অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଘରୋଇ ବ୍ୟବସ୍ଥାରେ ଅନିଷ୍ଟକାରୀ କୀଟ ଦମନ

ଘରୋଇ ବ୍ୟବସ୍ଥାରେ ଅନିଷ୍ଟକାରୀ କୀଟ ଦମନ

ପନିପରିବା ଫସଲ ର ସଂରକ୍ଷଣ¨

ପନିପରିବା ଫସଲରେ, ତାଳି ଗଛ ଛୋଟ ଥିବା ସମୟରେ ୧୫୦ ମି.ଲି ଲେମ୍ବୁ ରସ ଏବଂ ୧୮୦ ମି.ଲି. ତେନ୍ତୁଳୀ ରସ ସିଞ୍ଚନ କରିବା ଦ୍ଵାରା ଏହା ସଂବାଳୁଆ ଜାତୀୟ ପୋକମାନଙ୍କଠାରୁ ସୁରକ୍ଷିତ ରୁହେ  ।

¨      ପନିପରିବା ବିହନଗୁଡିକୁ ୧୦ରୁ ୧୫ ମିନିଟ ଗୋମୂତ୍ର ମିଶ୍ରଣରେ (୧ ଲିଟର ଗାଈମୂତରେ ୧୦ ଲିଟର ପାଣି) ଭିଜାଇ ତା’ପରେ ମାଟିରେ ଲଗାଇଲେ ତଳିଗୁଡିକ ବହୁ ରୋଗ ଓ ପୋକ ଆକ୍ରମଣରୁ ଦୂରେଇ ରୁହନ୍ତି  ।

¨      ତାଳି ରୋଇବାର ଏକମାସ ପୂର୍ବରୁ ୧ କେ.ଜି. ଅରଖ ପତ୍ରରୁ ରସ ବାହାର କରି ସେଥିରେ ୫ ଲିଟର ପାଣି ମିଶାଇ ମିଶ୍ରଣ ପ୍ରସ୍ତୁତ କରି ରଖନ୍ତୁ  । ତଳି ଗଛରେ ୩-୫ ପତ୍ର ଧରିଲେ, ପ୍ରସ୍ତୁତ ହୋଇଥିବା ମିଶ୍ରଣକୁ ଭଲଭାବରେ ଛାଣି ୧୦ ଲିଟର ପାଣିରେ ମିଶାଇ ସିଞ୍ଚନ କଲେ ପତ୍ରଖିଆ ପୋକ ଗଛରୁ ଦୂରେଇ ରୁହନ୍ତି  ।

¨      ୧୦୦ ଗ୍ରାମ୍ ଳିମ୍ବ ପତ୍ରରୁ ରସ ବାହାର କରି ଏହାକୁ ୧ ଲିଟର ପାଣିରେ ମିଶାଇ ସିଞ୍ଚନ କରିବା ଦ୍ଵାରା ଗଛ ବିଭିନ୍ନ ପତ୍ରକଟା ଏବଂ ରସଶୋଷକ କୀଟମାନଙ୍କଠାରୁ ବଞ୍ଚିତ ରୁହେ  । ଏହାଦ୍ଵାରା ପନିପରିବାର ପତ୍ରମୋଡା ରୋଗ ମଧ୍ୟ ଦୂର ହୁଏ  ।

¨      ୧ ଲିଟର ପାଣିରେ ୧୦୦ ଗ୍ରାମ୍ ତୁଳସୀପତ୍ରର ରସ ସହ ୨ ମି.ଲି. ସାବୁନ ପାଣି ମିଶାଇ ପନିପରିବା ଏବଂ ଫୁଲଗଛ ଇତ୍ୟାଦିରେ ସ୍ପ୍ରେ କରିଲେ ଅନେକ କୀଟ ଦୂରେଇ ଯାଆନ୍ତି  । ଏହି ମିଶ୍ରଣକୁ ଘରର କୋଣମାନଙ୍କରେ ସ୍ପ୍ରେ କରିବା ଦ୍ଵାରା ଅସରପା ଏବଂ ମଶା – ମାଛିଙ୍କ ପ୍ରାଦୁର୍ଭାବ କମିଯାଏ  ।

¨      ୪ କେ.ଜି ଅରଖ ପତ୍ରକୁ ଛେଚି ୧୦-୧୨ ଲିଟର ପାଣିରେ ୨୪ ଘଣ୍ଟା ଭିଜାଇ ରଖି ତାହାକୁ ଛାଣି ଉଇ ଲାଗିଥିବା ସ୍ଥାନରେ ସ୍ପ୍ରେ କଲେ ଉଇ ସେହି ସ୍ଥାନ ଛାଡି ଚାଲିଯାଆନ୍ତି  । ଏହାଛଡା ନିମ୍ବ ତେଲ ଏବଂ ଲେମ୍ବୁ ବା କମଳା ତେଲ ମଧ୍ୟ ଉଇଙ୍କ ଲାଗି ଅତ୍ୟନ୍ତ ହାନିକାରକ  । ଉଇ ଲାଗୁଥିବା କାଠ ବା କାଠ ତିଆରି ଉପକରଣ ସବୁକୁ ନିମ୍ବ ବା କମଳା ତେଲରେ ଲେପ ଦେବା ଦ୍ଵାରା ଏଗୁଡିକ ଉଇ ଆକ୍ରମଣରୁ ଏବଂ ଉଇ ଅଣ୍ଡା ଦେବାରୁ ଦୂରରେ ରୁହନ୍ତି  ।

¨      ଖରାଦିନେ ବାଡି ବଗିଚାରେ ଲାଗିଥିବା ମନ୍ଦାର, ଟଗର, ଗୋଲାପ ଭେଣ୍ଡି, ବାଇଗଣ, ଆମ୍ବ, ପିଜୁଳି ଆଦି ଗଛରେ ବହୁ ପରିମାଣରେ ଦହିଆ ପୋକ ଲାଗିରୁହନ୍ତି  ଏବଂ ଗଛରୁ ରସ ଶୋଷି ନିଅନ୍ତି  । ଦହିଆ ପୋକଙ୍କ ନିୟନ୍ତ୍ରଣ ଲାଗି ଲୁଗାସଫା ସର୍ଫ କିମ୍ବା ସାବୁନକୁ ପାଣିରେ ଭଲଭାବେ ମିଶାଇ ଘୋଳ ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ଦହିଆ ପୋକଙ୍କ ଉପରେ ସ୍ପ୍ରେ କରନ୍ତୁ  । ତା’ପରଦିନ ପାଇପ ଦ୍ଵାରା ଜୋରରେ ପାଣି ସ୍ପ୍ରେ କଲେ ଏହି ପୋକସବୁ ଗଛରୁ ସମ୍ପୂର୍ଣ୍ଣ ରୂପେ ଖସିଯାଆନ୍ତି  ।

¨      ଘରେ ଅସରପାଙ୍କ ପ୍ରାଦୁର୍ଭାବ କମ୍ କରିବା ଲାଗି ଦୁଇ ଚାମଚ ଚିନିଗୁଣ୍ଡ ସହ ଦୁଇ ଚାମଚ ଖାଇବା ସୋଡା ଭଲଭାବେ ମିଶାଇ ଅତ୍ୟଧିକ ଅସରପା ଦେଖାଯାଉଥିବା ସ୍ଥାନରେ ବିଞ୍ଚିଦିଅନ୍ତୁ  । ଚିନି ଅସରପାଙ୍କୁ ଆକ୍ରୁଷ୍ଟ କରେ ଏବଂ ଖାଇବା ସୋଡା ବାରମ୍ବାର ଖାଇବା ଦ୍ଵାରା ଅସରପା ମୃତ୍ୟୁବରଣ କରନ୍ତି  ।

¨      ବର୍ଷାଦିନେ ପାଣି ଜମି ରହୁଥିବା ଜାଗାଗୁଡିକ ମଶାମାନଙ୍କ ପ୍ରାଜନନର ଉତ୍କୃଷ୍ଟ ସ୍ଥାନ ପାଲଟିଯାଏ  । ତେଣୁ ପ୍ରତି ୫ରୁ ୭ ଦିନ ଅନ୍ତରାଳରେ ଏହି ସ୍ଥାନଗୁଡିକରେ କିଛି ବୁନ୍ଦା କିରୋସିନ ବା ଅଳ୍ପ ପରିମାଣର ଲୁଣ ପକେଇବା ଦ୍ଵାରା ସେଠାରେ ମଶାମାନେ ଅଣ୍ଡା ଦିଅନ୍ତି ନାହିଁ  । ଏହାଛଡା କଫି ଗଛର ଫଳ ଏବଂ ନିମ୍ବ ଫଳକୁ ଭଲଭାବେ ଶୁଖାଇ ଗୁଣ୍ଡକରି ସମାନ ଭାଗରେ ମିଶାଇ ଏଥିରେ ଥିବା ମଶାର ଲାର୍ଭା ନଷ୍ଟ ହୋଇଯାନ୍ତି  ।

ଘରେ  ଅନିଷ୍ଟକାରୀ କୀଟ ଦମନ

¾    ଘର ଭିତରେ ମଶା ଦାଉରୁ ରକ୍ଷା ପାଇବା ଲାଗି ନିମ୍ବତେଲ ଏବଂ କର୍ପୁର ଦ୍ଵାରା ପ୍ରସ୍ତୁତ ମିଶ୍ରଣକୁ (୧ କପ୍ ତାଜା ପ୍ରସ୍ତୁତ ନିମ୍ବ ତେଲ ଓ ୩-୪ଟି କର୍ପୁର ଗୁଣ୍ଡ) ଦୀପରେ ଢାଳି ଜଳେଇବା ଦ୍ଵାରା କିମ୍ବା ଇଲେକ୍ଟ୍ରିକ ମଶାମରା ଯନ୍ତ୍ରର ଡବାରେ ଭାରି ବ୍ୟବହାର କରିବା ଦ୍ଵାରା ମଶା ଦୂରେଇ ରୁହନ୍ତି  ।

¾    ଘରେ ଅନ୍ଧାରୁଆ ଜାଗା ବାକ୍ସ ଓ ବହି ଠାକମାନଙ୍କରେ ଗନ୍ଧକର୍ପୁର ବଲ ରଖିବା ଦ୍ଵାରା ଅସରପା, ବହି କାଟୁଥିବା ରୂପା ବର୍ଣ୍ଣର କୀଟ (ସିଲ୍ଭର ଫିସ୍) ଏବଂ ମୂଷା ସେହି ଜାଗାରୁ ଦୂରରେ ରୁହନ୍ତି  ।

¾    ଘରେ ମାଛି ନିବାରଣ ଲାଗି ଅଧିକ ମାଛି ହେଉଥିବା ଜାଗାଗୁଡିକୁ ଶୁଖିଲା ଅଦାଗୁଣ୍ଡ କିମ୍ବା ଲବଙ୍ଗଗୁଣ୍ଡକୁ ୪ରୁ ୫କପ୍ ପାଣିରେ ମିଶାଇ, ଛାଣି ସେହି ପାଣିକୁଆ ସ୍ପ୍ରେ କରିବା ଦ୍ଵାରା ମାଛିମାନେ ସେହି ସ୍ଥାନରୁ ଦୂରେଇଯାନ୍ତି  । ୬ରୁ ୮ଟି ଲବଙ୍ଗର ପଛପାଖକୁ ସାମାନ୍ୟ ଛେଚି ଗୋଟିଏ ବଡ ଲେମ୍ବୁକୁ ମଝିରୁ କାଟି ସେଥିରେ ଲବଙ୍ଗଗୁଡିକୁ ପୋତିକରି ଘରର ପ୍ରବେଶ ଦ୍ଵାର ଓ ପ୍ରତି କୋଣରେ ରଖିଲେ ଘର ସୁଗନ୍ଧିତ ରହିବା ସଙ୍ଗେ ସଙ୍ଗେ ମାଛିମାନେ ଦୂରେଇ ରୁହନ୍ତି  ।

¾    ଘରର ପ୍ରବେଶ ବାଟ ଏବଂ ଚତୁଃପାର୍ଶ୍ଵରେ ତୁଳସୀ ଗଛ ଲଗେଇବା ଦ୍ଵାରା ଘରେ ମାଛିମାନଙ୍କ ସଂଖ୍ୟା ବହୁମାତ୍ରାରେ କମ୍ ରୁହେ  । ଏହାଛଡା ଛୋଟ ସରୁ କନା କିମ୍ବା ତୁଳାକୁ ୟୁକାଲିପଟାସ ତେଲରେ ବୁଡାଇ ଘରର ଝରକା ବା ପବନ ଆସୁଥିବା ବାଟରେ ଓହଳାଇଲେ ଘର ଭିତରକୁ ମାଛିମାନେ ପ୍ରବେଶ କରନ୍ତି ନାହିଁ  ।

¾    ଘରେ ବୁଢିଆଣୀଙ୍କ ପ୍ରାଦୁର୍ଭାବ କମ୍ କରିବା ଲାଗି ଏକ ଲିଟର ପାଣିରେ ୨ରୁ ୩ ଚାମଚ ରସୁଣ ରସ କିମ୍ବା ୧ ଚାମଚ ବାସନ ସଫା ଲିକୁଇଡ ବା ଅଧାଚାମଚ ସର୍ଫ କିମ୍ବା ଗୋଟେ କପ୍ ଭିନେଗାର କିମ୍ବା ୨ରୁ ୩ ଚାମଚ ଲୁଣ କିମ୍ବା ଅଧା ଚାମଚ ସିଟ୍ରୋନେଲା ବା କମଳା ତେଲ ଭଲଭାବେ ମିଶାଇ ବୁଢିଆଣୀ ରହୁଥିବା ସ୍ଥାନମାନଙ୍କରେ ପ୍ରତି ୧୦ରୁ ୧୫ ଦିନ ଅନ୍ତରାଳରେ ଥରେ ଲେଖାଏଁ ସ୍ପ୍ରେ କଲେ ବୁଢିଆଣୀଜନିତ ଅସୁବିଧା ସମ୍ପୂର୍ଣ୍ଣ ରୂପେ ଦୂର ହୁଏ  ।

¾    ଏକ ଚାମଚ ଗୋଲମରିଚ ଗୁଣ୍ଡ, ଲବଙ୍ଗ ଗୁଣ୍ଡ କିମ୍ବା ହଳଦୀ ଗୁଣ୍ଡକୁ ଅଧାଲିଟର ପାଣିରେ ଭଲଭାବେ ମିଶାଇ କିଛି ସମୟ ପରେ ତାହାକୁ ଛାଣି ଘରର ପ୍ରବେଶ ସ୍ଥାନ, କବାଟ, ଖଟ ତଳ ଏବଂ ଘରର କୋଣମାନଙ୍କରେ ସ୍ପ୍ରେ କରିବା ଦ୍ଵାରା ଘରେ ବୁଢିଆଣୀ ତଥା ଝିଟିପିଟି ସଂଖ୍ୟା ବହୁ ପରିମାଣରେ କମ୍ ରୁହେ  ।

ସଂଗୃହୀତ – ସନ୍ଦୀପ କୁମାର ସାଥୁଆ

Last Modified : 12/30/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate