ଆଳୁ ଫସଲର ସର୍ବତ୍ର ଚାହିଦା ଥିବାରୁ ଆମ ରାଜ୍ୟରେ ସାଧାରଣତଃ ୬୦,୦୦୦ ହେକ୍ଟର ଜମିରେ ଚାଷ ହୋଇଥାଏ । ତେବେ ବୌଦ୍ଧ ଜିଲାରେ ଆଳୁଚାଷ ଆଶାନୁରୂପକ ଭାବେ କରାଯାଉଛି । ଆଳୁ ଫସଲରେ ଅନେକଗୁଡିଏ ରୋଗ ପୋକ ପ୍ରାଦୁର୍ଭାବ ପରିଲକ୍ଷିତ ହେଉଥିଲେ ମଧ୍ୟ ଏହାର ଉଛୁର ପତ୍ରପୋଡା ରୋଗ ଅନେକାଂଶରେ ଅମଳକୁ ପ୍ରଭାବିତ କରିଥାଏ ।
ଏଣୁ ଆଳୁ ଫସଲରୁ ଆଖୁଦୃଶିଆ ଅମଳ ପାଇବାକୁ ହେଲେ ଏହି ପତ୍ରପୋଡା ରୋଗର କାରଣ, ଲକ୍ଷଣ ଓ ନିରାକରଣ ଉପରେ ଗୁରୁତ୍ଵ ଦେବାକୁ ପଡିବ । ଅତଏବ ଚାଷୀ ଭାଇ ତଥା ଆଳୁ ଚାଷୀଙ୍କ ଅବଗତ ନିମନ୍ତେ ଏହି ରୋଗ ବିଷୟରେ ନିମ୍ନରେ କେତେକ ଆବଶ୍ୟକ ତଥ୍ୟ ସମ୍ପର୍କରେ ସୂଚିତ କରାଯାଉଛି ।
ସାଧାରଣତଃ ଆଳୁର ଉଛୁର ପତ୍ରପୋଡା ରୋଗ ମଧ୍ୟ ବିଳମ୍ବ ପତ୍ରପୋଡା ରୋଗ ରୂପେ ପରିଚିତ, ଯାହାକି ଫାଇଟୋଥ୍ୱାରା ଇନ୍ଫେଷ୍ଟନସ୍ ନାମକ ଏକ କବକ ଦ୍ଵାରା ହୋଇଥାଏ । ଯାହାକି ପୂର୍ବବର୍ତ୍ତୀ ଫସଲ , ଜମି ଓ ଆଳୁ, କନ୍ଦର ଠିକ୍ ବିଶୋଧନ ନ କରିବା ତଥା ସଂରକ୍ଷିତ ଶୀତଳ ଗୃହରୁ ଆସୁଥିବା ଆଳୁରେ ବିଶେଷଭାବେ ସଂକ୍ରମିତ ହୋଇଥାଏ ଓ ଏହି ସଂକ୍ରମିତ ଆଳୁ ବିଶୋଧନ ନ କରି ଲଗାଇବା ଦ୍ଵାରା ପ୍ରଥମେ ଆଳୁର ଗଜା ତଥା ପରବର୍ତ୍ତୀ ସମୟରେ ଗଛକୁ ଗଛ ବ୍ୟାପିଥାଏ । ଏହି ରୋଗ ମଧ୍ୟ ପବନ ଦ୍ଵାରା ବାହିତ ହୋଇ ପତ୍ର, କାଣ୍ଡ ଓ କନ୍ଦରେ ଦେଖାଯାଇଥାଏ । ଏହି ରୋଗର ଲକ୍ଷଣ ସର୍ବପ୍ରଥମେ ଗଛର ତଳ ପତ୍ରରେ ବାଦାମୀ ତଥା ପାଣି ଫୋଟକା ଦାଗ ହୋଇ ପତ୍ରର ଧାର ଆଡକୁ ଅଗ୍ରସର ହୋଇଥାଏ । ରୋଗର ମାତ୍ରା ଅଧିକ ହେଲେ ପତ୍ରଗୁଡିକ ବାଦାମୀ କଳା ତଥା କଳଙ୍କିଯୁକ୍ତ ହୋଇ ପତ୍ରଗୁଡିକ କଣା ଓ ଜାଲି ହୋଇଯାଏ । ଏହି ସମୟରେ ଉକ୍ତ ରୋଗର କବକ ପତ୍ରର ତଳ ପାର୍ଶ୍ଵରେ ସକାଳ ସମୟରେ ପରିଲକ୍ଷିତ ହୋଇଥାଏ । ରୋଗ ଥରେ ଦେଖାଦେଲେ କ୍ରମଶଃ ଏକ ସପ୍ତାହ ମଧ୍ୟରେ ମାତ୍ରାଧିକ ହୋଇ ବିବର୍ଣ୍ଣ ସହିତ ପଚାଗନ୍ଧ କରିବା ସହ ପତ୍ରଧାର ଓ ଶୀର୍ଷଗୁଡିକ ଯୋଡି ହେବା, ଝାଉଁଳିବା ଓ ସାମାନ୍ୟ ଆଘାତରେ ଝଡିଥାଏ । ଏହା ସାଧାରଣତଃ ଶୀତର ପ୍ରକୋପ ସହିତ ବିଶେଷକରି ଅଧିକ କୁହୁଡି, କାକର ତଥା ଆଫ୍ରିତାରେ ବଢିଥାଏ । ଆକଳନରୁ ଜଣାଯାଇଛି ୧୬-୧୮ ଡିଗ୍ରୀ ପାରଦ ତଥା ୮୫ରୁ ୯୦ ଭାଗ ଆର୍ଦ୍ରତା ସହିତ ମେଘୁଆ ଥଣ୍ଡା ତଥା କାକର ପାଗ ଏହି ରୋଗକୁ ପ୍ରଶ୍ରୟ ଦେଇଥାଏ । ଯଦି ଏହି ପ୍ରକାର ଜଳବାୟୁ ଅନୁଭୂତ ହୁଏ ତେବେ ସମୁଚିତ ଆଗୁଆ ପଦକ୍ଷେପ ଓ ନିରାକରଣ ଜରୁରୀ । ନଚେତ୍ ସମଗ୍ର ଗଛ ଆକ୍ରାନ୍ତ ହେବା ସହିତ କନ୍ଦ ଉପରେ ମଧ୍ୟ କ୍ଷତିକାରକ ପ୍ରଭାବ ପଡ଼ିଥାଏ । ଯେପରିକି କନ୍ଦ ଶୁଖିବା ସହିତ ଅନେକ ମାତ୍ରାରେ ପଚିଯାଏ ଏବଂ ବଜାର ଚାହିଦା କମିବା ସହିତ ଅମଳ ଯଥେଷ୍ଟ କମିଯାଏ ।
ଅତଏବ ଏହି ରୋଗର ସଫଳ ନିରାକରଣ ଓ ପରିଚାଳନା ପାଇଁ ସଦାସର୍ବଦା ରୋଗମୁକ୍ତ କାଣ୍ଡକନ୍ଦକୁ ବିହନ ରୂପେ ବ୍ୟବହାର କରନ୍ତୁ । ଯଦି ସଂକ୍ରମଣ ଅଧିକ ହୋଇଥାଏ ତେବେ ଏଗୁଡିକୁ ବିହନ ରୂପେ ବ୍ୟବହାର ନ କରି ଗଭୀର ମାଟିରେ ପୋତିଦିଅନ୍ତୁ ନଚେତ୍ ଭଲଭାବେ ବିଶୋଧିତ କରି ଜମିରେ ଲଗାନ୍ତୁ । ଏପରିକି କନ୍ଦ, ଲଗାଇବାର ୩୦ ଦିନ ମଧ୍ୟରେ ମାଟିକୁ ହୁଡା ଟେକି ଦିଅନ୍ତୁ ନଚେତ୍ ପବନ ଦ୍ଵାରା ଏହି ରୋଗ ସଂକ୍ରମିତ ହେବାର ଯଥେଷ୍ଟ ଆଶଙ୍କା ରହିଛି । ଏହା ବ୍ୟତୀତ ସଂକ୍ରମିତ ଗଛର ପତ୍ରଗୁଡିକୁ ଯଥାସମ୍ଭବ ଛିଣ୍ଡାଇ ଦିଅନ୍ତୁ । ଏପରିକି କୋହଲା, ମେଘୁଆ ଥଣ୍ଡା ପାଗରେ ଜଳସେଚନ ଅପେକ୍ଷା ଜଳ ନିଷ୍କାସନ ଓ ନିୟନ୍ତ୍ରଣ ପ୍ରତି ସବିଶେଷ ଧ୍ୟାନ ଦିଅନ୍ତୁ ।
ସହନଶୀଳ କିସମ ମଧ୍ୟରେ କୁଫ୍ରିଜ୍ୟୋତି, କୁଫ୍ରି ମଲ୍ଲାର, କୁଫ୍ରି ଥଙ୍ଗମ, କୁଫ୍ରି ଅରୁଣା ଓ କୁଫ୍ରି ପୁଖରାନ ଆଦି କିସମ ଚାଷ କଲେ ଏହି ପତ୍ରପୋଡା ରୋଗ ନିୟନ୍ତ୍ରିତ ହୋଇଥାଏ । କିନ୍ତୁ ରାସାୟନିକ ନିରାକରଣ ପଦକ୍ଷେପ ଅଧିକ ଫଳପ୍ରଦ ଓ ସଫଳ ପ୍ରକ୍ରିୟା ହୋଇଥିବାରୁ ଲଗାଇବାର ୬୦ ଦିନ ପରେ ମାଙ୍କୋଜେବ କିମ୍ବା କ୍ଳୋରଥାଲୋନିଲ ଲିଟର ପ୍ରତି ୨ ଗ୍ରାମ ୧୦ ଦିନ ବ୍ୟବଧାନରେ ଅନ୍ତତଃ ୨ ଥର ପ୍ରୟୋଗ କରନ୍ତୁ । ଏତଦ୍ବ୍ୟତୀତ ବିକଳ୍ପ କବକମାରୀ ହିସାବରେ ଇଣ୍ଡୋଫିଲ ଏମ-୪୫ କିମ୍ବା କପର ଅକ୍ସି କ୍ଲୋରାଇଡ ଏକର ପ୍ରତି ୬୦୦ରୁ ୮୦୦ ଗ୍ରାମ ବ୍ୟବହାର କରାଯାଇପାରେ । ଯଦି ଫସଲ ବିଳମ୍ବରେ ଲଗା ଯାଇଥାଏ ଓ ପୂର୍ବବର୍ତ୍ତୀ ଫସଲରୁ ସଂକ୍ରମଣ ହେବାର ଆଶଙ୍କା ଥାଏ ତେବେ ରିଡୋମିଲ ଗୋଲ୍ଡ କିମ୍ବା କରୁଜେଟ୍ କିମ୍ବା ଆଣ୍ଟାକୋଲ କିମ୍ବା କବଚ ନାମକ ଯେକୌଣସି କବକମାରୀ ଏକର ପ୍ରତି ୬୦୦ ଗ୍ରାମ ସହିତ ଷ୍ଟ୍ରେପଟ୍ଲୋସାଇକ୍ଲିନ୍ ୩୦ ଗ୍ରାମ ପ୍ରୟୋଗ କଲେ ଅଧିକ ସୁଫଳ ମିଳିଥାଏ ।
ଅତଏବ ଆଳୁ ଏକ ମୁଖ୍ୟ ଫସଲ ନୁହେଁ ବରଂ ଏକ ପ୍ରମୁଖ ଅର୍ଥକରୀ ଫସଲ ରୂପେ କ୍ରମଶଃ ଖ୍ୟାତିଲାଭ କରୁଥିବାରୁ ଏହାର ସମସ୍ତ ରୋଗପୋକ ସର୍ବେକ୍ଷଣ, ଲକ୍ଷଣ, ପ୍ରତିକାର ଓ ନିରାକରଣ ବ୍ୟବସ୍ଥା ମଧ୍ୟ ସୂଚନା ଓ ତଥ୍ୟ ପରାମର୍ଶ ମାଧ୍ୟମରେ ବିଶେଷଜ୍ଞଙ୍କଠାରୁ ସଠିକ୍ ସମୟରେ ମିଳିପାରୁଛି । ଏଣୁ ଯଥା ସମୟରେ ଏହି ଫସଲକୁ ସୁରକ୍ଷା ଦିଆଯାଇପାରିଲେ ଆଶାନୁରୂପକ ଅମଳ ମିଳିବା ସହିତ ଚାଷୀଭାଇ ବି ଲାଭବାନ୍ ହୋଇପାରିବେ ।
ଆଧାର - କୃଷି ବିଜ୍ଞାନ କେନ୍ଦ୍ର (ପଲଝର) ବୌଦ୍ଧ,
Last Modified : 3/26/2020