অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବର୍ଷାଦିନେ କୁକୁଡ଼ା ପାଳନ

ବର୍ଷାଦିନେ କୁକୁଡ଼ା ପାଳନ

କୁକୁଡ଼ା ପାଳନ

ସାଧାରଣତଃ କୁକୁଡ଼ା ପାଳନ ତିନି ପ୍ରକାରର ଦେଖାଯାଏ । ପ୍ରଥମଟି ହେଲା- ଅଣ୍ଡାଦଆ କୁକୁଡ଼ା ବା ଲେୟାର । ଏହି ଜାତୀୟ କୁକୁଡ଼ାଙ୍କ ଶରୀରର ଓଜନ ଅପେକ୍ଷାକୃତ କମ୍ ହୋଇଥିବାରୁ ଏମାନେ କମ୍ ଖାଦ୍ୟ ଖାଇ ବେଶି ସଂଖ୍ୟାରେ ଅଣ୍ଡା ଦେବାକୁ ସମର୍ଥ ହୋଇଥାନ୍ତି । ଦ୍ଵିତୀୟଟି ହେଲା- ମାଂସାଳ କୁକୁଡ଼ା ବା ବ୍ରଏଲର । ଏହି ଜାତୀୟ କୁକୁଡ଼ା ଅଳ୍ପ ସମୟରେ ବେଶି ଓଜନ ହୋଇ ଯାଉଥିବାରୁ ଏମାନଙ୍କଠାରୁ ବେଶି ମାଂସ ମିଳିଥାଏ । ତୃତୀୟଟି ହେଲା ଉଭୟ ମାଂସ ଓ ଅଣ୍ଡା ପାଇଁ ଉଦ୍ଦିଷ୍ଟ କୁକୁଡ଼ା । ଏହି ଜାତୀୟ କୁକୁଡ଼ା ବେଶି ସଂଖ୍ୟାରେ ଅଣ୍ଡା ଦେବା ସହିତ ଅଧିକ ଓଜନ ମଧ୍ୟ ହୋଇଥାନ୍ତି । ସେହିପରି ଆମ ରାଜ୍ୟରେ କୁକୁଡ଼ା ପାଳନ ମୁଖ୍ୟତଃ ତିନି ପ୍ରକାର ଦେଖାଯାଏ ।

  1. ବ୍ୟବସାୟଭିତ୍ତିକ କୁକୁଡ଼ା ପାଳନ - ଯୁବୋଦେଖ୍ୟାଗୀମାନେ ସ୍ଵାବଲମ୍ବୀ ହୋଇ ନିଜ ଗୋଡ଼ରେ ନିଜେ ଛିଡ଼ାହେବା ପାଇଁ ବହୁ ସଂଖ୍ୟାରେ କୁକୁଡ଼ା ପାଳନ କରିଥାନ୍ତି ।
  2. ବ୍ୟକ୍ତିଗତ ବା ମଧ୍ୟମ ଧରଣର କୁକୁଡ଼ା ପାଳନ - ଏହି ପାଳନ ପଦ୍ଧତିରେ ଚାଷୀମାନେ କମ୍ ସଂଖ୍ୟାରେ ଛୋଟ ଛୋଟ ବ୍ରଏଲର ବା ଲେୟାର କୁକୁଡ଼ା ଫାର୍ମ କରିଥାନ୍ତି।
  3. ଘର ଅଗଣାରେ କୁକୁଡ଼ା ପାଳନ - ଏହି ପ୍ରକାର ପାଳନ ପଦ୍ଧତିରେ ଗାଁ ଗହଳିରେ ଲୋକେ କୁକୁଡ଼ାଙ୍କୁ ପଦାରେ ଛାଡ଼ିଦିଅନ୍ତି ।

