অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଜୈବିକ ଉପାୟରେ ବିହନ ସଂରକ୍ଷଣ

ଜୈବିକ ଉପାୟରେ ବିହନ ସଂରକ୍ଷଣ

ଅଧିକ ଅମଳ ପାଇଁ ଉତ୍ତମ ବିହନ ହିଁ ମୂଳ ଆବଶ୍ୟକ । ଯେତେ ଖତସାର ପ୍ରୟୋଗ କଲେ ଯଦି ଉତ୍ତମମାନର ବିହନ ବ୍ୟବହାର କରିନାହାନ୍ତି ତେବେ ଗଛ ରୁଗଣ ତଥା ଅସୁସ୍ଥ ହେବା ସହ ଅମଳ ମଧ୍ୟ କମ୍ ଦେଇଥାଏ । ଏଣୁ କମ୍ ଖର୍ଚ୍ଚରେ ତଥା ଜୈବିକ ଉପାୟରେ ଧାନ ଓ ଡାଲି ବିହନ କିପରି ସଂରକ୍ଷଣ କରିବେ ସେ ବିଷୟରେ ଜାଣନ୍ତୁ ।

ବିହନ ସଂଗ୍ରହ ପ୍ରଣାଳୀ

ବିହନ ଉପଯୋଗୀ ଫସଲ ଅର୍ଥାତ ଯେ କୌଣସି କିସମର ଫସଲକୁ ବିହନ ରୂପେ ବ୍ୟବହାର କରନ୍ତୁ ନାହିଁ । କେବଳ ଉତ୍ତମମାନର ଫସଲରୁ ବିହନ ସଂଗ୍ରହ କରନ୍ତୁ । ସଂପୂର୍ଣ୍ଣ ପରିପକ୍ଵ ଅବସ୍ଥାରେ ଫସଲ ଅମଳ କରନ୍ତୁ ।

  • ଧ୍ୟାନ ରଖନ୍ତୁ ବିହନ ସୁସ୍ଥ ସବଳ ନିରୋଗ ହୋଇଥିବା ଆବଶ୍ୟକ । ଏଥିରେ କିଛି ଅଳିଆ, ଜୁଟା, କାଠି, ଗୋଡି ମାଟି ତଥା ଅନ୍ୟ କିସମ ବା ଅନ୍ୟ ବିହନ ମିଶିନଥିବା ଆବଶ୍ୟକ ତଥା ଘାସ ବା ବାଳୁଙ୍ଗା ବିହନ ନଥିବା ଆବଶ୍ୟକ । ବିହନର (ସବୁ ମଞ୍ଜିର) ରଙ୍ଗ ସମାନ ଦିଶୁଥିବା ତଥା ସବୁ ବିହନ ଏକା ହୋଇଥିବା ଆବଶ୍ୟକ । ବିହନ କୁ ଅଲଗା ଅମଳ କରନ୍ତୁ ନହେଲେ ଖଳାରେ ଥିବା ଅନ୍ୟାନ୍ୟ ଶସ୍ୟ ମିଶିଯାଇପାରେ ।
  • ସାଇତି ରଖିବା ପୂର୍ବରୁ ଶସ୍ୟକୁ ୩-୪ ଦିନ ଟାଣ ଖରାରେ ଓଲଟପାଲଟ କରି ଭଲଭାବରେ ସାଇତି ରଖିବା ଉଚିତ୍ ଯେପରିକି ଶସ୍ୟରେ ୧୦ ପ୍ରତିଶତ ଜଳୀୟ ଅଂଶ ରହିବା ଆବଶ୍ୟକ ।

ବିହନ ସାଇତା ପ୍ରଣାଳୀ

ଭଣ୍ଡାର ଘରକୁ ଅନ୍ୟ ଘର ଠାରୁ ଅଲଗା କରି ଘରରେ ଥିବା ଫାଟ ବନ୍ଦ କରନ୍ତୁ । ଶସ୍ୟ ରଖିବା ପାତ୍ରଗୁଡିକୁ ପରିଷ୍କାର କରି ଧୋଇ ଖରାରେ ଶୁଖାନ୍ତୁ । ବଡ଼ ଆକାରର ପାତ୍ରରେ କମ୍ ଶସ୍ୟ ରଖନ୍ତୁ ନାହିଁ । ବ୍ୟାଗ କିମ୍ବା ଅଖାରେ ବିହନ ରଖୁଥିଲେ ପୂର୍ବରୁ ଚିରା ଫଟା ଅଂଶ ସବୁକୁ ସିଲାଇ କରନ୍ତୁ । ବିହନ ବସ୍ତାକୁ ମାଟିରେ କିମ୍ବା କାନ୍ଥରେ ଲଗାଇ ରଖନ୍ତୁ ନାହିଁ । ଭାଡି କରି ରଖନ୍ତୁ । ଦୁଇ ଧାଡି ବସ୍ତା ମଝିରେ ଯଥେଷ୍ଟ ଫାଙ୍କ ରଖନ୍ତୁ । ଯଦି ଭାଡି କରିପାରିବେ ନାହିଁ ତେବେ ଯଥେଷ୍ଟ ପାଳକୁଟା ବା କାଠ ଉପରେ ବିହନ ବସ୍ତା ରଖନ୍ତୁ ଯେପରି ଏହା ଚଟାଣ ସଂସ୍ପର୍ଶରେ ଆସିବ ନାହିଁ । ବିହନକୁ ଓଲିଆ ବା ପୁଡ଼ୁଗରେ ସାଇତି ରଖିବା ଭଲ । ମୂଷାମାନଙ୍କ ଦାଉରୁ ରକ୍ଷା ପାଇବାକୁ ଭାଡିରେ ବରକୋଳି କଣ୍ଟା, ବେତ କଣ୍ଟା ରଖନ୍ତୁ । ଭାଡି ଖୁଣ୍ଟରେ ଜଡା ତେଲ କିମ୍ବା ପୋଡା ମୋବିଲ ବୋଳି ଦିଅନ୍ତୁ ।

ବିହନରେ ବେଗୁନିଆଁ ବା ନିର୍ଗୁଣ୍ଡି ପତ୍ର, ନିମ୍ବପତ୍ର ପ୍ରଭୃତି ମିଶାଇ ରଖନ୍ତୁ । ଏକ କ୍ଲିଣ୍ଟାଲ ଧାନ ବସ୍ତା ମଧ୍ୟରେ ୨୫ କି.ଗ୍ରା ମୁଗ, ବିରି କିମ୍ବା ହରଡ ବସ୍ତା ରଖିଲେ ମୁଗ ଆଦିରେ ପୋକ ଲାଗି ନଥାନ୍ତି । ଘରେ ବ୍ୟବହୁତ ଡାଲିକୁ ଅମଳ ପରେ ଚୋପା ଛଡାଇ ରଖିଲେ ଶସ୍ୟ ଭୃଙ୍ଗ ପୋକ ଲାଗି ନଥାଏ । ଡାଲିଜାତୀୟ ଶସ୍ୟ ସହିତ ନିମ୍ବ, କରଞ୍ଜ, ନଡିଆ ପାମୋଲିନ୍ କିମ୍ବା ସୋରିଷ ତେଲ (୩ ମିଲି/କି.ଗ୍ରା. ମଞ୍ଜି) ମିଶାଇଲେ ପୋକ ଲାଗିନଥାନ୍ତି । ମୁଗ, ବିରି ପ୍ରଭୃତି ଡାଲି ଜାତୀୟ ଶାସ୍ୟ ସହିତ କଦଳୀ ଗଛ କିମ୍ବା ଗୋବର ପାଉଁଶ ବେଗୁନିଆଁ ବା ପୋକଶୁଙ୍ଗା କିମ୍ବା ନିମ୍ବ ପତ୍ରକୁ ଭଲଭାବରେ ଶୁଖାଇ ଗୁଣ୍ଡ କରି ( ୧କି.ଗ୍ରା ମଞ୍ଜି ସହିତ ୫୦ ଗ୍ରାମ୍) ମିଶାନ୍ତୁ ।

ପଞ୍ଚଗବ୍ୟ ମଞ୍ଜି/ବିହନ ସଂରକ୍ଷକ

ଅର୍ଥବ ବେଦରେ ଉଲ୍ଲେଖ ଅଛି 'ଧେନୁ ସଦନଂ ରୟୀଣାମ୍' ଅର୍ଥାତ୍ ଗୋମାତା ସମସ୍ତ ସଂପତ୍ତିର ଘର ଅଟେ । ବିହନ ସଂରକ୍ଷଣ ଗବ୍ୟ ପଦାର୍ଥର ବ୍ୟବହାର ଆସନ୍ତୁ ଜାଣିବା ।

ଉପାୟ ୧-ଏଥିପାଇଁ ଆବଶ୍ୟକ ସାମଗ୍ରୀ, ଘସି ପାଉଁଶ ୫ କିଲୋ, ଗୋମୁତ୍ର (ଦେଶୀ ଗାଈର) ତାଜା ୨ ଲିଟର, ନିମପତ୍ର ଗୁଣ୍ଡ ୨୦୦ ଗ୍ରାମ୍ । ଏସବୁକୁ ଏକାଠି ମିଶାଇ ଖରାରେ ଶୁଖାଇ ମଞ୍ଜି/ ବିହନ ସଂରକ୍ଷକ ତିଆରି କରାଯାଏ । ଏହି ଗୁଣ୍ଡରେ ଗୋଳାଇ ରଖିଲେ ବିହନ ଦୀର୍ଘସ୍ଥାୟୀ ନିରୋଗ ହେବା ସହିତ ଏଥିରେ ଅନିଷ୍ଟକାରୀ କୀଟ ଲାଗନ୍ତି ନାହିଁ ।

ଉପାୟ ୨- ଏଥିରେ ନିମ୍ବ, ଅରଖ, ବେଲ, କରଞ୍ଜ, ତୁଳସୀ, ସୀତାଫଳ ପତ୍ରକୁ ୧-୧/୪ ଅନୁପାତରେ ପାଣି ଓ ପତ୍ର ସିଝାଇ ଏହା ୧/୪ ଅଂଶ ରହିଲା ପରେ ଥଣ୍ଡା କରି କ୍ଲାଥ କରାଯାଏ, ଘସି ପାଉଁଶ ଓ ଗୋମୂତ୍ର ସହିତ ଉପରୋକ୍ତ ଭାଗରେ ମିଶାଇ ବ୍ୟବହାର କରାଯାଏ  ।

ଧାନ ବିହନ ପାଇଁ କେତେକ ସତର୍କତା

ଟ୍ରାକ୍ଟର ତଥା କାଠ ରୋଲରେ ମଡାଯାଇଥିବା ଧାନ ବିହନ ପାଇଁ ଉପଯୁକ୍ତ ନୁହେଁ । ଧାନ ଅମଳ ସମୟରେ ବର୍ଷା ହେଲେ ବିହନ ବର୍ଷରେ ଭିଜିଗଲେ ଏହା ବିହନ ପାଇଁ ଉପଯୁକ୍ତ ହେବ ନାହିଁ । ବିହନ ଧାନକୁ ବର୍ଷାରୁ ରକ୍ଷା କରିବା ଜରୁରୀ, ବିହନ ଧାନ ପାଇଁ ଫସଲ ସଂପୂର୍ଣ୍ଣ ପାଚିଲା ପରେ ଅମଳ କରିବା ଦରକାର ।

ଆଧାର - କିଶୋର ଚନ୍ଦ୍ର ପଣ୍ଡା, ଜୈବିକ କୃଷି

Last Modified : 6/23/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate