অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଲାଭଜନକ ସାରୁ ଚାଷ

ଚାଷୀଭାଇ ମାନଙ୍କ ପାଇଁ ଲାଭଜନକ ଚାଷ

ଆମ ରାଜ୍ୟରେ ଚାଷୀଭାଇମାନେ ପନିପରିବା ଚାଷ କରିବା ସହିତ କନ୍ଦ ଫସଲକୁ ମଧ୍ୟ ପ୍ରାଧାନ୍ୟ ଦେଇଥାନ୍ତି । ସେହି କନ୍ଦ ଫସଲ ଯଥା କନ୍ଦମୂଳ, ସାରୁ, ଖମ୍ବଆଳୁ, ଓଲୁଆ ଇତ୍ୟାଦି ଆମ ରାଜ୍ୟର ଆଦିବାସୀଙ୍କର ପ୍ରଧାନ ଖାଦ୍ୟ । ମାତ୍ର ସାରୁ ଚାଷ ଏଥିରୁ ଅନ୍ୟତମ ଲାଭଜନକ ଚାଷ । ଓଡ଼ିଶାରେ ମୁଖ୍ୟତଃ ଦୁଇ ପ୍ରକାର ସାରୁ ଚାଷ କରାଯାଏ ।

  1. ଶଙ୍ଖସାରୁ - ଏହା ବିଶେଷ ଭାବେ ଖରାଦିନେ ଚାଷ କରାଯାଏ ।
  2. ସାନ ସାରୁ (କୁନି ସାରୁ)-ଏହା ଉଭୟ ଖର ଏବଂ ବର୍ଷା ଦିନେ ଲଗାଯାଇପାରିବ ।

ମୃତ୍ତିକା ଓ କିସମ

ସାରୁ ଚାଷ ପାଇଁ ଉଷ୍ଣ ଓ ଆର୍ଦ୍ର ଜଳବାୟୁ ଉତ୍କୃଷ୍ଟ। ଏହା କମ୍ ଗରମ ଓ କମ୍ ଆର୍ଦ୍ରତା ଅଞ୍ଚଳରେ ମଧ୍ୟ ଚାଷ କରାଯାଇପାରିବ ।

ଜଳବାୟୁ ବାର୍ଷିକ ହାରାହାରି ୧୨୦୦ରୁ ୧୫୦୦ ମି.ଲି. ବୃଷ୍ଟିପାତ ହେଉଥିବା ଅଞ୍ଚଳରେ ସାରୁ ଫସଲ ଭଲ ହୋଇଥାଏ । ଗଭୀର ନିଗିଡା, ବାଲିଆ, ମଟାଳ ମାଟିରେ ଏହି ଫସଲ ଭଲ ହୁଏ ।

କିସମ

ଓଡ଼ିଶାର ଜଳବାୟୁରେ ୨ଟି କିସମ ସାରୁ ଭଲ ଅମଳ ମିଳେ ଏବଂ ଉତ୍ତମ ରନ୍ଧନଯୁକ୍ତ ଅଟେ । ୧-ମୁକ୍ତା   କେଶି: ଏହା ୭-୮ମାସରେ ମିଳିପାରିବ । (୨) ତେଲିଆ - ଏହା ୫-୬ ମାସ ମଧ୍ୟରେ ଅମଳ ହୋଇପାରିବ । ଏହି କିସମଟି ଖରଦିନ ପାଇଁ ଉପଯୁକ୍ତ ।

ଫସଲ ଲଗାଇବା ସମୟ ଓ ବିହନ

ମେ-ଜୁନ ମାସ । ବର୍ଷାଦିନ ପାଇଁ ଜଳସେଚନର ସୁବିଧା ଥିଲେ ମାର୍ଚ୍ଚ ମାସରେ ସାରୁ ଲଗାଇଲେ ବର୍ଷାଦିନ ତୁଳନାରେ ଅଧିକ ଅମଳ ପାଇପାରିବେ ।

ବିହନ

ଗଜା ବାହାରିଥିବା ସମୟରେ ସାରୁକୁ ବିହନ ଆକାରରେ ବ୍ୟବହାର କଲେ ଗଛ ଭଲ ହୁଏ ଏବଂ ଅଧିକ ଅମଳ ମିଳିଥାଏ । ୨୦ରୁ୨୫ ଗ୍ରାମ ଓଜନର ସାରୁପୁଆ ବିହନ ପାଇଁ ଉପଯୁକ୍ତ ।   ଏକ ଏକର ପାଇଁ ୭-୮ କୁଇଣ୍ଟଲୁସାରୁ ବିହନ ଆବଶ୍ୟକ ହୋଇଥାଏ ।

ବିହନ ବିଶୋଧନ

ଏକ କିଲୋଗ୍ରାମ ସାରୁ ବିହନ ପାଇଁ ୨ ଗ୍ରାମ ମାନକୋଜେବ ଗୋଳାଇ ବିହନକୁ ବିଶୋଧନ କରି ଲଗାନ୍ତୁ । ଜମି ପ୍ରସ୍ତୁତି ଓ ଲଗାଇବା ପ୍ରଣାଳୀ: ସାରୁ ଲଗାଇବା ଜମିର ପ୍ରକାର ଅନୁସାରେ ୨ ରୁ ୩ ଓଡ, ଗଭୀର ଚାଷ କରନ୍ତୁ । ତା'ପରେ ୬୦ ସେ.ମି. ବ୍ୟବଧାନର ଗାର ଟାଣି ୪୫ ସେମି. ବ୍ୟବଧାନରେ ୫ ସେ.ମି.) ଗଭୀରରେ ପୁଆକୁ ପୋତନ୍ତୁ ଏବଂ ମାଟି ଘୋଡାଇ ଦିଅନ୍ତୁ । ବର୍ଷା ନିୟମିତ ହେବା ପୂର୍ବରୁ ଲଗାଯିବା ସିଆରଗୁଡିକୁ ଶୁଖିଲାପତ୍ର ବା ଛଣା ଦ୍ଵାରା ଘୋଡାଇଲେ ଭଲ, ଗଜା ହୁଏ ।

ଖତ ଓ ସାର

ଶେଷ ଓଡ ଚାଷ ପୂର୍ବରୁ ଏକର ପ୍ରତି ୩ରୁ ୪ ଟନ ସଜା ଗୋବର ଖତ ଆବଶ୍ୟକ । ଏହାଛଡା ୩୨. କେ.ଜି, ଯବକ୍ଷାରଜାନ, ୨୪ କେ.ଜି. ଫସଫରସ, ୩୬ କେ.ଜି. ପଟାସ ସାର ବ୍ୟବହାର କରିପାରିବେ । ବିହନ ଲଗାଇବା ପୂର୍ବରୁ ସବୁତକ ଫସଫରସ ମାଟିରେ ଭଲ ଭାବରେ ମିଶାନ୍ତୁ ।

ଲଗାଇବାର ୧ ମାସରେ ଅଧା ଯବକ୍ଷାରଜାନ ଏବଂ ଅଧା ପଟାସ ସାର ଧାଡିର ଦୁଇ ପାଖରେ ଦେଇ ହିଡ଼ ଟେକିଦିଅନ୍ତୁ । ପ୍ରଥମ ସାର ଦେବାର ୧ ମାସ ପରେ ବାକି ଅଧା ଯବକ୍ଷାରଜାନ ଏବଂ ପଟାସ ସାର ଧାଡିର ଦୁଇ ପାଖରେ ଦେଇ ମାଟି ଟେକନ୍ତୁ । ପରବର୍ତ୍ତୀ ଯତ୍ନ ଅଧିକ ଅମଳ ପାଇଁ ସାରୁ ଫସଲକୁ ଲଗାଇବାର ଦୁଇ ମାସ ପର୍ଯ୍ୟନ୍ତ ଅନାବନା ଘାସ ଦାଉରୁ ମୁକ୍ତ ରଖନ୍ତୁ । ଜଳସେଚନ ବର୍ଷା ଦିନିଆ ସାରୁ ସଅଳ ଲଗାଇଥିଲେ ଏବଂ ବର୍ଷା ଆରମ୍ଭ ହୋଇ ନ ଥିଲେ ଗଜା ବାହାରିବା ପାଇଁ ହାଲୁକା ଜଳସେଚନ କରନ୍ତୁ । ଅବଶ୍ୟ ଖରାଦିନେ ଏହା ପାଇଁ ଅଧିକ ଜଳସେଚନ ଦରକାର। ମାଟିର ଆର୍ଦ୍ରତା ଦେଖି ଜଳସେଚନ କରନ୍ତୁ ।

ରୋଗ ଓ ପୋକ

ସାରୁରେ ଦେଖାଯାଉଥିବା ରୋଗ ମଧ୍ୟରେ ପତ୍ରପୋଡା ପ୍ରଧାନ । ଏହି ରୋଗ ଦେଖାଦେଲେ ୧ ଲିଟର ପାଣିରେ ୨ ଗ୍ରାମ ମାଙ୍କୋଜେବ ଓ୨ ଗ୍ରାମ ରିଡୋସିଲ ମିଶାଇ ପତ୍ରରେ ସିଞ୍ଚନ କରନ୍ତୁ । ଏହାର ୧୫ ଦିନ ପରେ ଦ୍ଵିତୀୟ ଥର ସିଞ୍ଚନ କରନ୍ତୁ ।

ଅମଳ ଓ ପରବର୍ତ୍ତୀ ଯତ୍ନ

ସାରୁ ପତ୍ର ଓ ପଙ୍ଗା ଶୁଖି ଆସିଲେ ସାରୁ ଅମଳ କରାଯାଏ । ମୁଣ୍ଡା ଓ ପୁଆଗୁଡିକୁ ଅଲଗା କରି ରଖନ୍ତୁ । ସାଧାରଣ ଉତ୍ତାପରେ ସାରୁ ପୁଆ ୨ରୁ ୪ ମାସ ସୁରକ୍ଷିତ ରହିପାରିବ । ଉନ୍ନତ ପ୍ରଣାଳୀ ତଥା ବ୍ୟବସାୟିକ ଭିତ୍ତିରେ ଚାଷ କଲେ ଏକର ପିଛା ୫-୬ ଟନ ଅମଳ ମିଳିପାରିବ । ଏକ ଏକର ସାରୁ ଚାଷରେ ୪୦ ହଜାରରୁ ୪୨ ହଜାର ଟଙ୍କା ହେଉଥିବା ସ୍ଥଳେ ୧,୦୦,୦୦୦ ଟଙ୍କା ପର୍ଯ୍ୟନ୍ତ ଅମଳ ମିଳିପାରିବ ।

ସଂଗୃହିତ - ମାନସ ରଞ୍ଜନ ପଟ୍ଟନାୟକ ଆସୁଶାନ୍ତ କୁମାର ଦାସ, ଆତ୍ରେ ପଲିଟେକ୍‌ନିକ, ବୌଦ୍ଧ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate