ବର୍ତ୍ତମାନ ଆମ ରାଜ୍ୟର ବିଭିନ୍ନ ଜିଲାରେ ଚକଡ଼ା / ମାଟିଆ ଗୁଣ୍ଡି ପୋକର ପ୍ରାଦୁର୍ଭାବରୁ ଧାନ ଫସଲର ବିଶେଷ କ୍ଷତି ହୋଇଛି । ଏହାକୁ କେନ୍ଦ୍ରକରି କେତେକ ଜମିରେ ଚାଷୀ ନିଆଁ ଲଗାଇ ଦେଇଥିବାଭଳି ଘଟଣାମାନ ଘଟିଛି । ତେବେ ଏହି ପୋକର ପରିଚାଳନା ସମ୍ପର୍କରେ ସୂଚନା ଦିଆଯାଉଛି ।
ଧାନ ଫସଲରେ ବିଭିନ୍ନ ସମୟ ବା ଅବସ୍ଥାରେ ଅନେକ ପୋକ, ରୋଗ ଦେଖାଦେଇଥାଏ । ପରିବର୍ତ୍ତିତ ପାଣିପାଗ ଯୁକ୍ତ ଅନିୟମିତ ବୃଷ୍ଟିପାତ, ଉତ୍ତାପ ବୃଦ୍ଧି ରୋଗରେ ପାକ, ସମସ୍ୟାକୁ ଅଧିକ ଜଟିଳ କରୁଛି। ଧାନ ଫସଲର ପୋକ ମଧ୍ୟରୁ ମାଟିଆ ଗୁଣ୍ଡି ପୋକ(ବି.ପି.ଏଚ୍.) ଏକ ମୁଖ୍ୟ ପୋକ ଭାବେ ବିବେଚିତ ହୋଇଥାଏ । ଆମ ରାଜ୍ୟର ଅନେକ ଜିଲା ବିଶେଷ କରି ପଶ୍ଚିମାଞ୍ଚଳ ଜିଲା ଗୁଡିକରେ ‘ଚକଡା ପୋକ ବୋଲି କହିଥାନ୍ତି । ସ୍ଥାନୀୟ ଭାଷାରେ ଏହାକୁ କେତେକ ‘ଢଉ ପୋକ ବୋଲି ମଧ୍ୟ କହିଥାନ୍ତି।
ଏହି ପୋକର ଉଭୟ ଅର୍ଭକ ଓ ପୂର୍ଣ୍ଣାଙ୍ଗ ଅବସ୍ଥାରେ ଧାନଗଛ ମୂଳରୁ ଅଧିକ ରସ ଶୋଷି ନେଇଥାଏ । ଫଳତଃ ଗଛ ସବୁ ଶୁଖିଯାଏ ଓ ପୋଡିଲା ପରି ଦେଖାଯାଏ । ଗଛ ପ୍ରଥମେ ହଳଦିଆ ପଡିଯାଏ ଓ ପରେ ପରେ ଶୁଖିଯାଏ । ବାହାରୁ ଦେଖିଲେ ଧାନ ଜମିରେ ମନ୍ଦା ମନ୍ଦା ହୋଇପୋଡି ଯାଇଥିବାର ଦେଖାଯାଏ । କ୍ରମେ କ୍ରମେ ପୁରା ଜମିଟା ଜଳିଲା ପରି ଲାଗିଥାଏ । ସେଥିଲାଗି ଏହାକୁ ‘ହ’ପର ବର୍ନ ବା 'ଗୁଣ୍ଡି ଜ୍ଵଳନ ମଧ୍ୟ କୁହାଯାଏ । ଏହି ପୋକ ଲାଗିଲେ ତାହାର ଶରୀରରୁ ନିର୍ଗତ ରସ କାଣ୍ଡରେ ଲାଗିଯାଇ କଳା ଫିମ୍ପି ମାରିଯାଏ । ଆକ୍ରାନ୍ତ ଧାନ ଗଛର କେଣ୍ଡାରେ ଥିବା ଧାନ ଅଗାଡି ହୋଇ ଗଛ ସବୁ ଶୁଖିଯାଏ । ଏହା ଫସଲର ପ୍ରଭୃତି କ୍ଷତି ମଧ୍ୟ ଘଟାଇଥାଏ । ନିରାକରଣ ବ୍ୟବସ୍ଥାକୁ ନିଆ ନ ଗଲେ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଥାଆନ୍ତି ।
ଏହି ପୋକଗୁଡିକ ଗହଳିଆ ଧାନ ବୁଦା ଗୁଡିକର ଧାନମୂଳ ନିକଟରେ ଜଳକୁ ଲାଗି ବହୁ ସଂଖ୍ୟାରେ ମେଞ୍ଚା ମେଞ୍ଚା ହୋଇ ରହିଥାନ୍ତି। ପୂର୍ଣ୍ଣାଙ୍ଗ ପୋକ ବାଦାମୀ ରଙ୍ଗର। ଲମ୍ବା ଡେଣା ଯୁକ୍ତ ପୋକ ଧାନ ଗଛର ମୂଳ ନିକଟରେ ଲାଗି ରହନ୍ତି । ଧାନଗଛକୁ ହଲାଇ ଦେଲେ ତାହାର ମୂଳରେ ମାଟିଆ ରଙ୍ଗର ଗଛ ଡିଆଁ ପୋକ ସହଜରେ ଜଣାପଡେ I ଏମାନେ ମେଞ୍ଚା ମେଞ୍ଚା ହୋଇ ରହିବାକୁ ପସନ୍ଦ କରିଥାନ୍ତି ।
ବର୍ଷା ଲାଗି ରହିବା ଓ ଫସଲର ବୃଦ୍ଧି ଯଥେଷ୍ଟ ହୋଇଥିବା ହେତୁ କୃଷକମାନେ ବେଶ୍ ଉତ୍ସାହିତ ହୋଇ ଯବକ୍ଷାରଜାନ ସାର ଯଥେଷ୍ଟ ମାତ୍ରାରେ ପ୍ରୟୋଗ ମଧ୍ୟ କରିଥିଲେ। ବିଭିନ୍ନ କାରଣରୁ ଅଧିକ ଆପେକ୍ଷିକ ଆର୍ଦ୍ରତା ଓ ଉତ୍ତାପ ରହିଥିବା ବାତାବରଣ ଏହି ପୋକ ପାଇଁ ବେଶ୍ ଅନୁକୂଳ ହୋଇ ସେଗୁଡିକର ବଂଶ ବୃଦ୍ଧି ଘଟାଇଛି ।
ଏହି ପୋକର ପ୍ରାଦୁର୍ଭାବ ରୋଇବାଠାରୁ ଧାନର ପିଲା ଆସିବା କିମ୍ବା ଫସଲର ବୃଦ୍ଧି ଅଥବା ଗର୍ଭାବସ୍ଥାଠାରୁ ମା' ପତ୍ର ବାହାରିବା କିମ୍ବା ଫୁଲ ଉଡାଇବା ପରେ ପରେ ହୋଇଥାଏ । ଆର୍ଥିକ ଦେହଳୀ ସୀମା ବୁଦା ପ୍ରତି ୫ ରୁ ୧୦ଟି ପୋକ ଓ ତା'ଠାରୁ ଅଧିକ ସଂଖ୍ୟାରେ ପୋକ ଦେଖାଗଲେ ନିଶ୍ଚିତ ରୂପେ ବିଭିନ୍ନ ପରିଚାଳନା ବ୍ୟବସ୍ଥା ଗ୍ରହଣ କରି ଫସଲକୁ ସୁରକ୍ଷା ଦେବା ପ୍ରୟୋଜନ ।
ମୁଖ୍ୟ ପରିଚାଳନା ବ୍ୟବସ୍ଥାଗୁଡିକ ହେଲା - ମାଟିଆ ଗୁଣ୍ଡି ପୋକ ଆକ୍ରାନ୍ତ ଫସଲରେ ଯବକ୍ଷାରଜାନ ଜାତୀୟ ସାର ପ୍ରୟୋଗ ନ କରିବା ଦରକାର । ପୂର୍ବପଶ୍ଚିମ ଦିଗରେ ପ୍ରତି ୧୦ ଧାଡିରେ କିମ୍ବା ପ୍ରତି ୩ ଫୁଟରେ ପାହି ଭାଙ୍ଗି ଦିଆଯିବା ଆବଶ୍ୟକ । ଯଦ୍ଵାରା ବାୟୁ ଚଳାଚଳ ଠିକ୍ ହୋଇ ସୂର୍ଯ୍ୟାଲୋକ ଯଥେଷ୍ଟ ପଡିପାରୁଥିବା ଜମିରୁ ପାଣି ନିଷ୍କାସନ କରିଦେଇ ପୁନର୍ବାର ୫-୬ ଦିନ ପରେ ପାଣି ଭରି ଦିଆଯାଇପାରେ । ଉପକାରୀ ପୋକ ଯଥା- ବୁଢିଆଣୀ, କଙ୍କି, ଇନ୍ଦ୍ରଗୋପୀ ଭୂଙ୍ଗ ପରି ସେମାନଙ୍କ ବଞ୍ଚିବା ନିମନ୍ତେ ଯତ୍ନବାନ ହେବା ପ୍ରୟୋଜନ । ଆର୍ଥିକ ଦେହଳୀ ସୀମା ଅତିକ୍ରମ କରିଥିଲେ। ନିମ୍ନ ଅନୁଯାୟୀ କୀଟନାଶକ ଔଷଧ ଅନୁମୋଦିତ। ମାତ୍ରା ଫସଲରେ ପ୍ରୟୋଗ କରିବା ଜରୁରୀ । ଏକର ପ୍ରତି ଇମିଡାକ୍ଲୋପ୍ରିଡ୍ ୩୦.୫%ଏସ୍.ସି.ର ୩୦ ଗ୍ରାମ/ ଇମିଡାକ୍ଲୋପ୍ରିଡ୍ ୭୦% ଡବ୍ଲ୍ୟୁ.ଜି.ର ୧୪ ଗ୍ରାମ/ଏସିଟାମିପ୍ରିତ ୨୦% ଏସ୍.ପି.ର ୪୦ ଗ୍ରାମ / ଏସିଫେଟ୍ ୯୫% ଏସ୍.ଜି.ର ୨୪୦ ଗ୍ରାମ/ ଥାୟୋମେଥୋକ୍ସାମ, ୨୫% ଡବ୍ଲ୍ୟୁ.ଜି.ର ୪୦ ଗ୍ରାମ/ବୁପ୍ରୋଫେଜିନ ୨୫%ଏସ୍.ସି.ର ୩୨୦ ମି.ଲି./ କ୍ଳୋଥିଆନିଡିନ ୫୦%, ଡବ୍ଲ ଡି.ଜି.ର ୧୦ ଗ୍ରାମ/ ଡାଇନୋଟିଫୁରନ ୧୦% ଏସ.ଜି.ର ୮୦ ଗ୍ରାମ/ ଫିଫ୍ରୋନିଲ ୫% ଏସ.ସି.ର ୬୦୦ ମି.ଲି, ଫ୍ଲୋନିକାମାଇଡ ୫୦% ଡବ୍ଲ ଜି.ର ୬୦ ଗ୍ରାମ ଅଥବା ଡାଇକ୍ଲୋରୋଭସ୍ ୭୬% ଇ.ସି.ର ୨୦୦ମିଲି ରାସାୟନିକ ଔଷଧକୁ ୨୦୦ ଲିଟର ପାଣିରେ ଭଲ ଭାବେ ଅଠା ବା ସାମ୍ପୋ ଟିକେ ସହ ଗୋଳାଇ ଗଛକୁ ସମ୍ପୂର୍ଣ୍ଣ ରୂପେ ଭିଜାଇଲା ପରି ସିଞ୍ଚନ କରିବା ଆବଶ୍ୟକ । ନଚେତ ପୋକ ମରିବେ ନାହିଁ । ଏକର ପ୍ରତି ୧୩ ଡ୍ରାମ (ଡ୍ରମ୍ ପ୍ରତି ୧୫ ଲିଟର) ପାଣି ସିଞ୍ଚନ କରନ୍ତୁ ।
ସକାଳ ବେଳା ବା ଅପରାହ୍ନରେ ଏହା ସିଞ୍ଚନ କରନ୍ତୁ । ଆବଶ୍ୟକ ହେଲେ ୭ ଦିନ ବ୍ୟବଧାନରେ ପୁନର୍ବାର ଅନ୍ୟ ଏକ କୀଟନାଶକର ଦ୍ରବଣ ସିଞ୍ଚନ କରାଯାଇପାରିବ । ପାୱାର / ଶକ୍ତି ଚାଳିତ ସିଞ୍ଚନ ଯନ୍ତ୍ର ବ୍ୟବହାର କରୁଥିଲେ ଏକର ପ୍ରତି ୯୦ ଲିଟର ବା ୬ ଡ୍ରମ (୧୫ ଲିଟର ବିଶିଷ୍ଟ) ପାଣି ସିଞ୍ଚନ କରାଯାଇପାରିବ । ଯେଉଁ କ୍ଷେତ୍ରରେ ମାଟିଆ ଗୁଣ୍ଡି ପୋକର ଆକ୍ରମଣ ପ୍ରାଥମିକ ଅବସ୍ଥାରେ ରହିଛି । ସେହି ଫସଲରେ ନିମ୍ବଜାତ ଔଷଧ ୫ ମି.ଲି. ଲିଟର ପ୍ରତି(୧ ଲିଟର ଔଷଧ ୨୯ ଲିଟର ପାଣି ପ୍ରତି) ଗୋଳାଇ ସିଞ୍ଚନ କରାଗଲେ ପୋକ ବଂଶ ବୃଦ୍ଧି ନ ଘଟି ପୋକ ଆକ୍ରମଣ ସୀମିତ ରହିପାରିବ । ଅଧିକ ବିବରଣୀ ପାଇଁ ନିକଟସ୍ଥ ସହକାରୀ କୃଷି ଅଧିକାରୀ ନଚେତ କୃଷି ବିଶେଷଜ୍ଞଙ୍କ ସହ କିମ୍ବା ୦୬୭୪ - ୭୫୩୦୬୫୩/ ନିଃଶୁଳ୍କ ନମ୍ବର ୧୮୦୦୧୮୦-୧୫୫୧କୁ ଯୋଗାଯୋଗ କରିପାରନ୍ତି ।
ସଂଗୃହିତ - ଡ. ପରେଶ କୁମାର ପଣ୍ଡା, ସହକାରୀ ବିହନ ପ୍ରମାଣନ ଅଧିକାରୀ, ଓସୋପକା, ଭୁବନେଶ୍ଵର,
Last Modified : 12/25/2019