କୃଷି କ୍ଷେତ୍ରରେ ନୂତନ ଜ୍ଞାନକୌଶଳର ପ୍ରୟୋଗ ସମ୍ପର୍କରେ କୃଷକଙ୍କୁ ସଚେତନ କରିବା ଉଦ୍ଧେଶ୍ୟରେ ଟାଟା ଷ୍ଟିଲ ରୁରାଲ ଡେଭେଲପମେଣ୍ଟ ସୋସାଇଟି ଓ ରାଜ୍ୟ ସରକାରଙ୍କ ଉଦ୍ୟାନ ଓ କୃଷି ବିଭାଗ ସହାୟତାରେ ଟାଟା ଆଗ୍ରିକୋ ପକ୍ଷରୁ ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଓ ଶେରଗଡ ବ୍ଲକରେ ଦୁଇଦିନିଆ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ କୃଷକମାନେ ଯୋଗଦେଇ ବିଶେଷଜ୍ଞଙ୍କ ପରାମର୍ଶ ନେବା ସହ କୃଷିକ୍ଷେତ୍ରରେ ନୂତନ ଜ୍ଞାନକୌଶଳ ସମ୍ପର୍କରେ ଆଲୋଚନା କରିଥିଲେ ।
ଡିସେମ୍ବର ୨୨ ଓ ୨୩ ଦୁଇଦିନ ଧରି ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶେଷଜ୍ଞମାନେ ଯୋଗଦେଇ କୃଷି କ୍ଷେତ୍ରରେ କିପରି ଅତ୍ୟାଧୁନିକ ଜ୍ଞାନକୌଶଳ ବିନିଯୋଗ କରି ଅଧିକ ଉତ୍ପାଦନ କରିହେବ ସେ ନେଇ କୃଷକମାନଙ୍କୁ ଅବଗତ କରାଇଥିଲେ । ଅତ୍ୟାଧୁନିକ ବୈଷୟିକ କୌଶଳର ବ୍ୟବହାର ଦ୍ୱାରା ଉତ୍ପାଦନରେ ବୃଦ୍ଧି ହେବନାହିଁ ବରଂ କୃଷକର ଆର୍ଥିକ ମାନଦଣ୍ଡ ବୃଦ୍ଧିରେ ସହାୟକ ହେବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।
କାର୍ଯ୍ୟକ୍ରମରେ ଉଭୟ ବ୍ଲକର ୩୦୦ରୁ ଅଧିକ କୃଷକ ଯୋଗ ଦେଇଥିଲେ । ଟାଟା ଆଗ୍ରିକୋର କୃଷି ବିଶେଷଜ୍ଞମାନେ କୃଷକମାନଙ୍କୁ ଅତ୍ୟାଧୁନିକ ଜ୍ଞାନକୌଶଳ ସମ୍ପର୍କରେ ଡିସ୍ପ୍ଲେ ଭ୍ୟାନରେ ଥିବା ଯନ୍ତ୍ରପାତି ଜରିଆରେ ଅବଗତ କରାଇବା ସହ କୃଷକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ । ପାରମ୍ପରିକ ପଦ୍ଧତିରେ ଚାଷ ବଦଳରେ ଅତ୍ୟାଧୁନିକ ପଦ୍ଧତିରେ ଚାଷ କରିବାକୁ ଟାଟା ଆଗ୍ରିକୋର ବିଶେଷଜ୍ଞମାନେ ଉପସ୍ଥିତ କୃଷକଙ୍କୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ କୃଷକମାନେ ବିଶେଷଜ୍ଞଙ୍କ ପରାମର୍ଶ ନେବା ସହ ନିଜ ଭିତରେ ଥିବା ସଂଶୟ ସମ୍ପର୍କରେ ମଧ୍ୟ ପଚାରି ବୁଝିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମ ପାରମ୍ପରିକ କାର୍ଯ୍ୟକ୍ରମ ଭଳି ନ ହୋଇ କୃଷକମାନଙ୍କୁ କୃଷି ବିଶେଷଜ୍ଞ ସହ ସିଧାସଳଖ ଆଲୋଚନା କରିବାରେ ସହାୟକ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେଗୋପାଳପୁର ପ୍ରକଳ୍ପ ଓ ଟାଟା ଷ୍ଟିଲ ସ୍ୱତନ୍ତ୍ର ଅର୍ଥନୈତିକ ଜୋନ (ଏସଇଜେଡ) ମୁଖ୍ୟ ସୁଶାନ୍ତ ମିଶ୍ର, ଟାଟା ଆଗ୍ରିକୋ ମୁଖ୍ୟ (ଆଗ୍ରିକୋ ବିଜ୍ନେସ ଆଣ୍ଡ ରିଟେଲ ଇନିସିଏଟିଭ୍ସ) ସିଦ୍ଧାର୍ଥ ମିଶ୍ର, ଟାଟା ଆଗ୍ରିକୋ ନୁ୍ୟ ପ୍ରଡକ୍ଟ ଶ୍ରୀ ବିଜୟ କୁମାର, ଟାଟା ଷ୍ଟିଲ ସିଏସଆର ମୁଖ୍ୟ (ଝାଡଖଣ୍ଡ) ଓ ନୁ୍ୟ ପ୍ରଡକ୍ଟ ଦେବଦୂତ ମହାନ୍ତି, ଟାଟା ଷ୍ଟିଲ ସିଏସଆର (ଓଡିଶା) ମୁଖ୍ୟ ଅମ୍ବିକା ନନ୍ଦ, ହିଞ୍ଜିଳିକାଟୁ ବିଡିଓ ମନୋଜ ସ୍ୱାଇଁ, ଶସ୍ୟ ବିଜ୍ଞାନୀ ତଥା ଛତ୍ରପୁର ଡିଏଓ ବଳରାମ ସୁବୁଦ୍ଧି, ବ୍ରହ୍ମପୁର ଉପ କୃଷି ଅଧିକାରୀ ତଥା ଡିଏଓ ସୁରେନ୍ଦ୍ର ସାହୁ ଓ ଟାଟା ଷ୍ଟିଲ ଗ୍ରାମାଚଂଳ ଉନ୍ନୟନ ସୋସାଇଟିର ଅନ୍ୟ କର୍ମକର୍ତା ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଗଞ୍ଜାମ ପିଡିଡିଆରଡିଏ ଶ୍ରୀ ଆଶିଷ ଠାକରେ ଯୋଗଦେଇ ମୂଲ୍ୟବାନ ମତାମତ ରଖିଥିଲେ ।
ସୂଚନାଯୋଗ୍ୟ ଯେ ୧୯୨୫ଠାରୁ ଟାଟା ଆଗ୍ରିକୋ କୃଷକମାନଙ୍କୁ ଉନ୍ନତମାନର କୃଷି ଉପକରଣ ଯୋଗାଇ ଦେବାରେ ସହାୟତା କରି ଆସୁଛି । ଏହାବ୍ୟତୀତ ବିଭିନ୍ନ ବର୍ଗର ଯନ୍ତ୍ରପାତି ନିର୍ମାଣରେ ମଧ୍ୟ ପ୍ରବେଶ କରିଛି । ୨୦୧୦ରେ ଟାଟା ଆଗ୍ରିକୋ କୃଷି କ୍ଷେତ୍ରରେ ବ୍ୟବହୃତ ଉନ୍ନତ ଯନ୍ତ୍ରପାତିର ଉତ୍ପାଦନ କରିବା ସହ ‘ଗ୍ରାସହୁପର’ ବ୍ରାଣ୍ଡର କୃଷି ଯନ୍ତ୍ରପାତି ପ୍ରସ୍ତୁତ କରି ଆସୁଛି ।
ଆଧାର -TEAM ODIA writer
Last Modified : 1/20/2020