অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବରକୋଳି ଚାଷ

ବରକୋଳି ଚାଷର ଚାହିଦା ଓ ଉତ୍ପତ୍ତି

ବରକୋଳି ଭାରତବର୍ଷର ଗୋଟିଏ ପୁରାତନ ଫଳ । ଏହା ଏକ ପୃଷ୍ଟିକର ଫଳ ଏବଂ ଏଥିରେ ବହୁ ପରିମାଣରେ ଖାଦ୍ୟପ୍ରାଣ ବ ଭିଟାମିନ୍ ‘ସି’, ‘ଏ’ ଓ ‘ବି’ ଥାଏ । ପିଲା ମାନେ ଏହାକୁ ଖାଇବାକୁ ଖୁବ ଭଲ ପାଆନ୍ତି । ବରକୋଳିରେ ଭଲ ଆଚାର ପ୍ରସ୍ତୁତ ହୁଏ । ଏହାର ଗଛ,ଡାଳ ଓ ପତ୍ର ହିନ୍ଦୁମାନଙ୍କର ପୂଜା, ବିବାହ ପ୍ରଭୃତ୍ତି ବିଭିନ୍ନ ପବିତ୍ର କର୍ମରେ ବ୍ୟବହୃତ ହୋଇଥାଏ ।

ଏହାର ଉତ୍ପତ୍ତି ସ୍ଥଳ ଭାରତ-ବର୍ମା ଅଞ୍ଚଳ ବୋଲି ଧାରାଯାଇଛି । କେତେକଙ୍କ ମତରେ ଭାରତ ଛଡା ମାଲେସିଆ ଓ ଦକ୍ଷିଣ ପଶ୍ଚିମ ଚିନ୍ ମଧ୍ୟ ଏହାର ଉତ୍ପତ୍ତି ସ୍ଥଳ ।

ବର୍ତ୍ତମାନ ପୃଥିବୀର ବିଭିନ୍ନ ଦେଶ ଯଥା - ଆଫଗାନିସ୍ଥାନ, ଇରାନ, ସିରିଆ, ଅଷ୍ଟ୍ରେଲିୟା, ଯୁକ୍ତରାଷ୍ଟ୍ର ଆମେରିକା, ଇଟାଲି ପ୍ରଭୃତ୍ତି ଦେଶରେ ଏହାର ଚାଷ ହେଉଛି । ସେଥି ମଧ୍ୟରୁ ରାଜସ୍ଥାନ, ମଧ୍ୟପ୍ରଦେଶ, ବିହାର, ଉତ୍ତର ପ୍ରଦେଶ, ପଞ୍ଜାବ, ହରିଆନା, ଗୁଜୁରାଟ, ମହାରାଷ୍ଟ୍ର, ଓଡିଶାର ପଶ୍ଚିମାଞ୍ଚଳ ଜିଲ୍ଲା ମାନଙ୍କରେ ଏହାର ଚାଷ ଭଲ ହେଉଛି ।

ଜଳବାୟୁ

ଗ୍ରୀଷ୍ମମଣ୍ଡଳୀୟ ଜଳବାୟୁରେ ଚାଷ କରାଯାଏ । ଯେଉଁ ଜାଗା ମାନଙ୍କରେ ଟାଣ ଖରା ଓ ଆଦ୍ରତା କମ୍ ସେଠାରେ ବରକୋଳି ଚାଷ ଖୁବ୍ ଭଲ ହୁଏ । କିନ୍ତୁ ଫଳ ଧାରଣ ସମୟରେ ଜଳସେଚନ ଆବଶ୍ୟକ କରେ ।

ମୃତ୍ତିକା

ଅଳ୍ପ କ୍ଷାରୀ ବାଲିଆ ଦୋରସା ମାଟିରେ ଖୁବ୍ ଭଲ ହୁଏ । କିନ୍ତୁ ଅନ୍ୟ ଯେ କୌଣସି ମାଟିରେ ଚାଷ କରାଯାଇପାରେ । ସାଧାରଣତଃ ଯେଉଁ ଜମିରେ ଅନ୍ୟ କୌଣସି ଫଳଚାଷ କରି ହୁଏନି, ସେ ଜମିରେ ବରକୋଳି ଚାଷ କରାଯାଏ ।

କିସମ

ବନାରସି, ଗୋଲା, ସେଓ, ସାନାଭରୁ-୨ ଉତ୍ମାନ, କରତା, ଯୋଗିଆ, ମୁଣ୍ଡିଆ, ମାହେରା, ଟିକିଡି, ପାମେଲି, ପ୍ରୋଲିଫିକ, ଛୁହାରା, କୈଥିଲି, ସାନ୍ଧୁରା, ନର୍ଣ୍ଣାଲ, ଦଣ୍ଡନ, ଚୈଞ୍ଚିଲି, ନାରିକେଲ, ବାଉରିପୁର, ଦୁଧିଆ, କଣ୍ଟାହୀନ, ଇଲାଇଚି ।

ବଂଶବିସ୍ତାର

ମଞ୍ଜିଗଛ ସବୁଜାଗାରେ ଦେଖିବାକୁ ମିଳେ । ମଞ୍ଜିଗଛ ଅଧିକ ଫଳ ଦେଉଥିଲେ ମଧ୍ୟ ଫଳ ଗୁଡିକ ଛୋଟ ହୁଏ ଓ ଗୁଣରେ ମଧ୍ୟ କମ୍ ହୁଏ । ତେଣୁ କଲମୀ ଦ୍ଵାରା ସାଧାରଣତଃ ବରକୋଳିର ବଂଶ ବିସ୍ତାର କରାଯାଏ । ରିଙ୍ଗ ବଡିଙ୍ଗ ଓ ଟି ବଡିଙ୍ଗ ଦ୍ଵାରା ବରକୋଳି ଗଛର କଲମୀ କରାଯାଏ ।

ସାଧାରଣତଃ ସବୁ ମଞ୍ଜିରୁ ଗଛ ଉଠେନି । ଯେଉଁ ମଞ୍ଜି ଶତକଡା 20 ଭାଗ ଲୁଣ ପାଣିରେ ବୁଡିଯାଏ ସେଥିରୁ ଗଛ ହୁଏ । ଯଦି ମଞ୍ଜିର ଉପର ଚୋପା ଫାଟିଥାଏ,ତେବେ ଏହା ୩ ରୁ ୪ ସପ୍ତାହ ପରିବର୍ତ୍ତେ ୧ସପ୍ତାହ ମଧ୍ୟରେ ଗଜାହୁଏ ।

ଲଗାଇବା ଦୂରତା ଓ ଗାତର ସାଇଜ୍

ଭଲ ଲାଭ ପାଇବାକୁ ହେଲେ ଗଛକୁ ଗଛ ଓ ଧାଡିକୁ ଧାଡି ୮ମିଟର ଦୂରତାରେ ଲଗାଇବା କଥା । ଗୋଲା ଜାତୀୟା ବରକୋଳି ୫/୬ ମିଟର ଦୂରତାରେ ଲଗାଇଲେ ବେଶି ଲାଭ ମିଳେ । ଏକ ମିଟର ଗୋଲେଇ ଓ ଏକମିଟର ଗାତ କଲେ ଭଲ । କେତେସ୍ଥଳରେ ୬୦ସେମି ଗୋଲେଇ ଓ ଗହିରର ଗାତ କରାଯାଏ ।

ଲଗାଇବା ସମୟ

ଜୁଲାଇ-ଅଗଷ୍ଟ ଓ ଜାନୁୟାରୀ-ଫେବୃଆରୀ ।

ଖତ ଓ ସାର

ଗଛ ଲଗାଇବା ବେଳେ ପ୍ରତି ଗାତରେ ୨ଝୁଡି କମ୍ପୋଷ୍ଟ ବା ଖତ ଏକ କେଜି ଜୈବିକ ସାର ଓ ୨୦ ଗ୍ରାମ କ୍ଳୋରୋପାଇରିଫସ ଗୁଣ୍ଡ ଦେଇ ଗଛ ଲଗାଇବ । ବର୍ଷକୁ ୨ ଝୁଡି କମ୍ପୋଷ୍ଟ ବା ଖତ,୨କେଜି କାଲସିୟମ ଆମୋନିୟମ ନାଇଟ୍ରେଟ ସାର, ଏକ କେଜି ସୁପର ଫସଫେଟ ସାର ଓ ୫୦୦ ଗ୍ରାମ ମ୍ୟୁରେଟ୍ ଅଫ୍ ପଟାସ ସାର ଦେବେ ।

କାଟଛାଣ୍ଟ ଓ ଡାଳକଟା ବ୍ୟବସ୍ଥା

ବରକୋଳି ଚାଷରେ କାଟଛାଣ୍ଟ ବ୍ୟବସ୍ଥା ବେଶି ଦରକାର । କାରଣ ନୂଆ ଡାଳରେ ଫଳ ଆସେ । ତେଣୁ ପ୍ରତିବର୍ଷ ବରକୋଳି ଗଛକୁ ଏପରି କାଟଛାଣ୍ଟ କରିବ ଯେପରି ନୂଆ ନୂଆ ଡାଳ ବେଶି ବାହାରିବ । ଲଗାଇବାର ପ୍ରଥମ ବର୍ଷ ଗଛକୁ ବଢିବାକୁ ଦେବ ଏବଂ ଅତି କମ୍ ରେ ୬୦ସେମି ପର୍ଯ୍ୟନ୍ତ ସିଧା ବଢିବାକୁ ଦେବ । ଫଳ ତୋଳା ସରିଲାପରେ ଗଛ ଯେତେବେଳେ ପତ୍ର ଝଡାଇ ଥାଏ, ସେହି ସମୟରେ କାଟଛାଣ୍ଟ ଓ ଡାଳ କଟାଯାଏ ।

ଜଳସେଚନ

ଗଛ ଲଗାଇବା ବେଳେ ୩/୪ ଦିନ ଅନ୍ତରରେ ଓ ୨/୩ ମାସ ପରେ ୫/୭ ଦିନ ଅନ୍ତରରେ ଜଳସେଚନ ବିଶେଷ ଦରକାର କରେ । କିନ୍ତୁ ଗଛରେ ଫଳ ଥିଲାବେଳେ ୨/୩ ଥର ଜଳସେଚନ ଦେଲେ ଫଳ ବଡ ହୁଏ ଓ ବେଶୀ ଫଳ ରହେ । ବଡ ଗଛରେ ସାଧାରଣତଃ ନଭେମ୍ବର ଠାରୁ ଜାନୁଆରୀ ମାସ ମଧ୍ୟରେ ଜଳସେଚନ ଦେବା କଥା ।

ରୋଗ ପୋକ

  1. ଫଳମାଛି :- ଗଛର ତଳେ ଥିବା ମାଟିରେ କ୍ଳୋରୋପାଇରିଫସ ଗୁଣ୍ଡ ଦେଇ ମାଟି ସହ ମିଶାଇ ଦିଅନ୍ତୁ । ମାଲାଥିଆନ ବା ସେଭିନ୍ ଗଛରେ ସ୍ପ୍ରେ କରନ୍ତୁ । ଫଳଥିବା ସମୟରେ ହେକ୍ଟର ପିଛା  ୫୦୦ସିସି ରୋଗର ୩୦୦ ଲିଟର ପାଣିରେ ମିଶାଇ ସ୍ପ୍ରେ କରନ୍ତୁ ।
  2. ର୍ବାକଇଟିଂ କାଟର ପିଲାର : ଗଛର କାଣ୍ଡକୁ ୦.୫ % ମନୋକଟଫସ ଔଷଧ ଦ୍ଵାରା ଲେପ ଦିଅନ୍ତୁ ।
  3. ପାଉଁଶିଆ ରୋଗ : ୨୦୦ଗ୍ରାମ ଦ୍ରବୀଭୂତ ସଲଫର କିମ୍ବା ୫୦ଗ୍ରାମ କାରାଥିନ ୧୦୦ ଲିଟର ପାଣିରେ ମିଶାଇ ଜୁଲାଇ, ସେପ୍ଟେମ୍ବର, ନଭେମ୍ବର ଓ ଡିସେମ୍ବର ମାସରେ ସ୍ପ୍ରେ କଲେ ଏ ରୋଗ ହୁଏନି ।

ଅମଳ

ଗୋଟିଏ ବଡ ଗଛ ଜଳସେଚିତ ଅଞ୍ଚଳର ହାରାହାରି ୮୦କେଜି ରୁ ୨୦୦କେଜି ପର୍ଯ୍ୟନ୍ତ ଫଳ ଦିଏ । ହେକ୍ଟର ପିଛା ଆୟ ଟ୫୦,୦୦୦ ମିଳେ । କଲମୀଗଛ ୩/୪ ବର୍ଷ ପରଠାରୁ ଫଳିବା ଆରମ୍ଭ  କରେ ଏବଂ ୧୦ ରୁ ୨୦ ବର୍ଷ ମଧ୍ୟରେ ଅଧିକ ଉତ୍ପାଦନ ଦିଏ ।

ସଂଗୃହିତ : ଡାକ୍ତର ସୂର୍ଯ୍ୟ ନାରାୟଣ ବେହେରା

Last Modified : 2/25/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate