ଅନ୍ୟ ଏକ ସମସ୍ୟା ଯାହା ଉଭୟ ଜମିରେ ଏବଂ ସଂରକ୍ଷଣ ବେଳେ ଦେଖାଯାଏ ତାହା ହେଲା ମୂଷା ଜନିତ ସମସ୍ୟା । ସାଧାରଣତଃ ମୂଷା ପନିପରିବା ଖାଇଯାଏ ଓ ଅନେକାଂଶରେ ନଷ୍ଟ ମଧ୍ୟ କରିଥାଏ । ଅନେକ ପ୍ରଜାତିର ମୂଷା ମଧ୍ୟ ଏହି ପନିପରିବା ଫସଲକୁ ନଷ୍ଟ କରିଥାଆନ୍ତି । ମୂଷା ଜନିତ କ୍ଷତିକୁ ପ୍ରତିହତ କରିବା ପାଇଁ ଗୋଦାମ ଘରର ଆକାର ଓଲଟା ଖ ଆକାରରେ କଲେ। ମୂଷାକୁ ଚଢ଼ିବା ପାଇଁ ଅସୁବିଧା ହୁଏ । ଏହାଛଡ଼ା ଘରର ବିଭିନ୍ନ ଜାଗାରେ ଦେଖାଯାଉଥିବା କଣା ଯାହା ବାଟ ଦେଇ ମୂଷା ପ୍ରବେଶ କରେ, ଏହାକୁ ବନ୍ଦ କରିଦେବା ଉଚିତ । ବଜାରରେ ମିଳୁଥିବା ବିଭିନ୍ନ ଯନ୍ତା ବସାଇ ମଧ୍ୟ ମୂଷାର ପ୍ରାଦୁର୍ଭାବକୁ କମାଇ ଦିଆଯାଇପାରିବ । ମୂଷାକୁ ମାରିବା ପାଇଁ ମୁଖ୍ୟତଃ ଦୁଇ ପ୍ରକାର ରାସାୟନିକ ପଦାର୍ଥ ମିଳିଥାଏ । ଗୋଟିଏ ପ୍ରକାର ଖାଦ୍ୟ ମୂଷାର ପାକସ୍ଥଳୀ ଓ ଖାଦ୍ୟନଳୀ ଉପରେ କୁପ୍ରଭାବ ପକାଏ । ଅନ୍ୟ ଏକ ପ୍ରକାରର ବିଷାକ୍ତ ଗନ୍ଧ ମୂଷାର ଶ୍ବାସ ପ୍ରକ୍ରିୟାରେ ବାଧକ ସାଜେ । ସାଧାରଣ ଭାବେ କହିଲେ ଢିଙ୍କ ଫସଫାଇତ୍ ବିଷକୁ ଦେବା କିଛିଦିନ ପୂର୍ବରୁ ୯୮୦ ଗ୍ରାମ୍ ଖାଦ୍ୟ ସହ ୨୦ ଗ୍ରାମ ଖାଇବା ତେଲ ମିଶାଇ ମୂଷାକୁ ଉକ୍ତ ଖାଦ୍ୟ ସହ ଅଭ୍ୟସ୍ତ କରାଯାଏ ଓ ସାତଦିନ ପରେ ଏହା ସହ ୨୦ ଗ୍ରାମ ବିଷ (ଜିଙ୍କ ଫସଫାଇଡ୍)କୁ ମିଶାଇ ବିଷ ଥୋପ ଆକାରରେ ଦିଆଯାଏ । ଅନ୍ୟ ଏକ ପ୍ରକାରର ରସାୟନ କ୍ରୋମାଡ଼ିଓଲନ୍ (୨୦ଗ୍ରା.) ସହ ୯୬୦ ଗ୍ରାମ୍, ଖାଦ୍ୟ ଓ ୨୦ ଗ୍ରାମ ଖାଇବା ତେଲ ବା କଉ ମାଟେଟ୍ରାଇଲ୍ (୫୦ ଗ୍ରା.) ସହ ୯୩୦ ଗ୍ରାମ୍ ଖାଦ୍ୟ ଓ ୨୦ ଗ୍ରାମ, ତେଲ ମିଶାଇ ବିଷ ଥୋପ ଭାବେ ପ୍ରୟୋଗ କରାଯାଏ । ଏଥିପାଇଁ ଖାଦ୍ୟ ସହ ଅଭ୍ୟସ୍ତ କରାଇବା ଜରୁରୀ ନୁହେଁ । ଉପରୋକ୍ତ ବିଷ ଥୋପଗୁଡ଼ିକୁ ଉଭୟ ମୂଷା ଗାତ ବା ଗୋଦାମ ଘରେ ବ୍ୟବହାର କରାଯାଇପାରିବ । ଏତଦଭିନ୍ନ ଜମିରେ ଦେଖାଯାଉଥିବା ମୂଷାଗାତ ଭିତରେ ଆଲୁମିନିୟମ, ଫସଫାଇଡ୍ ପେଲେଟ୍ (୨ଟି ଗାତ ପ୍ରତି) ବ୍ୟବହାର କରାଯାଇ ମୂଷାବୀଶକୁ ପ୍ରତିହତ କରାଯାଇପାରିବ ।
ଏହି ପ୍ରମୁଖ ସମସ୍ୟା ବ୍ୟତୀତ କେତେକ ସ୍ଥଳରେ ଗେଣ୍ଡାଗୁଡ଼ିକ ପନିପରିବାରେ ବିଶେଷ କ୍ଷତି କରୁଥିବାର ପରିଲକ୍ଷିତ ହୁଏ । ଏହି ସମସ୍ୟା ସମାଧାନ ପାଇଁ ଗେଣ୍ଡାଗୁଡ଼ିକୁ ଆଣି ନଷ୍ଟ କରିବା, ଲୁଣ ପକାଇବା ବା ୨.୫ ପ୍ରତିଶତ ମେଟାଲ ଡିହାଇଡ୍ ଗୁଣ୍ଡର ପ୍ରୟୋଗ ଏହି ଗେଣ୍ଡାଜନିତ କ୍ଷତିରୁ ପନିପରିବା ଫସଲକୁ ସୁରକ୍ଷା ଦେଇଥାଏ ।
ପନିପରିବା ଫସଲ କିଆରିରେ ସାଧାରଣତଃ ବାଉଁଶ ପୋତିବାକୁ କୁହାଯାଏ । କାରଣ ଏଥିରେ ବଣି ଚଢ଼େଇ ବସେ ଓ ଫଳବିନ୍ଧା ପୋକକୁ ଖାଇଥାଏ । କିନ୍ତୁ ଏକ ନିର୍ଦ୍ଦିଷ୍ଟ ସମୟ ପରେ ଏହି ବଣି ମଧ୍ୟ ପନିପରିବା ଫସଲକୁ ଖାଇ ନଷ୍ଟ କରିଥାଏ । କେବଳ ବଣି ନୁହେଁ ଶୁଆ, ମୟୂର ପରି ଅନେକ ପକ୍ଷା ପନିପରିବାକୁ ଖାଇ ନଷ୍ଟ କରିଦିଅନ୍ତି । ଆମେ ତ ଏହି ସବୁ ଜୀବକୁ ମାରିପାରିବା ନାହିଁ, କାରଣ ଏହା ଏକ ଆଇନତଃ ଅପରାଧ । ଏହାର ପ୍ରତିକାର ସ୍ଵରୂପ ଗଭୀର ଭାବେ ବୀଜ ବପନ, ମଞ୍ଜିକୁ ମାଟିରେ ଭଲଭାବେ ଘୋଡ଼ାଇ ଦେବା, ଜମି ପାଖରେ ଥିବା ଗଛର ମୃତ ଡାଳକୁ କାଟିଦେବା, ଗୋଦାମ ଘରେ ପକ୍ଷୀ ପ୍ରବେଶକୁ ନିରୋଧ କରିବା ପରି ବ୍ୟବସ୍ଥା କରାଯିବା ଉଚିତ ।
ଏହା ଛଡ଼ା ମଣିଷ ଆକାରର ପାଳଭୂତ ବା ବାଦୁଡ଼ି ପରି ଏକ ବା ମୃତପକ୍ଷୀ ଭଳି ଦେଖାଯାଉଥିବା ମଡ଼େଲକୁ ଜମିରେ ବାନ୍ଧିଦେବା ବା ଚିକ୍ ଚିକ୍ କରୁଥିବା ଆଲୁମିନିୟମ ଜରି ଜମିରେ ବାନ୍ଧିଦେବା ଉଚିତ । ଫସଲ ଚାରିପାଖରେ ତାରଜାଲି ଦେବା ଦ୍ଵାରା ମଧ୍ୟ ପକ୍ଷୀଜନିତ କ୍ଷତିରୁ ଫସଲକୁ ରକ୍ଷା କରିହୁଏ । ପନିପରିବାକୁ ମାଙ୍କଡ଼, ଗୋରୁ, ହାତୀ ଇତ୍ୟାଦି ଅନେକ ପ୍ରାଣୀ ଆସି ନଷ୍ଟ କରନ୍ତି । ଏମାନଙ୍କୁ ମାରିବା ଆଇନତଃ ଅପରାଧ ହେତୁ ନିୟମିତ କ୍ଷେତ୍ର ପରିଦର୍ଶନ ଦ୍ଵାରା ଏମାନଙ୍କୁ ଘଉଡ଼ାଇବା ପାଇଁ ଉଦ୍ୟମ କରାଯିବା ଆବଶ୍ୟକ ।
ସଂଗୃହିତ - ଭୁବନାନନ୍ଦ ଅଧିକାରୀ,ଓୟୁଏଟି, ଭୁବନେଶ୍ଵର
Last Modified : 1/26/2020