অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ରାହା ଦେଇଛି ଚାଷ

ଫିରୋଜ ସାହୁଙ୍କ ପରିଚୟ

ଯୁକ୍ତ ଦୁଇ ପରେ ତାଙ୍କ ପାଠପଢାରେ ଡେରି ବନ୍ଧା ହୋଇଗଲା । ତା’ପରେ  ରୋଜଗାର ଚିନ୍ତା ବଢିଲା ।

ତେବେ ସମୟ ନଷ୍ଟ ନ କରି ସ୍ଵରୋଜଗାର କ୍ଷମ ଲାଗି ସେ ଚାଷ କାର୍ଯ୍ୟକୁ ଆପଣେଇ ନେଲେ ।

ଆରମ୍ଭ ହେଲା ଉଦ୍ୟମ ଆଉ ବର୍ଷ କେଇଟାରେ ସେ ସ୍ଥାନୀୟ ଅଞ୍ଚଳରେ ଜଣେ ସଫଳ ଚାଷା ଭାବେ ନିଜକୁ ପରିଚିତ କରାଇବା ସହ ଆଉ କେତେଜଣଙ୍କ ପାଇଁ ରୋଜଗାରର ବାଟ ଦେଖାଇବାରେ ସଫଳ ହୋଇଛନ୍ତି ।

ସେ ହେଲେ ଫିରୋଜ ସାହୁ(ମୋ:୮୦୧୮୬୪୩୧୧୭) । ବରଗଡ଼ ଜିଲା ଭଟଲି ବ୍ଳକ୍ ଅନ୍ତର୍ଗତ ତେଜାଗୋଲା ଗ୍ରାମରେ ତାଙ୍କର ଘର । ପିତା ଶ୍ରୀବସ ସାହୁ ଓ ମାତାଙ୍କ ନାମ ବ୍ରଜେଶ୍ଵରୀ ସାହୁ ।

ଚାଷ ପ୍ରତି ପ୍ରୋତ୍ସାହନ ଓ ପ୍ରେରଣା

ଫିରୋଜ କୁହନ୍ତି – ‘ ସ୍କୁଲରେ ପଢୁଥିବା ବେଳେ ବାପାଙ୍କ ସହିତ ଚାଷ ଜମିକୁ ଯାଉଥିଲି । ଆଉ ସେବେ ଠାରୁ ଚାଷ ପ୍ରତି ମୋ ଭିତରେ ଆଗ୍ରହ ରହିଥିଲା । ଚାଷକୁ ରୋଜଗାରର ପନ୍ଥାଭାବେ ଆଦରି ନେବା ପରେ ବାପାଙ୍କ ସମେତ ପଡ଼ୋଶୀ, ସମ୍ପର୍କୀୟ ପୁଣି ବିଭାଗୀୟ ଅଧିକାରୀଙ୍କ ପ୍ରୋତ୍ସାହନ ଓ ପ୍ରେରଣା ପାଇଛି ।

ସମନ୍ୱିତ ଚାଷ ପ୍ରଣାଳୀ

ବର୍ତ୍ତମାନ ମୋଟ ୨୦ଏକର ଚାଷ ଜମିରେ  ସମନ୍ୱିତ ଚାଷ କରିଛି । ୧୦ ଏକର ଜମିରେ  କଦଳୀ, ଆମ୍ବ, ଲେମ୍ବୁ, ସପୁରି, ଲିବୁ, ସନ୍ତରା,  ମିଠା ମକା ଏବଂ ପାମ୍ ଚାଷ କରିଥିବା ବେଳେ ୯ଏକର ଜମିରେ ଧାନ ଓ ୧ଏକର ଜମିରେ ପୋଖରୀ ଖୋଳି ମାଛ ଚାଷ କରିଛି । ଋତୁକାଳୀନ ଚାଷ ପୋଟଳ, ଚିନାବାଦାମ ଏବଂ ଛତୁ ଚାଷ କରି ଭଲ ଦି ପଇସା ବି ମିଳୁଛି । ଏହି ଚାଷ ପାଇଁ ନିଜ ଜମିରେ ୪ଟି ଗଭୀର ନଳକୂପ ଖୋଳାଇଛି । ତେବେ ପାଣିର ଅପଚୟ ରୋକିବାକୁ ସମ୍ପୂର୍ଣ୍ଣ ଭାବେ ଜମିରେ ଡ୍ରିପ୍  ବ୍ୟବସ୍ଥା କରିଛି । ଏଥିପାଇଁ ପରିବାର ଲୋକେ ସହଯୋଗ କରିଥାନ୍ତି । ତେବେ କଦଳୀ ଚାଷରୁ ବେଶ୍ ଲାଭ ମିଳିଥାଏ । ଏବେ ମହାରାଷ୍ଟ୍ରର ଏକ କମ୍ପାନୀରୁ ଟିସୁ କଲ୍‌ଚର ଜି-୯ ପୁଆ କିଣିଛି । ଏହାର ମୂଲ୍ୟ ପୁଆ ପ୍ରତି ୧୮ଟଙ୍କା ହୋଇଥିବା ବେଳେ ସରକାରୀ ସବସିଡିରେ ତାହା ମୋତେ ଜମିକୁ ଆଣିବା ପର୍ଯ୍ୟନ୍ତ ମାତ୍ର ୮.୧୫ଟଙ୍କା ପଡୁଛି । ଏକର ପ୍ରତି ୧୨୦୦ ପୁଆ ଆବଶ୍ୟକ ହେଉଥିବା ବେଳେ ଗୋଟିଏ ଗଛରୁ ୨୧ମାସ ମଧ୍ୟରେ ୨ କାନ୍ଦି (୩୫/୪୦ କି.ଗ୍ରା.) କଦଳୀ ଅମଳ ହୋଇଥାଏ । ଏହି ଫସଲରେ ବୋରୋନ୍ ଓ ଜିଙ୍କ ଅଣୁ ସାର ପ୍ରୟୋଗ କରିବାକୁ ହୁଏ । ତେବେ ଏହାପରେ ପ୍ରଥମ ୪ମାସ ପଟାସ ଏବଂ ଫସଫରସ୍ ମିଶାଇ ଦେଇଥାଏ । ପରବର୍ତ୍ତୀ ସମୟରେ ପଟାସ୍, ଫସଫରସ୍ ସହିତ ନାଇଟ୍ରୋଜେନ ମିଶାଇ ଦେବାକୁ ହୁଏ । ପ୍ରତ୍ୟହ ୨ଘଣ୍ଟା ସ୍ଟିଙ୍କଲରେ ପାଣି ଦିଏ ।

ଚାଷପ୍ରଣାଳୀରେ କେତେ ଖର୍ଚ୍ଚ ଓ କେତେ ଲାଭ ହେଉଛି

ଏଥିପାଇଁ ଏକର ପ୍ରତି ୮୦ହଜାର ଟଙ୍କା ଖର୍ଚ୍ଚ ହେଉଥିବାବେଳେ ପ୍ରାୟ ସାଢେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୋଇଥାଏ । ପ୍ରାୟତଃ ଛତିଶଗଡ଼ର ବ୍ୟବସାୟୀମାନେ ଏଠାରୁ କଦଳୀ କିଲୋ ପ୍ରତି ୮.୫୦ଟଙ୍କାରୁ ୧୪ଟଙ୍କା ପର୍ଯ୍ୟନ୍ତ କିଣି ନେଇଥାନ୍ତି । କେବଳ ପ୍ରାକୃତିକ ବିପର୍ଯ୍ୟୟ ଏହି ଚାଷକୁ କ୍ଷତି ପହଞ୍ଚାଇଥାଏ । ଅନ୍ୟପକ୍ଷରେ ମିଠା ମକା ଓ ବରକୋଳି ବି ଲାଭଦାୟକ ହେଉଛି । ଏହି ମିଠା ମକା, ଏବଂ ବରକୋଳିକୁ ଭୁବନେଶ୍ଵରରୁ ବେପାରୀ ଆସି କିଣି ନେଇଥାନ୍ତି । ବର୍ତ୍ତମାନ ପରିସ୍ଥିତିରେ ଏହି ଚାଷ କାର୍ଯ୍ୟ ମୋ ପରିବାରକୁ ସୁରୁଖୁରୁରେ ଚଳେଇବାରେ ସହାୟକ ହୋଇଛି । ପୁଣି ଆଉ କେତେଜଣ ଆମେ କ୍ଷେତରେ କାର୍ଯ୍ୟ କରି ସେମାନଙ୍କ ଗୁଜୁରାଣ ମେଣ୍ଟାଇବାରେ ସକ୍ଷମ ହେଉଛନ୍ତି ।

ସଫଳ ଚାଷୀ ଭାବେ ସମ୍ମାନିତ

ତେବେ ଏହି ଚାଷ କାର୍ଯ୍ୟ ପାଇଁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କୃଷିମନ୍ତ୍ରୀ, ଜଙ୍ଗଲ ବିଭାଗ, ଜିଲାପାଳ, ଡିଆରଡିଏ ଏବଂ ଆତ୍ମା ପକ୍ଷରୁ ବହୁବାର ସମ୍ମାନିତ ମଧ୍ୟ ହୋଇଛି । ସତକଥା, ପରିଶ୍ରମ କଲେ ଜଣେ ଚାଷକାର୍ଯ୍ୟରୁ ନିଶ୍ଚିତ ସ୍ଵାବଲମ୍ବୀ ହୋଇପାରିବ ।

ଲେଖା ଏବଂ ପ୍ରାପ୍ତ - ସଞ୍ଜାବ ଷଡ଼ଙ୍ଗୀ

Last Modified : 1/10/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate