অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ହଳଦୀ ଚାଷ

ଆମ ରାଜ୍ୟରେ ଜଳବାୟୁ ଓ ମାଟି ହଳଦୀ ଚାଷ ପାଇଁ ବେଶ୍ ଉପଯୁକ୍ତ । ଏହାକୁ ସମୁଦ୍ର ପତ୍ତନ ଠାରୁ ୧୨୦୦ ମିଟର ପର୍ଯ୍ୟନ୍ତ ଉଚ୍ଚ ସ୍ଥାନ ରେ ଚାଷ କରାଯାଇପାରିବ ।

ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରତି ବର୍ଷ ହଳଦୀ ଚାଷ କରାଯାଇଥାଏ । ଉଭୟ ଜଳସେଚିତ ଓ ଅଣଜଳସେଚିତ ଜମିରେ ହଳଦୀକୁ ଚାଷ କରାଯାଇପାରିବ ।

ଅଦାପରି ମଟାଳ ତଥା ଦୋରସା ମାଟିରେ ଏହା ଭଲ ହୁଏ । ମାତ୍ର ନିଗିଡ଼ା ମାଟି ଏହି ଫସଲ ପାଇଁ ଦରକାର ।

ଚାଷ ପ୍ରଣାଳୀ

ପହିଲି ବର୍ଷା ପରେ ପରେ ଜମିକୁ ୪ ରୁ ୫ ଓଡ଼ ଚାଷ କରି ମାଟି ଗୁଣ୍ଡ କରାଯାଏ । ଏହାପରେ ତିନିଫୁଟ ଓ ସାର, ଛଅ ଇଞ୍ଚ ଉଚ୍ଚତା ଓ ସୁବିଧା ଅନୁସାରେ ଲମ୍ବା ରଖି ପଟାଳିମାନ କରାଯାଏ । ଦୁଇ ପଟାଳି ମଧ୍ୟରେ ଏକ ଫୁଟ ଦୂରତା ରଖାଯାଏ ।

ଏହି ପଟାଳିରେ ଧାଡ଼ି ଧାଡ଼ି କରି ଏକ ଫୁଟ ଓ ଗଛକୁ ଗଛ ଆଠରୁ ଦଶ ଇଞ୍ଚ ଦୂରତା ରଖି ଦୁଇ ଇଞ୍ଚ ଭୀରରେ ହଳଦୀ ପୋତାଯାଏ । ମୁଣ୍ଡା ପୁଆ ଓ ଏଥିରୁ ବାହାରିଥିବା ପ୍ରଥମ ପୁଆ ଲଗାଇଲେ ଭଲ ଅମଳ ମିଳିଥାଏ ।

ବିହନ ପରିମାଣ ଓ ବିଶୋଧନ

ଏକ ଏକର ଜମି ପାଇଁ ୮ ରୁ ୧୦ କୁଇଣ୍ଟାଲ ଖଣ୍ଡହଳଦୀ ଦରକାର ହୁଏ । ଏହି ଖଣ୍ଡ ଗୁଡ଼ିକୁ ଶତକଡ଼ା ୦.୨୫ ସେରେସନ୍ ସେଚିତ ଦ୍ରବଣରେ ବିଶୋଧନ କରାଯାଇ ଛାଇରେ ଶୁଖାଯାଏ ଓ ପରେ ଲଗାଯାଏ ।

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟର ପଟାଙ୍ଗୀଠାରେ ଥିବା ଗବେଷଣା କେନ୍ଦ୍ରରୁ ରୋମା, ସୁରମା, ରଙ୍ଗ, ରଶ୍ମୀ କିସମର ହଳଦୀ ବାହାର କରାଯାଇଛି । ଏହି କିସମ ଗୁଡ଼ିକୁ ଚାଷ କଲେ ଅଧିକ ଅମଳ ମିଳିପାରୁଛି ।

ଶେଷ ଓଡ଼ ଚାଷ ବେଳେ ଏକର ପିଛା ପ୍ରାୟ ୧୦ ଗାଡ଼ି ଖତ ଦିଆଯାଏ । ହଳଦୀ ଖଣ୍ଡ ଲଗାଇଲା ବେଳେ ଏକର ପିଛା ୧୨ କି.ଗ୍ରା. ଫସ୍‌ଫରସ୍, ୧୮ କି.ଗ୍ରା. ପଟାସ୍ ଜାତୀୟ ସାର ଦିଆଯାଏ । ଲଗାଇବାର ୪୫ ଦିନ ପରେ ଏକର ପିଛା ୧୨ କି.ଗ୍ରା. ଯବକ୍ଷାରଜାନ ଦେବାକୁ ହେବ । ଲଗାଇବାର ୯୦ ଦିନ ପରେ ଏକର ପ୍ରତି ୧୨ କି.ଗ୍ରା. ପଟାସ ସାର ଦେଇ ହୁଡ଼ା ଟେକାଯାଏ । ଲଗାଇବା ପରଠାରୁ ମାଟିକୁ ତାଳପତ୍ର ବା ଘାସ ଦେଇ ଘୋଡ଼ାଯାଏ ।

ଆମ୍ବ, ପଣସ, ନଡ଼ିଆ, ପିଜୁଳି ଇତ୍ୟାଦି ବଗିଚାର ମଝି ଜାଗାରେ ମଧ୍ୟ ହଳଦୀ ସହଜରେ ଲଗାଯାଇପାରିବ ।

ପୋକ ଓ ରୋଗ

ହଳଦୀ ଫସଲରେ କାଣ୍ଡିବନ୍ଧା ପେକା, ପତ୍ରଦାଗ ରୋଗ ଓ ହଳଦୀ ସଢ଼ା ରୋଗ ଲାଗି ଅନେକ ସମୟରେ ଫସଲର ବିଶେଷ କ୍ଷତି କରନ୍ତି । କାଣ୍ଡବିନ୍ଧା ପୋକପାଇଁ ଶତକଡ଼ା ୦.୦୫ ଭାଗ ଡାଇମେଥୋଏଟ ବା ଫସ୍‌ଫୋମିଡନ୍ ସ୍ପ୍ରେ କଲେ ପୋକ ଦମନ ହୁଏ ।

ପତ୍ରଦାଗ ରୋଗ ପାଇଁ ଶତକଡ଼ା ୧ ଭାଗ ବୋର୍ଡୋମିଷ୍ଟର ସେପ୍ଟେମ୍ବର ପ୍ରଥମ ସପ୍ତାହରୁ ପ୍ରତି ୧୫ ଦିନ ଅନ୍ତରରେ ସ୍ପ୍ରେ କରିବା ଦରକାର ।

ହଳଦୀର ସଢ଼ାରୋଗ ଏକ ଫିମ୍ପି ଜନିତ ରୋଗ । ଲଗାଇବା ବା ସାଇତି ରଖିବା ପୂର୍ବରୁ ୦.୨ ଶତକଡ଼ା ସେରେସନ୍ ସେଚିତ ଦ୍ରବଣରେ ହଳଦୀ ଖଣ୍ଡ ଗୁଡ଼ିକୁ ବୁଡ଼ାଇ ଦେଲେ ବା ପଟାଳିରେ ଲଗାଇବାପରେ ସ୍ପ୍ରେ କଲେ ଏହି ରୋଗ ହୋଇ ନଥାଏ ।

ଅମଳ

ଲଗାଇବାର ୭ ରୁ ୧୦ ମାସ ମଧ୍ୟରେ ହଳଦୀ ଖୋଳିବା ପାଇଁ ଉପଯୁକ୍ତ ହୋଇଯାଏ । ଏକର ପିଛା ୮୦ ରୁ ୧୦୦ କୁଇଣ୍ଟାଲ କଞ୍ଚା ହଳଦୀ ଅମଳ ହୁଏ ।

କଞ୍ଚା ହଳଦୀକୁ ପାଗ କରିବାକୁ ହେଲେ ମାଟି ହାଣ୍ଡିରେ କିଛି କଞ୍ଚା ହଳଦୀ ପତ୍ର ଓ ପାଣି ଦେଇ ସିଝାଯାଏ । ଏହାପରେ ହଳଦୀ ଶୁଖାଯାଏ ଓ ପରେ ଘଷାଯାଏ । ହଳଦୀ ପ୍ରକ୍ରିୟାକରଣ ପାଇଁ ଆଜିକାଲି ସ୍ଵତନ୍ତ୍ର ଡ୍ରମ ବାହାରିଲାଣି । ସାଧାରଣତଃ  କଞ୍ଚା ହଳଦୀକୁ ଶତକଡ଼ା ୧୫ ରୁ ୩୦ ଭାଗ ଶୁଖିଲା ହଳଦୀ ମିଳେ ଅର୍ଥାତ୍ ୧ କୁଇଣ୍ଟାଲ କଞ୍ଚା ହଳଦୀରୁ ୧୫ ରୁ ୩୦ କେଜି ଶୁଖିଲା ହଳଦୀ ମିଳିଥାଏ । ଏକ ଏକର ଜମିରୁ ପ୍ରାୟ ୨୦ କୁଇଣ୍ଟାଲ ଶୁଖିଲା ହଳଦୀ ମିଳିଥାଏ ।

ମନେରଖନ୍ତୁ

  • ବିଲକୁ ଭଲ ଭାବରେ ଚାଷ କରନ୍ତୁ ।
  • ପନିପରିବା ପାଇଁ ଯଥେଷ୍ଟ ପରିମାଣରେ ଖତ ଦିଅନ୍ତୁ ।
  • ଉନ୍ନତ କିସମର ବିହନ ଲଗାନ୍ତୁ ।
  • ଆବଶ୍ୟକ ପରିମାଣରେ ସାର ଠିକ୍ ସମୟରେ ଦିଅନ୍ତୁ ।
  • ଉପଯୁକ୍ତ ସମୟରେ କୋଡ଼ାଖୁସା କରନ୍ତୁ ।
  • ରୋଗ ଓ ପୋକ ଦାଉରୁ ରକ୍ଷା ପାଇବା ପାଇଁ ସମୟ ଅନୁସାରେ ପ୍ରତିକାର
  • ବ୍ୟବସ୍ଥା ଗ୍ରହଣ କରନ୍ତୁ ।
  • ଠିକ୍ ସମୟରେ ଅମଳ କରି ବିକ୍ରି କରନ୍ତୁ ।

ଆଧାର - "ଓୟୁଏଟି"

Last Modified : 2/10/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate