অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସ୍ୱାବଲମ୍ବୀ ହେବା ପାଇଁ ଦୃଢ ମନୋବଳ ଲୋଡା

ସ୍ୱାବଲମ୍ବୀ ହେବା ପାଇଁ ଦୃଢ ମନୋବଳ ଲୋଡା

ଦିବ୍ୟାଙ୍ଗ ଚାଷୀଙ୍କୁ ପଦ୍ମଶ୍ରୀ

ଗୁଜରାଟର ସ୍ୱଳ୍ପ ବୃଷ୍ଟି ହେଉଥିବା ବନସକଣ୍ଠା ଜିଲ୍ଲାର ଜଣେ ଦିବ୍ୟାଙ୍ଗ ଡାଳିମ୍ବ ଚାଷୀଙ୍କୁ ମିଳିଛି ପଦ୍ମଶ୍ରୀ ସମ୍ମାନ । ନିଜ ଜମିରେ ଡାଳିମ୍ବ ଚାଷ କରି ଏହାକୁ ସର୍ବୋତ୍ତମ ଉପଯୋଗ କରିବା ସହିତ ଅନ୍ୟ ବହୁ ଚାଷୀଙ୍କୁ ଏଥି ପାଇଁ ପ୍ରୋତ୍ସାହିତ କରିପାରିଥିବାରୁ ତାଙ୍କୁ ଏହି ପୁରସ୍କାର ମିଳିଛି । ଏହି ଚାଷୀ ଜଣକ ହେଉଛନ୍ତି ୫୨ ବର୍ଷ ବୟସ୍କ ଜିନାଭାଇ ପଟେଲ୍ । ବନସକଣ୍ଠା ଜିଲ୍ଲା ଅନ୍ତର୍ଗତ ଲଖାନି ତହସିଲର ସରକାରୀ ଗୋଲିୟା ଗ୍ରାମର ବାସିନ୍ଦା ଜିନାଭାଇ । ପୋଲିଓ ରୋଗାକ୍ରାନ୍ତ ହେବାପରେ ତାଙ୍କର ଦୁଇ ଗୋଡ ଅଚଳ ହୋଇପଡିଛି । କିନ୍ତୁ ସେଥିରେ ସେ ହାର ମାନିନଥିଲେ ବରଂ ସେ କୃଷିକୁ ନିଜର ବୃତ୍ତି ଭାବେ ବାଛିଥିଲେ । ପାରମ୍ପରିକ ଫସଲ ପରିବର୍ତ୍ତେ ସେ ତାଙ୍କର ସ୍ୱଳ୍ପ ବୃଷ୍ଟି ହେଉଥିବା ଅଞ୍ଚଳରେ  ଡାଳିମ୍ବ ଚାଷ କରିବାକୁ ଯୋଜନା କରିଥିଲେ । ନିଜ ଜମିରେ ବୁନ୍ଦା ଜଳସେଚନ ବ୍ୟବସ୍ଥା କରି ଡାଳିମ୍ବ ଚାଷ କଲେ । ଏଥିରୁ ସେ ଲାଭ ଉପାର୍ଜନ କରିବା ପରେ ତାଙ୍କ ଗ୍ରାମର ଅନ୍ୟମାନେ ମଧ୍ୟ ଏବେ ସେହି ଚାଷ ଆରମ୍ଭ କରିଛନ୍ତି ।

ପ୍ରାହୟ ୭୦ ହଜାର ଚାଷୀ ତାଙ୍କ କ୍ଷେତକୁ ବୁଲିଯାଇ ତାଙ୍କ ଚାଷ ପଦ୍ଧତି ଦେଖୁଛନ୍ତି । ସେଥିପାଇଁ ଚଳିତ ବର୍ଷ ଜେନା ଭାଇଙ୍କୁ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି । ଜଣେ ଭିନ୍ନକ୍ଷମ ହୋଇଥିବାରୁ ସେ ସାଧାରଣ ପନିପରିବା ଚାଷ କରିବା କଷ୍ଟକର ଥିଲା । ତେଣୁ ପ୍ରାୟେ ୧୨ ବର୍ଷ ତଳେ କୃଷି ବିଶ୍ଵବିଦ୍ୟାଳୟ ଏବଂ କୃଷି ମେଳାରୁ ଡାଳିମ୍ବ ଚାଷ ସମ୍ପର୍କରେ ଜାଣିବା ପରେ ସେ ଏହି ଚାଷ ପାଇଁ ମନ ବଳାଇଲେ I ମହାରାଷ୍ଟ୍ରରୁ ଡାଳିମ୍ବ ଚାରା କିଣି ନିଜର ପ୍ରାୟ ୨୦ ହେକ୍ଟର ଜମିରେ ଲଗାଇଲେ । ତାଙ୍କ ଅଞ୍ଚଳରେ ଜଳାଭାବ ପରିସ୍ଥିତି ଲାଗି ରହିଥିବାରୁ କମ୍ ଜଳ ବ୍ୟବହାର କରି ଫସଲ କରିବା ସକାଶେ ସେ ବୃନ୍ଦା ଜଳସେଚନ ବ୍ୟବସ୍ଥା କାର୍ଯ୍ୟକାରୀ କଲେ । ଦୁଇବର୍ଷ ପରେ ଗଛରେ ଫଳ, ଫଳିବା ଆରମ୍ଭ ହେଲା । କିନ୍ତୁ ତାହାକୁ କେଉଁଠାରେ ଓ କିଭଳି ବିକ୍ରି କରାଯିବ ତାହା ଜାଣିନଥିବାରୁ ତାଙ୍କୁ ଉଚିତ ମୂଲ୍ୟ ମିଳିଲା ନାହିଁ । ଚାଷ କରିବାର ୪-୫ ବର୍ଷ ପରେ ତାଙ୍କୁ ଡାଳିମ୍ବର ଉଚିତ ମୂଲ୍ୟ ମିଳିବା ଆରମ୍ଭ ହେଲା I ଫଳରେ ତାଙ୍କ ଅଞ୍ଚଳର ଅନ୍ୟ ଠାରୁ ପ୍ରେରଣା ପାଇଁ  ଚାଷୀମାନେ ଡାଳିମ୍ବ ଚାଷ ଆରମ୍ଭ କରିଛନ୍ତି । ଏବେ ତାଙ୍କ ତହସିଲରେ ପ୍ରାୟ ୯ ହଜାର ହେକ୍ଟର ଜମିରେ ଡାଳିମ୍ବ ଚାଷ କରାଯାଉଛି । କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ପଞ୍ଜାବ ଓ ମହାରାଷ୍ଟ୍ର ପ୍ରଭୃତି ରାଜ୍ୟରୁ ବ୍ୟବସାୟୀମାନେ ଆସି ସେଠାରୁ ଡାଳିମ୍ବ କିଣୁଛନ୍ତି ।

କୃଷି କ୍ଷେତ୍ରରେ ସଫଳତା ନିମନ୍ତେ ଜିନାଭାଇଙ୍କୁ ବହୁ ପୁରସ୍କାର ଓ ସମ୍ମାନ ମିଳିଛି । ଗୁଜରାଟ ଓ ରାଜସ୍ଥାନ ସରକାରଙ୍କ ପକ୍ଷରୁ କୃଷକଙ୍କ ପାଇଁ ଥିବା ପୁରସ୍କାର, ରାଷ୍ଟ୍ରପତିଙ୍କ ନିକଟରୁ ସୃଷ୍ଟି ସମ୍ମାନ ଏବଂ ବହୁ କର୍ପୋରେଟ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କୁ ତାଙ୍କ ଉଦ୍ୟମ ନିମନ୍ତେ ପ୍ରଶଂସା କରିଛନ୍ତି ।

ନର୍ସରୀରୁ କୋଟିପତି

ପ୍ରତ୍ୟେକ ଚାଷୀ ଚାହାନ୍ତି ସେମାନଙ୍କ ଉତ୍ପାଦ ବିକ୍ରି ବଟା କରି ଲାଭ ଉପାର୍ଜନ କରିବାକୁ । ସେଥିପାଇଁ ସେମାନେ ଉପଯୁକ୍ତ ବଜାର ବ୍ୟବସ୍ଥା ଓ ଜ୍ଞାନକୌଶଳ ପ୍ରତି ମଧ୍ୟ ଦୃଷ୍ଟି ଦେଉଛନ୍ତି । କିନ୍ତୁ ହରିଆଣା କୁରୁକ୍ଷେତ୍ର ଜିଲ୍ଲାର ଜଣେ ଚାଷୀ ଆଧୁନିକ ଜ୍ଞାନକୌଶଳ ପ୍ରୟୋଗରେ ପନିପରିବା ନର୍ସରୀ କରି ସେଥିରୁ ବର୍ଷକୁ କୋଟି କୋଟି ଟଙ୍କା  ଉପାର୍ଜନ କରୁଛନ୍ତି । ଏହି ଚାଷୀ ହେଉଛନ୍ତି ଏସ୍ ହାରବିର ସିଂହ । କୁରୁକ୍ଷେତ୍ର ବିଶ୍ଵ ବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷାଲାଭ କରିଥିବା ହରବିର ଚାକିରି ନକରି ତାଙ୍କ ଜମି ରେ ପନିପରି ବା ଚାଷ ଆରମ୍ଭ କଲେ ।

ପ୍ରଥମେ ସେ ୧ ଏକର ଜମିରେ ଚାଷ କଲେ, କିନ୍ତୁ ନିଜ ଉଦ୍ୟମରେ ସଫଳ ହୋଇପାରିଲେ ନାହିଁ । ୨୦୦୫ରେ ସେ ବୈଜ୍ଞାନିକ ଉପାୟରେ ଚାଷ କରିବାକୁ ମନସ୍ଥ କଲେ ଏବଂ ବିଶିଷ୍ଟ ଉଦ୍ୟାନବିତ୍ ଏମ ଏସ ଲାଥରଙ୍କୁ ଭେଟିଲେ । ପରେ ଅଣୁ ଜଳସେଚନ ବ୍ୟବହାର କରି ସେ ନିଜର ପନିପରିବା ନର୍ସରୀ ଆରମ୍ଭ କଲେ । ଏବେ ସେ ୧୪ ଏକର ଜମିରେ ପ୍ରାୟ ସମସ୍ତ ପ୍ରମୁଖ ପନିପରିବାର ନର୍ସରୀ କରିଛନ୍ତି । ତାଙ୍କ ସହିତ ବହୁ ଚାଷୀ ଏଥିରେ ସାମିଲ ହୋଇଛନ୍ତି । ଦିନକୁ ଦିନ ତାଙ୍କ ନର୍ସରୀ ଚାହିଦା ବଢୁଛି ଏବଂ ପ୍ରତିବର୍ଷ ସେ କୋଟି କୋଟି ଟଙ୍କା ଆୟ କରୁଛନ୍ତି । ଏଥିପାଇଁ ତାଙ୍କୁ ବହୁ ପୁରସ୍କାର ମଧ୍ୟ ମିଳିଛି।

ଆଧାର – କୃଷି ବିଭାଗ

Last Modified : 9/4/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate