অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସପୁରୀ ଚାଷ

ଉପକ୍ରମ

ସପୁରୀ ଅନ୍ୟାନ୍ୟ ଫଳ ଚାଷ ପରି ଗୋଟିଏ ଲାଭଜନକ ଫସଲ । ଜାମ, ଜେଲି, ଜୁସ, ଏବଂ କାଟି ଖାଇବାରେ ସପୁରୀର ସ୍ଥାନ ପ୍ରଧାନ । ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରୁ ସପୁରୀ ଆସି ଆମ ରାଜ୍ୟରେ ବିକ୍ରୟ ହେଉଥିଲେ ମଧ୍ୟ ଆମ ରାଜ୍ୟରେ ଏହାର ଚାଷ ପ୍ରସାର ଲାଭ ହୋଇପାରିନାହିଁ । ତେଣୁ ଉନ୍ନତ ପ୍ରଣାଳୀରେ ଏହାକୁ ଚାଷ କଲେ ଚାଷୀମାନେ ଏଥିରୁ ପ୍ରଚୁର ଆର୍ଥିକ ଲାଭ ପାଇପାରିବେ । ତେଣୁ ଏହାର ଚାଷ ପଦ୍ଧତି ସମ୍ପର୍କରେ ନିମ୍ନଲିଖିତ ଏକ ବିଶେଷ ଆଲୋଖ୍ୟ ପ୍ରଦାନ କରାଗଲା । ସପୁରୀ ଗଛରୁ ଭଲ ଅମଳ ପାଇବା ପାଇଁ ମୁଖ୍ୟତଃ ୩ଟି କାରଣ ଉପରେ ଧ୍ୟାନ ଦେବାକୁ ପଡେ । ଯଥା –

  1. ପ୍ରଚୁର ପରିମାଣରେ ଖତ ପ୍ରୟୋଗ ।
  2. ଯଥେଷ୍ଟ ପରିମାଣରେ ଜଳସେଚନ ।
  3. ଛାଇ ଜାଗାରେ ସପୁରୀ ଗଛ ରୋପଣ ।

ଉପରୋକ୍ତମତେ ସାରା ପ୍ରଭୁତି ପ୍ରୟୋଗ କରି ଯତ୍ନନେଇ ଜାତିଆ ସପୁରୀ ପୁଆ ଲଗାଇଲେ ଏକର ପିଛା ଛଅ ଟନରୁ ଦଶଟନ ପର୍ଯ୍ୟନ୍ତ ସପୁରୀ ଅମଳ ମିଳେ ।

କୃଷି ଉପଯୋଗୀ ଜଳବାୟୁ

ଅତି ଥଣ୍ଡା ଜଳବାୟୁରେ ସପୁରୀ ଭଲ ହୁଏ ନାହିଁ । ସମୁଦ୍ରକୂଳିଆ ଏବଂ ନାତିଶୀତୋଷ୍ଣ ଜଳବାୟୁ ସପୁରୀ ଚାଷ ପାଇଁ ଉପଯୁକ୍ତ । ୧୫,୦୦୦ ଫୁଟରୁ ୨୦,୦୦୦ ଫୁଟ ଉଚ୍ଚ ସ୍ଥାନରେ ସପୁରୀ ମଧ୍ୟ ଭଲ ହୁଏ । ସପୁରୀ ଟାଣ ଖରା ଏବଂ ପୁରା ଛାଇ ସହିପାରେ ନାହିଁ । ଅଳ୍ପ ଛାଇ ଓ ଅଳ୍ପ ଖରା ଖୁବ ଅନୁକୂଳ । କଦଳୀ, ଆମ୍ବ, ପଣସ ବଗିଚାରେ ଚାଷ କଲେ ଭଲ ବଢେ । ଝଡ ପବନ ସପୁରୀ ପକ୍ଷରେ କ୍ଷତିକାରକ ।

ମୃତ୍ତିକା

ଦୋରସା ନିଗିଡା ମାଟିରେ ସପୁରୀ ଫସଲ ଭଲ ହୁଏ । ବର୍ଷାଦିନରେ ପାଣି ଛାଡିଯାଉଥିବା ଯେକୌଣସି ମାଟିରେ ସପୁରୀ ଚାଷ କରାଯାଇପାରିବ । କିନ୍ତୁ କାଦୁଆ ସନ୍ତସନ୍ତିଆ ଏବଂ ପଥୁରିଆ ଜାଗାରେ ସପୁରୀ ଉଧାଏ ନାହିଁ ।

ଉନ୍ନତ କିସମ

କିଉ, ଜାଏଣ୍ଟ କିଉ , କୁଇନ ଜାତୀୟ ସପୁରୀ ସବୁଠୁ ଭଲ । କିଉ ଓ ଜାଏଣ୍ଟ କିଉ ସପୁରୀ ମିଠା ଓ ବଡ ହୁଏ । କୁଇନଜାତୀୟ ସପୁରୀ ଛୋଟ ଓ ସବୁ ଜାତୀୟ ସପୁରୀ ଠାରୁ ମିଠା । ବ୍ୟବଶାୟିକ ଭିତ୍ତିରେ କିଉ ଓ କୁଇନ ଚାଷ କରାଯାଏ ।

  1. କିଉ :- ଏହି କିସମ ଟିର ପତ୍ରରେ କଣ୍ଟା ନଥାଏ । ହାରାହାରି ୨ କିଗ୍ରା ଓଜନର ଫଳ ହୁଏ । ଆଖିଗୁଡିକ ଅଗଭୀର ଓ ଉପରେ ଥିବାରୁ ତଥା ଫଳରେ କମ ତନ୍ତୁ ଓ ଅଧିକ ରସ ଥିବାରୁ ଫଳ ସଂରକ୍ଷଣ କାରାଖାନା ଦ୍ଵାରା ଏହା ଖୁବ ଆଦୃତ ।
  2. କୁଇନ :- ପତ୍ରଗୁଡିକ କଣ୍ଟାଳିଆ, ହାରାହାରିଳ ଏକ କିଲୋଗ୍ରାମ ଓଜନର ଫଳ ହୁଏ । ଆଖିଗୁଡିକ ଛୋଟ ଓ ଗଭୀର କିନ୍ତୁ ଫଳଟି ଖୁବ ମିଠା ଓ ବାସ୍ନାଯୁକ୍ତ ହୋଇଥିବାରୁ ଖାଉଟିମାନଙ୍କ ଦ୍ଵାରା ପାଚିଲା ସପୁରୀ ଖାଇବା ପାଇଁ ବେଶ ଉପଯୁକ୍ତ ।
  3. ପୁଆ : - ସପୁରୀ ଗଛରୁ ୪ ପ୍ରକାରର ପୁଆ ବାହାରେ ।
    1. ଡାଲିପୁଆ
    2. ମୁକୁଟପୁଆ
    3. ମୂଳପୁଆ
    4. କନ୍ଦାପୁଆ
    ମୂଳ ଓ କନ୍ଦା ପୁଆ ଶୀଘ୍ର ବଢେ । ତେଣୁ କନ୍ଦା ଓ ମୂଳ ପୁଆ ଲଗାଇବା ଭଲ । ମୁକୁଳ ଓ ଡାଳିପୁଆ ଗଛ ବିଳମ୍ବରେ ଫଳଦିଏ । ସିଧା ଓ ହୃଷ୍ଟପୃଷ୍ଟ ପୁଆ ବାଛି ବାଛି ଲଗାଇବା ଉଚିତ ।

ରୋପଣ ପ୍ରଣାଳୀ

ସପୁରୀ ଧାଡି ଧାଡି କରି ଲଗାଇବା ଦରକାର । ପ୍ରତିଲ ଧାଡିରେ ଗଛକୁ ଗଛ ୨ ଫୁଟ ଓ ଧାଡିକୁ ଧାଡି ୩ ଫୁଟ ବ୍ୟବଧାନ ରଖିବ । ଏହି ବ୍ୟବଧାନରେ ଗଛ ଲଗାଇଲେ କୋଡାଖୁସା କରିବାକୁ ସୁବିଧା ହୁଏ । ଏକର ପ୍ରତି ୫୦୦୦ ରୁ ୭୦୦୦ ଗଛ ଲଗାଯାଇପାରିବ ।

ଲଗାଇବା ପୂର୍ବରୁ ପୁଆ ମୂଳରୁ ଇଞ୍ଚେ ପର୍ଯ୍ୟନ୍ତ ପତ୍ର ଛିଣ୍ଡାଇ ଦେବ । ତିନିଦିନ ଯାଏ ମୂଳ ଉପରକରି ପୁଆକୁ ଖରାରେ ଶୁଖାଇଲେ ପରେ ଲଗାଇବ । ୪-୬ ଇଞ୍ଚ ଗାତକରି ପୁଆ ଲଗାଇ ଚାରିପଟେ ମାଟିକୁ ଦବାଇଦବ । ପୁଆ ଆଖିରେ ମାଟି ଯେପରି ନପଶେ ସେଥିପ୍ରତି ଦୃଷ୍ଟି ଦେବ । ମାଟି ପଶିଲେ ପୁଆ ସଢିଯିବ ।

ଖତ ଓ ସାର ପ୍ରୟୋଗ

ଗଛ ଲଗାଇଲାବେଳେ ଏକର ପିଛା ୨ ଟନ ଗୋବର ଖତ ବା କମ୍ପୋଷ୍ଟ ଖତ ଦେଇ ଜମିକୁ ୨/୩ ଥର ଚାଷ କରିବ । ମାଟି ଗୁଣ୍ଡକରି ମଇ ଦେଇ ଜମିକୁ ଚଉରସ କରିବ । ଗଛ ଚେର ଧରିଲାପରେ ଆଷାଢମାସ ଶେଷ ଆଡକୁ ଏକର ପିଛା ୬୦ କିଗ୍ରା, ଚିନାବାଦାମ ବା ଜଡା ପିଡିଆ , ୩୦ କିଗ୍ରା, ଆମୋନିଆ ସଳଫେଟ ବା କାଲସିୟମ ଆମୋନିଆ ନାଇଟ୍ରେଟ ୩୦/୪୦ କିଗ୍ରା ସୁପର ସଲଫେଟ, ସୁପର ଫସଫେଟ, ପଟାସ ଉପରମତେ ପ୍ରୟୋଗ କରିବ । ଗଛରେ ପ୍ରାୟ ୩୫-୪୦ ଟି ପତ୍ର ଥିବା ସମୟରେ ପତ୍ର ସନ୍ଧିରେ ଗଛପ୍ରତି ୫୦ ମିଲି ହିସାବରେ (କାଲସିୟମ, କାର୍ବାଇଡ -୨୦ ଗ୍ରାମ ପ୍ରତି ଲିଟର ପାଣି ପିଛା ) ହରମୋନ ଦ୍ରବଣ ସଂଧା ୭ ରୁ ୮ ଘଟିକା ମଧ୍ୟରେ ପ୍ରୟୋଗ କଲେ ଫୁଲ ଆସିବା ପ୍ରକ୍ରିୟା ତ୍ୱରାନିତ୍ଵ ହୁଏ । ଫଳ ଧାରଣର ୨-୩ ମାସ ମଧ୍ୟରେ ୧୦ ଲିଟର ପାଣି ପିଛା ୨ ଗ୍ରାମ ଏନ.ଏ.ଏ. ଦ୍ରବଣ ପ୍ରୟୋଗ କଲେ ଫଳ ଆକାରରେ ୧୫-୨୦ ପ୍ରତିଶତ ବୃଦ୍ଧି ଘଟେ । ଇଥ୍ରେଲର ଦ୍ରବଣ (୧ ମିଲି/ଲିଟର ଫଳରେ ସିଞ୍ଚନ କରି ୨୪-୩୬ ଘଣ୍ଟା ଘୋଡାଇ ରଖିଲେ ଫଳର ରଙ୍ଗ ଭଲ ହୁଏ ଓ ଏକା ସମୟରେ ପାଚେ ।

ରୋପଣ ପରବର୍ତ୍ତୀ ଯତ୍ନ

ମାର୍ଗଶୀରଠାରୁ ଜ୍ୟେଷ୍ଠମାନ ପର୍ଯ୍ୟନ୍ତ ପାଣି ମଡାଇ ଗଛକୁ ସତେଜ ରଖିବ । ଉପଯୁକ୍ତ ଭାବେ ଛାଇ ଥିଲେ ପାଣିର ଅବଶ୍ୟକତା ବେଶୀ ପଡେନାହିଁ ।

ସପୁରୀ ଗଛର ପତ୍ର ସାଧାରଣତଃ ଲାଲ କିମ୍ବା ଶାଗୁଆ ଓ ଚିକ୍କଣ । ଖତ ପିଡିଆ କିମ୍ବା ପାଣିର ଅଭାବ ହେଲେ ପତ୍ର ପାଚି ହଳଦିଆ ରଙ୍ଗ ପଡିଯାଏ । ସୁତରାଂ ଗଛ ହଳଦିଆ ଦେଖିବାମାତ୍ରେ ଖତ ପିଡିଆ ଦେବ କିମ୍ବା ପ୍ରଚୁର ପାଣି ମଡାଇବ ।

ଅନ୍ତଃଫସଲ

ସପୁରି ଟାଣ ଖରା ବା ଅତି ଖରାର ଉଧାଏ ନାହିଁ । ଖୋଲା ଜାଗା ରେ ଲଗାଇଲେ ସପୁରୀ କିଆରୀର ପ୍ରତି ଚାରିଧାଡି ଅନ୍ତରରେ ଜୟନ୍ତୀ ଗଛ, ହରଡ ବା ତୁତକୋଳି ଗଛ ଲଗାଇବ ।

ରୋଗପୋକ ନିୟନ୍ତ୍ରଣ

କାଣ୍ଡ ଓ କନ୍ଦା ପଚା, ସପୁରୀର ଏକ ମୁଖ୍ୟ ରୋଗ । ଏହାଯୋଗୁଁ ପତ୍ର ହଳଦିଆ ପଡେ ଓ ଅଗ୍ରଭାଗ ମାଟିଆ ରଙ୍ଗ ହୁଏ । ପତ୍ରର ମୂଳ ଅଙ୍ଗ ପଚେ ଓ ଗନ୍ଧ ହୁଏ । ଏଥିପାଇଁ ନିରୋଗା ପୁଆ ବାଛନ୍ତୁ , ଜମିରେ ପାଣି ରହିବାକୁ ଦିଅନ୍ତୁ ନାହିଁ । ଆକ୍ରାନ୍ତ ଗଛରେ ରିଡୋମିଲ ଏସ.ଡେଡ ୨.୫ ଗ୍ରାମ ଲିଟର ପ୍ରତି ସ୍ପ୍ରେ କରନ୍ତୁ । ଫଳ ପଚାରୋଗ ଯୋଗୁଁ ଫଳ ଉପରେ ପାଚିବା ଦାଗ ଦେଖାଯାଏ ଏବଂ କାଟିମୁଣ୍ଡି ପକ୍ଷରୁ ପଚିବା ଲକ୍ଷ୍ୟ କରାଯାଏ । ଏହା ନହେବା ପାଇଁ ଫଳର କଟାମୁଣ୍ଡକୁ ବେନଜୋଇକ ଏସିଡ (୧୦୦ ମିଲି ଲିଟର) ବୁଡାଇ ଦୂର ବଜାରକୁ ପଠାନ୍ତୁ ।

ପୋକ ମଧ୍ୟରେ ମୁଖ୍ୟ ହେଲା ଦହିଆ ପୋକ , ଏହା ଗଛରୁ ରସ ଶୋଷିଯାଏ । ପତ୍ରର ରଙ୍ଗ ଗୋଲାପିରୁ ନାଲି ହୁଏ ଓ ଭିତର ପଟକୁ ମୋଡିହୁଏ । ଏଥିପାଇଁ ନିରୋଗା ପୁଆ ବାଛନ୍ତୁ । ପୁଆକୁ ଫେନଥୋଏଟ (୧ ମିଲି/ଲିଟର) ଦ୍ରବଣରେ ବିଶୋଧିତ କରି ଲଗାନ୍ତୁ । ବଗିଚାରେ ପିମ୍ପୁଡି ଦମନ କରନ୍ତୁ ଓ ବଗିଚା ପରିଷ୍କାର ରଖନ୍ତୁ । ପୁଆ ଲଗାଇବାର ୩ ମାସ ପରେ ଏକର ପ୍ରତି ୭ କିଗ୍ରା ଫୋରେଟ ଦାନା ଦାର ବିଷ ପ୍ରୟୋଗ କରନ୍ତୁ ।

ଅମଳ ସମୟ

କନ୍ଦା,ପୁଆ, ମୂଳ ପୁଆ ଲଗାଇ ସାର ପ୍ରଭୁତି ଭଲ ଭାବରେ ପ୍ରୟୋଗ କରି ସପୁରୀ ଫସଲ କଲେ ବର୍ଷକ ସମୟ ମଧ୍ୟରେ ସପୁରୀ ଫଳିବ । ସାଧାରଣତଃ ପୌଷ, ମାଘମାସରେ ସପୁରୀ ଫୁଲ ଧରେ । ବୈଶାଖ ଓ ଜ୍ୟେଷ୍ଠରେ ସପୁରୀ ପାଚେ ।

ଅମଳ ପରବର୍ତ୍ତୀ ଯତ୍ନ

ଫଳ ତୋଳିଲା ପରେ ମା ଗଛ ମୂଳକୁ ନଷ୍ଟ କରିବ ନାହିଁ । ମା ଗଛ ମୂଳରେ ୨ ଟି ଭଲ ପୁଆ ରଖିବ । କିଛି ଦିନ ପରେ ମା ଗଛଟିକୁ ମାଟିରେ କିଛି ଉପରେ କାଟି ପକାଇଦେବ । ଗଛମୂଳ ଖୁସାଇ ଦେଲେ ବୁଡା ଚେରଗୁଡିକ ଛିଡିଯାଇ କନ୍ଦା ଗଛରୁ ଶୀଘ୍ର ଚେର ବାହାରିବ । ପୁଆ ବଢିଗଲେ ଆଷାଢ ମାସରେ ଖତସାର ଦେଇ ହୁଡା ଟେକିବ । ଗୋଟିଏ ଜମିରେ କ୍ରମାଗତ ୩/୪ ବର୍ଷରୁ ଅଧିକ ଦିନ ସପୁରୀ ଫସଲ କଲେ ଭଲ ଅମଳ ମିଳେ ନାହିଁ ।

ସୁତରାଂ ଚାଷୀଭାଇମାନେ ଉପରୋକ୍ତ ବର୍ଣ୍ଣିତ ବିଷୟଗୁଡିକ ପ୍ରତି ଧ୍ୟାନଦେଇ ସପୁରୀ ଚାଷ କଲେ ସେଥିରୁ ନିଶ୍ଚିତ ଭାବରେ ଅଧିକ ଅମଳ ପାଇପାରିବେ, ଯାହାଦ୍ଵାରା ସେମାନଙ୍କୁ ଆର୍ଥିକ ଲାଭ ମଧ୍ୟ ମିଳିପାରିବ ।

ଆଧାର :- ଡଃ ଦୀନବନ୍ଧୁ ମହାରଣା

Last Modified : 12/20/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate