ଛେଳି/ମେଣ୍ଢାଙ୍କ କୃମି ନିରାକରଣ
ଆମ ରାଜ୍ୟରେ ହାରାହାରି ୭୦% ଗରିବ ତଥା ଭୂମିହୀନ ଲୋକେ ଛେଳି/ମେଣ୍ଢା ପାଳନ କରୁଥିବାର ଦେଖାଯାଏ । ଆର୍ଥିକ ଦୃଷ୍ଟିକୋଣରୁ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ପାଇଁ ଛେଳି ମେଣ୍ଢା ପାଳନ ଏକ ବିକଳ୍ପ ଜୀବିକା ମାତ୍ର ନୁହେଁ ବରଂ ଅଭାବ ବେଳର ସାହାଭରସା ମଧ୍ୟ ଅଟେ । ସାଂପ୍ରତିକ ପରିସ୍ଥିତିରେ ଛେଳି/ମେଣ୍ଢାକୁ ବ୍ୟାଙ୍କର ଏଟିଏମ ଭଳି ବ୍ୟବହାର କରୁଥିବା ଛେଳି/ମେଣ୍ଢାପାଳକମାନେ ସାମାନ୍ୟ ଅସାବଧାନତା ଯୋଗୁଁ ବିଶେଷ ଭାବରେ କ୍ଷତିରେ ପଡିଥାନ୍ତି ।
ଅନେକ ଲୋକଙ୍କ ଧାରଣା ଯେ, ଛେଳି/ମେଣ୍ଢା ଙ୍କୁ ଭଲକରି ଚରେଇ ବୁଲେଇ ଆଣିଲେ ସେମାନେ ହୃଷ୍ଟପୃଷ୍ଟ ରୁହନ୍ତି ଏବଂ ଆବଶ୍ୟକ ପରିମାଣରେ ଲାଭ ପ୍ରଦାନ କରିଥାନ୍ତି । ସେଥିପାଇଁ ଗାରିବାରୁ ଅତି ଗରିବ ଶ୍ରେଣୀର ବ୍ୟକ୍ତିଟି ମଧ୍ୟ ଛେଳି/ମେଣ୍ଢା ପାଳନ ପ୍ରତି ମନ ବଲେଇଥାଏ କାରଣ ଏ ବ୍ୟବସାୟ ଦ୍ଵାରା ଖୁବ ଅଳ୍ପ ଖର୍ଚରେ ବହୁତ ଲାଭ ମିଳିଥାଏ । ଅଥଚ କେତେକ ସାଧାରଣ ରୋଗ ପ୍ରତି ଧ୍ୟାନ ନଦେବାରୁ ବହୁ ପରିମାଣରେ କ୍ଷତି ହୋଇଥାଏ । ଏଭଳି କ୍ଷତି ପାଇଁ କୃମି ରୋଗ ଏକ ଉଲ୍ଲେଖନୀୟ କାରଣ ଅଟେ । ସାମାନ୍ୟ ସତର୍କତା ଅବଲମ୍ବନ କାଲେ ଏ କୃମି ରୋଗକୁ ସହଜରେ ନିରାକରଣ କରାଯାଇପାରିବ ।
କୃମିର ପ୍ରକାର
କୃମିକୁ ଦୁଇ ଭାଗରେ ବିଭକ୍ତ କରାଯାଇପାରେ, ଯଥା :-ବାହ୍ୟ କୃମି ଓ ଅନ୍ତଃ କୃମି
ବାହ୍ୟ କୃମି
ଛେଳି/ମେଣ୍ଢାଙ୍କ ଶରୀର ବା ଚର୍ମ ଉପରେ ଯେଉଁ ସବୁ ଟିଙ୍କ ଏବଂ ଉଙ୍କୁଣୀ ହୋଇଥାଏ ସେଇସବୁକୁ ବାହ୍ୟକୃମି କୁହାଯାଇଥାଏ । ଛେଳି ମେଣ୍ଢାଙ୍କ ଶରୀରରେ ଟିଙ୍କ ବା ଉକୁଣୀମାନେ ଥରେ ଦେଖାଦେଲେ ଏମାନେ ଲୋମ ଭିତରେ ସହଜରେ ତାଙ୍କର ବଂଶବିସ୍ତାର କରିଥାନ୍ତି । ଟିଙ୍କ ବା ଉକୁଣୀ, ଗୋଠର ଗୋଟିଏ ଛେଳି ବା ମେଣ୍ଢାକୁ ହେଲେ ତାହା ଅନ୍ୟ ଛେଳି/ମେଣ୍ଢାମାନଙ୍କୁ ସହଜରେ ଡେଇଁଥାଏ ।
ଲକ୍ଷଣ
- କୃମିଗୁଡିକ ନିଜେ ବଞ୍ଚିବା ପାଇଁ ଶରୀରୁ ରକ୍ତ ଶୋଷଣ କରନ୍ତି ଫଳରେ ଛେଳି ମେଣ୍ଢାଙ୍କୁ ରକ୍ତହୀନତା ହୋଇଥାଏ ।
- ଲୋମ ଉପୁଡିଯାଏ ଏବଂ କୁଣ୍ଡେଇ ହୁଏ , ଛେଳି ମେଣ୍ଢାଙ୍କ ଚମଡାରେ ଘା’ହୋଇ ଶରୀରକୁ ଦୁର୍ବଳ କରିଦେଇଥାଏ ।
- ଚମଡା ମୋଟା ହୋଇଯାଏ । ଶରୀରକୁ ଛେଳି ବାଡ, କାନ୍ଥ ଇତ୍ୟାଦିରେ ଘସୁଥାଏ ।
- ଶରୀର ଦୁର୍ବଳ ହୋଇଗଲେ ଛେଳି ମେଣ୍ଢାଙ୍କୁ ଅନ୍ୟାନ୍ୟ ରୋଗ ସହଜରେ ଆକ୍ରାନ୍ତ କରିଥାଏ ।
ଅନ୍ତଃକୃମି
ପାକସ୍ଥଳୀ, କଲିଜା ତଥା ଛେଳିମେଣ୍ଢାଙ୍କ ଅନ୍ତଃନଳୀରେ ଅନେକ ପ୍ରକାର କୃମି ଦେଖାଯାଏ । ଏସବୁ କୃମିକୁ ଅନ୍ତଃକୃମି କୁହାଯାଏ । ଅନ୍ତଃକୃମି ଦ୍ଵାରା ଆକ୍ରାନ୍ତ ହୋଇନଥିବା ଛେଳି ମେଣ୍ଢାର ଏକ ମୁଖ୍ୟ ଲକ୍ଷଣ ଯେ, ଏହା ଗୋଟାଗୋଟା ବୁଣିଦେବା ପରି ଲଣ୍ଡି ଝାଡା କରିଥାଏ । ଅନ୍ତଃକୃମି ଦ୍ଵାରା ଆକ୍ରାନ୍ତ ହେଲେ ସାଧାରଣତଃ ଛେଳି ମେଣ୍ଢାଙ୍କଠାରେ ନିମ୍ନ ପ୍ରକାର ଲକ୍ଷଣମାନ ଦେଖାଯାଇଥାଏ ।
- ଛେଳି ସାଧାରଣତଃ ଲୁଥୁ ଲୁଥୁ ବା ଗାଈ ପରି ତରଳ ଝାଡା କରିଥାଏ । ବେଳେବେଳେ ଝାଡାରେ ରକ୍ତ ପଡିଥାଏ ।
- ଦେହ ଦୁର୍ବଳ ହୋଇଯାଏ ଏବଂ ଶରୀର ରୁକ୍ଷ ଦେଖାଯାଏ ।
- ଆକ୍ରାନ୍ତ ଛେଳି/ମେଣ୍ଢା ଗୋଠରେ ସବା ପଛରେ ଚାଲୁଥାନ୍ତି ।
- ଚମଡା ଦେହରେ ଚକା ଚକା ହୋଇ ଲୋମ ଉପୁଡିଯାଏ ।
- ଥୋମଣି ତଳେ ଓଲମ ହୋଇଥାଏ ।
- ଧଳା ଧଳା, ଚେପଟା, ଫିତା ଭଳି କୃମିମାନ ବେଳେବେଳେ ଝାଡାରେ ଦେଖାଦେଇଥାଏ ।
- ପେଟ ବ୍ୟଥା ହୁଏ ।
- ବେଳେବେଳେ ଅଣ୍ଟା ପଡିଯିବା ମଧ୍ୟ କୃମିର ଏକ କାରଣ ଅଟେ ।
ଅନ୍ତକୃମିର ପ୍ରକାର
ଛେଳିମେଣ୍ଢାଙ୍କ ପାକସ୍ଥଳୀ, କଲିଜା, ଅନ୍ତଃନଳୀରେ ବିଭିନ୍ନ ପ୍ରକାର କୃମିମାନ ଦେଖିବାକୁ ମିଳିଥାଏ । ଯଥା ଗୋଲକୃମି, ଚେପେଟା କୃମି , ଅଙ୍କୁଶ କୃମି ଇତ୍ୟାଦି । ଏଥିସହ ରକ୍ତରେ ମଧ୍ୟ କେତେକ କୃମି ଦେଖାଯାଇଥାନ୍ତି । ଏ କୃମିମାନଙ୍କୁ ରକ୍ତ ସମ୍ପର୍କିତ କୃମି କୁହାଯାଏ ।
କୃମି ରୋଗର ପ୍ରତିକାର
ଛେଳି/ମେଣ୍ଢା ପାଳନକାରୀ ଚାଷୀମାନେ, ଉକୁଣୀ ବା ଟିଙ୍କଙ୍କୁ ଅତି ସହଜ ଭାବରେ ଗ୍ରହଣ କରିବା ଉଚିତ ନୁହେଁ । ବରଂ ଯଥା ସମୟରେ ଏହାର ଚିକିତ୍ସା, ସ୍ଥାନୀୟ ପ୍ରାଣୀ ଚିକିତ୍ସକଙ୍କ ଦ୍ଵାରା କରାଇ ନେବା ଉଚିତ ।
ବଜାରରେ ବିଭିନ୍ନ ପ୍ରକାର କୃମିନାଶକ ଔଷଧ ମିଳିଥାଏ ଯେକୌଣସି ଔଷଧ ବ୍ୟବହାର କରିବା ପୂର୍ବରୁ ସ୍ଥାନୀୟ ପ୍ରାଣୀ ଚିକିତ୍ସକଙ୍କ ପରାମର୍ଶ ନେବା ଅତ୍ୟନ୍ତ ଜରୁରୀ ଅଟେ । ବର୍ଷରେ ଅନ୍ତତଃ ତିନିଥର କୃମିନାଶକ ଔଷଧ ବ୍ୟବହାର କଲେ ସାଧାରଣତଃ ଛେଳି,ମେଣ୍ଢା,କୃମିଜନିତ ରୋଗରୁ ମୁକ୍ତ ରହିଥାନ୍ତି । ଯଦିଓ ଭିନ୍ନ ଭିନ୍ନ କୃମି ପାଇଁ ଭିନ୍ନ ଭିନ୍ନ ପ୍ରକାର ଔଷଧ ରହିଛି ତଥାପି ମଧ୍ୟ ବଜାରରେ ଏଭଳି ଅନେକ ବହୁମୂଖୀ ଗୁଣସମ୍ପନ୍ନ ଔଷଧ ଅଛି , ଯାହାର ପ୍ରୟୋଗ ଦ୍ଵାରା ଅନେକ ପ୍ରକାର କୃମିକୁ ଗୋଟିଏ ଔଷଧ ମାଧ୍ୟମରେ ନିରାକରଣ କରାଯାଇପାରିବ ।
କୃମି ଔଷଧର ଅପକାରିତା
- ଉଚିତ ପରିମାଣରେ ଔଷଧ ପ୍ରୟୋଗନକରି ମନଇଚ୍ଛା ଅଳ୍ପ ଅଳ୍ପ ପରିମାଣରେ ଔଷଧ ପିଆଇଲେ କିମ୍ବା ଖୁଆଇଲେ କୃମିମାନେ ଔଷଧ ପ୍ରତି ଦେହସୁହା ହୋଇ ଉଠନ୍ତି ଏବଂ ଔଷଧ ପ୍ରୟୋଗ ସତ୍ତ୍ୱେ ବିନାଶ ହୁଅନ୍ତି ନାହିଁ । ଏଭଳି ପରିସ୍ଥିତିରେ କୃମି ରୋଗ ଛେଳି/ମେଣ୍ଢା ପ୍ରତି ବିଶେଷ କ୍ଷତିକାରକ ହୋଇଥାନ୍ତି ।
କୃମିକୁ ଆୟତ କରିବା ପ୍ରଣାଳୀ
ନିମ୍ନଲିଖିତ ଅଳ୍ପ କେତୋଟି ବିଷୟ ପ୍ରତି ଧ୍ୟାନ ଦେଲେ କୃମିକୁ ସହଜରେ ଆୟତ୍ତ କରାଯାଇପାରିବ ।
- ଗୋଟିଏ ଚାରଣ ଭୂମିକୁ ସବୁବେଳେ ଚରେଇବା ପାଇଁ ନନେଇ ଅନ୍ତତଃ ୭ଦିନ ବ୍ୟବଧାନରେ ଚରେଇନେବା ଉଚିତ ।
- ଛେଳି/ମେଣ୍ଢାଙ୍କୁ ସକାଳ ୯ଟାରୁ ଉପର ବେଳା ୪ଟା ମଧ୍ୟରେ ଚରେଇବା ଉଚ୍ଚିତ । ସକାଳ ବା ସଞ୍ଜରେ ଚରେଇଲେ ଥଣ୍ଡା ପାଗରେ କୃମିମାନେ ଘାସ ଦେହରେ ସକ୍ରିୟ ଥାନ୍ତି ଏବଂ ଛେଳି ମେଣ୍ଢାଙ୍କୁ ସହଜରେ ଆକ୍ରମଣ କରିଥାନ୍ତି ।
- ପୁଷ୍ଟିକର ସନ୍ତୁଳିତ ଖାଦ୍ୟ ଦେବା ଦ୍ଵାରା କୃମି ରୋଗ ହୋଇନଥାଏ ।
- ଯେଉଁ ଘାସ ପଡିଆ କୃମି ବହୁଳ ଅଛି ବୋଲି ଜଣା ପଡିବ ସେଇ ପଡିଆକୁ ଚରେଇବା ପାଇଁ ନନେଇ ଉକ୍ତ ପଡିଆକୁ କୃମିନାଶକ ଔଷଧ ଦ୍ଵାରା ସିଂଚନ କରିବା ବିଧେୟ । ଏଭଳି ସଂକ୍ରମିତ ଘାସ ପଡିଆକୁ ପୋଡିଦେବା କଥା । ହଳ କରିଦେବା ଦ୍ଵାରା ମଧ୍ୟ କୃମିକୁ ସହଜରେ ନାଶ କରାଯାଇ ପାରିବ ।
- ବଡ ବଡ ଗାଈଗୋରୁଙ୍କୁ ସାଧାରଣତଃ କମ ପରିମାଣରେ କୃମି ଆକ୍ରାନ୍ତ କରିଥାଏ । ତେଣୁ ଗାଈଗୋରୁ ଚରିବା ପରେ ସେହି ପଡିଆକୁ ତାଙ୍କ ପଛେ ପଛେ ଛେଳି ମେଣ୍ଢାଙ୍କୁ ଚରିବା ପାଇଁ ଛାଡିବା ଉଚିତ ।
- ପ୍ରଥମେ ବଡ ବଡ ଛେଳି/ମେଣ୍ଢାଙ୍କୁ ଚରିବା ପାଇଁ ଛାଡିବା ପରେ ଯାଇ ଛୋଟ ଛୁଆ ମାନଙ୍କୁ ଛାଡିଲେ କୃମି ରୋଗ ଛୋଟ ଛୁଆଙ୍କୁ କମ ହୋଇଥାଏ ।
- ଛେଳି/ମେଣ୍ଢାଙ୍କ ମଳମୂତ୍ରକୁ ଉପଯୁକ୍ତ ଦୂର ସ୍ଥାନରେ ଫିଙ୍ଗିଲେ ମଧ୍ୟ କୃମିରୋଗର ମାତ୍ରାକୁ ସହଜରେ ହ୍ରାସ କରାଯାଇ ପାରିବ ।
କୃମିନାଶକ ଔଷଧପ୍ରୟୋଗର ସୂଚୀ
ଆମ ରାଜ୍ୟରେ ଜଳବାଯୁକୁ ଆଧାର କରି ନିମ୍ନ ସୂଚୀ ମତେ କୃମି ନାଶକ ଔଷଧ ପ୍ରୟୋଗ କରାଯାଇପାରିବ । ସାଧାରଣତଃ ବର୍ଷକୁ ତିନିଥର କୃମିନାଶକ ଔଷଧ ପ୍ରୟୋଗ କରାଯାଇଥାଏ । ଯଥା –
- ଜୁନ ମାସରୁ ଜୁଲାଇ ମାସ
- ଅକ୍ଟୋବର ମାସରୁ ନଭେମ୍ବର ମାସ
- ଜାନୁୟାରୀ ମାସରୁ ଫେବୃୟାରି ମାସ
ଯେକୌଣସି ବହୁମୂଖୀ ଗୁଣସମ୍ପନ୍ନ କୃମି ନାଶକ ଔଷଧ ଏହି ପର୍ଯ୍ୟାୟ କ୍ରମେ ପ୍ରତି ଚାରି ମାସରେ ଛେଳି/ମେଣ୍ଢାଙ୍କୁ ଦେବା ଉଚିତ ।
ଧ୍ୟାନ ଦେବାକୁ ପଡିବ
- ଗୋଟିଏ ଚାରଣ ଭୂମିକୁ ସବୁବେଳେ ଚରେଇବା ପାଇଁ ନନେଇ ଅନ୍ତତଃ ୭ଦିନ ବ୍ୟବଧାନରେ ଚରେଇନେବା ଉଚିତ ।
- ନିର୍ଦ୍ଧିଷ୍ଟ କୃମିନାଶକ ଔଷଧକୁ କ୍ରମାଗତ ଭାବେ ଗୋଟିଏ ବର୍ଷ ବ୍ୟବହାର କଳା ପରେ ନିଶ୍ଚିତ ଭାବରେ ଆରବର୍ଷକୁ ବଦଳାଇବା ବିଧେୟ ।
- ଗର୍ଭବତୀ ଛେଳି/ମେଣ୍ଢାଙ୍କୁ ଜନ୍ମ କରିବାର ଦୁଇ ମାସ ପୂର୍ବରୁ ତଥା ଜନ୍ମ କରିବାର ପରଦିନଠାରୁ ଗୋଟିଏ ସପ୍ତାହ ମଧ୍ୟରେ କୃମି ନାଶକ ଔଷଧ ଦେବା ଉଚିତ ।
- ଛେଳି/ମେଣ୍ଢା ଛୁଆଙ୍କୁ ଗୋଟିଏ ମାସ ବୟସ ପୁରିବା ପରେ ତାଙ୍କୁ କୃମି ନାଶକ ଔଷଧ ରୀତିମତ ତିନି ମାସ ବ୍ୟବଧାନରେ ଦିଆଯିବା ବିଧେୟ ।
- ଯଦିଓ ବଜାରରେ ଅନେକ ପ୍ରକାର କୃମି ନିରାକରଣ ଔଷଧ ମିଳୁଛି ତଥାପି ଅଭିଜ୍ଞ ପ୍ରାଣୀ ଚିକିତ୍ସକଙ୍କ ଦ୍ଵାରା ସର୍ବଦା ଚିକିତ୍ସା କରାଇନେବା ନିରାପଦ ଅଟେ ।
ଛେଳି ପାଳନ ସମ୍ବନ୍ଧୀୟ ସମସ୍ତ ବିବରଣୀ ନିମ୍ନଲିଖିତ ଠିକଣାରୁ ମିଳିପାରିବ
- ନିକଟସ୍ଥ ପ୍ରାଣୀ ଚିକିତ୍ସା କେନ୍ଦ୍ର
- ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଜ୍ୟାଳୟ
- ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଜ୍ୟାଳୟ
- ନିକଟସ୍ଥ ସରକାରୀ ଛେଳି/ମେଣ୍ଢା ଫାର୍ମ
- ଉପନିର୍ଦେଶକ , ପଶୁପାଳନଓ ପଶୁ ଚିକିତ୍ସା ନିର୍ଦ୍ଦେଶାଳୟ, ମଙ୍ଗଳାବାଗ, କଟକ
ଆଧାର : ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟ,ଓଡିଶା