অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବେଲ ଚାଷ

ବେଲ ଫଳ ଏକ ଜଣାଶୁଣା ଓ ଉତ୍କୃଷ୍ଟ ଫଳ ଭାବେ ସାରା ଭାରତରେ ପରିଚିତ । ଭାରତରେ ଏମିତି ଗ୍ରାମ ନାହିଁ ଯେଉଁଠି ବେଲ ଗଛ ନାହିଁ । ଏହା ମହାଦେବଙ୍କର ଅତି ପ୍ରିୟ ଗଛ । ତେଣୁ ଶିବ ମନ୍ଦିର ବେଢାରେ ନିଶ୍ଚୟ ବେଲ ଗଛଟି ଥିବ । ଏହି ଗଛର ପତ୍ର ପୂଜାରେ ବ୍ୟବହୃତ ହୁଏ । ଏହାର ଔଷଧୀୟ ଗୁଣ ପାଇଁ ମଧ୍ୟ ଏହା ପରିଚିତ । ତୁଳସୀ ପରେ ବେଲର ଫଳ,ଫୁଲ ଓ ପତ୍ର ମହୌଷଧି କହିଲେ ଚଳିବ । ପାଚିଲା ଫଳ ଟନିକ, ସ୍ଵାସ୍ଥ୍ୟରେ ଉନ୍ନତି, କୋଷ୍ଠ ସଫାକରେ ଏବଂ ମୁଣ୍ଡ ଓ ପେଟକୁ ଥଣ୍ଡା କରେ ।

ଉତ୍ପତ୍ତି : ଭାରତ

ଜଳବାୟୁ

ଗ୍ରୀଷ୍ମ ଓ ସମଶୀତୋଷ୍ମ ମଣ୍ଡଳୀୟ ଫଳ । ଓଡିଶାର ଅଧିକାଂଶ ଯାଗାରେ ଏ ଗଛ ଦେଖାଯାଏ । ସମୁଦ୍ରପତ୍ତନ ଠାରୁ ୧୨୦୦ ମିଟର ଉଚ୍ଚତା ଯାଗା ପର୍ଯ୍ୟନ୍ତ ଏହାର ଚାଷ କରାଯାଇ ପାରିବ । ବେଲ ଗଛ ଅତିଶୟ ଥଣ୍ଡା ମଧ୍ୟ ସମ୍ଭାଳିପାରେ । ୦ ଡିଗ୍ରୀ ସେଣ୍ଟିଗ୍ରେଡ ଉତ୍ତାପରେ ମଧ୍ୟ ଗଛର କିଛି କ୍ଷତି ହୁଏନି ।

ମୃତ୍ତିକା

ବେଲ ସବୁପ୍ରକାର ମାଟିରେ ବଢେ । ଏପରିକି ପଥୁରିଆ ଚିକିଟା ଓ ସନ୍ତସନ୍ତିଆ ମାଟିରେ ମଧ୍ୟ ଏଗଛ ବଢିପାରେ । ମାଟିର ଅମ୍ଳତା ୫ ରୁ ୧୦ ଭିତରେ ଏହାର ଚାଷ କରାଯାଇପାରେ । ଯେଉଁ ମାଟିରେ ଅନ୍ୟ କୌଣସି ଫଳାଗଛ ଭଲ ହୁଏନି ସେ ଜମିରେ ବେଲ ଚାଷ କରାଯାଇପାରେ ।

କିସମ

ବେଲର ସେପରି ଉନ୍ନତ କିସମ ବାହାରି ତା’ର ବଂଶବିସ୍ତାର କରିବା ଦିଗରେ ବୈଜ୍ଞାନିକମାନେ ଚେଷ୍ଟା କରିନାହାନ୍ତି । ତେବେ ଗଛ ଗଛ ଭିତରେ ବିଭିନ୍ନ ପ୍ରକାରର ବେଲ ହୁଏ । କିଏ ଲାମ୍ବା ତ କିଏ ଗୋଲ । କାହାର ମଞ୍ଜି କମ ତ କାହାର ଶସ ବେଶି । ଉତ୍ତରପ୍ରଦେଶରେ ୭କିସମର ବେଲ ବାଛିଛନ୍ତି । ସେଗୁଡିକ ହେଲା- ମିର୍ଜାପୁରୀ,କାଘଜିଗଣ୍ଡା, ଦାରୋଗାଜି,ଓଝା,ରାମପୁରୀ, ଆଜମତି,ଖମାରିଆ । ଏହି ୭କିସମ ଭିତରେ ମିର୍ଜାପୁରୀ,କାଘଜିଗଣ୍ଡା ସବୁଠାରୁ ଭଲ କିସମ । ଏବେ ଦୁଇ କିସମର ବେଲ ବଛାଯାଇଛି, ତା’ହେଲା ନରେନ୍ଦ୍ରବେଲ-୧ (ଲମ୍ବାଳିଆ) ଓ ନରେନ୍ଦ୍ରବେଲ-୨(ଗୋଲ), ଯାହାକି ସବୁଠାରୁ ଉତ୍କୃଷ୍ଟ ବେଲ ବୋଲି ଗଣାଯାଏ ।

ବଂଶବିସ୍ତାର

ସାଧାରଣତଃ ମଞ୍ଜିରୁ ହୁଏ । କିନ୍ତୁ ମଞ୍ଜିରୁ ଯେଉଁ ଗଛ ହୁଏ ତା ଅଧିକାଂଶ ସମୟ ମା ଗଛ ଭଳି ହୁଏନି । ତେଣୁ ମା ଗଛର ଗୁଣ ଆଣିବା ପାଇଁ ଚେରରୁ ବାହାରୁଥିବା ଗଛ ବା ପ୍ୟାଚ ବଡିଙ୍ଗ ଦ୍ଵାରା ବେଲର ବଂଶବିସ୍ତାର କରାଯାଇପାରିବ । ସାଧାରଣତଃ ଜୁନ-ଜୁଲାଇ ମାସରେ ବେଲ କଲମୀ କଲେ ଭଲ ହୁଏ ।

ରୋପଣ

୬ରୁ ୭ମିଟର ବ୍ୟବଧାନରେ ବେଲ ଗଛ ଲଗାଯାଏ । ଗଛ ଲଗାଇବା ପାଇଁ ୬୦ସେମିରେ ୬୦ସେମି ଓ ୬୦ ସେମି ଗଭୀରରେ ଗାତ କରାଯାଏ । ପ୍ରତି ଗାତରେ ଝୁଡିଏ ଝୁଡିଏ ଖତ ସହ ଏକ କେଜି ଜୈବିକ ସାର ଦେଇ ବର୍ଷିକିଆ ବା ୨ବର୍ଷିଆ ବେଲ ଗଛ ଲଗାଯାଏ । ବର୍ଷା ଆରମ୍ଭରେ ବେଲ ଗଛ ଲଗାଇବାରେ ସବୁଠୁ ଭଲ ।

ଖତ ଓ ସାର

ସାଧାରଣତଃ ବେଲ ଗଛରେ କେହି ଖତସାର ଦିଅନ୍ତିନି । ତେବେ ବର୍ଷା ଆରମ୍ଭରେ ୨/୩ ଟୋକେଇ ଖତସାର ଏକ କେଜି ଜୈବିକସାର ଦେଲେ ଗଛରେ ଭଲ ପତ୍ର ଫୁଲ ଆସି ଫଳ ଆସେ । ବର୍ଷିକିଆ ଗଛ ପିଛା ୫୦ଗ୍ରାମ ଯବକ୍ଷାରଜା, ୨୫ଗ୍ରାମ ଫସଫରସ ଓ ୨୫ଗ୍ରାମ ପଟାସ ଦେଇ ପ୍ରତିବର୍ଷ ସେହି ପରିମାଣ ବଢାଇ ପାଞ୍ଚବର୍ଷ ପର୍ଯ୍ୟନ୍ତ ଦେଲେ ଭଲ ଫଳ ଅମଳ ମିଳେ ।

ଜଳସେଚନ

ଗଛଥରେ ଭଲଭାବରେ ବଞ୍ଚିଗଲାପରେ ଆଉ ଜଳସେଚନ ଦର୍କାର କରେନି । ତେଣୁ ପ୍ରଥମ ବର୍ଷେ, ଦି ବର୍ଷ ଦରକାର ଅନୁଯାୟୀ ଜଳସେଚନ କରିବ ।

କାଟଛାଣ୍ଟ

ବେଲଗଛ କାଟଛାଣ୍ଟ ଦର୍କାର କରେନି । ତେବେ ମଲା ଶୁଖିଲା ଡାଳକୁ ମଝିରେ ମଝିରେ କାଟିଦେବା ଉଚିତ ।

ରୋଗ ଓ ପୋକ

ବେଲରେ ସେପରି ବିଶେଷ ରୋଗ ଓ ପୋକ ନାହିଁ । ତେବେ ବେଳେ ବେଳେ ବାକ୍ଟେରିଆସଟ-ହୋଲ ଓ ଫଳରେ କାଙ୍କର ରୋଗ ଦେଖାଯାଏ । ପ୍ଲାଣ୍ଟୋମାଇସିନ ଓ ବୋର୍ଡୋ ମିକଶ୍ଚର ସ୍ପ୍ରେ କଲେ ରୋଗ ଭଲ ହୁଏ ।

ଅମଳ

ମଞ୍ଜିରୁ ହେଉଥିବା ଗଛରେ ୭/୮ ବର୍ଷପରେ ଓ କଲମୀ ଗଛରେ ୪/୫ ବର୍ଷପରେ ଫଳ ଆସେ । ଗୋଟିଏ ଗଛରୁ ହାରାହାରି ୨୦୦ ରୁ ୪୦୦ ପର୍ଯ୍ୟନ୍ତ ଫଳ ଆସେ । ହେକ୍ଟର ପିଛା ଆୟ ଟ ୨୦,୦୦୦ ।

ଆଧାର : ଡାକ୍ତର ସୂର୍ଯ୍ୟ ନାରାୟଣ ବେହେରା

Last Modified : 12/20/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate