অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସପୁରୀ ଚାଷ

ସପୁରୀ ଚାଷର ଚାହିଦା

ଆମ ରାଜ୍ୟରେ ହେଉଥିବା ଫଳଚାଷ ମଧ୍ୟରେ ସପୁରୀ ଚାଷ ଏବେ ବହୁଳ ଭାବରେ କଲେଣି । ଏହାର ସ୍ଵାଦ ଓ ବାସନା ଅତି ଆକର୍ଷଣୀୟ । ସଦ୍ୟ ଫଳ ଅପେକ୍ଷା ଟିଣ ସାଇତା ଫଳ ଓ ଫଳ ରସର ଯଥେଷ୍ଟ ଆଦର, କାରଣ ବେଳେ ବେଳେ ତଟକା ଫଳ ଉପଯୁକ୍ତ ପାଚିଲା ଅବସ୍ଥାକୁ ଆସିବା ପୂର୍ବରୁ ଅମଳ କରାଯାଉଥିବାରୁ ଏହାର ସ୍ଵାଦ ଓ ଗୁଣର ପୂର୍ଣ୍ଣ ବିକାଶ ଘଟି ନଥାଏ।

କିନ୍ତୁ ଟିଣ ସାଇତା ଫଳ ପାଇଁ ପୂରାପୂରି ପାଚିଲା ସପୁରୀ ବ୍ୟବହାର କରାଯାଏ । ଆମ ରାଜ୍ୟରେ ଫଳ ସଂରକ୍ଷଣ ସଂସ୍ଥା ବଢିଗଲା ପରେ,ସପୁରୀ ଚାଷର ଚାହିଦା ବଢିଯାଇଛି । ଆମ ରାଜ୍ୟରେ ସପୁରୀ ଚାଷ ବୃଦ୍ଧି ପାଉଥିଲେ ମଧ୍ୟ ବ୍ୟବସାୟିକ ଦୃଷ୍ଟି କୋଣରୁ ଏହାର ପ୍ରସାର ଅତ୍ୟନ୍ତ ପ୍ରୟୋଜନ ।

ସପୁରୀରେ ଜୀବସାର ‘କ’, ‘ଖ’ ଓ ‘ଗ’ ପର୍ଯ୍ୟାପ୍ତ ପରିମାଣରେ ଥାଏ । ଏହି ଫଳରେ କ୍ୟାଲସିୟମ, ମ୍ୟାଗ୍ନେସିୟମ ଓ ଲୌହ ମଧ୍ୟ ସନ୍ତୋଷ ଜନକ ଭାବରେ ଅଛି ।

ଜଳବାୟୁ

ଅତି ଗରମ ଓ ଅତି ଥଣ୍ଡା ଜଳବାୟୁରେ ସପୁରୀ ଭଲ ହୁଏ ନାହିଁ । ବିଶେଷତଃ ଆର୍ଦ୍ର ଗ୍ରୀଷ୍ମ ମଣ୍ଡଳୀୟ ଅଞ୍ଚଳରେ ମଧ୍ୟ ଏହାର ଚାଷ କରାଯାଏ । ୨୨ଡିଗ୍ରୀ ସେଣ୍ଟିଗ୍ରେଡରୁ ୩୨ଡିଗ୍ରୀ ସେଣ୍ଟିଗ୍ରେଡ ତାପମାତ୍ରା ସପୁରୀ ଚାଷ ପାଇଁ ଅନୁକୂଳ । ସମୁଦ୍ର ପତନ ଠାରୁ ୧୦୦୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ଏହାର ଚାଷ କରାଯାଇ ପାରେ । କିନ୍ତୁ ଏହା ବରଫପାତ,କୁହୁଡି ଓ କାରକାପାତ ସହି ପାରେନି । ବାର୍ଷିକ ବୃଷ୍ଟିପାତ ୧୦୦ ରୁ ୧୫୦ ସେମି ହେଉଥିବା ସ୍ଥାନ ମାନଙ୍କରେ ଏହା ଭଲ ହୁଏ । ପ୍ରଖର ଓ ସଳଖ ସୂର୍ଯ୍ୟ କିରଣ ଏହି ଚାଷ ପାଇଁ ଅନୁକୂଳ ନୁହେଁ, ସେହିପରି ଖୁବ ଛାୟାଯୁକ୍ତ ସ୍ଥାନରେ ମଧ୍ୟ ଭଲ ହୁଏନି । ସପୁରୀ ଚାଷ ସାମାନ୍ୟରୁ ମଧ୍ୟମ ଧରଣର ଛାଇ ସ୍ଥାନରେ ଭଲ ହୁଏ ।

ମୃତ୍ତିକା

ଦୋରସା, ନାଲିଦୋରସା ମାଟି ଓ ବାଲିଆସିଆ ମାଟିରେ ସପୁରୀ ଭଲ ହୁଏ । ସପୁରୀ ମୂଳରେ ପାଣି ଜମି ରହିଲେ ଗଛ ଭଲ ବଢେ ନାହିଁ । କାଦୁଆ,ସନ୍ତସନ୍ତିଆ ଓ ପଥୁରିଆ ଜାଗା ସପୁରୀ ପାଇଁ ଅନୁପଯୁକ୍ତ । ଅନ୍ତତଃ ପକ୍ଷେ ମାଟିର ଗଭୀରତା ୨ଫୁଟ ହୋଇଥିବା ଦରକାର । ଅତି ଚିକିଟା ମଟାଳ ମାଟିକୁ ଛାଡି ଦେଲେ ଅନ୍ୟ ସବୁ ମାଟିରେ ଊଣା ଅଧିକେ ଏହାର ଚାଷ କରାଯାଇ ପାରିବ । ଏହି ଚାଷ ପାଇଁ ମାଟି ସାମାନ୍ୟ ଅମ୍ଳଯୁକ୍ତ ହେଲେ ଭଲ । ସେଥିପାଇଁ ଯେଉଁ ମାଟିର ପି.ଏଚ – ୫.୫ ରୁ ୬ପର୍ଯ୍ୟନ୍ତ ଥାଏ ସେଥିରେ ଏ ଚାଷ ଖୁବ ଭଲ ହୁଏ ।

