অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପରିଶ୍ରମର ମୂଲ୍ୟ ରହିଛି

ପରିଶ୍ରମର ମୂଲ୍ୟ ରହିଛି

ଉପକ୍ରମ

ଚାକିରି ଚାଲିଯିବା ପରେ ପୁଣି କ’ଣ କରି ରୋଜଗାର କରିବେ,କିପରି ପରିବାର ଚଳାଇବେ କିଛି ବୁଦ୍ଧିବାଟ ଦିଶୁ ନଥିଲା । ଚାଷ କାର୍ଯ୍ୟ ଲାଗି ଆଗ୍ରହ ଥିଲେବି ଆବଶ୍ୟକ ଜମି ମଧ୍ୟ ନଥିଲା । ତଥାପି ମାଛ ଚାଷ ପାଇଁ ମନ ବଳାଇଲେ । ଆଉ ବର୍ଷ କେଇଟା ମଧ୍ୟରେ ସମସ୍ତ ପ୍ରତିକୂଳ ଅବସ୍ଥା ଭିତରେ ବି ନିଜକୁ ଜଣେ ସଫଳ ଚାଷୀ ଭାବେ ପ୍ରତିପାଦିତ କରାଇବାରେ ସକ୍ଷମ ହୋଇଛନ୍ତି ସେ । ପୁଣି ଆଉ କେତେଜଣଙ୍କ ପାଇଁ ରୋଜଗାରର ବାଟ ଦେଖାଇବାରେ ସମର୍ଥ ହୋଇଛନ୍ତି । ସେ ହେଲେ ଦେବେନ୍ଦ୍ର କଳାପାହାଡ । ପିତା ସୁରେନ୍ଦ୍ର ପ୍ରସାଦ କଳାପାହାଡ ଓ ମା’ଙ୍କ ନାମ ପ୍ରେମଶିଳା କଳାପାହାଡ । ଘର ବାଲେଶ୍ଵର ଜିଲ୍ଲା ଖଇରାବ୍ଲକ ଅନ୍ତର୍ଗତ ଅଚ୍ୟୁତପୁରରେ । ଖଇରା କଲେଜରୁ ବି.ଏ ପାସ କରିବା ପରେ ଉଠା ଜଳସେଚନ ବିଭାଗରେ ନିଯୁକ୍ତ ପାଇଥିଲେ । ମାତ୍ର ୨୦୦୩ ରେ ସରକାରଙ୍କ ତରଫରୁ ସେହି ବିଭାଗର ଅନେକ କର୍ମଚାରୀଙ୍କୁ ଛଟେଇ କରି ଦିଆଗଲା । ସେଥିରେ ଦେବେନ୍ଦ୍ରଙ୍କ ନାମ ଥିଲା । ଚାକିରି ଚାଲିଯିବା ପରେ ମୁଣ୍ଡରେ ଚଡକ ପଡିବା ଅବସ୍ଥା । କିଛିଦିନର ଅସ୍ଥିର ଅବସ୍ଥା ପରେ ମାଛଚାଷକୁ ରୋଜଗାରର ମାଧ୍ୟମ କରିବା ଲାଗି ଅଣ୍ଟା ଭିଡିଲେ ଦେବେନ୍ଦ୍ର ।

ଏଥିପାଇଁ ଗାଁର କିଛି ବ୍ୟକ୍ତିଙ୍କଠାରୁ ସେ ଚାଷ ଉଦେଶ୍ୟରେ ଲିଜସୂତ୍ରରେ କିଛି ବର୍ଷପାଇଁ ଜମି ବନ୍ଧକ ଆଣି ସେଥିରେ ପୋଖରୀ ଖନନ କରି ମାଛ ଚାଷ କଲେ ।

ମାଛଚାଷ ଦ୍ଵାରା ସଫଳତା

ଏଥିପାଇଁ ସେ ଅଚ୍ୟୁତ ପୁରର ୪ଜଣ ବ୍ୟକ୍ତିଙ୍କଠାରୁ ୧୩ ଏକର ଜମି ଲିଜ ସୂତ୍ରରେ ଆଣିଲେ । ପୁଣି ରୁଣ ପାଇଁ ବ୍ୟାଙ୍କକୁ ଯାଇ ଯାଇ ଶେଷରେ ମିଳିଲା ୭ଲକ୍ଷ ଟଙ୍କା । ୧୦ ଏକର ଜମିରେ ୬ଟି ପୋଖରୀ ଖୋଲାଇଲେ । ପୁଣି ସେଥିରେ ବୋରୱେଲ ଖୋଳାଇବା, ଟ୍ରାନ୍ସଫରମର ବସାଇବା ରାସ୍ତା ତିଆରି ଇତ୍ୟାଦିରେ ପ୍ରାୟ ୪୦ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଗଲା । ରୁଣ ବ୍ୟତୀତ ବନ୍ଧୁ ବାନ୍ଧବଙ୍କଠାରୁ ହାତ ଉଧାର ଆଣିବାକୁ ପଡିଲା । ତେବେ ମତ୍ସ୍ୟଅଧିକାରୀଙ୍କଠାରୁ ପରାମର୍ଶ ନେଇ ସେସବୁ ପୋଖରୀରେ ରୋହି,ମିରକାଳି, ଭାକୁର ଆଦି ବିଭିନ୍ନ ମଧୁର ମାଛ ଚାଷ କଲେ । ବଳକା ଜମିରେ ପନିପରିବା ଚାଷ ତା’ପରେ ଗୋପାଳନକୁ ବି ସାମିଲ କଲେ । ଧୀରେ ଧୀରେ ପରିସ୍ଥିତି ସୁଧୁରିବାକୁ ଲାଗିଲା । ଅକ୍ଲାନ୍ତ ପରିଶ୍ରମର ମୂଲ୍ୟ ମିଳିବା ଆରମ୍ଭ ହେଲା । ସ୍ୱାବଲମ୍ବୀ ହେଲେ ଦେବେନ୍ଦ୍ର । ମାଛଗୁଡିକୁ ବାରିପଦା ବଜାରକୁ ବିକ୍ରି ପାଇଁ ପଠାଉଥିଲା ବେଳେ ପନିପରିବାକୁ ତୁଡିଗଡିଆ ବଜାର ଓ ଗାଈକ୍ଷୀରକୁ ଖଇରାର ଛେନା ବ୍ୟବସାୟୀଙ୍କୁ ବିକ୍ରି କରନ୍ତି । ସମସ୍ତ ଖର୍ଚ୍ଚକୁ ବାଦଦେଲେ ମାଛଚାଷରୁ ବର୍ଷକୁ 12ଲକ୍ଷ ଟଙ୍କା , ଗୋପାଳନରୁ ୧ଲକ୍ଷ ଟଙ୍କା ଲାଭ ମିଳୁଥିବା କୁହନ୍ତି ଦେବେନ୍ଦ୍ର । ଏବେ ଖଇରା, ସୋର ଓ ଔପଦା ବ୍ଲକର ଅନ୍ୟୁନ ୨୦୦ ମତ୍ସ୍ୟ ଚାଷୀଙ୍କୁ ସେ ସୁଲଭ ମୂଲ୍ୟରେ ମୁଣ୍ଡା ଯାଆଁଳ ଯୋଗାଇବା ସହ ସେମାନଙ୍କୁ ଏହି ଚାଷ ବିଷୟରେ ବୈଷୟିକ ପରାମର୍ଶ ମଧ୍ୟ ଦେଉଛନ୍ତି । ତାଙ୍କର ଏଭଳି କାର୍ଯ୍ୟ ଲାଗି ଖଇରା ପ୍ରତିଭା ପରିବାର ୨୦୧୧ ଓ ୨୦୧୨ ମସିହାରେ ଜିଲ୍ଲାର ଶ୍ରେଷ୍ଠ ମତ୍ସ୍ୟଚାଷୀ ଭାବେ ପୁରଷ୍କୃତ ହୋଇଥିବା ଦେବେନ୍ଦ୍ର ୨୦୧୫ ରେ ରାଜ୍ୟ କୃଷିମହୋତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହୋଇଛନ୍ତି । ତେବେ ସ୍ଥାନୀୟ ଅଞ୍ଚଳରେ ମତ୍ସ୍ୟଚାଷୀଙ୍କର କେତେକ ସମସ୍ୟା ପ୍ରତି ଦୃଷ୍ଟି ଦିଆଗଲେ ଆହୁରି ଅନେକେ ବେକାର ଏଚାଷ ପ୍ରତି ଆଗ୍ରହ ପ୍ରକାଶ କରନ୍ତେ ବୋଲି ସେ କୁହନ୍ତି । ତେବେ ପରିଶ୍ରମର ନିଶ୍ଚିତ ମୂଲ୍ୟ ରହିଛି ବୋଲି ଦୃଢୋକ୍ତି ବ୍ୟକ୍ତ କରନ୍ତି ଏହି ସଫଳ ଚାଷୀ ଦେବେନ୍ଦ୍ର ।

ଆଧାର : ଉତ୍କଳବନ୍ଧୁ ପଣ୍ଡା

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate