ଶ୍ରାବଣ ମାସଠାରୁ କାର୍ତ୍ତିକ ମାସ ମଧ୍ୟରେ ଅଗବିନ୍ଧା ପୋକ କ୍ଷତି ଅଂଶଗୁଡ଼ିକୁ କାଟିଦେବା ଉଚିତ । ଆଖୁପତ୍ର ତଳେ ଦେଇଥିବା ଏହି ପୋକର ଅଣ୍ଡାଗୁଚ୍ଛଗୁଡ଼ିକୁ ଖୋଜି ନଷ୍ଟ କରିବା ଦରକାର । ଗ୍ରୀଷ୍ମ ଋତୁର ପ୍ରଥମ ବର୍ଷ ପରେ ଧବଳ ଶୁକର ପୂର୍ଣ୍ଣାଙ୍ଗ ପ୍ରାପ୍ତ ପୋକଗୁଡ଼ିକୁ ଆଶ୍ରୟ ନେଇଥିବା ନିମ୍ବଗଛରୁ ସଂଗ୍ରହ କରି ମାରିଦେବା ଫଳରେ ଏହି ପୋକଗୁଡ଼ିକ ନିଜର ବଂଶବିସ୍ତାର କରିପାରନ୍ତି ନାହିଁ । ବହୁ ଚାଷୀ ସଂଗଠିତ ଉପାୟରେ ଏହି ପୋକକୁ ଦମନ କରିବାର ଦୃଷ୍ଟାନ୍ତ କର୍ଣ୍ଣାଟକ ରାଜ୍ୟର ବେଲଗାଁ ଓ ନିକଟରେ ଥିବା ଚିନିକଳ ଅଞ୍ଚଳରେ ପରିଲକ୍ଷିତ ହୋଇଛି ।
ଆଲୋକ ଯନ୍ତ୍ରର ବ୍ୟବହାର ଫଳରେ ଆଲୋକକୁ ଆକର୍ଷିତ ହେଉଥିବା ମୂଳ ବିନ୍ଧା ପୋକକୁ ବିନାଶ କରାଯାଏ । ସେହିପରି ବିଭିନ୍ନ ରଙ୍ଗବିଶିଷ୍ଟ ଆଲୋକ ବଲବ ଜାଳି ଧବଳ ଶୁକ ପୋକମାନଙ୍କୁ ଧ୍ଵଂସ କରାଯାଏ ।
ପରିସଂଖ୍ୟାନ ବିଭାଗର ଏକ ହିସାବରୁ ଜଣାଯାଇଛି ଯେ, ସମଗ୍ର ଭାରତବର୍ଷରେ ୩ ପ୍ରତିଶତ ଆଖୁ ଜମିରେ କୀଟନାଶକ ଦ୍ରବ୍ୟ ବ୍ୟବହାର ହୁଏ । ଆଖୁ, କିଆରିରେ କୀଟନାଶକ ଦ୍ରବ୍ୟ ପ୍ରୟୋଗ କରିବାକୁ ଅନେକ ପ୍ରତିବନ୍ଧକ ଥିବା ଯୋଗୁ କ୍ଷତିକାରକ ପୋକଙ୍କୁ ଦମନ କରିବା ପାଇଁ ‘କଣ୍ଟକନୈବ କଣ୍ଟକମ୍’ ପଦ୍ଧତି ଅବଲମ୍ବନ କରାଯାଏ । ଅର୍ଥାତ୍ ପରାଙ୍ଗଭୋଜି ଓ ପରାଶ୍ରୟୀ ପୋକମାନଙ୍କୁ ଅନିଷ୍ଟକାରୀ ପୋକଙ୍କୁ ମାରିବା ପାଇଁ ପ୍ରୟୋଗ କରାଯାଏ ।
ସଅଳ କାଣ୍ଡବିନ୍ଧା ପୋକ, ଗଣ୍ଠି ବିନ୍ଧା ପୋକ ଏବଂ ଅଗବିନ୍ଧା ପୋକମାନଙ୍କୁ ବିନାଶ କରିବା ପାଇଁ, ଟ୍ରାଇକୋଗ୍ରାମା ଚିଲୋ ନିଶ୍ ନାମକ ପୋକକୁ ଏକ ଏକର ଆଖୁ କିଆରି ପ୍ରତି ୨୦,୦୦୦ ଫାଲ୍ଗୁନ ଓ ଚୈତ୍ର ମାସରେ ଆଖୁଗଛ ଲଗାଇବାର ୩୦-୪୦ ଦିନ ପରେ ୧୦ ଦିନ ବ୍ୟବଧାନରେ ୩-୪ ଥର ସନ୍ଧ୍ୟା ବେଳେ କିଆରିରେ ଛଡ଼ାଯାଏ ।
ପୁନଶ୍ଚ ଆଷାଢ଼ ମାସରେ ସେହିପରି ୩ – ୪ ଥର ୧୦ ଦିନ ବ୍ୟବଧାନରେ ଛାଡ଼ିବାକୁ ପଡ଼େ । ଜାହାଜ ପୋକକୁ ମାରିବା ପାଇଁ ଏପିରିକାନିଆ ମେଲାନୋଲ୍ୟୁକା ନାମକ ପରାଶ୍ରୟୀ ପୋକକୁ ଏକ ହେକ୍ଟର ଜମି ପ୍ରତି ୪୦୦୦୫୦୦୦ ଖୋସା କିମ୍ବା ୪ ଲକ୍ଷରୁ ୫ ଲକ୍ଷ ଅଣ୍ଡା ଛଡ଼ାଯାଏ ।
ଯେଉଁ ଅଞ୍ଚଳରେ ମୁଳବିନ୍ଧା, ପବବିନ୍ଧା ଏବଂ ଅଗବିନ୍ଧା ପୋକଙ୍କର ପ୍ରାଦୁର୍ଭାବ ଅଧକ ରହେ ସେ ଅଞ୍ଚଳରେ ଶୀତଋତୁର ପ୍ରାରମ୍ଭ କିମ୍ବା ମଧ୍ୟଭାଗରେ ଆଖୁପେଷା ଆରମ୍ଭ କଲେ ଉପର ବର୍ଣ୍ଣିତ ପୋକ ଙ୍କୁ ବିନାଶ କରିହୁଏ । ଏହା ଫଳରେ ମଧ୍ୟ ଜାହାଜ ପୋକ ଓ ଧଳାମାଛିର ଆକ୍ରମଣର ଭୟ ଦୂର ହୁଏ ।
ସଂଗୃହିତ – ଡ. ବିଷ୍ଣୁଚରଣ ଜେନା
Last Modified : 2/10/2020