ଡାଲି ଏକ ପୁଷ୍ଟିକର ଖାଦ୍ୟ । ଆମ ରାଜ୍ୟରେ ଏହା ସହଜରେ ଓ ଶସ୍ତାରେ ମିଳୁଥିବାରୁ ଏହାକୁ ପୁଷ୍ଟିକର ଖାଦ୍ୟ ବ୍ୟତୀତ ଗରିବର ପୁଷ୍ଟି ତଥା ମାଂସ ରୂପେ ବିବେଚନା କରାଯାଇଥାଏ । ବିଭିନ୍ନ ପ୍ରକାର ଡାଲି ଜାତୀୟ ଫସଲ ଚାଷ କରାଯାଉଥିଲେ ମଧ୍ୟ ମୁଗଚାଷ ପରେ ଏହି ବିରି ଫସଲକୁ ୨ୟ ମୁଖ୍ୟ ଫସଲ ରୂପେ ସମଗ୍ର ରାଜ୍ୟରେ ଚାଷ କରାଯାଇଥାଏ ।
କିସମ
ଏଥିପାଇଁ ବିରି ଫସଲର ଅନେକଗୁଡିଏ କିସମ ରହିଛି ଯେପରିକି ସାରଳା (ବି- ୧୨-୪), ଟି-୯ ପନ୍ତ-ୟୁ-୧୯ ଓ ୩୦, କେୟୁ ୩୦୦ ଓ ୩୦୧ । ଏଲବିଜି ୪୦୨ ଓ ୬୮୫ ଇତ୍ୟାଦି ଯାହାକି କିସମ ଅନୁସାରେ ଖରିଫ ପ୍ରାକ୍ ରବି ଓ ରବି ଋତୁରେ ଚାଷ କରାଯାଇଥାଏ ।
ଏପରିକି ନିକଟ ଅତୀତରେ ଆମ ରାଜ୍ୟ କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟରୁ ଓ ବିଜି୧୭ (ଉଜ୍ଜଲା) ଓ ବିଜି ୩୧ (ମହୁରି), ଓବିଜି-୩୩ (ଶଶି) ଓ ବି-୩-୮-୮ (ପ୍ରସାଦ) ଆଦି କିସମଗୁଡିକ ଉନ୍ମୋଚନ ହୋଇଛି ଯାହାକି ଉଭୟ ଖରିଫ ଓ ରବି ଚାଷ ପାଇଁ ବେଶ୍ ଉପଯୋଗୀ ।
ଅତଏବ ଏହିସବୁ ଉନ୍ନତ କିସମଗୁଡିକୁ ଆଶାନୁରୂପକ ଅମଳ ପାଇବାକୁ ହେଲେ ବିଶେଷକରି ଜମି ପ୍ରସ୍ତୁତି ଓ ଖାଦ୍ୟସାର ପରଚାଳନା ଉପରେ ଗୁରୁତ୍ଵ ଦେବାକୁ ପଡିଥାଏ ।
ଜମି ପ୍ରସ୍ତୁତି ସମୟରେ ମାଟିକୁ ଭଲ ଭାବେ ହଳ କର କାଠକୁଟା, ବୁଦା ତଥା ପୂର୍ବ ଫସଲ ଅବଶିଷ୍ଟାବିଂଶକୁ ପରିଷ୍କାର କରି ଜମି ସମତୁଲ କରନ୍ତୁ । ସାଧାରଣତଃ ଏକ ହେକ୍ଟର ଜମି ଚାଷ ପାଇଁ ୨୫ କି.ଗ୍ରା. ବିହନ ଆବଶ୍ୟକ ହୋଇଥାଏ ।
ବିହନଗୁଡିକ ବୁଣିବା ପୂର୍ବରୁ ଗଜା ପରୀକ୍ଷା କରିବା ସହିତ ବିଶୋଧନ କରାନ୍ତୁ । ସାଧାରଣତଃ ବିହନଗୁଡିକୁ କାର୍ବେଣ୍ଡାଜିମ କିମ୍ବା କାର୍ବୋକ୍ସିନ ଓ ଥିରାମ କବକମାରୀରେ କିଲୋଗ୍ରାମ ବିହନ ପ୍ରତି ୨ ଗ୍ରାମ ହିସାବରେ ବିଶୋଧନ କରି ବୁଣିବାର କିଛି ସମୟ ପୂର୍ବରୁ ରାଇଜେବିୟମ ଜୀବାଣୁ ଓ ଫସଫେଟ ଦ୍ରବୀଭୂତ ବ୍ୟାକ୍ଟେରିଆରେ ଉପଚାର କରିପାରିଲେ । ଅଧିକ ସୁଫଳ ମିଳିଥାଏ । ଏଥିପାଇଁ ୬୦୦ ମିଲି ପାଣିରେ ପ୍ରତ୍ୟେକରୁ ୨୦୦ ଗ୍ରାମ ମିଶାଇ ଏକ ମୁଣ୍ଡ ପ୍ରସ୍ତୁତ କରି ସେଥିରେ ୧୦ କିଗ୍ରା, ବହନ ଗୋଳାଇ ଛାଇରେ କିଛି ସମୟ ରଖି ବିହନ ଗୁଡିକୁ ଧାଡିକୁ ଧାଡି ୨୫ ସେ.ମି. ଓ ଗଛକୁ ଗଛ ୧୦ରୁ ୧୨ ସେମିହିସାବରେ ଧାଡିରେ ବୁଣନ୍ତୁ।
ଫସଲର ଗୁଣାତ୍ମକ ମାନ ଓ ଉତ୍ପାଦକତା। ଏହାର ଖାଦ୍ୟସାର ପରିଚାଳନା ଉପରେ ନିର୍ଭର କରୁଥିବାରୁ ଅନୁମୋଦିତ ଖାଦ୍ୟସାର ଓ ସନ୍ତୁଳିତ ଖାଦ୍ୟ ସାର ପରିଚାଳନା କରନ୍ତୁ । ଅତଏବ ଚେର ବିସ୍ତାର ଓ ଯବକ୍ଷାରଜାନ ଜୈବିକୀକରଣ ପାଇଁ ପ୍ରାଥମିକତା ଭାବେ ଜମି ପ୍ରସ୍ତୁତି ସମୟରେ ହେକ୍ଟର ପ୍ରତ ୨୦ କି.ଗ୍ରା. ଯବକ୍ଷାରଜାନ ପ୍ରୟୋଗ କରାଯାଇଥାଏ ।
ସାଧାରଣତଃ ହେକ୍ଟର ପ୍ରତି ୪୦ କି.ଗ୍ରା.. ଫସଫରସ, ୨୦ କି.ଗ୍ରା, ପଟାସ ଓ ୨୦ କି.ଗ୍ରା. ସଲଫର ସାର ଅନୁମୋଦିତ। ମାତ୍ରାରେ ବ୍ୟବହାର କରିବା ଉଚିତ । ସମସ୍ତ ଫସଫରସ ଓ ପଟାସ ସାରକୁ ଜମି ପ୍ରସ୍ତୁତି ସମୟରେ ପ୍ରୟୋଗ କରବା ବ୍ୟତୀତ ଆବଶ୍ୟକସ୍ଥଳେ ବୁଣବାର ୨୧ ରୁ ୩୦ ଦିନ ମଧ୍ୟରେ ଅନୁମୋଦିତ ମାତ୍ରାର ଏକ ତୃତୀୟାଂଶ ଯବକ୍ଷାରଜାନ ଓ ପଟାସ ସାର ପ୍ରୟୋଗ କଲେ ଅଧିକ ସୁଫଳ ମିଳିଥାଏ । ଏତଦବ୍ୟତୀତ ଫୁଲ ଓ ଛୁଇଁ ଧରିବା ସମୟରେ ବୋରନ ମିଶ୍ରିତ ଅଣୁସାର ଲିଟର ପ୍ରତି ୧ ଗ୍ରାମ ହିସାବରେ ଅପରାହ୍ନ ସମୟରେ ପ୍ରୟୋଗ କରିବା ଉଚିତ । ଯଦିଓ ରବି ଋତୁରେ ବିରି ଫସଲ ଆଶ୍ରିତ ଜଳୀୟ ଅଂଶକୁ ଆଧାର କରି ଚାଷ କରାଯାଇଥାଏ । ତଥାପି ଫୁଲ ଓ ଛୁଇଁ ଆସିବା ସମୟରେ ବିଶେଷକରି ମାଟିର ବତର ଦେଖି ସାର ପ୍ରୟୋଗ ସମୟରେ ମଧ୍ୟ ହାଲୁକା ଜଳସେଚନ କରିବାର ଦୃଷ୍ଟାନ୍ତ ରହିଛି । ଏଣୁ ବିରି ଫସଲରେ ପୃଷ୍ଠା ଜଳସେଚନ ଅପେକ୍ଷା ସିଆର ଜଳସେଚନ ଅଧିକ ଫଳପ୍ରଦ ହୋଇଥିବାରୁ ସାର ପ୍ରୟୋଗ ପୂର୍ବରୁ ଅନାବନା ଘାସବୁଦା ପରିଷ୍କାର କରି ସିଆର କରି ହାଲୁକା ଜଳସେଚନ କଲେ ଜଳର ଠିକ୍ ଉପଯୋଗ ସହିତ ଫସଲର ସ୍ଵାଭାବିକ ଅଭିବୃଦ୍ଧି ହୋଇ ଉତ୍ପାଦକତା। ବୃଦ୍ଧିପାଏ । ଏପରିକି ଫସଲରେ ପ୍ରାକୃତିକ ଉପାୟରେ ଯବକ୍ଷାରଜାନ ବିବନ୍ଧନ ହୋଇ ଆବଶ୍ୟକ ଯବକ୍ଷାରଜାନ ସାର ମିଳିଥାଏ ।
ବିରି ଆମ ରାଜ୍ୟର ଦ୍ଵିତୀୟ ପ୍ରମୁଖ ଡାଲି ଜାତୀୟ ଫସଲ ହୋଇଥିବାରୁ ଏହାର ଅନୁମୋଦିତ ଓ ଉପଯୁକ୍ତ ଚାଷ ପଦ୍ଧତି ଅବଲମ୍ବନ କରାଯାଇପାରିଲେ ଆଶାନୁରୂପକ ଅମଳ ମିଳିପାରିବ । ଏଣୁ ଏହି ଆଶାନୁରୂପକ ଅମଳ ସହିତ ମାଟିର ସୁରକ୍ଷା ପାଇଁ ଜମି ପ୍ରସ୍ତୁତି ଓ ଖାଦ୍ୟସାର ପରିଚାଳନା ଏକ ଜରୁରୀ ପଦକ୍ଷେପ ହୋଇଥିବାରୁ ଉପର ବର୍ଣ୍ଣିତ ଉପାୟରେ ଚାଷ କରାଯାଇପାରିଲେ ବିରି ଫସଲରୁ ଯଥେଷ୍ଟ ଉତ୍ପାଦନ ମିଳିବା ସହିତ ଚାଷୀ ଭାଇ ବେଶ୍ ଦୁଇ ପଇସା ଲାଭବାନ ହୋଇଥାଏ । ଏପରିକି ବିରି ଚାଷ ମାଧ୍ୟମରେ ଡାଲି ଜାତୀୟ ଫସଲର ସ୍ଵାବଲମ୍ବତା ସମ୍ଭବ ହୋଇଥାଏ ।
ସଂଗୃହିତ - ଅଶୋକ ବରଣ ଦାସ, କୃଷି ବୈଜ୍ଞାନିକ, କୃଷି ବିଜ୍ଞାନ କେନ୍ଦ୍ର (ପଲଝର) ବୌଦ୍ଧ
Last Modified : 1/26/2020