କିସମ

ସାଧାରଣତଃ ଆମ ରାଜ୍ୟରେ ଚାଷ ହେଉଥିବା ସପୁରୀକୁ ୩ଶ୍ରେଣୀରେ ବିଭକ୍ତ କରାଯାଏ ଯଥା :- କେୟେନେ,କୁଇନ ଓ ସ୍ପାନିଶ । କେୟେନେ ଶ୍ରେଣୀରେ କିଉ ବା ଯାଏଣ୍ଟ କିଉ,କୁଇନ ଏବଂ ଲାଲ ଓ ହଳଦିଆ ମରିସସ ଭେରାଇଟିକୁ ସ୍ପାନିଶ ଶ୍ରେଣୀରେ ନିଆଯାଏ ।

ଜ୍ୟାଣ୍ଟଜିଉ :

ଆମ ରାଜ୍ୟର ଏହା ଏକ ପ୍ରଧାନ କିସମ । ଏହି କିସମର ପତ୍ରର ଧାରରେ କଣ୍ଟା ନଥାଏ ବରଂ ସାମାନ୍ୟ ଚିକଣ ହୋଇଥାଏ । ପତ୍ର ସାମାନ୍ୟ ପାଉଁଶିଆ ଦେଖାଯାଏ । ପତ୍ରର ମୂଳରେ ସାମାନ୍ୟ କଣ୍ଟା ଥାଏ ଏବଂ ପତ୍ରର ଅଗ୍ରଭାଗର ଠିକ ପଛକୁ ମଧ୍ୟ ଅଳ୍ପ କଣ୍ଟା ଥାଏ । ଏହାର ଫଳ ମଧ୍ୟମରୁ ବଡ,ହଳଦିଆ,ମୁକୁଟ ଆଡକୁ କ୍ରମଶଃ ଗୋଜିଆ ହୋଇଥାଏ । ଏହାର ଆଖି ସବୁ ପ୍ରଶସ୍ତ ଏବଂ ଫଳର ଉପରି ଭାଗ ଚୋପା ଅଞ୍ଚଳରେ ଅବସ୍ଥିତ ହୋଇ ଥିବାରୁ,ସହଜରେ ଏହାକୁ ଫଳ ଠାରୁ ଅଲଗା କରାଯାଇ ପାରେ । ତେଣୁ ଏ ଭେରାଇଟି ଟିଣ ସାଇତା ପାଇଁ ବେଶ ଉପଯୁକ୍ତ । ସବୁ ଭେରାଇଟ ମଧ୍ୟରେ ଏହାର ଫଳ ସାଇଜ ବଡ ଏବଂ ଅଧିକ ଓଜନ । ଅନ୍ୟ ମାନଙ୍କ ତୁଳନାରେ ଏହାର ଫଳ ଡେରିରେ ପାଚେ । ରଜ ସଂଙ୍କ୍ରାନ୍ତି ସୁଦ୍ଧା ଏ ସପୁରୀ ବଜାରରେ ସୁବିଧାରେ ମିଳେ । ଏହି ଭେରାଇଟି ଫଳର ହାରାହାରି ଓଜନ ୨ ରୁ ୩ କେଜି । ଏ ଭେରାଇଟିରେ ଖୁବ କମ ପୁଆ ବାହାରେ ।

କୁଇନ :

ଏ କିସମର ଗଛ,ଫଳ ଓ ଡାଳ ଜ୍ୟାଣ୍ଟଜିଉ ଅପେକ୍ଷା ଛୋଟ କିନ୍ତୁ ଏହାର ବାସନା ଓ ସ୍ଵାଦ ଅତି ଚମତ୍କାର ହୋଇଥିବାରୁ ଏହା ଖାଉଟିମାନଙ୍କ ମଧ୍ୟରେ ଅତି ଆଦରଣୀୟ ହୋଇଅଛି । ସାବିତ୍ରୀ ଅମାବାସ୍ୟା ସୁଦ୍ଧା ଏହା ଅମଳ ହେଉଥିବାରୁ ଏହାର ଉପାଦେୟତା ମଧ୍ୟ ଆହୁରି ବେଶି ବଢି ଯାଇଛି ।

ଏ ଫଳ ପାଚିବା ସମୟରେ ପୂରାପୂରି ହଳଦିଆ ଦିଶେ । ଫଳ ଗୋଲ ସ୍ତମ୍ଭାକାର ଓ ଏହାର ଆଖି ବେଶ ଗଭୀର ଓ ସ୍ପଷ୍ଟ । ତେଣୁ ଟିଣ ସାଇତା ପାଇଁ ଏହା ଉପଯୁକ୍ତ ନୁହେଁ । ଏହାର ଶସ ରସାଳ, ସୁମିଷ୍ଟ, ସୁବାସିତ ଓ ସର୍ବୋପରି ସ୍ଵାଦ ଦୃଷ୍ଟିରୁ ଏହା ଅଦ୍ଵିତୀୟ । କିନ୍ତୁ ଫଳର ସାଇଜ ଛୋଟ । ଏହାର ଓଜନ ହାରାହାରି ୯୦୦ଗ୍ରାମରୁ ୧୩୦୦ ଗ୍ରାମ ପର୍ଯ୍ୟନ୍ତ ହୋଇଥାଏ । ଏହାର ପତ୍ରର ରଙ୍ଗ ବିଶେଷ କରି ଅଗ୍ରଭାଗ ବାଦାମୀ ନାଲି ଓ ପତ୍ରର ଧାରରେ କଣ୍ଟା ଥାଏ ଓ କିସମ ଗଛରୁ ବହୁତ ପୁଆ ବାହାରେ ।

ମରିସିଅସ :

ଏ ଭେରାଇଟ ମଝିଲା କିସମର । ଏହା କୁଇନ ଠାରୁ ବିଳମ୍ବରେ ଓ ଜ୍ୟାଣ୍ଟଜିଉ ଠାରୁ ସହଳରେ ପାଚେ । ହଳଦିଆ ମରିସିଅସର ଫଳ ପାକଳ ହେବା ପର୍ଯ୍ୟନ୍ତ ସବୁଜ ରହିଥାଏ । ପାଚିଲେ ହଳଦିଆ ରଙ୍ଗ ହୋଇଥାଏ । ଫଳ ଦେଖିବାକୁ ଲମ୍ବାଳିଆ ଆୟତାକାର, କିନ୍ତୁ ମୁକୁଟ ଆଡକୁ କ୍ରମଶଃ ସାରୁ ହୋଇଥାଏ । ନାଲି ମରିସିଅସର ଫଳ ମୂଳ ଭାଗରେ ବେଶ ପ୍ରଶସ୍ତ ଓ ମୁକୁଟ ଦିଗକୁ ତୀକ୍ଷଣ ଭାବରେ ଗଡାଣିଆ ହୋଇଥାଏ । ଫଳ ପାଚିଗଲେ ଏହାର ଉପର ଚୋପାର ରଙ୍ଗ ଗାଢା ଲାଲ ଏବଂ ଶସର ରଙ୍ଗ ମଧ୍ୟ ଈଷତ ଲାଲ ହୋଇଥାଏ । ଏହି ଦୁଇ କିସମର ସପୁରୀରେ ପତ୍ରର ଧାରାରେ ଓ ମୁକୁଟରେ ବହୁତ କଣ୍ଟା ଥାଏ । ନାଲି ମରିସିଅସ ହଳଦିଆ ମରିସିଅସ ଠାରୁ ମିଠା ଓ ଏହାର ମୁକୁଟ ମଧ୍ୟ ଛୋଟ ।

ଏହା ଛଡା କେତେକ ଦେଶୀ ଜାତୀୟ ସପୁରୀ ମଧ୍ୟ ଚାଷ କରା ହେବାର ଦେଖାଯାଏ । ସେମାନଙ୍କ ମଧ୍ୟରେ ଆସାମର ଜଳଧୂପ, ଲଖାଟ ଓ ଆନ୍ଧ୍ରର ସୀମାଚଳ ଭେରାଇଟ ପ୍ରଧାନ।

ବଂଶ ବିସ୍ତାର

ସପୁରୀ ଚାଷ ପାଇଁ ପୁଆ ଲଗାଇବାକୁ ହୋଇଥାଏ । ସପୁରୀ ଫଳ ଉପରେ ଯେଉଁ ପତୁରିଆ ଅଂଶ ଥାଏ ତାକୁ ମୁକୁଟ ପୁଆ କହନ୍ତି । ସପୁରୀ ଗଛର ମୂଳ ଓ ପତ୍ର ସନ୍ଧିରୁ ଯେଉଁ ପୁଆ ବାହାରେ ତାକୁ ମୂଳ ଓ କନ୍ଦା ପୁଆ କହନ୍ତି । ସପୁରୀ ପଣସ ଫଳର ଠିକ ମୂଳରେ ଏବଂ ଫଳ ଶେଷରେ ଛୋଟ ଛୋଟ ପୁଆ ବାହାରେ ତାକୁ ଡାଳିପୁଆ କହନ୍ତି । ସପୁରୀର ବଂଶ ବିସ୍ତାର ପାଇଁ ୩ପ୍ରକାରର ପୁଆ ବ୍ୟବହାର କରାଯାଏ । ଯଥା- ମୂଳ ପୁଆ ଓ କନ୍ଦାପୁଆ,ଡାଳିପୁଆ ଓ ମୁକୁଟ ପୁଆ । ତେବେ ଏମାନଙ୍କ ଭିତରେ ମୂଳ ଓ କନ୍ଦାପୁଆ ସର୍ବୋତ୍କୃଷ୍ଟ । ଏହା ଲଗାଇବାର ଖୁବ ଅଳ୍ପ ସମୟ ମଧ୍ୟରେ ମାନେ ୧୫ ରୁ ୧୮ ମାସ ଭିତରେ ଫଳେ ଓ ଫଳ ସାଇଜ ମଧ୍ୟ ବଡ ହୁଏ । ଡାଳିଆପୁଆ ୧୮ ରୁ ୨୨ ମାସ ମଧ୍ୟରେ ଫଳେ । କିଉ ଭେରାଇଟରେ ଅଳ୍ପ ସଂଖ୍ୟକ ମୂଳ ଓ କନ୍ଦା ପୁଆ ହେଉଥିବାରୁ ଡାଳିପୁଆ ଦ୍ଵାରା ସାଧାରଣତଃ ବଂଶ ବିସ୍ତାର କରାଯାଏ । ଏହା ମୂଳ ଓ କନ୍ଦାପୁଆ ଠାରୁ ନିକୃଷ୍ଟ ଧରଣର । ସାଧାରଣତଃ ମୁକୁଟ ପୁଆ ଦ୍ଵାରା ବଂଶ ବିସ୍ତାର କରାଯାଏ ନାହିଁ । ତେବେ ପୁଆ ଣ ମିଳିଲା ଯାଗାରେ ନର୍ସରୀରେ ଏ ପୁଆକୁ କେତେ ଦିନ ରଖି ଜମିରେ ଲଗାଯାଏ । ଏଥିରୁ ଫଳ ଆସିବାକୁ ୨୪ ମାସ ଲାଗେ ।

ଜମି ପ୍ରସ୍ତୁତି ଓ ପୁଆ ଲଗା

ଜମିକୁ ୨/୩ ଓଡ ଚାଷ କରି ଭଲ ଭାବରେ ଖରା ଖୁଆଇ ଦେବ । ହେକ୍ଟର ପିଛା ୧୦ଟନ ହିସାବରେ ଗୋବରଖତ ମାଟିରେ ମିଶାଇ ଜମିକୁ ଚୌରଷ କରିବେ । ବର୍ଷାଦିନ ଆରମ୍ଭରେ ପୁଆ ଲଗାଯାଏ । ଅଧିକ ବର୍ଷା ହେଉଥିବା ଅଞ୍ଚଳରେ ବର୍ଷାରୁତୁ ଶେଷରେ ଅର୍ଥାତ ସେପ୍ଟେମ୍ବର ମାସର ଶେଷ ବେଳକୁ ପୁଆ ଲଗାଯାଏ । ଲଗାଇବା ପୂର୍ବରୁ ପୁଆକୁ କିଛି ଦିନ ସାଇତି ରଖି ତା’ପରେ ଲଗାଇଲେ ଚେର ସାଙ୍ଗେ ସାଙ୍ଗେ ଧରିଥାଏ । ଜୁଲାଇ ଅଗଷ୍ଟ ମାସରେ ଫଳ ଅମଳ ପରେ ଗଛରୁ ପୁଆ ସଂଗ୍ରହ କରି ଜମିରେ ଲଗାଇଲେ ଜମିରେ ବତର ଥିବା ଯୋଗୁ ପୁଆ ଗୁଡିକ ପଚି ନଷ୍ଟ ହୋଇଯିବାରୁ ଆଶଙ୍କା ଥାଏ । ତେଣୁ ଏହାକୁ କିଛି ଦିନ ରଖି ସାମାନ୍ୟ ଶୁଖିଗଲା ପରେ ଲଗାଇଲେ ଚେର ଶୀଘ୍ର ଧରେ । ପୁଆର ମୂଳପଟୁ କେତୋଟି ପତ୍ର ବାହାର କରି ଦେଲେ ଭଲ । ଫଳରେ ମୂଳରୁ ସୁବିଧାରେ ଚେର ବାହାରି ପଡେ । ଆଉ ମଧ୍ୟ ମୂଳ ପତ୍ର କାଢିଦେଲା ପରେ ,ଯଦି ଚୂର୍ଣ୍ଣପୃଷ୍ଠ ପୋକମାନେ ଥାନ୍ତି ତାହା ହେଲେ ମରିଯାନ୍ତି । ପୁଆକୁ ଲଗାଇବା ସମୟରେ ଏହାର ମୂଳକୁ ୪:୪:୫୦ ବୋର୍ଡୋ ମିକଶ୍ଚର ଦ୍ରବଣ କିମ୍ବା ୦.୪% ଡାଇଫୋଲାଟନ ଏବଂ ୦.୦୫% ଏକାଟକସ ଦ୍ରବଣରେ ବୁଡାଇ ଲଗାଇବା ଉଚିତ । ଏହା ଦ୍ଵାରା ସପୁରୀ ଗଛକୁ ମୂଳସଢା ରୋଗ ଓ ଚୂର୍ଣ୍ଣପୃଷ୍ଠ ପୋକ ଦାଉରୁ ରକ୍ଷା କରି ପାରିବେ ।

ପୁଆ ଲଗାଇବା ପୂର୍ବରୁ ଟ୍ରେଞ୍ଜ ବା ନାଳୀ କରି ପୁଆକୁ ସିଧା ଭାବରେ ରଖି ମୂଳକୁ ୮-୧୦ ସେମି ଗଭୀରରେ ପୋତାଯାଏ ଓ ଚାରିପାଖର ମାଟିକୁ ଦବାଇ ଦିଆଯାଏ । ଫଳରେ ପୁଆ ଟାଣ ଓ ଶକ୍ତ ହୋଇ ଭଲ ଭାବରେ ବଢି ପାରେ । ଧାଡି ମଧ୍ୟରେ ଅଳ୍ପ ବ୍ୟବଧାନ ରହିବା ଦରକାର କାରଣ ଦୂରତା ବେଶି ରହିଲେ ପୁଆ ସହଜରେ ଉପୁଡି ପଡିବାର ସମ୍ଭାବନା ଥାଏ । ଲଗାଇବା ବେଳେ ଦୃଷ୍ଟି ଦେବା ଉଚିତ୍ ଯେପରି ପୁଆର ମଞ୍ଜି ମାଟି ଭିତରେ ନ ରୁହେ । ତେଣୁ ଉଚ୍ଚ ପୁଆ ଲଗାଇବା ଭଲ । ଆଉ ଦେଖିବେ ପୁଆର କନ୍ଦରେ ଯେପରି ମାଟି ପଶି ନଯାଏ ।

ପୁଆ ଲଗାଇବା ପ୍ରଣାଳୀ

ସପୁରୀ ଚାଷରେ ଭିନ୍ନ ଭିନ୍ନ ପ୍ରଣାଳୀରେ ପୁଆ ଲଗାଯାଇଥାଏ ଯଥା :- ହୁଡା ଓ ନାଳୀ ପ୍ରଣାଳୀ,ସମତଳ ପଟି ପ୍ରଣାଳୀ ଓ ଏକ,ଦୁଇ ଓ ତିନି ଧାଡି ପ୍ରଣାଳୀ । ଧାଡି ପ୍ରଣାଳୀରେ ଧାଡି ମଧ୍ୟରେ ଦୂରତା ୧୨୦ ରୁ ୧୫୦ ସେମି ଓ ଧାଡିରେ ଥିବା ଗଛ ମଧ୍ୟରେ ଦୂରତା ୯୦ ରୁ ୧୦୦ ସେମି ରହିବା ଉଚିତ । ସମତଳ ପଟିରେ ନ ଲଗାଇ ନାଳୀରେ ଲଗାଇଲେ ଗଛ ଲାଗି ଲାଗି ବଢେ ଓ ଭଲ ଫଳ ଦେଇଥାଏ । ନାଳୀର ଗଭୀର ୩୦ ସେମି ରୁ ଅଧିକ ହେବା ଉଚିତ ନୁହେଁ । ନାଳୀର ଦୁଇ ପାଖରେ ୩୦ସେମି ବ୍ୟବଧାନ ରଖି ତ୍ରିଭୁଜାକାରରେ ପୁଆ ସବୁ ଲଗାଯାଏ । ଏ ପ୍ରଣାଳୀରେ ପୁଆ ଟାଣ ହୋଇ ବଢେ ଓ ଫସଲକୁ ୪/୫ ବର୍ଷ ପର୍ଯ୍ୟନ୍ତ ରଖାଯାଇ ପାରେ । ନାଳୀ ପ୍ରଣାଳୀରେ ଲଗାଇଲେ ଜଳସେଚନ ସୁବିଧାରେ କରାଯାଇ ପାରେ ।

ଏକ ଦୁଇ ଓ ତିନି ଧାଡି ଲଗାଇବା ପ୍ରଣାଳୀ ମଧ୍ୟରୁ ଦୁଇ ଧାଡି ପ୍ରଣାଳୀରେ ଗଛ ଲଗାଇବା ସବୁଠାରୁ ଭଲ । ଦୁଇ ଧାଡି ପ୍ରଣାଳୀରେ ଧାଡି ଭିତରେ ଗଛର ବ୍ୟବଧାନ ୩୦ସେମି ରଖି ଲଗାଲଗି ଦୁଇ ଧାଡିର ବ୍ୟବଧାନ ୬୦ସେମି ଓ ଦୁଇ ଧାଡି ମଧ୍ୟରେ ୧୦୦ ରୁ ୧୨୦ ସେମି ବ୍ୟବଧାନ ଦେଇ ଗଛ ଲଗାଇବେ । ଏ ପ୍ରଣାଳୀରେ ଗଛ ଲଗାଇଲେ ହେକ୍ଟର ପିଛା ପ୍ରାୟ ୬୦ ରୁ ୬୫ ହଜାର ପୁଆ ଲାଗେ ଓ ଅମଳ ସାଧାରଣ ଚାଷ ଅପେକ୍ଷା ୪ ଗୁଣା ଅଧିକା ମିଳେ ।

ଖତ ସାର ପ୍ରୟୋଗ

ସପୁରୀ ମାଟି ଯଥେଷ୍ଟ ପରିମାଣରେ ଯବକ୍ଷାରଜାନ ଓ ପଟାସ ସାର ଗ୍ରହଣ କରିଥାଏ । ପରୀକ୍ଷା କରି ଦେଖାଯାଇଛି ଯେ ହେକ୍ଟର ଜମିରୁ ୪୦ ଟନ ସପୁରୀ ଅମଳ ହେଲେ ଜମିରୁ ୧୨୩ କେଜି ଯବକ୍ଷାରଜାନ ସାର,୩୩କେଜି ଫସଫରସ ସାର ଓ ୩୦୮ କେଜି ପଟାସ ସାର ସାରିଥାଏ । ତେଣୁ ସପୁରୀ ଚାଷରେ ଅଧିକ ପରିମାଣରେ ଯବକ୍ଷାରଜାନ ସାର ଓ ପଟାସ ସାର ଦେବା କଥା । ଯଦି ହେକ୍ଟର ପିଛା ବେଶି ଗଛ ଲଗାଉଥାନ୍ତି ତେବେ ବେଶି ସାର ଦେବା କଥା । ସାଧାରଣତଃ ଗୋଟିଏ ଗଛକୁ ମାଟି ଅନୁଯାୟୀ ୮/୧୦ ଗ୍ରାମ ଯବକ୍ଷାରଜାନ, ୩/୪ ଗ୍ରାମ ଫସଫରସ ଓ ୧୦/୧୨ ଗ୍ରାମ ପଟାସ ସାର ଦେବା ଉଚିତ୍ । ଯବକ୍ଷାରଜାନ ଓ ପଟାସ ସାରକୁ ଦୁଇ ଭାଗ କରି ଗଛ ଲଗାଇବାର ଦୁଇ ମାସ ଓ ୬ମାସ ପରେ ଦେଲେ ଭଲ । ସପୁରୀ ପଣସରେ ଯବକ୍ଷାରଜାନ ପାଇଁ ଆମୋନିୟମ ସଲଫେଟ ସାର ଦେଲେ ଭଲ କାମ ଦିଏ । ଦୁଇ ଧାଡି ପ୍ରଣାଳୀରେ ଗଛ ଲଗାଇଲେ ହାରାହାରି ହେକ୍ଟର ପିଛା ୩୦ କୁଇଣ୍ଟାଲ ଆମୋନିୟମ ସଲଫେଟ, ୧୦ କୁଇଣ୍ଟାଲ ମ୍ୟୁରିଏଟ ଅଫ ପଟାସ ସାର ଓ ୧୨ କୁଇଣ୍ଟାଲ ସିଙ୍ଗଲ ସୁପର ଫସଫେଟ ସାର ଲାଗେ ।

ରେଟୁନ ଚାଷରେ ମଧ୍ୟ ବର୍ଷକୁ ଉପରୋକ୍ତ ସାରକୁ ଦୁଇ ଥରରେ ବର୍ଷା ଆରମ୍ଭରେ ଓ ବର୍ଷା ପରେ ଦେବା କଥା । ସପୁରୀର ଚେର ବହୁତ ଦୁର୍ବଳ ଓ ୫/୧୦ ସେମି ଭିତରେ ଥାଏ । ତେଣୁ ଯବକ୍ଷାର ସାରକୁ ଥର ଥର କରି ଦେଲେ ଭଲ କାମ ଦିଏ । ସେଥି ପାଇଁ ଶତକଡା ୫ଭାଗ ୟୁରିୟା ଦ୍ରବଣ ପତ୍ରରେ ଛିଞ୍ଚିଲେ ବହୁତ ଉପକାର ମିଳେ ।

ଜଳ ସେଚନ

ସପୁରୀର ଚେର ବେଶୀ ଦୂରକୁ ମାଡି ପାରେ ନାହିଁ । ତେଣୁ ଜଳ ଅଭାବ ଓ ଅନାବନା ଘାସଗଛ ଫସଲର କ୍ଷତି କରେ । ସପୁରୀ ଗଛ ଏକକାଳୀନ ଅଧିକ ପରିମାଣରେ ଜଳ ଦରକାର କରି ନଥାଏ । ବରଂ ଅଳ୍ପ ଦିନ ଅନ୍ତରରେ କ୍ରମାଗତ ଭାବରେ ଅଳ୍ପ ଅଳ୍ପ ପାଣି ଦିଆ ଗଲେ ସପୁରୀ ଗଛ ଭଲ ଫଳ ଦିଏ । ସାଧାରଣତଃ ଖରା ଦିନେ ଜଳ ସେଚନର ଗୁରୁତ୍ଵ ଦେବା କଥା । ସ୍ପ୍ରିଙ୍କଲର ମାଧ୍ୟମରେ ସପୁରୀରେ ଜଳସେଚନ ସର୍ବୋତ୍କୃଷ୍ଟ ।

କୋଡାଖୁସା ଓ ଘାସବଛା

ସପୁରୀ ବଗିଚାରେ ଅନାବନା ଘାସକୁ ଆୟତ କରିବା ବଡ କଷ୍ଟ । ଲୋକ ଲଗାଇ ଘାସ ବାଛିବାରେ ମଧ୍ୟ ବହୁତ ଖର୍ଚ୍ଚ ହୁଏ । ଖର୍ଚ୍ଚ ହେଲେ ମଧ୍ୟ କୋଡା ଖୁସା କରି ଘାସ ବାଛିବା କଥା । ସାର ଦେଇ ସାରିଲା ପରେ ଗଛ ମୂଳକୁ ମାଟି ଦେବେ ଓ ଫଳ ତୋଳି ସାରିଲା ପରେ ମଧ୍ୟ ଦେବେ । ଘାସ ମାରିବା ପାଇଁ ଘାସ ମରା ଔଷଧ ମଧ୍ୟ ବ୍ୟବହାର କରାଯାଇ ପାରେ । ସମସ୍ତ ଦ୍ଵୀବିକ ପତ୍ରୀ ଅନାବନା ଘାସକୁ ହେକ୍ଟର ପ୍ରତି ୩କେଜି ବ୍ରୋମାସିଲ ନାମକ ଏକ ଘାସ ଔଷଧ ଦ୍ଵାରା ଆୟତ କରାଯାଇ ପାରେ । ଦୁବ ଇତ୍ୟାଦି ଏକବୀଜ ପତ୍ରୀ ଘାସ ବଗିଚାରେ ଦେଖା ଗଲେ ହେକ୍ଟର ପ୍ରତି ୨କେଜି ବ୍ରୋମାସିଲ ସହ ଏକ କେଜି ଡାଇୟୁରନ ମିଶାଇ ପ୍ରୟୋଗ କଲେ ଉଭୟ ଶ୍ରେଣୀର ଘାସକୁ ଦମନ କରାଯାଇ ପାରିବ ।

ଫୁଲ ଓ ଫଳ ଧାରଣା

ସପୁରୀ ଚାଷରେ ଫୁଲ ଓ ଫଳ ଧାରଣରେ ବହୁତ ଅନିୟମିତତା ଦେଖାଯାଏ । ଠିକ ଭାବରେ ଫୁଲ ଆସିବା ପାଇଁ ଆଜିକାଲି ବଜାରରେ ବହୁତ ପ୍ରକାରର ଔଷଧ ମିଳିଲାଣି । ଇଥ୍ରେଲ ବା ଇଥେଫେନ ହରମୋନ ଶତକଡା ୦.୦୧ ଦ୍ରବଣରେ ଗଛରେ ୪୦ ପତ୍ର ହେଲା ପରେ ବ୍ୟବହାର କଲେ ଫୁଲ ସବୁ ୨ ମାସରେ ଆସିଯାଏ । ବଜାରରେ ପ୍ଲାନୋଫିକସ ନାମରେ ହରମୋହନ ମିଳୁଛି । ୧୦ ଲିଟର ପାଣିରେ ୫ସିସି ପ୍ଲାନୋଫିକସ ମିଶାଇ ପ୍ରତି ଗଛର କନ୍ଦାରେ ଡିସେମ୍ବର ଓ ଜାନୁୟାରୀ ମାସରେ ୫ସିସି କରି ଦେଲେ ୨ମାସ ପରେ ଏକାବେଳେକେ ଫୁଲ ଆସିଥାଏ । ଫଳ ପାଚିବାକୁ ମଧ୍ୟ ହରମୋହନ ପକାଇ ନିୟନ୍ତ୍ରିତ କରାଯାଏ । ଏଥିପାଇଁ ନାପଥାଲିନ ଏସିଟିକ ଏସିଡ ଫୁଲ ହେବାର ୩ମାସ ପରେ ପ୍ରୟୋଗ କଲେ ଫଳ ପାଚିବାକୁ ୩/୪ ସପ୍ତାହ ଡେରି ହୋଇଯାଏ । ଫଳ ଗଛରେ ଅଧିକ ଦିନ ରହି ବଡ ହୁଏ ।

ରୋଗ ପୋକ ଓ ତାର ପ୍ରତିକାର

ମୂଳ ପଚା ରୋଗ

ପତ୍ର ଉପରେ ଧୂସର ରଙ୍ଗର ଦାଗ ଓ ପତ୍ର କର କଳା ଦେଖାଯାଏ । ପରେ ଏହି ଦାଗ ବାଦାମି ରଙ୍ଗ ବା ଧଳା ଦେଖାଯାଏ  ।  ସେହି ସ୍ଥାନ ଶୁଖିଯାଏ । ପତ୍ର ଲୋଚା କୋଚା ହୁଏ । ଫଳ ଉପରେ ଆକ୍ରାନ୍ତ ସ୍ଥାନ ହଳଦିଆ ହୋଇ ପରେ କଳା ପଡିଯାଏ ।

ପ୍ରତିକାର :

  1. ରୋଗ ଲାଗି ନଥିବା ଜମିରୁ ପୁଆ ସଂଗ୍ରହ କରନ୍ତୁ ।
  2. ତଳିପଟିକୁ ବ୍ରାସିକଲ ବା ଭାପସ ଔଷଧରେ ବିଶୋଧିତ କରି ପୁଆକୁ ବେର୍ଡୋ ମିଶ୍ରଣ ରେ ବୁଡାଇ ଲଗାନ୍ତୁ ।

ମଞ୍ଜପଚା ରୋଗ

ଏହି ରୋଗ ର ପ୍ରାଥମିକ ଅବସ୍ଥାରେ ଗଛର ପତ୍ର ପତଳା ହୋଇଯାଏ ଏବଂ ମଝି ପତ୍ର ମୋଚି ହୋଇଯାଏ ଓ ତାର ପରେ ଏହି ପତ୍ର ଶୁଖିଯାଏ ହଳଦିଆ ଓ ବାଦାମି ରଙ୍ଗ ହୁଏ ଓ ସହଜରେ ଟାଣି ଦେଲେ ଏହା ବାହାରି ଆସେ । ଗଛର ମୂଳ ଧୂସର ଓ ହଳଦିଆ ରଙ୍ଗ ଦେଖାଯାଏ । ଏହା phytophthora parasitice  ନାମରେ ଫଙ୍ଗସ ଦ୍ଵାରା ହୋଇଥାଏ । ଭଲ ରୂପେ ନିଷ୍କାସନ ହୋଇପାରୁ ନଥିବା ଯମନୀରେ ଏହା ବେସୀ ଦେଖାଯାଏ।

ପ୍ରତିକାର :

ଲଗାଇବା ପୂର୍ବରୁ ପୁଆକୁ ବୋର୍ଡମିଶ୍ରଣ (1:1:30) ରେ ବା ଡାଇଫୋଲତାନ 0.4 % ଦ୍ରବଣରେ ବୁଡାଇ ଲଗାଯାଏ ସାଧାରଣତଃ ଏ ରୋଗ ହୁଏନି  ।

ଆନାଥ୍ରୋକନୋଜ ରୋଗ

ପତ୍ର ଅଗ ଓ ଧାରରେ ବିଭିନ୍ନ ଆକାରର ଦାଗ ଓ କଳା ଚିହ୍ନମାନ ଦେଖାଯାଏ । ପରେ ପରେ ପତ୍ର ମଉଳି ପଡେ ଓ ନଇଁ ପଡେ । ଗଛର ମଞ୍ଜ ଆକ୍ରାନ୍ତ ହୁଏ ଓ ଫଳ ବଢି ପାରିନି  । ଅଧିକ ଆର୍ଦ୍ରତା ଅଞ୍ଚଳ ଏ ରୋଗ ଅଧିକ ହୁଏ । କଅଁଳିଆ ପତ୍ରରେ ଏ ରୋଗ ଧରିବାକୁ ପ୍ରାୟ 15 ଦିନ ସମୟ ଲାଗେ ।

ପ୍ରତିକାର :

ବାଭିଷ୍ଟିନ ବା ଜେଜେଷ୍ଟିନ ବା ଟପସିନ-ଏମ ୧୫ ଦିନ ବ୍ୟବଧାନରେ ପ୍ରୟୋଗ କରନ୍ତୁ ।

ସପୁରୀର ଭାଇରସ ଜନିତ ଝାଉଁଳା ରୋଗ

ଏହି ରୋଗ ଆକ୍ରମଣ କଲେ ପତ୍ର ବ୍ରୋଞ୍ଚ ରଙ୍ଗ ଓ ଗୋଲାପି ରଙ୍ଗ ହୋଇ ତଳକୁ ମୋଡି ମୋଡି ହୋଇଯାଏ । ଏହି ରୋଗ ଦହିଆ ପୋକ ଦ୍ଵାରା ବ୍ୟାପିଥାଏ ।

ପ୍ରତିକାର :

  1. ସଂକ୍ରମିତ ପୁଆ ବ୍ୟବହାର କରନ୍ତୁ ନାହିଁ । ସୁସ୍ଥ,ନିରୋଗ ପୁଆ ଲଗାନ୍ତୁ ।
  2. ଦହିଆ ପୋକକୁ ନିୟନ୍ତ୍ରଣ କରିବା ପାଇଁ ମାଟିରେ ଥିମେଟ-୧୦ କିଗ୍ରା ପ୍ରୟୋଗ କରନ୍ତୁ ।
  3. ଅଧିକ ପରିମାଣରେ ଯବକ୍ଷାରଜାନ ସାର,ଫସଫରସ ସାର ଓ ପଟାସ ସାର ଦେଲେ ଏ ରୋଗ କମିଯାଏ ।
  4. ପୁଆକୁ ମିଥାଇଲ ପାରାଥିଅନ (୦.୧%) ବା ଫେନଥୋଏଟ (୦.୫%) ଦ୍ରବଣରେ ବିଶୋଧନ କରନ୍ତୁ । ଏହାଦ୍ୱାରା ଦହିଆ ପୋକ ଦମନ ହୁଏ ।

ଫଳ ଅମଳ

ପୁଆର କିସମ ନେଇ ସପୁରୀ ଗଛ ଲଗାଇବାର ୧୮ ରୁ ୨୪ ମାସ ମଧ୍ୟରେ ଫୁଲ ଫଳ ଆସେ ଓ ଫଳ ୩/୪ ମାସ ମଧ୍ୟରେ ପାକଳ ହୁଏ । ସପୁରୀ କଞ୍ଚା ଅବସ୍ଥାରେ ଗାଢ ଶାଗୁଆ ରଙ୍ଗ ଥାଏ । କିନ୍ତୁ ପାକଳ ହୋଇଗଲେ ରଙ୍ଗ ଫିକା ଦେଖାଯାଏ । ସପୁରୀ ଆଖିର ରଙ୍ଗ ଦେଖି ଓ ତା’ଉପରେ ଥିବା ପତ୍ରର ଅବସ୍ଥା ଦେଖି ଫଳ ପାକଳ ହେଲାଣି ବୋଲି ଜାଣିବାକୁ ପଡିବ । ରଙ୍ଗ ବଦଳିବା ପରେ ଫଳ ତୋଳିବା ଉଚିତ ।

ଫଳ ତୋଳି ସାରିବା ପରେ ଗଛରେ ଗୋଟିଏ କରି ପୁଆ ରଖି ଅନ୍ୟ ଗୁଡିକ ଭାଙ୍ଗି ଦେବା ଦରକାର । ଉପରୁ ଫଳ ଡେମ୍ଫକୁ କାଟି ଦେବେ ଓ ତଳିଆ ଶୁଖିଲା ଶଢାପତ୍ର ସଫା କରିଦେବେ । ସପୁରୀ ବଗିଚାରୁ ୪/୫ ଟି ଫସଲ ଅମଳ ପରେ ସପୁରୀ ବଗିଚା ବଦଳାଇ ଦେବା ଉଚିତ୍ ।

ସପୁରୀ ଫସଲରେ ଲାଭ

ଏକ ହେକ୍ଟର ଜମିରେ ପ୍ରାୟ ୩୫ହଜାର ଓ ଦୁଇ ଧାଡି ପ୍ରଣାଳୀରେ ୬୦ ରୁ ୬୫ ହଜାର ପୁଆ ଲାଗେ । ୨ୟ ବର୍ଷରେ ୩୫ ହଜାର ପୁଆ ଲାଗିଥିବା ଜାଗାରୁ ପ୍ରାୟ ୧୫ହଜାର ଗଛରେ ଫଳ ଧରେ । ତୃତୀୟ ବର୍ଷଠାରୁ ଏହା ଦୁଇଗୁଣ ହୋଇଯାଏ । ସାଧାରଣତଃ ୨ୟ ବର୍ଷରେ ୧୫ଟନ ଓ ୬ଷ୍ଠ ବର୍ଷରେ ୧୫ଟନ୍ ଫଳ ଆଶା କରାଯାଏ।

ଗୋଟିଏ ସପୁରୀ ପୁଆର ମୂଲ୍ୟ ୭୫ ପଇସା । ଖତ ସାର ଓ ଅନ୍ୟାନ୍ୟ ବ୍ୟବସ୍ଥା ସହିତ ପ୍ରଥମ ବର୍ଷ ଏଥିପାଇଁ ଆହୁରି ୭୫ ପଇସା ଖର୍ଚ୍ଚ ହେବ । ତେଣୁ ପ୍ରଥମ ବର୍ଷ ହେକ୍ଟର ପିଛା ୫୨ ହଜାର ୫୦୦ଟଙ୍କା ଖର୍ଚ୍ଚ ହେବ । ପରବର୍ତ୍ତୀ ବର୍ଷ ମାନଙ୍କରେ ଟ ୧୦,୦୦୦ ହିସାବରେ ଖର୍ଚ୍ଚ ହେବ । ଏହି ପରି ୬ବର୍ଷ ମଧ୍ୟରେ ମୋଟ ଏକ ଲକ୍ଷ ଦୁଇ ହଜାର ପାଞ୍ଚସହ ଟଙ୍କା ଖର୍ଚ୍ଚ ହେବ । ସପୁରୀ କିଲେ ପ୍ରତି ୨-୦୦ ହିସାବରେ ଧରିଲେ ୨ୟ ବର୍ଷ ୩୦,୦୦୦, ୩ୟ ବର୍ଷ ୬୦,୦୦୦ ୪ର୍ଥ ବର୍ଷ ୬୦,୦୦୦, ୫ମ ବର୍ଷ ୫୦,୦୦୦ ୦ ୬ଷ୍ଠ ବର୍ଷ ୩୦,୦୦୦ ଟଙ୍କାର ଫଳ ବିକ୍ରି ହେବ । କିଲୋ ଯଦି ଟଙ୍କାଏ ହିସାବରେ ମଧ୍ୟ ଧରାଯାଏ ଏହାର ଅଧା ମିଳିବ । ଏହା ଛଡା ସପୁରୀ ପୁଆ ବିକି ମଧ୍ୟ ଲାଭବାନ ହୋଇପାରିବେ ।

ସଂଗୃହିତ : ଡାକ୍ତର ସୂର୍ଯ୍ୟ ନାରାୟଣ ବେହେରା

Last Modified : 3/2/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate