ଗୋପାଳନକୁ ଲାଭଜନକ କରିବାକୁ ହେଲେ ଗାଈ ଓ ବାଛୁରୀ ମାନଙ୍କର ଯତ୍ନ ନେବା ଏକାନ୍ତ ଆବଶ୍ୟକ । ମନେ ରଖିବା ଉଚିତ୍ ଯେ, ଗାଈମାନେ ପ୍ରାଣୀ । ତେଣୁ ସେମାନଙ୍କ ପ୍ରତି ସ୍ନେହ ଓ ମମତା ରହିବା ଦରକାର । ଜଣେ ସଫଳ ଗୋପାଳକ ଏହି କାରଣରୁ ଏପରି ଏକ ଯୋଜନା କରିବା ଉଚିତ୍ ଯାହା ଦ୍ଵାରା ସେ ସୁବିଧାରେ ଗାଈ ବାଛୁରୀମାନଙ୍କର ଯତ୍ନ ନେଇ ପାରିବ ।
ସାଧାରଣତଃ ଅଧିକାଂଶ ଗୁହପାଳିତ ପଶୁ ଜନ୍ମ ସମୟରେ ପ୍ରାୟ କୌଣସି ସାହାଯ୍ୟ ଦରକାର କରନ୍ତି ନାହିଁ । କିନ୍ତୁ ବେଳେ ବେଳେ କୌଣସି ଅସ୍ଵାଭାବିକ ଅବସ୍ଥା ହେତୁ ପଶୁ ଡାକ୍ତରଙ୍କର ସାହାଯ୍ୟ ଦରକାର ହୋଇଥାଏ । ଜନ୍ମ କରିବା ସମୟରେ ପ୍ରଥମେ ବାଛୁରୀର ଆଗ ଦୁଇଟି ଗୋଡ଼ ଓ ତା ପରେ ନାକ ବାହାରି ଆସେ । ଯଦି ବାଛୁରୀଟି ଗାଈର ପେଟ ଭିତରେ ଅସ୍ଵଭାବିକ ଅବସ୍ଥାରେ ଥାଏ, ତେବେ ସଙ୍ଗେ ସଙ୍ଗେ ପଶୁ ଡାକ୍ତରଙ୍କୁ ଡାକିବା ଉଚିତ୍ । ସାଧାରଣତଃ ଗାଈର ଗର୍ଭବେଦନା ଯଦି ୪ ଘଣ୍ଟାରୁ ଅଧୁକ ହୁଏ, ତେବେ ସଙ୍ଗେ ସଙ୍ଗେ ପଶୁ ଡାକ୍ତରଙ୍କୁ ଡାକିବା ଉଚିତ୍ । ଜନ୍ମ କରିବା ପରେ ପରେ ଗାଈର ଲାଙ୍ଗୁଡ଼ ଓ ଜନନେନ୍ଦ୍ରିୟକୁ ଗରମ ପାଣିରେ ଭଲ ଭାବରେ ଧୋଇ ଦେବା ଦରକାର । ପାଣିରେ ସାମାନ୍ୟ ପୋଟାସିୟମ୍ ପରମାଙ୍ଗାନେଟ୍ ମିଶାଇ ଦେଲେ ତାହା ଜୀବାଣୁ ମୁକ୍ତ କରିବାରେ ସାହାଯ୍ୟ କରେ । ଏହି ସମୟରେ ଗାଈକୁ ଥଣ୍ଡା ହେବାକୁ ଦେବା ଉଚିତ୍ ନୁହେଁ । ଗରମ ପାଣି ପିଇବାକୁ ଦେବା ସବୁଠାରୁ ଭଲ । ବାଛୁରୀ ଜନ୍ମ ପରେ ପରେ ପହ୍ନାକୁ ଦୁଧ ଦୁହିଁ ଦେବା ଉଚିତ୍ । ପହ୍ନାରେ କ୍ଷୀର ରହିଗଲେ ଗାଈକୁ ଦୁଗ୍ଧ ଜ୍ଵର ହେବାର ସମ୍ଭାବନା ରହିଥାଏ ।
ସାଧାରଣତଃ ବାଛୁରୀ ଜନ୍ମର ୨ ରୁ ୪ ଘଣ୍ଟା ମଧ୍ୟରେ ଫୁଲ ପଡ଼ିଯାଏ । ଯଦି ୧୨ ଘଣ୍ଟା ଭିତରେ ଫୁଲ ନ ପଡ଼େ, ତେବେ ନିକଟସ୍ଥ ଡାକ୍ତରଙ୍କ ସହାୟତାରେ ଫୁଲ ପକାଇବାର ବ୍ୟବସ୍ଥା କରିବା ସହ ଆବଶ୍ୟକୀୟ ଆଣ୍ଟିବାୟୋଟିକ୍ ବୋଲସ୍ ଜରାୟୁରେ ସ୍ଥାପନ କରନ୍ତୁ । ଫୁଲ ପଡ଼ିଯିବା ପରେ ତାହାକୁ ଗାତ ଖୋଳି ପୋତିଦେବା ଦରକାର । ଗାଈ ଯଦି ଫୁଲକୁ ଖାଇଦିଏ, ତେବେ ତାହାର ଦୁଗ୍ଧ ପରିମାଣ କମିଯାଏ ।
ଅଧିକ କ୍ଷୀର ଦେଉଥିବା' ଗାଈମାନଙ୍କର ଦୁଗ୍ଧ ଜ୍ଵର ଓ ସ୍ତନ ହରା ହେବାର ସମ୍ଭାବନା ଥାଏ । ଦୁଗ୍ଧ ଜ୍ଵର ନ ହେବା ପାଇଁ ଗାଈ ଜନ୍ମ କରିବାର ଦିନେ ଦୁଇଦିନ ପର୍ଯ୍ୟନ୍ତ ପହ୍ନାରୁ ସବୁତକ କ୍ଷୀର ଦୁହିଁ ଦେବା ଉଚିତ୍ ନୁହେଁ । ଗାଈ ଦୁହିଁବା ପୂର୍ବରୁ ପନ୍ଥାକୁ ଭଲ ଭାବରେ ପାଣିରେ ଧୋଇ ଦେଇ ଓ ଗାଈ ଦୁହାଁଳୀର ହାତ ଧୋଇ ଗାଈ ଦୁହିଁଲେ ସ୍ତନ ହରା ରୋଗ ହୁଏ ନାହିଁ ।
ଜନ୍ମ କରିବା ପରେ ଗାଈକୁ ଗରମ ପାଣିରେ ଚୋକଡ଼ ଗୋଳାଇ ଖାଇବାକୁ ଦେବା ଉଚିତ୍ । କଞ୍ଚା ଘାସ ମଧ୍ୟ ଦିଆଯାଇପାରେ । ଦୁଇ ତିନି ଦିନ ପରେ ସୁଷମ ଦାନା ଦିଆଯାଇପାରେ । ପରେ ଗାଈର ଆବଶ୍ୟକତା ଅନୁସାରେ ତାହାକୁ ନିୟମିତ ଦାନ ଦେବା ଉଚିତ୍ ।
ବାଛୁରୀଙ୍କ ପାଇଁ ଗୁହାଳ
ମୁଖ୍ୟ ଗୁହାଳର ଗୋଟିଏ କଣକୁ ୧୫ ଫୁଟ ଲମ୍ବା ଓ ୧୦ ଫୁଟ, ଚଉଡ଼ା ସ୍ଥାନରେ ବାଛୁରୀମାନଙ୍କୁ ରଖିବା ପାଇଁ ବନ୍ଦୋବସ୍ତ କରିବା ଦରକାର । ସାଢ଼େ, ତିନି ଫୁଟ ଠାରୁ ୪ ଫୁଟ ଉଚ୍ଚର କାନ୍ଥ ଦ୍ଵାରା ଏହାକୁ ମୁଖ୍ୟ ଗୁହାଳ ଠାରୁ ଅଲଗା କରାଯାଇପାରିବ । ଏହି ସ୍ଥାନ ସାମନାରେ ୨୦ ଫୁଟ ଲମ୍ବା ଓ ୧୦ ଫୁଟ, ଚଉଡ଼ାର ଜାଗା ରଖି ପାରିଲେ ବାଛୁରୀମାନେ କିମ୍ବା ଜନ୍ମ କରିବାର ୩ ଦିନ ପରେ ତହିଁରେ ଡିଆଁ ଡେଇଁ କରି ପାରିବେ । ବାଛୁରୀ ଗୁହାଳର ଦାନା ଓ ପାଣି ଦେବା ପାଇଁ ସିମେଣ୍ଟ କୁଣ୍ଡ କରିବା ଉଚିତ୍ ।
ବାଛୁରୀକୁ ଖୁଆଇବା ପାଇଁ ଅଭ୍ୟାସ କରାଇବା
ଯେଉଁ ବାଛୁରୀମାନଙ୍କୁ ମାଆଠାରୁ ଅଲଗା କରି ଦିଆଯାଏ ସେମାନଙ୍କୁ ଖୁଆଇବା ପାଇଁ ତାଲିମ୍ ଦେବା ଦରକାର । ଏଥିପାଇଁ ବୈଧିର୍ଯ୍ୟ ଆବଶ୍ୟକ । କାରଣ କଅଁଳା ବାଛୁରୀ ଗୋଟିଏ ପାତ୍ରରୁ ସହଜରେ କ୍ଷୀର ପିଏ ନାହିଁ । ଗୋଟିଏ ପରିଷ୍କାର ଚଟକା ମୁହାଁ ପାତ୍ରରେ କ୍ଷୀର ନେଇ ତାହାକୁ ବାଛୁରୀ ମୁହଁ ପାଖରେ ରଖନ୍ତୁ । ବାଛୁରୀ ପାଟିରେ ଆଙ୍ଗୁଠି ପୁରାଇଲେ ସେ ତାହାକୁ ଚୁଚୁମିବାରେ ଆରମ୍ଭ କରେ । ସେହି ଅବସ୍ଥାରେ ବାଛୁରୀ ମୁହଁକୁ ପାତ୍ର ଭିତରେ ଲଗାଇ ଦେଲେ ବାଛରୀ ଆସ୍ତେ ଆପେ ପାତ୍ରରୁ କ୍ଷୀର ପିଇବାକୁ ଆରମ୍ଭ କରେ । ଏହା କରିବା ପାଇଁ ୪-୫ ଥର ଅଭ୍ୟାସ କରାଇବା ଉଚିତ୍ ।
ବାଛୁରୀ ପ୍ରାୟ ୨ ସପ୍ତାହର ହୋଇଗଲା ପରେ ତାହାକୁ ଆସ୍ତେ ଆସ୍ତେ ଅଳ୍ପ ଅଳ୍ପ ଦାନା ଦେବା ଉଚିତ୍ । ପ୍ରଥମେ ତା ମୁହଁରେ ଦାନାରୁ କିଛି ଘସି ଦେଲେ ସେ ତାହାକୁ ଚାଟିବାକୁ ଆରମ୍ଭ କରେ । ଏହିପରି ଭାବରେ ୨-୪ ଥର କରିବା ପରେ ସେ ଦାନା ଖାଇବାକୁ ଆରମ୍ଭ କରେ । ବାଛୁରୀଟି ୪ ମାସରେ ହୋଇଗଲା ପରେ ତାହାକୁ ପୁରା ଦାନା ଦିଆଯାଇପାରେ ।
ଛଡ଼ାଟିଏ ଜନ୍ମ କରିବାକୁ ଉପଯୁକ୍ତ ହେଲେ ତାହାର ଋତୁ ଲକ୍ଷଣ ଦେଖାଯାଏ । ଗାଈମାନଙ୍କର ପ୍ରାୟ ୧୮ ରୁ ୨୩ ଦିନରେ ଋତୁ ହୋଇଥାଏ । ଏହି ସମୟରେ ନିମ୍ନଲିଖିତ ଲକ୍ଷଣ ଦେଖାଯାଏ ।
ଋତୁର ଲକ୍ଷଣ ଦେଖାଦେବାର ୧୨ ଘଣ୍ଟା ଠାରୁ ୧୮ ଘଣ୍ଟା ମଧ୍ୟରେ ଗାଈକୁ ପ୍ରାକୃତିକ ଉପାୟରେ ଷଣ୍ଢ ଦ୍ଵାରା ସଙ୍ଗମ କରାଇବା ଉଚିତ୍ କିମ୍ବା କୃତ୍ରିମ ପ୍ରଜନନ ପ୍ରଣାଳୀ ସାହାଯ୍ୟରେ ଇଞ୍ଜେକ୍ସନ୍ ଦେବା ଦରକାର । ସାଧାରଣତଃ ସକାଳ ବେଳା ଋତୁ ହେଲେ ଉପରବେଳା ଓ ଉପରବେଳା ଋତୁ ହେଲେ ତାର ପରଦିନ ସଙ୍ଗମ କରାଇଲେ ଗାଈ ଗର୍ଭବତୀ ହେବାର ସମ୍ଭାବନା ବହୁତ ଥାଏ ।
ଆଜିକାଲି ବୁତ୍ରିମ ପ୍ରଜନନ ପ୍ରଣାଳୀ ସାହାଯ୍ୟରେ ଉନ୍ନତ ଜାତିଆ ବୃଷଭ ଠାରୁ ଶୁକ୍ର ସଂଗ୍ରହ କରାଯାଇ ଗାଈମାନଙ୍କୁ ଇଞ୍ଜେକ୍ସନ ଦିଆଯାଉଛି । ଏବେ ହୀମିକୃତ ଶୁକ୍ରକୁ ତରଳ ଯବକ୍ଷାରଜାନରେ ଅନେକ ବର୍ଷ ପର୍ଯ୍ୟନ୍ତ ମଧ୍ୟ ରଖାଯାଇ ପାରୁଅଛି । ତେଣୁ ସବୁବେଳେ ନିଜେ ପଶୁ ଡାକ୍ତରଙ୍କ ପରାମର୍ଶ ଅନୁସାରେ କୃତ୍ରିମ ଉପାୟରେ ଇଞ୍ଜେକ୍ସନ୍ ଦେଇ ଗାଈକୁ ଗର୍ଭବତୀ କରାଇବା ଏକ ସଫଳ ବ୍ୟବସ୍ଥା ।
ଅନେକ ସମୟରେ ଛଡ଼ା ୪ ରୁ ୫ ବର୍ଷ ହେବା ପର୍ଯ୍ୟନ୍ତ ଗର୍ଭଧାରଣ ପାଇଁ ଉପଯୁକ୍ତ ହୁଅନ୍ତି ନାହିଁ । ସାଧାରଣତଃ ଉନ୍ନତ ଶଙ୍କର କିସମ ଜାତୀୟ ଛଡ଼ା ଦେଢ଼ ବର୍ଷରୁ ୨ ବର୍ଷ ଭିତରେ ଋତୁମତୀ ହେବା ଉଚିତ୍ । ତେବେ ମାଈ ବାଛୁରୀକୁ ଯଦି ଜନ୍ମ ଦିନଠାରୁ ସୁଷମ ଖାଦ୍ୟ ମିଳେ ନାହିଁ, ତେବେ ସେହି ଛଡ଼ା ଖୁବ୍ ବିଳମ୍ବରେ ଋତୁମତୀ ହୁଏ କିମ୍ବା ବାଛୁରୀର ଜନନେନ୍ଦ୍ରୀୟ ଗଠନରେ ଯଦି କୌଣସି ଅସ୍ଵାଭାବିକତା ଥାଏ, ତେବେ ମଧ୍ୟ ସେ ଗର୍ଭଧାରଣ କରିବାକୁ ସକ୍ଷମ ହୁଏନାହିଁ । ଅନେକ ସମୟରେ ଯକ୍ଷ୍ମା, ଫାଟୁଆ, ଗୋବସନ୍ତ ପ୍ରଭୃତି ରୋଗ ଦ୍ଵାରା ଆକ୍ରାନ୍ତ ହେଲେ ବା ଏକ ପ୍ରକାର ହର୍ମୋନର ଅଭାବ ହେଲେ ଗାଈମାନେ ସ୍ଵାଭାବିକ ଢଙ୍ଗରେ ଋତୁମତୀ ହୋଇ ନଥାନ୍ତି । ପୁନଶ୍ଚ ଗାଈଟିଏ ଜନ୍ମ କରି ସାରିବାର ୨ ରୁ ୩ ମାସ ଭିତରେ ପୁଣି ଥରେ ଋତୁମତୀ ହେବା ଉଚିତ୍ । କିନ୍ତୁ ଅନେକ ସମୟରେ ଜନ୍ମ କରିବାର ବହୁଦିନ ଧରି ସେମାନେ ଗରମ ହୁଅନ୍ତି ନାହିଁ । ସୁଷମ ଖାଦ୍ୟର ଅଭାବ ହେଲେ ପ୍ରାୟ ଏହି ଅସୁବିଧା ଦେଖାଯାଇଥାଏ ।
ଏହିସବୁ ଅସୁବିଧା ହେଲେ ଆପଣ ପଶୁ ଚିକିତ୍ସକଙ୍କ ସହିତ ଶୀଘ୍ର ପରାମର୍ଶ କରିବା ଉଚିତ୍ । ଅଧିକ ଦୁଧ ଦେଉଥ୍ବା ଗାଈମାନଙ୍କୁ ସବୁବେଳେ ସୁଷମ ଖାଦ୍ୟ, ଧାତବ ଲବଣ ଓ ପ୍ରଚୁର ପରିମାଣରେ କଞ୍ଚା ଘାସ ଦେବା ଦରକାର । କଞ୍ଚା ଘାସ ଭିଟାମିନ୍ ଏ ଯୋଗାଇଥାଏ, ଯାହାକି ଗର୍ଭାଶୟର ବିକାଶ ଦିଗରେ ସାହାଯ୍ୟ କରେ । କଞ୍ଚା ଘାସ ମିଳୁ ନଥୁଲେ ଭିଟାମିନ୍ ଏ ନିୟମିତ ଦାନାରେ ମିଶାଇ ଦେବା ଉଚିତ୍ ।
ଗାଈ ଚତୁ ନହେଲେ ବା ଋତୁ ହୋଇ ଗର୍ଭବତୀ ନ ହେଲେ ମାଲିକର ବହୁତ କ୍ଷତି ହୋଇଥାଏ । ଏକ ହିସାବରୁ ଜଣାଯାଇଛି ଯେ, ଶତକଡ଼ା ୪୦ ରୁ ୫୦ ଭାଗ ଗାଈ ପ୍ରଥମ ଥର ସଙ୍ଗମ ବା କୃତ୍ରିମ ପ୍ରଜନନ ଦ୍ଵାରା ଗର୍ଭବତୀ ହୋଇଥାନ୍ତି ଓ ୨୦ ରୁ ୨୫ ଭାଗ ଗାଈ ଦୁଇ ତିନି ଥର ସଙ୍ଗମ ବା ଇଞ୍ଜେକ୍ସନ୍ ଦେବା ଦ୍ଵାରା ଗର୍ଭବତୀ ହୁଅନ୍ତି । ଅବଶିଷ୍ଟ ୨୫ ଭାଗ ଗାଈ ୫/୬ ଥର ବା ତାଠାରୁ ଅଧିକ ଥର ଲେଉଟାଇ ଥାଆନ୍ତି ।
ଗାଈ ଲେଉଟାଏ କାହିଁକି ?
ଠିକ୍ ସମୟରେ ସଙ୍ଗମ ନ କରାଇଲେ, ଗାଈର ଜନନେନ୍ଦ୍ରିୟାରେ ଜୀବାଣୁ ବା ଅନ୍ୟାନ୍ୟ କ୍ଷତିକାରକ ଭୁତାଣୁ ଇତ୍ୟାଦି ରହିଥୁଲେ, ଗାଈର ଗର୍ଭକୋଷରେ କୌଣସି ଅସ୍ଵଭାବିକ ଅବସ୍ଥା ଦେଖାଦେଲେ ବା ଜନନେନ୍ଦ୍ରିୟାରେ କୌଣସି ରୋଗ ଥିଲେ ସେମାନେ ବାରମ୍ବାର ଲେଉଟାଇଥାନ୍ତି । ସୁଷମ ଗୋଖାଦ୍ୟର ଅଭାବ ହେଲେ କିମ୍ବା ଦାନାରେ ଧାତବ ଲବଣ ଓ ଖାଦ୍ୟପ୍ରାଣ କ ଓ ଘ ର ଅଭାବ ହେଲେ ଗାଈ ଗରମକୁ ଆସେ ନାହିଁ । ତେଣୁ ଏହିପରି ଅବସ୍ଥା ଦେଖାଦେଲେ ଅଭିଜ୍ଞ ପଶ୍ମ ଚିକିତ୍ସକମାନଙ୍କ ସହିତ ପରାମର୍ଶ କରି ଚିକିତ୍ସା କରାଇବା ଉଚିତ୍ । ସାଧାରଣତଃ ପଶୁ ଚିକିତ୍ସକମାନେ ଗାଈର ଗର୍ଭାଶୟକୁ ପରୀକ୍ଷା କରି ପ୍ରଥମେ ଆଣ୍ଟିବାୟୋଟିକ୍ସ୍ ଇଞ୍ଜେକ୍ସନ୍ ଦେଇ ପରେ କୃତ୍ରିମ ପ୍ରଜନନ କରାଇଥାନ୍ତି ।
ପ୍ରତିକାର
ଆଜିକାଲି ବିଦେଶରୁ ହୋଲଷ୍ଟିନ୍, ବ୍ରାଉନ୍ସ୍ତିସ୍, ଜସି ଓ ରେଡ଼୍ ଡେନ୍ ଜାତୀୟ ଗାଈ, ଅଣାଯାଇ, ଆମ ଦେଶରେ ସେମାନଙ୍କ ଠାରୁ ଶଙ୍କର ଜାତୀୟ ଗାଈ ଉଦ୍ଭବ କରାଯାଉଅଛି । ଏମାନଙ୍କ ମଧ୍ୟରେ ହୋଲଷ୍ଟିନ୍ ଜାତୀୟ ଗାଈ ସବୁଠାରୁ ଅଧିକ କ୍ଷୀର ଦେଇଥାଏ । ଥରେ ଜନ୍ମ କଲେ । ଏହି ଜାତୀୟ ଗାଈ ପ୍ରାୟ ୬୦୦୦ ଲିଟର ପର୍ଯ୍ୟନ୍ତ କ୍ଷୀର ଦେଇଥାଏ । କିନ୍ତୁ ଜସି ଜାତୀୟ ଶଙ୍କର ଗାଈ ଆକାରରେ ଛୋଟ ହୋଇଥିବାରୁ ଗାଁ-ଗଣ୍ଡାରେ ସେମାନଙ୍କୁ ରକ୍ଷଣାବେକ୍ଷଣ କରିବା ସହଜ ହୋଇଥାଏ ।
ବୈଜ୍ଞାନିକମାନଙ୍କ ମତରେ ଶଙ୍କର ଜାତୀୟ ଗାଈ ଉଦ୍ଭବ କରିବା ସମୟରେ ସେମାନଙ୍କ ଠାରେ ଶତକଡ଼ା ୫୦ ଭାଗ ବିଦେଶୀ ରକ୍ତ ରହିବା ଉଚିତ୍ । ଆଜିକାଲି ପ୍ରାୟ ସବୁଆଡ଼େ ଏହି ଗାଈମାନଙ୍କର ଚାହିଦା ବଢୁଥିବାରୁ ସେମାନଙ୍କ ତତ୍ତ୍ଵ ନେବା ଏକାନ୍ତ ଆବଶ୍ୟକ । ଏମାନଙ୍କ ଶରୀର ଉତ୍ତାପ ସବୁବେଳେ ସମାନ ରହୁଥିବାରୁ ଯଦି ସେମାନେ ରହୁଥିବା ସ୍ଥାନରେ ଉଭାପ ବଢ଼େ । ବା କମେ ତେବେ ସେଠାରେ ଗାଈମାନେ ଆସୃପ୍ତି ଅନୁଭବ କରନ୍ତି । ତେଣୁ ଖରାଦିନେ ବା ଖରା ସମୟରେ ଗଛ ଛାଇରେ ଗାଈମାନଙ୍କୁ ରଖିଲେ। ସେମାନେ ଅସୁବିଧା ଭୋଗ କରନ୍ତି ନାହିଁ । ଖରାଦିନେ ଏହିସବୁ ଗାଈମାନଙ୍କୁ ଦିନକୁ ୨-୩ ଥର ଗାଧୋଇ ଦେବା ଆବଶ୍ୟକ । ଶଙ୍କର ଜାତୀୟ ଗାଈମାନେ ଦେଶୀ ଗାଈମାନଙ୍କ ଅପେକ୍ଷା ନାନା ପ୍ରକାର ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ଥାଏ । ବିଶେଷ କରି ଏମାନଙ୍କୁ ଅଧିକ ପରିମାଣରେ ଫାଟୁଆ ଧରିଥାଏ । ସେହିପରି ମାଷ୍ଟାଇଟିସ୍ ବା ସ୍ତନ ହରା ରୋଗ ମଧ୍ୟ ଏମାନଙ୍କ ଠାରେ ଦେଖାଯାଏ । ତେଣୁ ଏଥିପାଇଁ ସବୁବେଳେ ସତର୍କତା ଅବଲମ୍ବନ କରିବା ଉଚିତ୍ ।
ଶଙ୍କର ଜାତୀୟ ଗାଈମାନଙ୍କ ଠାରୁ ପ୍ରତି ୨-୩ ମାସରେ କୃମି ଇତ୍ୟାଦି ମାରିବା ପାଇଁ ଔଷଧ ଦେବା ଦରକାର । ଶଙ୍କର ଜାତୀୟ ଗାଈମାନେ ଯେହେତୁ ଅଧିକ ଦୁଧ ଦେଇଥାନ୍ତି, ସେଥିପାଇଁ ସେମାନଙ୍କୁ ସବୁବେଳେ ସୁଷମ ଖାଦ୍ୟ ଦେବା ଉଚିତ୍ । ସୁଷମ ଖାଦ୍ୟ ସହିତ ଯଥେଷ୍ଟ ପରିମାଣରେ କଞ୍ଚା ଘାସ ଓ ଧାତବ ଲବଣ ମଧ୍ୟ ଦେବା ଉଚିତ୍ ।
ଆମେ ଦୁଧ ପାଇବା ପାଇଁ ହିଁ ଗାଈ ରଖିଥାଉ । ତେଣୁ ଗାଈଠାରୁ ଯେପରି ସହଜରେ ଓ ସୁବିଧାରେ ଦୁଧ ଦୁହାଁଯାଇ ପାରିବ ସେଥିପାଇଁ ଗୋପାଳକ, ଦୃଷ୍ଟି ଦେବା ଉଚିତ୍ । ଆଉ ଗୋଟିଏ କଥା ମନେ ରଖିବା ଉଚିତ୍ ଯେ, ଦୁଧ ଭିତରେ ସହଜରେ ଓ ଶୀଘ୍ର ଜୀବାଣୁ ସଂକ୍ରମିତ ହୋଇଥାଏ । ଗୁହାଳ ଅପରିଷ୍କାର ରହିଲେ ବା ଗାଈର ଶରୀର ଅପରିଷ୍କାର ହେଲେ କିମ୍ବା ଦୁହିଁବା ଲୋକ ବା ଦୁହାଁ ଯାଉଥିବା ପାତ୍ର ଅପରିଷ୍କାର ହେଲେ ଦୁଧରେ ଜୀବାଣୁ ସଂଖ୍ୟା ବଢ଼ିଯାଇଥାନ୍ତି । ତେଣୁ ପ୍ରତ୍ୟେକ ଗୋପାଳକ ଏ ଦିଗରେ ଦୃଷ୍ଟି ଦେଇ ଯେତେ ଦୂର ସମ୍ଭବ ପରିଷ୍କାର ଦୁଗ୍ଧ ଉତ୍ପାଦନ କରିବା ଉଚିତ୍ । ସେଥିପାଇଁ ନିମ୍ନଲିଖିତ କେତେଗୁଡ଼ିଏ କଥା ମନେ ରଖିବା ଉଚିତ୍ ।
ଗୋପାଳନ ପାଇଁ ବିଭିନ୍ନ ଖାତା
ଜଣେ ଭଲ, ଗୋପାଳକ ନିଜ ଫାର୍ମର ସୁପରିଚାଳନା ପାଇଁ ହିସାବ କିତାବ ରଖିବା ଉଚିତ୍ । ସରକାରୀ ଫାର୍ମମାନଙ୍କରେ ଅନେକ ପ୍ରକାରର ଖାତା ପତ୍ର ରଖାଯାଇଥାଏ । ତେବେ ଘରୋଇ ଗୋପାଳକ ମାନେ ନିମ୍ନଲିଖିତ କେତୋଟି ଖାତା ରଖିବା ଏକାନ୍ତ ଆବଶ୍ୟକ ।
ଦୁଗ୍ଧ ଉତ୍ପାଦନ ଖାତା – ଏହି ଖାତାର ପ୍ରତ୍ୟେକ ଗାଈ ପ୍ରତିଦିନ ସକାଳ ଓ ସନ୍ଧ୍ୟା ସମୟରେ ଦେଉଥିବାଦୁଗ୍ଧର ପରିମାଣ ଲେଖାଯାଏ । ଫଳରେ ଗୋଟିଏ ଗାଈଠାରୁ ସମୁଦାୟ କେତେ କ୍ଷୀର ମିଳିଥାଏ ସହଜରେ ଜଣାପଡ଼େ ।
ଦାନା ଦେବା ଖାତା – ପ୍ରତି ଗାଈକୁ କେତେ ଦାନା ଦିଆ ଯାଉଅଛି ତାହାର ହିସାବ ଏହି ଖାତାରେ ଲେଖାଯାଏ ।
ଗାଈ ଜନ୍ମ କରିବା ହିସାବ ଖାତା – ଏଥିରେ ପ୍ରତ୍ୟେକ ଗାଈର ଋତୁ ହେବା ଦିନ, ଗର୍ଭଧାରଣ ଦିନ ଓ ଜନ୍ମ କରିବା ଦିନ ସମ୍ବନ୍ଧୀୟ ବିବରଣୀ ଲେଖା ଯାଇଥାଏ ।
ହିସାବ ଖାତା – ଏଥିରେ ଫାର୍ମରେ ଦୈନିକ, ମାସିକ ଓ ବାର୍ଷିକ ଆୟ ବ୍ୟୟ ଇତ୍ୟାଦି ସବୁ ଲେଖାଯାଏ । ଏହାଛଡ଼ା ଅନେକ ଗୋପାଳକ ଗାଈମାନଙ୍କର ବଂଶବଳୀ ରୋଗ ଓ ଚିକିତ୍ସା ସହିତ ପ୍ରତ୍ୟେକ ବାଛୁରୀ ବିଷୟରେ ମଧ୍ୟ ଟିକିନିଖ୍ ବିବରଣୀ ରଖିଥାନ୍ତି । ତେବେ ଏ ବିଷୟରେ ଅଭିଜ୍ଞ ଚାଷୀ ବା ପଶୁପାଳକ ବିଶେଷଜ୍ଞମାନଙ୍କ ସହିତ ପରାମର୍ଶ କରି ଖାତା ରଖିବା ଉଚିତ୍ ।
ଅଧିକ ଜାଣିବା ପାଇଁ - "ଓୟୁଏଟି"
ସଂଗୃହିତ -
ମୂଳ ବିଷୟବସ୍ତୁ
ସଂଶୋଧିତ ବିଷୟବସ୍ତୁ
ପ୍ରାଣୀଧନ ଉତ୍ପାଦନ ଓ ପରିଚାଳନା ବିଭାଗ ପଶୁ ଚିକିତ୍ସା ଓ ପଶୁପାଳନ ମହାବିଦ୍ୟାଳୟ, ଭୁବନେଶ୍ଵର
Last Modified : 2/11/2020