ଏମାନେ ବାହାରେ ବୁଲି ପୋକ, ଜୋକ, ଜିଆ, କୀଟ, ଶସ୍ୟ, କଅଁଳ ଶାଗ ଆଦି ଦିନସାରା ଖାଆନ୍ତି ଏବଂ ସନ୍ଧ୍ୟାହେଲେ ରାତ୍ର ଆଶ୍ରୟସ୍ଥଳ ବା କୁକୁଡ଼ା ଭାଡ଼ିରେ ଆସି ରହନ୍ତି । ସେହିପରି କୁକୁଡ଼ା ପାଳନ ନିମନ୍ତେ ତିନି ପ୍ରକାର ପଦ୍ଧତି ବା ପ୍ରଣାଳୀ ଅବଲମ୍ବନ କରାଯାଏ ।

  1. ଡିପ୍ଲିଟର ପ୍ରଣାଳୀ
  2. ପିଞ୍ଜରା ପ୍ରଣାଳୀ
  3. ଘର ଅଗଣାରେ କୁକୁଡ଼ା ପାଳନ ପ୍ରଣାଳୀ ।

ବର୍ଷାଦିନେ ଜଳବାୟୁର ଆର୍ଦ୍ଧତା ବୃଦ୍ଧି ସହିତ ପରିବେଶ ଦୂଷିତ ଯୋଗୁ ବିଭିନ୍ନ ଅଣୁଜୀବ ଓ ପରଜୀବୀଙ୍କ ସଂଖ୍ୟା ବୃଦ୍ଧି ନିମନ୍ତେ ଅନୁକୂଳ ବାତାବରଣ ସୃଷ୍ଟି ହୋଇଥାଏ । ଏଥିସହିତ ଦୂଷିତ ପାଣି ଏବଂ ଖାଦ୍ୟ କୁକୁଡ଼ାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ । ବର୍ଷାଦିନେ କୁକୁଡ଼ାଙ୍କ ଖାଦ୍ୟ ବେଶିଦିନ ରହିଲେ ବା ଗମୁରିଆ ହୋଇଗଲେ କିମ୍ବା ବର୍ଷାପାଣି ପତି ଫିମ୍ପି ମାରିଲେ ଏହା କୁକୁଡ଼ାଙ୍କ ଦେହରେ କବକ ଜନିତ ସମସ୍ୟା ଯୋଗୁ ମୃତ୍ୟୁମୁଖରେ ପଡନ୍ତି । ବାୟୁମଣ୍ଡଳରେ ଇନ୍‌ଫ୍ଲୁଏଞ୍ଜା ଭୂତାଣୁ ସକ୍ରୟ ହେବା ଯୋଗୁ ଶ୍ଵାସନଳୀ ଜନତ ରୋଗ ସୃଷ୍ଟି କରିଥାଏ । ସେହିଭଳି ବର୍ଷାଦିନେ କୁକୁଡ଼ା ଘରର ଲିଟର ଓଦା ଓ ସନ୍ତସନ୍ତିଆ ରହିବା ଯୋଗୁ ବିଭିନ୍ନ ଜୀବାଣୁ, କୃମି ଓ କକ୍ସିଡିଓସିସ୍ ବା ରକ୍ତଝାଡ଼ା କୁକୁଡ଼ାଙ୍କଠାରେ ଦେଖା ଦେଇଥାଏ । ବର୍ଷାଦିନେ କୁକୁଡ଼ାଙ୍କଠାରେ ଜୀବାଣୁ ଜନିତ ରୋଗ ବିଶେଷ କରି ଦେଖାଦେଇଥାଏ । କୁକୁଡ଼ାଙ୍କ ଦେହରେ ଟିଙ୍କ, ଉକୁଣି ଆଦି ପରଜୀବୀ ମାଧ୍ୟମରେ ରୋଗାକ୍ରାନ୍ତ କୁକୁଡ଼ାଙ୍କ ଦେହରୁ ସୁସ୍ଥ କୁକୁଡ଼ା ଦେହକୁ ସଂକ୍ରମିତ କରି ବିଭିନ୍ନ ରୋଗ ସୃଷ୍ଟି କରିଥାଏ । ସାଧାରଣତଃ ବର୍ଷାଦିନେ କୁକୁଡ଼ାଙ୍କଠାରେ ଦେଖାଯାଉଥିବା କେତେକ ମୁଖ୍ୟ ରୋଗ ଓ ତା’ର ପ୍ରତିକାର ସମ୍ପର୍କରେ ସୂଚୀତ କରାଯାଉଛି ।

ଜୀବାଣୁ ଜନିତ ରୋଗ

କୁକୁଡ଼ାହଇଜା

ଏହା ପାଶ୍ଚୁରେଲା ମାଲଟୋସିଡ଼ା ନାମକ ଜୀବାଣୁ ଯୋଗୁ ହୋଇଥାଏ । ଏହି ରୋଗରେ କୁକୁଡ଼ାମାନେ ହଠାତ୍ ମୃତ୍ୟୁବରଣ କରନ୍ତି । ମୃତ୍ୟୁ ପୂର୍ବରୁ କୁକୁଡ଼ାଙ୍କ ଶରୀରର ଉତ୍ତାପ ବୃଦ୍ଧି ପାଇଥାଏ । ପର ଟାଉଁସିଆ ଦେଖାଯାଏ । ମୁହଁରୁ ଓ ନାକରୁ ଲାଳ ବାହାରେ । ଖାଦ୍ୟ ଖାଇବା କମିଯାଏ । ଚୂଳ ନେଳିଆ ପଡ଼େ। ଶାଗୁଆ କିମ୍ବା ହଳଦିଆ ପାଣିଝାଡ଼ା ହୁଏ ଓ ମଳଦ୍ଵାରରେ ଲାଗିଥାଏ । ଡାକ୍ତରଙ୍କ ପରାମର୍ଶ କ୍ରମେ ବିଭିନ୍ନ ଆଣ୍ଟିବାୟୋଟିକ୍‌ର ଚିକିତ୍ସା ସହିତ ବୋରି’, ନଳକୂପ କିମ୍ବା ବିଶୋଧୂତ ପାଣି ପିଇବାକୁ ଦେଲେ। ଉକ୍ତ ରୋଗ ଦାଉରୁ କୁକୁଡ଼ାଙ୍କୁ ମୁକ୍ତ ରଖାଯାଇ ପାରିବ ।

ପୁଲୋରମ ବା ବାସିଲାରି ଦ୍ଵାଇଟ୍ ଡାଇରିଆ

ଏହି ରୋଗ ମୁଖ୍ୟତଃ ଛୋଟ କୁକୁଡ଼ାଙ୍କଠାରେ ଦେଖାଯାଏ । ବଡ଼ କୁକୁଡ଼ା ଏହି ରୋଗର ବାହକ ଭାବେ କାର୍ଯ୍ୟ କରନ୍ତି । ଏହି ରୋଗ ସାଲମୋନେଲା ପୁଲୋରମ ନାମକ ଜୀବାଣୁ ଯୋଗୁ ହୋଇଥାଏ । ଆକ୍ରାନ୍ତ ଛୁଆମାନେ ଏକାଠି ହୋଇ ଘୁମାନ୍ତି । ଧଳା ଚୂନ ଭଳି ଝାଡ଼ା ହୋଇ ମଳଦ୍ଵାରରେ ଲାଗିରହେ । ନିଃଶ୍ଵାସ ନେବା ସମୟରେ ଘୁଡ଼ୁ ଘୁଡ଼ୁ ଶବ୍ଦ କରନ୍ତି । ଖାଦ୍ୟ ଖାଇବା କମାଇ ଦିଅନ୍ତି । ସାଧାରଣତଃ ଛୁଆ ଫୁଟିବାର ୫ ରୁ ୧୦ ଦିନ ମଧ୍ୟରେ ମୃତ୍ୟୁହାର ଅଧିକ ହୁଏ । ବଡ଼ କୁକୁଡ଼ା ଆକ୍ରାନ୍ତ ହେଲେ ଶାଗୁଆ ଝାଡ଼ା କରନ୍ତି । ଦୁର୍ବଳ ଦିଶନ୍ତି । ଚୂଳ ଶୁଖିଲା ପରି ଦିଶେ । ଅଣ୍ଡା ଉତ୍ପାଦନ କମିଯାଏ । ଦୂଷିତ ପାଣି ବା ଖାଦ୍ୟ ମାଧ୍ୟମରେ ବଡ଼ କୁକୁଡ଼ା ସଂକ୍ରମିତ ହୋଇ ଏହି ରୋଗର ବାହକ ସାଜନ୍ତି ଏବଂ ଏମାନଙ୍କ ଅଣ୍ଡାରୁ ଛୁଆ ଫୁଟିଲେ ଚୁଆ ଏହି ରୋଗ ଦ୍ଵାରା ଆକ୍ରାନ୍ତ ହୋଇଥାନ୍ତି । ତେଣୁ କୁକୁଡ଼ାଙ୍କୁ ଗଭୀର ନଳକୂପ କିମ୍ବା ବୋରିଂ ପାଣି ବା ବିଶୋଧକ କୂଅପାଣି ପିଇବାକୁ ଦିଅନ୍ତୁ । ଡାକ୍ତରଙ୍କ ପରାମର୍ଶ କ୍ରମେ ଫୁରାଜୋଲିଡନ୍ କିମ୍ବା ବିଭିନ୍ନ ଆଣ୍ଟିବାୟୋଟିକ୍ ଦ୍ଵାରା ଚିକିତ୍ସା କରାନ୍ତୁ । କୁକୁଡ଼ା ଘରର ଲିଟରକୁ ଶୁଷ୍କ ଓ ପରିଷ୍କାର ପରିଚ୍ଛନ୍ନ ରଖିବା ଆବଶ୍ୟକ ।

କୁକୁଡ଼ା ଟାଇଫଏଡ୍

ଏହା ଏକ ଜୀବାଣୁ ଜନିତ ସାଲ୍‌ମୋନେଲା ଗାଲିନେରମ୍ ଯୋଗୁ ବଡ଼ କୁକୁଡ଼ାଙ୍କଠାରେ ଦେଖାଦେଇଥାଏ । କୁକୁଡ଼ାଙ୍କ ଶାଗୁଆ ରଙ୍ଗର ପାଣିଝାଡ଼ା ହୁଏ । ଚୂଳ ଶୁଖିଯାଏ । ଡେଣା ତଳକୁ ଝୁଲି ରହେ । କୁକୁଡ଼ା ନିସ୍ତେଜ ହୋଇ ବେକକୁ ଦୁଇଗୋଡ଼ ମଝିରେ ରଖେ । ରୋଗ ଆକ୍ରାନ୍ତ ହେବାର ୨ ରୁ ୩ ଦିନ ମଧ୍ୟରେ ମରିଯାଏ । କୁକୁଡ଼ା ଘରକୁ ଶୁଖିଲା ରଖିବା ସହିତ ଆକ୍ରାନ୍ତ କୁକୁଡ଼ାଙ୍କୁ ଡାକ୍ତରଙ୍କ ପରାମର୍ଶ କ୍ରମେ ବିଭିନ୍ନ ଆଣ୍ଟିବାୟୋଟିକ୍ ଦ୍ଵାରା ଚିକିତ୍ସା କଲେ ସୁଫଳ ମିଳେ ।

ସଂଗୃହିତ - ଡା. ବୀରକିଶୋର ପରିଡା, ଉପନିର୍ଦ୍ଦେଶକ, ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ,କେନ୍ଦ୍ରପଡା,

Last Modified : 3/2/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate