অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବଜବଜିଆ ରୋଗର ଲକ୍ଷଣ ଓ ତା’ର ପ୍ରତିକାର

ବାଛୁରୀଙ୍କୁ ଏହି ରୋଗ ହେବାର କାରଣ

ଗୋପାଳନ କରୁଥିବା ଚାଷୀମାନେ ଗୋରୁଙ୍କର ବିଭିନ୍ନ ରୋଗ ବିଷୟରେ ସଚେତନ ହେବା ନିହାତି ଆବଶ୍ୟକ । ସଚେତନ ଚାଷୀ ଉଚିତ ସମୟରେ ରୋଗର ଚିକିତ୍ସା କରି ଗୃହପାଳିତ ପଶୁଙ୍କ ଜୀବନ ରକ୍ଷା କରିପାରିବେ । ସାଧାରଣତଃ ସୁସ୍ଥ ସବଳ ବାଛୁରୀମାନଙ୍କଠାରେ ବଜବଜିଆ ରୋଗ ଦେଖାଯାଇଥାଏ । ଏହି ରୋଗ କ୍ଲଷ୍ଟରୀଡିୟମ ଚଉଭାଇ ଓ କ୍ଲଷ୍ଟରୀଡିୟମ ସେପ୍ଟିକମ୍ ନାମକ ଜୀବାଣୁ ଯୋଗୁଁ ହୋଇଥାଏ । ବାଛୁରୀଙ୍କୁ ଏହି ରୋଗ ହେବାର କାରଣଗୁଡ଼ିକ ହେଉଛି :-

  1. ବର୍ଷା ଆରମ୍ଭରେ ଜଳବାୟୁର ଆର୍ଦ୍ରତା ଏବଂ ଉତ୍ତାପ ବୃଦ୍ଧି ପାଇବା ।
  2. ଅତ୍ୟଧିକ ପୁଷ୍ଟିସାର ଯୁକ୍ତ ଖାଦ୍ୟ ଖାଇ ଜୀର୍ଣ୍ଣ ନହେବା  ।
  3. ମାତ୍ରାଧିକ ଶାରୀରିକ ପରିଶ୍ରମ ଯୋଗୁଁ କ୍ଳାନ୍ତ ଅନୁଭବ କରିବା ।
  4. ଶରୀରର ରୋଗ ପ୍ରତିରୋଧକାରୀ ଶକ୍ତି ହ୍ରାସ ପାଇବା ।
  5. ସୁସ୍ଥ ସବଳ ବାଛୁରୀର ଶରୀରରେ କ୍ଷତ ସୃଷ୍ଟି ହେବା ।
  6. ସଂକ୍ରମିତ ଗୋଚରରେ ବାଛୁରୀଙ୍କୁ ଚରିବାକୁ ଛାଡ଼ିବା ।
  7. ମୃତ ବାଛୁରୀଙ୍କୁ ଏଣେ ତେଣେ ଫିଙ୍ଗିବା ଦ୍ୱାରା ମାଟି ସଂକ୍ରମିତ ହେବା ଇତ୍ୟାଦି ।

ରୋଗର ମୁଖ୍ୟ ଲକ୍ଷଣ

  1. ବାଛୁରୀ ଶରୀରର ଉତ୍ତାପ ୧୦୩ ଡିଗ୍ରୀରୁ ୧୦୪ ଡିଗ୍ରୀ ଫରେନହାଇଟକୁ ବୃଦ୍ଧି ପାଇଥାଏ ।
  2. ଶରୀରରେ ରୋଗ ବୃଦ୍ଧି ପାଇଲେ ବାଛୁରୀ କିଛି ନଖାଇ ପଡ଼ିରୁହେ ।
  3. ଆଗ ଗୋଡ଼ ଉପରର କାନ୍ଧ ଅଂଶ କିମ୍ବା ପଛ ଗୋଡ଼ର ଚଟୁଆ ଅଂଶ ଫୁଲିଯାଏ ଏବଂ ଫୁଲା ସ୍ଥାନରେ ଗ୍ୟାସ ସୃଷ୍ଟି ହେବା ଯୋଗୁଁ ହାତରେ ଚିପିଲେ କଡ଼ କଡ଼ ଶବ୍ଦ ହୁଏ ।
  4. ବାଛୁରୀର ପଛ ଗୋଡ଼ ଆକ୍ରାନ୍ତ ହେଲେ ବାଛୁରୀ ଛୋଟାଇଥାଏ ଏବଂ ଆଗ ଗୋଡ଼ ସଂକ୍ରମିତ ହେଲେ ବାଛୁରୀ ଛିଡ଼ା ନହୋଇପାରି ଚିତ୍ପଟାଙ୍ଗ ଅବସ୍ଥାରେ ପଡ଼ିରୁହେ ।
  5. ବାଛୁରୀ ଥରିବା ସହିତ ଆକ୍ରାନ୍ତ ମାଂସପେଶୀଗୁଡ଼ିକ ଘନ ଘନ ସଂକୋଚନ ପ୍ରସାରଣ ହୋଇଥାଏ ।
  6. ଚିକିତ୍ସା ଅବହେଳା କଲେ ୨୪ ରୁ ୪୮ ଘଣ୍ଟା ମଧ୍ୟରେ ବାଛୁରୀର ମୃତ୍ୟୁ ହୋଇଥାଏ ।

ଏଥିପାଇଁ ଆକ୍ରାନ୍ତ ବାଛୁରୀର ସଂକ୍ରମିତ ମାଂସ ଟ୍ୱିସ୍ୟୁର ମୁଦ୍ରିତକରଣ ସ୍ମିଅର୍ (Impression Smear), କ୍ଷତ ସ୍ଥାନରୁ ନିର୍ଗତ ତରଳ ପଦାର୍ଥ (Exudate) ଓ ସଂକ୍ରମିତ ମାଂସର କ୍ଷୁଦ୍ରାଂଶକୁ ବରଫ ସାହାଯ୍ୟରେ ପରୀକ୍ଷା ପାଇଁ ପଠାଇବାକୁ ହୋଇଥାଏ ।

ରୋଗର ନିୟନ୍ତ୍ରଣ

  1. ବର୍ଷକୁ ଦୁଇଥର ୬ମାସରୁ ୨ ବର୍ଷ ପର୍ଯ୍ୟନ୍ତ ସମସ୍ତ ସ୍ୱଳ୍ପ ବୟସ୍କ ବାଛୁରୀଙ୍କୁ ବର୍ଷା ଏବଂ ଶୀତଦିନ ଆରମ୍ଭ ବେଳକୁ ଟୀକା ପ୍ରଦାନ କରିବା ଆବଶ୍ୟକ ।
  2. ମୃତ ବାଛୁରୀଙ୍କୁ ଗଭୀର ଗାତ କରି ପୋତିବା ପରେ ଚୂନ ବା କଷ୍ଟିକ ସୋଢ଼ା ପକାଇବା ଦରକାର ।
  3. ସୁସ୍ଥ ସବଳ ବାଛୁରୀଙ୍କୁ ରୋଗାକ୍ରାନ୍ତ ବାଛୁରୀଙ୍କଠାରୁ ଦୂରେଇ ରଖିବାକୁ ପଡେ଼ ।
  4. ସାଧାରଣତଃ ମାଟିରୁ ଏହି ଜୀବାଣୁ ବାଛୁରୀଙ୍କୁ ସଂକ୍ରମିତ କରିଥାନ୍ତି । ତେଣୁ ଉକ୍ତ ସ୍ଥାନ ଚିହ୍ନଟ କରି ବାଛୁରୀକୁ ସେଠି ଚରିବାକୁ ନଛାଡ଼ିଲେ ଭଲ ।
  5. ରୋଗ ଆରମ୍ଭ ହେବା ମାତ୍ରେ ସେଙ୍ଗ ସେଙ୍ଗ ପଶୁଚିକିତ୍ସଙ୍କ ପରାମର୍ଶ କ୍ରମେ ଚିକିତ୍ସା କରାଇବା ଉଚିତ୍ ।
  6. ଗୁହାଳ ତଥା ବାଛୁରୀଙ୍କ ଖାଦ୍ୟ ଏବଂ ପାନୀୟକୁ ନିୟମିତ ଭାବେ ପରିଷ୍କାର ଓ ବିଶୋଧନ କରିବା ଆବଶ୍ୟକ ।
  7. ଗୁହାଳରେ ଆବଶ୍ୟକ ମୁତାବକ ଗୋରୁ ରଖିବା ସହିତ ମୁକ୍ତ ବାୟୁ ଓ ସୂର୍ଯ୍ୟାଲୋକ ପ୍ରବେଶ ପାଇଁ ବ୍ୟବସ୍ଥା କରିବା ନିହାତି ଜରୁରୀ ।

ପ୍ରତିଷେଧକ ଟିକା (ଓ.ବି.ପି.ଆଇ.)

ବି.କ୍ୟୁ.ଭ୍ୟାକ୍ସିନ୍ (ବାଇଭାଲାଣ୍ଟ) – ୫ ମି.ଲି. ଚମାଡ଼ା ତଳେ ଏବଂ ବୁଷ୍ଟର ଡୋଜ୍ ୧୦ମ ଦିନ – ୫ ମି.ଲି. ଚମଡ଼ାତଳେ ଦିଆଯାଇଥାଏ । ଏହି ଟିକା କେବଳ ୬ ମାସରୁ ୨ ବର୍ଷର ବାଛୁରୀଙ୍କୁ ଦେବା ଉଚିତ୍ ।

ଆଧାର - "ସଂକଳ୍ପ ଓଡ଼ିଶା"

Last Modified : 7/5/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate