଷ୍ଟିନ୍ ସିଞ୍ଚନ କରନ୍ତୁ ।

ପତ୍ର, ଡାଳ, ବଉଳ ଓ ଫଳରେ ଯାଦୁରା ରୋଗ ବର୍ଷାଦିନେ ଦେଖାଯାଏ ୧୦ ଦିନ ବ୍ୟବଧାନରେ ୩ଥର ଷ୍ଟ୍ରେପ୍ଟସାଇକ୍ଲିନ ୦.୧ ଗ୍ରାମ ସହିତ କପର ଆକ୍ସିକ୍ଳୋରାଇଡ ୩ ଗ୍ରାମ  ପ୍ରତିଲିଟର ପାଣି ପିଛା ମିଶାଇ ସିଞ୍ଚନ କରନ୍ତୁ ।

ଫଳ ପଚାରୋଗ ଦମନ ପାଇଁ ଅମଳର ୫ -୧୦ ଦିନ ଆଗରୁ ପ୍ରତିଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ । ଫଳ ତୋଳିବା ପରେ ପ୍ରତି ଲିଟର ସାମାନ୍ୟ ଗରମ ପାଣିରେ ( ୫୧ – ୫୩ ଡିଗ୍ରୀ ରେଲିସିଅସ) ୦.୫ ଗ୍ରାମ କାର୍ବାଣ୍ଡିଜମ୍ ମିଶାଇ ଫଳକୁ ୫ ମିନିଟ ବୁଡାଇ ରଖିଲେ ଫଳ ପଚେ ନାହିଁ ।

ଆମ୍ବରେ କେତେକ ବିଶେଷ : -

ଆମ୍ବ ଫଳରେ ଅଗ୍ରଭାଗ ପାକଳ ପୂର୍ବରୁ ପଚିବାର ଆରମ୍ଭ କରେ । ଏଥିପାଇଁ ୦.୨% ବୋରାକ୍ସ ସିଞ୍ଚନ କରିବାକୁ ପଡେ । ଆମ୍ବ ଗଛରେ ବେଳେ ବେଳେ ପତ୍ର ବା ଫୁଲ ଛୋଟ ଛୋଟ ହୋଇ ମହୁ ଫେଣା ଭଳି ଦେଖାଯାଏ । ପ୍ରଥମେ ସେଗୁଡ଼ିକୁ ସଫା କରିଦିଆଯାଏ । ପତ୍ରରେ  ୨୦୦ ପି.ପି.ଏମ୍ ଏନ୍.ଏ.ଏ କିମ୍ବା ପ୍ଲାନୋଫିକ୍ସ ସିଞ୍ଚନ କରାଯାଏ । ଅନେକ ସମୟରେ ପାକଳ ଆମ୍ବର ଭିତର  ସ୍ପଞ୍ଜ ଭଳି ଦେଖାଯାଏ । ଏଥିରୁ ରକ୍ଷା ପାଇବା ପାଇଁ ଫଳ ପାକଳ ହେବ ପୂର୍ବରୁ ସଂଗ୍ରହ କରି ସାମାନ୍ୟ ଉଷୁମ ପାଣିରେ ବୁଡାଇଦେଲେ ଫଳ  ଭଲ ରୁହେ ।

ଫଳ ଝଡିବା :-

ଆମ୍ବ ଗଛରୁ ପ୍ରଚୁର ପରିମାଣରେ ଆମ୍ବ ଝଡିଯାଏ । ଫଳ ଝଡିବା ବନ୍ଦ କରିବା ପାଇଁ ଜଳସେଚନ କରିବା ଦରକାର । ଗୋଟିଏ ଲିଟର ପାଣିରେ ୧୦ ଟୋପା ପ୍ଲାନୋଫିକ୍ସ ମିଶାଇ ସିଞ୍ଚନ କରିବା ଦରକାର ।

ଅମଳ ଓ ସାଇତା : -

ଆମ୍ବ ଗଛ ଲଗାଇବାର ୪ ରୁ ୫ ବର୍ଷ ପରେ ଫଳ ଆସେ  । ଦଶ ବର୍ଷ ବେଳକୁ ଗଛରେ ପୂର୍ଣ୍ଣମାତ୍ରାରେ ଫଳ ଧରେ । ଫଳ ଧରିବାଠାରୁ ପାଚିବା ପର୍ଯ୍ୟନ୍ତ ୪ ରୁ ୫ ମାସ ଲାଗେ । ଫଳରେ ରଙ୍ଗ ଫିକା ହଳଦିଆ ପଡିଲେ ଆମ୍ବ ପାକଳ ହୁଏ । ଆମ୍ବ ତୋଳିବା ବେଳେ ଫଳ ତଳେ ପଡିଗଲେ ନଷ୍ଟ ହୋଇଯାଏ । ତେଣୁ ଖୁଣ୍ଟୁଣୀ ଦ୍ଵାରା ଆମ୍ବ ତୋଳାଯାଏ । ବାଉଁଶ ଝୁଡିରେ ନଡା ଦେଇ ଆମ୍ବ ସଜାଇ ପ୍ୟାକିଂ କରାଯାଇ ଦୂରସ୍ଥାନକୁ ପଠାଯାଏ । ଆଜିକାଲି ପତଳା କାଠ ପଟାରେ ତିଆରି ବାକ୍ସରେ କିମ୍ବା ମୋଟା କାଗଜ ବାକ୍ସରେ ଆମ୍ବ ପ୍ୟାକିଂ କରି ଦୂର ସ୍ଥାନକୁ ପଠାଯାଉଛି । ସୁନାରୀ ପତ୍ର ଦେଇ ପ୍ୟାକିଂ କଲେ ଆମ୍ବ ଶୀଘ୍ର ପାଚିଥାଏ । ଗୋଟିଏ ପୂର୍ଣ୍ଣବୟସ୍କ ଗଛକୁ ୫୦୦ରୁ ଅଧିକ ପର୍ଯ୍ୟନ୍ତ ଫଳ ଅମଳ ହୁଏ । ହାରାହାରି ଗୋଟିଏ ହେକ୍ଟର ଜମିରୁ ୫ଟିନ ପର୍ଯ୍ୟନ୍ତ ଫଳ ମିଳିଥାଏ ।

ଆମ୍ବ ଜାତ ଦ୍ରବ୍ୟ

ଆମ୍ବ ଏକ ଋତୁଜ ଫସଲ ହୋଇଥିବାରୁ ଗୋଟିଏ ସମୟରେ ପ୍ରଚୁର ଫଳ ମିଳିଥାଏ । ବଜାରରେ ବିକ୍ରି କଲାପରେ  ବି ଅନେକ ଫଳ ବିକ୍ରି ହୋଇପାରେ ନାହିଁ । ତେଣୁ ଆମ୍ବରୁ ସ୍କ୍ଵାସ, ଜାମ, ନେକ୍ଟାର, ଆମ୍ବ ସଢା, ଆମ୍ବୁଲ। ଚମ୍ପେଇତି ପ୍ରଭୃତି ପ୍ରସ୍ତୁତ କରିବା ଦରକାର ।

ଅଧାପାକଳ ଆମ୍ବରୁ ଚଟଣି ଏବଂ ଆଚାର ପ୍ରସ୍ତୁତ କରାଯାଇଥାଏ । ଛୋଟ କଷି ଆମ୍ବକୁ ଶୁଖାଇ ଗୁଣ୍ଡକରି ଆମଚୁର ପ୍ରସ୍ତୁତ  କରାଯାଏ ।

ଆଧାର – ଓଡ଼ିଶା ଜଳ ବିଭାଜିକା ଉନ୍ନୟନ ମିଶନ

Last Modified : 3/4/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate