অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଅନ୍ୟମାନଙ୍କୁ ବି ରୋଜଗାରର ବାଟ ଦେଖାଇଛି

କୈଳାସ ଚନ୍ଦ୍ର ସିଂହଙ୍କ ପରିଚୟ

ପିଲାଟି ବେଳେ ତାଙ୍କ ପିତାଙ୍କର ବିୟୋଗ ଘଟିଲା । ଏହାପରେ ପରିବାରର ଆର୍ଥିକ ଅବସ୍ଥା ଦୋହଲି ଗଲା । ବଡ଼ କଷ୍ଟରେ ସେ ମାଟ୍ରିକ ପଢା ଶେଷ କଲେ ।

ଆଉ ଅଧିକ ପଢିବା ଲାଗି ଅର୍ଥ ହିଁ ବାଧକ ସାଜିଲା । ତେଣୁ ସ୍ୱରୋଜଗାରର ମାଧ୍ୟମ ଭାବେ କୃଷିକୁ ଆପଣେଇବା ଲାଗି ନିଷ୍ପଭି ନେଲେ । ଆରମ୍ଭ ହେଲା ଉଦ୍ୟମ । ନିଜକୁ ସେଥିରେ ସମର୍ପିଦେଲେ ସେ । ତେବେ ବର୍ଷ କେଇଟା ମଧ୍ୟରେ ସ୍ଵାବଲମ୍ବୀ ହେବା ସହ ଆଉ କେତୋଟି ପରିବାର ପାଇଁ ରୋଜଗାରର ବାଟ ଦେଖାଇ ପାରିଛନ୍ତି ।

ଆଉ ନିଜକୁ ଜଣେ ସଫଳ ଚାଷୀ ଭାବେ ପରିଚିତ କରାଇବାରେ ସେ ହୋଇଛନ୍ତି ସକ୍ଷମ । ସେ ହେଲେ କୈଳାସ ଚନ୍ଦ୍ର ସିଂହ । କଟକ ଜିଲା ସାଲେପୁର ବ୍ଳକ୍ ଅନ୍ତର୍ଗତ ପିକୋଳ ପଞ୍ଚାୟତ ସାଇଗୋଡ଼ା ଗ୍ରାମରେ ତାଙ୍କର ଘର । ମା' ରେଷଲତା ଓ ପିତାଙ୍କ ନାମ ବଟକୃଷ୍ଣ ସିଂହ ।

ଚାଷ ପାଇଁ ସଫଳ

ଦୁଃଖ କଷ୍ଟକୁ ମର୍ମେ ମର୍ମେ  ଅନୁଭବ କରିଥିବା କୈଳାସ ଏକାଦଶ ଶ୍ରେଣୀ ପାସ୍ କରିବା ପରେ ଆଉ କିଛି ଚିନ୍ତା ନ କରି ଚାଷକୁ ଆପଣେଇବା ଲାଗି ସ୍ଥିର କଲେ । ଏଥିଲାଗି ନିଜର କିଛି ଜମି ଏବଂ ଭାଗ ହିସାବରେ କିଛି ଜମିରେ  ଆରମ୍ଭ କଲେ ଚାଷ । ଧାନ ସମେତ  ପନିପରିବା ଚାଷରେ ମନ ଲଗାଇଲେ । ପ୍ରାରମ୍ଭିକ ସଫଳତା ତାଙ୍କ ଉତ୍ସାହକୁ ବଢାଇଦେଲା । ତା'ପରେ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରି ଚାଷରୁ କିପରି ଅଧିକ ଅମଳ ମିଳିବ ସେ ସମ୍ପର୍କରେ ଜାଣିବାକୁ ଚେଷ୍ଟା ଚଳାଇଲେ । ଧାନ, ମୁଗ, ବିଭିନ୍ନ ପନିପରିବା, ନଡ଼ିଆ, କଦଳୀ, ଆମ୍ବ, ପଣସ ସହ ବାଡ଼ିରେ ରତ୍ମକାଳୀନ ଫୁଲ ଚାଷ ବି କଲେ । ଏହାସହିତ ଆରମ୍ଭ କଲେ ଗୋପାଳନ । ଏବେ ତାଙ୍କ ଫାର୍ମରେ ୪ଟି ଜସି ଗାଈ ଅଛନ୍ତି । ପୁଣି ତାଙ୍କ ଜମିରେ ଦୁଇଟି ପୋଖରୀ ଖୋଳାଇ ମାଛ ଚାଷ କରୁଛନ୍ତି ସେ । ଏ ସମ୍ପର୍କରେ କୈଳାସ କହନ୍ତି' ଗତବର୍ଷ ୮ ଏକର ଜମିରେ ଧାନଚାଷ କରିଥିଲି । ସମସ୍ତ ଖର୍ଚ୍ଚ ଯାଇ ୨ଲକ୍ଷ ଟଙ୍କା ଲାଭ ମିଳିଥିଲା । ସେହିପରି ମୁଗ, ନଡ଼ିଆ, ପନିପରିବା ଚାଷରୁ ମଧ୍ୟ ଲକ୍ଷାଧିକ ଟଙ୍କା ଲାଭ ପାଇଛି । ମାଛ ଚାଷ ଓ ଗୋପାଳନ ମଧ୍ୟ ଲାଭଜନକ ହୋଇଛି ।'

ରାଜ୍ୟସ୍ତରରେ  ପ୍ରଶଂସା ଓ ପୁରସ୍କାର

କୃଷି ମାଧ୍ୟମରେ ସ୍ଵାବଲମ୍ବୀ ହେବା ସହ ଏ ଦିଗରେ ଏକ ଉଦାହରଣ ସାଜିଥିବା କୈଳାସଙ୍କୁ ବ୍ଲକ୍'ରୁ ଆରମ୍ଭ କରି ରାଜ୍ୟସ୍ତରରେ ମିଳିଛି ଢେର ପ୍ରଶଂସା ଓ ପୁରସ୍କାର  କୈଳାସ କୁହନ୍ତି । ମୁଁ କାହା ଉପରେ ନିର୍ଭର ନ କରି ମୋ ଚାଷ କାର୍ଯ୍ୟରେ ପ୍ରତିଦିନ ନିୟୋଜିତ ଥାଏ । ଏଥିରୁ ମୁଁ ସ୍ଵାବଲମ୍ବୀ ହେବା ସହ ମୋ ପିଲାମାନଙ୍କୁ ପାଠ ପଢାଇବାକୁ ସକ୍ଷମ ହୋଇଛି । ଏଥିସହିତ ଆଉ ୫ ପରିବାର ଲାଗି ରୋଜଗାରର ବାଟ ଦେଖାଇପାରିଛି । ଯେଉଁ ଚାଷୀ ଭାଇମାନେ ଚାଷ ସଂପର୍କରେ ମୋ ଠାରୁ ଜାଣିବାକୁ ଚାହିଁବେ ସେମାନଙ୍କୁ ସହଯୋଗ ଲାଗି ମୁଁ ସବୁବେଳେ ତୟାର । ଆଜିକାଲି ଚାକିରିମୁହାଁ ଯୁବକମାନେ ଚାହିଁଲେ ଚାଷ ମାଧ୍ୟମରେ ସ୍ଵାବଲମ୍ବୀ ହେବା ସହ ଆଉ କେତେଜଣଙ୍କ ପାଇଁ ବି ରୋଜଗାରର ବ୍ୟବସ୍ଥା କରାଇପାରିବେ । ଅବଶ୍ୟ ଏଥିପାଇଁ ପରିଶ୍ରମ ଆଉ ନିଷ୍ଠାକୁ ଆପଣେଇବାକୁପଡିବ ବୋଲି କୁହନ୍ତି ଏହି ରାଜ୍ୟସ୍ତରୀୟ ସଫଳ କୃଷକ।

ସଂଗୃହିତ  - ଅରବିନ୍ଦ ଭୂୟାଁ

Last Modified : 12/31/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate