অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କୃଷି ଦେଇଛି ପରିଚୟ

ପରିଚୟ

ନୟାଗଡ ଜିଲ୍ଲା ଓଡଗାଁ ବ୍ଲକ ମଶାବାରି ଗ୍ରାମର କୈଳାସ ସିଠ (୪୩)। ଗାଁ ସ୍କୁଲରେ ପାଠପଢୁଥିବା ବେଳେ ବାପା ସ୍ଵର୍ଗତ ଉଚ୍ଛବ ସିଠଙ୍କ ସହିତ ଜମିରେ ପାଣି ମଡାଇବାକୁ ଯାଉଥିଲେ । ଆଉ ସେ ଦଶମ ଶ୍ରେଣୀରୁ ପାଠପଢା ଛାଡିଲେ । ପ୍ରାୟ ୧୨ ବର୍ଷ ହେଲା ସେ କୃଷିକୁ ନିଜର ବୃତ୍ତି ଓ ବ୍ରତ ଭାବରେ ଆଦରି ନେଇଛନ୍ତି । ନିଜର ପୈତୃକ ଜମି ସହିତ କେତେକ ପଡୋଶିଙ୍କ ଜମିକୁ ସେ ଲିଜରେ ନେଇ ଶ୍ରୀ ପ୍ରଣାଳୀରେ ଧାନଚାଷ କରିବା ସହିତ ବିଭିନ୍ନ ପନିପରିବା ଚାଷ କରୁଛନ୍ତି ।

ସଙ୍କର ଜାତୀୟ ଚାରା ପ୍ରସ୍ତୁତ ଓ ବିତରଣ

ଏହାସାଙ୍ଗକୁ ବିଭିନ୍ନ ପାରିବା ନିମନ୍ତେ ସଙ୍କର ଜାତୀୟ ଚାରା ପ୍ରସ୍ତୁତ ଓ ବିତରଣ କରି ସେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ଚଳିତ ବର୍ଷ ସେ ଏକାଧାରାରେ ୧୦ଏକର ଜମିରୁ କେବଳ ଶ୍ରୀ ପ୍ରଣାଳୀରେ ୫ଏକର ଧାନ ଚାଷ କରିଥିବା ସହିତ ୧ ଏକର ବିଲରେ ଫୁଲ ଓ ବନ୍ଧାକୋବି ଚାଷ କରିଛନ୍ତି । ଏଥିରୁ ସେ ୧୫୦ କୁଇଣ୍ଟାଲ ଧାନ ବିକ୍ରିକରି ସେଥିରୁ ୧ଲକ୍ଷ ୬୫ହଜାର ଟଙ୍କା ଓ କୋବିରୁ ୫୦ହଜାର ଟଙ୍କା ଲାଭବାନ ହୋଇଛନ୍ତି । ସେହିପରି ଧାନ ଅମଳ କରି ବିନସ ୨ମାଣ, କଲରା ୨ମାଣ , ବାଇଗଣ ୪ମାଣ , ଜହ୍ନି ମାଣେ , ଭେଣ୍ଡି ୨ମାଣ ଜମିରେ ଚାଷ କରିଛନ୍ତି । ଏଥିରୁ ସେ ସପ୍ତାହରେ ୨ଥର ୪କୁଇଣ୍ଟାଲ ଲେଖାଏଁ କଲରା ଏବଂ ପ୍ରତିଦିନ ୨କୁଇଣ୍ଟାଲ ବାଇଗଣ, ୧କୁଇଣ୍ଟାଲ ଭେଣ୍ଡି ଓ ଜହ୍ନି , ବିନସ ପ୍ରାୟ ୨କୁଇଣ୍ଟାଲ ଅମଳ କରି ସ୍ଥାନୀୟ ବଜାରରେ ବିକ୍ରି ପାଇଁ ଉପଲବ୍ଧ କରାଇଥାନ୍ତି । ସମସ୍ତ ଆନୁସଙ୍ଗିକ ଖର୍ଚ୍ଚ ପରେ ସେ ବର୍ଷକ ୭ରୁ ୮ଲକ୍ଷ ଟଙ୍କା ଉପାର୍ଜନ କରୁଥିବା ପ୍ରକାଶ କରିଛନ୍ତି ।

ଜଳସେଚନ

ଜଳସେଚନ ନିମନ୍ତେ ତାଙ୍କୁ ଆଉ ପାରମ୍ପରିକ ତେଣ୍ଡାନଳ ମାରିବାକୁ ପଡୁ ନାହିଁ । ସେ ସରକାରଙ୍କ ଠାରୁ ଆର୍ଥିକ ସହାୟତାରେ ହାସଲ କରିଥିବା ଦୁଇଟି ବୋରୱେଲ, ଦୁଇଟି ଖୋଲା କୂଅ, ସିଂଚନ ପ୍ରଣାଳୀ ତାଙ୍କୁ ବେସ ସହାୟକ ହୋଇଛି । ଚଳିତ ବର୍ଷ ତାଙ୍କୁ ଶଙ୍କର ଜାତୀୟ ପନିପରିବା ଚାଷ ନିମନ୍ତେ ୧୬ହଜାର ଟଙ୍କା ପ୍ରୋତ୍ସାହନ ରାଶି ମଞ୍ଜୁର ହୋଇଥିବା ସହକାରୀ କୃଷି ଅଧିକାରୀ ଅଜିତ କୁମାର ନାୟକ ସୂଚନା ଦେଇଛନ୍ତି । କୈଳାଶଙ୍କ ସହିତ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ, ଦୁଇ ପୁଅ ଗଣେଶ ଓ ପପୁନ ସମ୍ପର୍କୀୟ ସିମାଞ୍ଚଳ କାର୍ଯ୍ୟରେ ତାଙ୍କୁ ସହଯୋଗ କରୁଛନ୍ତି ।

ପୁରସ୍କାର 

ଏତଦ ବ୍ୟତୀତ ସେ ୧୫ରୁ ୨୦ଜଣ ମହିଳା ଓ ପୁରୁଷଙ୍କୁ ନିଯୁକ୍ତି ଦେଇଛନ୍ତି । ୨୦୦୬ରେ ଭାରତ ସରକାରଙ୍କ ନ୍ୟାସନାଲ ପ୍ରଡ଼କ୍ଟ ଭିଟି କାଉନସିଲ ତରଫରୁ ତାଙ୍କୁ ଗ୍ରାମୀଣ ଆର୍ଥିକ ଅଭିବୃଦ୍ଧି ନିମନ୍ତେ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି । ଆଗାମୀ ଦିନରେ ସେ ଏକ ଜିଆ ଖତ ପ୍ଲାଣ୍ଟ ଓ ମିନି ଶୀତଳ ଭଣ୍ଡାର ସ୍ଥାପନା କରିବାକୁ ମନ ବଳାଇଛନ୍ତି ।

 

ଆଧାର: ଆଦର୍ଶ କୁମାର ପଟ୍ଟନାୟକ

Last Modified : 8/5/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate