ସେଓ ଶୀତ ପ୍ରଧାନ ଦେଶମାନଙ୍କର ପ୍ରଧାନ ଫଳ । ସ୍ଵାଦ ଏବଂ ସୁବାସରେ ଏହାର ସ୍ଥାନ ଅତି ଉଚ୍ଚରେ । ଏଥିରେ ବିଭିନ୍ନ ଖାଦ୍ୟସାର ଭରପୁର ଅଛି । କଥାରେ ଅଛି ଦିନକୁ ଗୋଟିଏ ସେଓ ଖାଅ ଏବଂ ଡାକ୍ତରଙ୍କଠାରୁ ଦୂରରେ ରୁହ । ଆମଦେଶରେ ହିମାଚଳପ୍ରଦେଶ ଓ ଜାମୁକାଶ୍ମୀର ରାଜ୍ୟରେ ସେଓ ଚାଷ ବିଶେଷ ଲାଭଜନକ ହେଉଥିବାରୁ ଏହା ଏଠାରେ ମୁଖ୍ୟ ଫସଲର ସ୍ଥାନ ଅଧିକାର କରିଛି । ହିମାଚଳପ୍ରଦେଶ ଓ ଜାମୁକାଶ୍ମୀର ଜଳବାୟୁରେ ଏହାକୁ ଦୀର୍ଘକାଳ ଧରି ସାଧାରଣ ଅବସ୍ଥାରେ ସାଇତି ରଖାଯାଇପାରେ ଏବଂ ଶୀତଳ ଭଣ୍ଡାରରେ ୬ମାସ ପର୍ଯ୍ୟନ୍ତ ରଖାଯାଇପାରେ ।
ଉତ୍ପତ୍ତି : ୟୁରୋପ ବା ଦକ୍ଷିଣ ପଶ୍ଚିମ ଏସିଆ
ଏହା ଶୀତ ମଣ୍ଡଳୀୟ ଫଳ । ସାଧାରଣତଃ ୩୦ ଡିଗ୍ରୀ ରୁ ୬୦ ଡିଗ୍ରୀ ଅକ୍ଷାଂଶ ଭିତରେ ଏହାର ଚାଷ ହୁଏ । ଭଲ ଭାବରେ ସେଓ ଚାଷ ପାଇଁ ୪ ରୁ ୭ ଡିଗ୍ରୀ ସେଣ୍ଟିଗ୍ରେଡ ଉତ୍ତାପ ୧୨୦୦ ଘଣ୍ଟା ପର୍ଯ୍ୟନ୍ତ ଦରକାର । ତେଣୁ ଯେଉଁ ସବୁ ଯାଗାରେ ଉପରୋକ୍ତ ଉତ୍ତାପ ରହେ ସେଠାରେ ସେଓ ଚାଷ ଭଲ ହୁଏ । ତେବେ ଏବେ କେତେକ ନୂଆ କିସମର ଲୋ ଚିଲିଙ୍ଗ ସେଓ ବାହାରିଲାଣି, ଯାହା ୧୨୦୦ ଘଣ୍ଟା ପରିବର୍ତ୍ତେ ଯଦି ୪୦୦ ଘଣ୍ଟା ଉପରୋକ୍ତ ଉତ୍ତାପ ରହେ ତାହା ଭଲ ଫଳେ । ତେବେ ସେଗୁଡିକ ସେତେ ଉନ୍ନତ ମାନର ସେଓ ନୁହେଁ । ସାଧାରଣତଃ ସମୁଦ୍ରପତ୍ତନ ଠାରୁ ୧୫୦୦ ମିଟର ଉଚ୍ଚତାରୁ ୨୫୦୦ ମିଟର ଉଚ୍ଚତା ମଧ୍ୟରେ ଏ ଚାଷ ଭଲ ହୁଏ । ଆମ ଓଡିଶାର ସିମିଳିପାଳ ପାହାଡ ଅଞ୍ଚଳ । କୋରାଫୁଟ ଓ ଫୁଲବାଣୀ ଜିଲ୍ଲାର ଯେଉଁ ଅଞ୍ଚଳରେ ଉତ୍ତାପ ୪ଡିଗ୍ରୀ ରୁ ୭ଡିଗ୍ରୀ ଫ୍ୟାରେନ ହାଇଟ ୨୦/୨୫ ଦିନ ପର୍ଯ୍ୟନ୍ତ ରହେ ସେଠାରେ ସେଓର ଲୋ ଚିଲିଙ୍ଗ କିସମ ଚାଷ କରାଯାଇ ପାରିବ ।
ସେଓ ଚାଷ ନିଗିଡା ଦୋରସା ମାଟିରେ ଭଲ ହୁଏ । ସେଓ ଚାଷ ପାଇଁ ଅନ୍ତତଃ ପକ୍ଷେ ଜମିରେ ଦେଢ ମିଟର ଗଭୀର ପର୍ଯ୍ୟନ୍ତ ଭଲ ଦୋରସା ମାଟି ଏବଂ ଉପର ଅଧମିଟର ମାଟିରେ ଅଧିକ ଜୈବିକସାର ଥିବା ଦରକାର । ମାଟିରେ ଅଧିକ ଚୂନ ଭାଗ ଥିଲେ ଭଲ । ପାହାଡର ଗଡାଣିଆ ଅଞ୍ଚଳରେ ଏ ଚାଷ ଖୁବ ଭଲ ହୁଏ । ମାଟିର ଅମ୍ଳତା ୫.୫ ରୁ ୬.୫ ଭିତରେ ଚାଷ ଖୁବ ଭଲ ହୁଏ ।
ରେଡ୍ ଡେଲିସିଅସ, ରୋମ ବିଉଟି,ଗୋଲଡେନ ଡେଲିସିଅସ, ଉଇଣ୍ଟର ବାନାନା ୟେଲୋ, ନିଉଟନ ୱାଣ୍ଡର, ବେନ ଡେଭିସ, ବ୍ଲଡ଼ରେଡ, ଅର୍ଲି ସାନବୁରି, ବେନୋନି, ଆମ୍ବ୍ରିକାଶ୍ମୀର, ଆମେରିକାନ ଟ୍ରେଲ, ମହାରାଜି, ଯୋନୋଥାନ, କିଙ୍ଗ ଅଫ ପିପିନ, ଲେଡିସୁଦେଲେ, କକସ ଅରେଞ୍ଜ, ପିପିନ ବିୟୁଟି ଅଫ ବାଥ, ବ୍ଲେନହିନ ଅରେଞ୍ଜ, ବ୍ଳାଡୁଇନ ଇତ୍ୟାଦି । ଆମ ଓଡିଶାରେ ରମ ବିଉଟି, କ୍ୟାରିଙ୍ଗଟନ, କୁନୁର-୩, ଇରିଶପିଟ, ଉଇଣ୍ଟର ବାନାନା, ଟ୍ରପିକାଲ ବିଉଟି, ଡେଲିସିୟାସ ଇତ୍ୟାଦି ଚାଷ କରାଯାଇପାରେ ।
ବଂଶ ବିସ୍ତାର
ସିଲଡ ବିଡିଙ୍ଗ ଓ ଯୋଡ କଲମୀ ଦ୍ଵାରା ବଂଶବିସ୍ତାର କରାଯାଏ ।
ସାଧାରଣତଃ ସେଓ ଗଛ ୫ମିଟରରୁ ୭ମିଟର ବ୍ୟବଧାନରେ ଲଗାଯାଏ । ଗଛ ଲଗାଇବା ପାଇଁ ଏକ ମିଟର ଗୋଲେଇ ଓ ଏକ ମିଟର ଗଭୀର ଗାତ କରି ୨/୩ ଟୋକେଇ ଖତ ଓ ୨/୩ କେଜି ଜୈବିକ ସାର ଦେଇ ଗଛ ଲଗାଯାଏ । ବର୍ଷିକିଆ କଲମୀ ଚାରା ଶୀତଦିନେ ଲଗାଯାଏ । ବୁଢାଗଛ ଲଗାଇବା ଉଚିତ୍ ନୁହେଁ ।
ଖତ ଓ ସାର
ବଡ ଗଛରେ ବର୍ଷକୁ ଏକ କେଜି ଲେଖାଏଁ ସୋନାସାର, ସୁପର ସାର ଓ ପଟାସ ସାର ଓ ୨/୩ ଟୋକେଇ ଖତସାର ଦେବାକଥା ।
କାଟଛାଣ୍ଟ
ସେଓଗଛକୁ ଫଳ ପାଇଁ କାଟଛାଣ୍ଟ କରିବା ନିହାତି ଦରକାର । ଗଛ ଲଗାଇବା ପରେ ପରିବର୍ତ୍ତିତ ଅଗ୍ରଜ ପ୍ରଣାଳୀରେ ଗଛକୁ ତାଲିମ ଦିଆଯାଏ । ଏହି ପ୍ରଣାଳୀରେ ଗଛର ମୂଳ ଗଣ୍ଡିକୁ ଏକ ମିଟରରୁ ଦେଢମିଟର ପର୍ଯ୍ୟନ୍ତ ସିଧା ବଢିବାକୁ ଦିଆଯାଏ । ତା’ ପରେ ଶାଖା ପ୍ରଶାଖା ବଢିବାକୁ ଦିଆଯାଏ । ପ୍ରତିବର୍ଷ ଶାଖା ପ୍ରଶାଖାରୁ ୨୫ ରୁ ୫୦ ସେମି ପର୍ଯ୍ୟନ୍ତ ଡାଳ ରଖି ବାକି ଡାଳକୁ କାଟି ଦିଆଯାଏ । ଯେଉଁ ଡାଳ ରହେ ସେଥିରୁ ନୂଆ ଡାଳ ବାହାରି ସେଓ ଫଳେ ।
ଜଳସେଚନ
ଦରକାର ଅନୁଯାୟୀ ଖରାଦିନେ ଜଳସେଚନ କରନ୍ତୁ ।
ଆପଲସ୍କାବ
ବେର୍ଡୋମିକଶ୍ଚର ଓ କପର ଫଞ୍ଜିସାଇଡ ସ୍ପ୍ରେ କରନ୍ତୁ ।
ସାନଜୋଶ ସ୍କୋଲ
ମାଲଥିଆନ ସ୍ପ୍ରେ କରନ୍ତୁ ।
ପତ୍ରଖିଆବୀଟିଲ
୦.୨୫% ଡି.ଡି.ଟି ସ୍ପ୍ରେ କରନ୍ତୁ ।
ଭଲିଆଫିସ
ମେଟାସିଷ୍ଟକ, ମାଲାଥିଅନ ବା ପରାଥିଅନ ସ୍ପ୍ରେ କରନ୍ତୁ ।
ଅକ୍ଟୋବର ଠାରୁ ଡିସେମ୍ବର ଭିତରେ ଫଳ ମିଳେ । ଗଛ ଲଗାଇବାର ୫ ବର୍ଷ ପରେ ଗୋଟିଏ ଗଛରୁ ୪୦ ରୁ ୫୦ ଟି ଫଳ ମିଳେ । କିନ୍ତୁ କାଶ୍ମୀର ଓ ହିମାଚଳ ପ୍ରଦେଶରେ ଗୋଟିଏ ଗଛରୁ ୨୦ ରୁ ୨୫ କେଜି ପର୍ଯ୍ୟନ୍ତ ସେଓ ଅମଳ ହୁଏ । ହେକ୍ଟର ପିଛା ଆୟ ଟ ୨୫୦୦୦ ।
ଆଧାର : ଡାକ୍ତର ସୂର୍ଯ୍ୟ ନାରାୟଣ ବେହେରା
Last Modified : 12/20/2019