অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଗୋପାଳନ ପାଇଁ ଘାସଚାଷ

ଗୋରୁଙ୍କର ପ୍ରଧାନ ଖାଦ୍ୟ ଘାସ

ତୃଣଜାତୀୟ ଖାଦ୍ୟ ବା ଘାସ ଗୋରୁଙ୍କର ପ୍ରଧାନ ଖାଦ୍ୟ । ଉନ୍ନତ କିସମର ଘାସ, ଦୁଗ୍ଧ ଉତ୍ପାଦନ ବୃଦ୍ଧି ସହିତ ଗୋପାଳନ ବ୍ୟବସାୟକୁ ଅଧିକ ଲାଭଜନକ କରିଥାଏ । କାରଣ ସବୁଜ ଘାସରେ ଯଥେଷ୍ଟ ମାତ୍ରାରେ ଶ୍ଵେତସାର, ପୁଷ୍ଟିସାର, ଭିଟାମିନ, ଧାତବ ଲବଣ ଭରପୁର ଥିବାରୁ ଦୁଗ୍ଧ ଉତ୍ପାଦନରେ ସହାୟକ ହେବା ସଙ୍ଗେ ସଙ୍ଗେ ଗାଈଙ୍କର ସ୍ଵାସ୍ଥ୍ୟ ବିକାଶ, ପ୍ରଜନନ ଦକ୍ଷତା ତଥା ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ ।

ବର୍ତ୍ତମାନ ଜନସଂଖ୍ୟା ବୃଦ୍ଧି ହେତୁ ଚାରଣ ଭୂମିଗୁଡ଼ିକ ବିଭିନ୍ନ ଉପାୟରେ ନିୟୋଜିତ ହୋଇଯାଇଛି । ତେଣୁ ଗୋରୁଙ୍କର ଘାସର ଆବଶ୍ୟକତା ପୂରଣ କରିବା ଲାଗି ଘାସ ଚାଷ ହିଁ ଏକମାତ୍ର ବିକଳ୍ପ ପନ୍ଥା । ସମୟ ଅନୁସାରେ ଉତ୍ପାଦିତ ଘାସକୁ ମୁଖ୍ୟତଃ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଇଥାଏ । ଯଥା-୧- ଋତୁକାଳୀନ ଘାସ ଓ ୨-ବହୁବର୍ଷୀୟ ଘାସ ।

ସେହିପରି ଘାସରେ ରହିଥିବା ଖାଦ୍ୟସାର ଅନୁସାରେ ଘାସକୁ ୨ଭାଗରେ ବିଭକ୍ତି କରାଯାଇଛି ଯଥା –

  1. ଶସ୍ୟ ଜାତୀୟ ଘାସ  -  ଅଧିକ ଶ୍ଵେତସାର ଯୁକ୍ତ ।
  2. ଛୁଇଁ ଜାତୀୟ ଘାସ  -   ଅଧିକ ପୁଷ୍ଟିସାର ଯୁକ୍ତ ।

ଗାଈଙ୍କୁ ଉପରୋକ୍ତ ୨ କିସମ ଘାସ ଯଥା ଶସ୍ୟ ଜାତୀୟ ଘାସ ୨ ଭାଗ ଓ ଛୁଇଁ ଜାତୀୟ ଘାସ ୧ ଭାଗ ହିସାବରେ ଖୁଆଇଲେ ଅଧିକ ଲାଭ ମିଳିଥାଏ ।

ଚାଷ ପ୍ରଣାଳୀ

ଅନ୍ୟାନ୍ୟ ଖାଦ୍ୟ ଫସଲ ତୁଳନାରେ ଘାସ ଫସଲ ସକାଶେ ଅପେକ୍ଷାକୃତ କମ୍ ଜଳର ଆବଶ୍ୟକତା ରହିଥାଏ । ଏହି ଫସଲ ପାଇଁ ଉଚ୍ଚ । ନିଗିଡ଼ା ଜମି ଚୟନ କରିବା ଆବଶ୍ୟକ । ଜମି ଚୟନ ପରେ ଏହାକୁ ହଳ କରି ମାଟିଗୁଣ୍ଡ କରିବା ଓ ଏକର ପ୍ରତି ୧୦୦ କିଗ୍ରା ସୁପର ଫସଫେଟ୍ ସାର କିମ୍ବା ୫୦ କି.ଗ୍ରା. ଡିଏପି ସାର, ୧୫ କି.ଗ୍ରା ପଟାସ ସାର ୨-୩ ଟ୍ରାକ୍ଟର ଟ୍ରଲି ଶକ୍ତ ଗୋବର ଖତ ପ୍ରୟୋଗ କରି ମଞ୍ଜି ବୁଣାଯାଏ । ମାତ୍ର ଶୀତଦିନିଆ ବରସିମ୍, ଲୁସର୍ଣ୍ଣ ଘାସ ମଞ୍ଜିକୁ ମାଟିଗୁଣ୍ଡ କରି ଛୋଟପଟାଳି ପ୍ରସ୍ତୁତ କରି ଠିଆ ପାଣିରେ ବୁଣିଲେ ଅଧ୍ୟକ ଅମଳ ମିଳିଥାଏ । ସମସ୍ତ ଫସଲ ବୁଣିବାର ୨-୩ ସପ୍ତାହ ଅନ୍ତରରେ ଏକର ପ୍ରତି ୧୫-୨୦ କିଗ୍ରା ୟୁରିଆ ସାର ପ୍ରୟୋଗ କରାଯାଏ ଓ ସୋରଗମ୍ ଜାତୀୟ ଘାସ ଯାହାକି ଏକରରୁ ଅଧିକ ଥର ଅମଳ ଦେଇଥାଏ। ସେହି କ୍ଷେତ୍ରରେ ପ୍ରତ୍ୟେକ ଅମଳ ପରେ ୟୁରିଆ ସାର ପ୍ରୟୋଗ କରିବା ଆବଶ୍ୟକ । ସୋରଗମ୍ ଓ ବାଜରା ଇତ୍ୟାଦି ଘାସ ଫୁଲ ଉଡ଼େଇବା ସମୟରେ, ମକାମଞ୍ଜି କ୍ଷୀର ଢୋକିବା  ସମୟରେ, ବରଗୁଡ଼ି ଓ ଗୁଆଁର ଫସଲ ଛୁଇଁ ଧରିବା ଅବସ୍ଥାରେ ଅମଳ କରାଯାଇଥାଏ । ବରସିମ୍ ଲୁସର୍ଣ୍ଣ ଇତ୍ୟାଦି ଫସଲ ବୁଣିବାର ୪୫ ରୁ ୬୦ ଦିନ ମଧ୍ୟରେ ପ୍ରଥମ ଅମଳ ମିଳିଥାଏ ଓ ପରବର୍ତ୍ତୀ ୩୦ - ୩୫ ଦିନ ଅନ୍ତରରେ ୩-୪ ଥର ଘାସ ଅମଳ କରାଯାଇଥାଏ ।

ଋତୁକାଳୀନ ଘାସ ଚାଷ ଲାଗି ଆବଶ୍ୟକ ବିହନ ପରିମାଣ ଓ ଘାସ ଉତ୍ପାଦନ ତାଲିକା –

ଘାସରନାମ ଏକରପ୍ରତି ଆବଶ୍ୟକ ବିହନ  ପରିମାଣ ଏକର ପ୍ରତି ଅମଳ ପରିମାଣ

ମକା

୨୦ କି.ଗ୍ରା

୧୨୦ କୁଇଣ୍ଟାଲ

ସୋରଗମ୍

୨୦ କି.ଗ୍ରା

୧୫୦ କୁଇଣ୍ଟାଲ

ବାଜରା

୪ କି.ଗ୍ରା

୧୦୦ କୁଇଣ୍ଟାଲ

ଯବଧାନ

୪୦ କି.ଗ୍ରା

୧୨୦ କୁଇଣ୍ଟାଲ

ବରଗୁଡ଼ି

୧୫ କି.ଗ୍ରା

୮୦ କୁଇଣ୍ଟାଲ

ଗୁଆଁର

୧୦ କି.ଗ୍ରା

୮୦ କୁଇଣ୍ଟାଲ

ବରସିମ

୧୦ କି.ଗ୍ରା

୧୫୦ କୁଇଣ୍ଟାଲ

ଲୁସର୍ଣ୍ଣ

୧୦ କି.ଗ୍ରା

୧୫୦ କୁଇଣ୍ଟାଲ

ଚାଇନିଜ କ୍ୟାବେଜ୍

୪ କି.ଗ୍ରା

୮୦ କୁଇଣ୍ଟାଲ

 

ସବୁଦିନିଆ ଘାସଚାଷ

ଯେଉଁ ଘାସ ଫସଲ ଜମିରେ ଥରେ ରୋପଣ କଲେ ତାହା କ୍ରମାଗତ ଭାବେ ୪-୫ ବର୍ଷ ପର୍ଯ୍ୟନ୍ତ ଅମଳ ଦେଇଥାଏ, ତାହାକୁ ବହୁବର୍ଷୀୟ ଘାସ କୁହାଯାଏ । କେତେକ ପ୍ରଧାନ ବହୁବର୍ଷୀୟ ଘାସ ଫସଲ ଗୁଡ଼ିକ ହେଲା – ସଙ୍କର ହାତିଆ, ଗିନି, ପାରା, କଙ୍ଗେଙ୍ଗା ସିଗନାଲ, ଷ୍ଟାଇଲେ,ହ୍ୟୁମିଡିକୋଲା ଇତ୍ୟାଦି । ଅନ୍ୟାନ୍ୟ ଫସଲ ପରି ଜମି ପ୍ରସ୍ତୁତ ସମୟରେ ଏକର ପ୍ରତି । ୨-୩ ଟ୍ରାକ୍ଟର ଟ୍ରଲି ଶଢ଼ା ଗୋବର ଖତ, ୧୦୦ କି.ଗ୍ରା. ସିଙ୍ଗଲ ସୁପର ଫସପେଟ, ୧୫ କି.ଗ୍ରା. ପଟାସ  ସାର ପ୍ରୟୋଗ କରାଯାଏ । ସଙ୍କର ହାତିଆ, ଗିନି, ଇତ୍ୟାଦି ଉଚ୍ଚ ନିଗିଡ଼ା ଜମିରେ ଓ ପାରା ସନ୍ତସନ୍ତିଆ ଖାଲୁଆ ଜମିରେ ଭଲ ବଢିଥାଏ ।

ମୂଳ ବା କାଣ୍ଡ ରୋପଣରେ ୨-୩ ସପ୍ତାହ ପରେ ଓ ପ୍ରତ୍ୟେକ ଅମଳ ପରେ ଏକର ପିଛା ୧୦-୨୦ କି.ଗ୍ରା. ୟୁରିଆ ସାର ପ୍ରୟୋଗ କଲେ ଅଧିକ ଅମଳ ମିଳିଥାଏ। ପ୍ରାୟ ୨ ମାସରେ ପ୍ରଥମ ଅମଳ ଓ ପ୍ରତି ୪୫-୫୦ ଦିନ ଅନ୍ତରରେ ପ୍ରାୟ ୩-୪ ବର୍ଷ ପର୍ଯ୍ୟନ୍ତ ଘାସ ଚାଷ ଅମଳ ମିଳିଥାଏ । ଷ୍ଟାଇଲେ ସିରାଟ୍ରୋ, ଲୁସର୍ଣ୍ଣ ଇତ୍ୟାଦି ଘାସ ମଞ୍ଜି ବୁଣାଯାଇଥାଏ ଓ ଏଥିରୁ ବର୍ଷକୁ ୩-୪ ଥର ଘାସ ଉତ୍ପାଦନ ମିଳିଥାଏ । ସଙ୍କର ହାତିଆ ଘାସରେ ଜଳସେଚନର ଆବଶ୍ୟକତା ଥିଲାବେଳେ ଅନ୍ୟ ବହୁବର୍ଷୀୟ ଘାସ କିସମ ଗୁଡ଼ିକ ମରୁଡ଼ି ସହଣିଯୁକ୍ତ ଅଟନ୍ତି ।

ଋତୁକାଳୀନ ଘାସଚାଷ

ବର୍ଷର ବିଭିନ୍ନ ଋତୁରେ ଅର୍ଥାତ ଗ୍ରୀଷ୍ମ, ବର୍ଷା ଓ ଶୀତ ଋତୁରେ ଚାଷ କରାଯାଇଥିବା ଘାସକୁ ଋତୁକାଳୀନ ଘାସ କୁହାଯାଏ । ବର୍ଷାଦିନେ ଶସ୍ୟ ଜାତୀୟ ଘାସ ଯଥା-ମକା, ସୋର ଗମ୍, ବାଜରା ଓ ଛୁଇଁ ଜାତୀୟ ଘାସ ଯଥା- ଗୁଆଁର, ବରଗୁଡ଼ି, ରାଇସ୍ ବିନ୍ ଇତ୍ୟାଦି ଚାଷ କରାଯାଇଥାଏ । ଜଳସେଚନର ବ୍ୟବସ୍ଥା ଥିଲେ ଉପରୋକ୍ତ ଘାସ କିସମ ଗୁଡ଼ିକ ଗ୍ରୀଷ୍ମ ଋତୁରେ ମଧ୍ୟ ଚାଷ କରାଯାଇପାରେ । ସେହିପରି ଶୀତ ଋତୁରେ ଜଳସେଚିତ ଅଞ୍ଚଳରେ ଶସ୍ୟ ଜାତୀୟ ଘାସ ଯଥା- ଯବଧାନ ଓ ଛୁଇଁ ଜାତୀୟ ଘାସ ବରସିମ, ଲୁସର୍ଣ୍ଣ, ଚାଇନିଜ, କେବେଜ୍ ଇତ୍ୟାଦି ଚାଷ ହୋଇଥାଏ ।

ସଂଗୃହିତ - କେଶବ କୁମାର ମହାପାତ୍ର, ସହକାରୀ ତୃଣ ଉନ୍ନୟନ ଅଧିକାରୀ, ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟ, ମଙ୍ଗଳାବାଗ, କଟକ,

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate