ଏହି ସମୟରେ ବୀଜାଣୁ ଜନିତ ଝାଉଁଳା ରୋଗ ଦେଖାଗଲେ ପ୍ରତି ୧୦ ଲିଟର ପାଣିରେ ଏକ ଗ୍ରାମ ହିସାବରେ ଷ୍ଟେପ୍ଟୋସାଇକ୍ଲିନ୍ ମିଶାଇ ମୂଳକୁ ଦେଖାଇ ସିଞ୍ଚନ କରନ୍ତୁ । ଅତି କମ୍ରେ ୭ଦିନ ବ୍ୟବଧାନରେ ୩ଥର ସିଞ୍ଚନ କରିବା ଆବଶ୍ୟକ । ମାଟିର ବତରକୁ ଚାହିଁ ଜଳସେଚନ କରନ୍ତୁ ।
ଫସଲରେ ଫୁଲ ଆସିବା ସମୟରେ କୋଡାଖୁସା କରନ୍ତୁ ନାହିଁ । ଚିନାବାଦାମ, ଫସଲରେ ପତ୍ରକଣା ଓ ପତ୍ର ଖୁଆ ପୋକ ଲାଗିବାର ଦେଖାଗଲେ ପ୍ରତି ଲିଟର ପାଣିରେ ୨ ମିଲି ହିସାବରେ ଏଣ୍ଡୋସଲଫାନ୍ କିମ୍ବା ଫୋସାଲୋନ୍ ମିଶାଇ ସିଞ୍ଚନ କରନ୍ତୁ ।
କବକ ଜନିତ ଝାଉଁଳା ରୋଗର ଦମନ ପାଇଁ ଆକ୍ରାନ୍ତ ଗଛକୁ ଉପାଡି ପୋଡି ଦିଅନ୍ତୁ ଏବଂ ମୂଳରୁ ପ୍ରତି ଲିଟର ପାଣିରେ ୨ଗ୍ରାମ ହିସାବରେ କାର୍ବେଣ୍ଡାଜିମ୍ ମିଶାଇ ସିଞ୍ଚନ କରନ୍ତୁ କିମ୍ବା ପ୍ରତି ଗଛ ମୂଳରେ ୫ ଗ୍ରାମ୍ କାର୍ବେଣ୍ଡାଜିମ୍ ପୁଡିଆ କରି ରଖିଦିଅନ୍ତୁ । ପତ୍ରମଦାଗ ରୋଗର ଦମନ ପାଇଁ ପ୍ରତି ଲିଟର ପାଣିରେ ୧ ମିଲି ହିସାବରେ ପ୍ରୋପିକୋନାଜୋଲ୍ ମିଶାଇ ସିଞ୍ଚନ କରନ୍ତୁ ।
କଦଳୀରେ ଜଉପୋକ ଦେଖାଗଲେ ପ୍ରତି ଲିଟର ପାଣିରେ ୨ ମିଲି ହିସାବରେ ଡାଇନୋଥୋଏଟ୍ ପତ୍ରକୋଣକୁ ଦେଖାଇ ସିଞ୍ଚନ କରନ୍ତୁ । ଶୁକ୍ରଜୀବ ଦ୍ଵାରା ଆକ୍ରାନ୍ତ କଦଳୀ ଗଛ ହେବା ସହିତ ପତ୍ର ସଂଖ୍ୟା ବି କମି ଯାଇଥାଏ । ଏହାର ଦମନ ପାଇଁ ପ୍ରତି ଗଛମୂଳରେ ୩୦ ଗ୍ରାମ କାର୍ବୋପ୍ଲରନ୍ କିମ୍ବା ୫୦୦ ଗ୍ରାମ୍ ନିମ୍ବ ପିଡିଆ ପ୍ରୟୋଗ କରନ୍ତୁ ।
ବର୍ତ୍ତମାନ ପାଗରେ ସୋରିଷରେ ପତ୍ର ଚିତା ଦାଗ ଦେଖାଯିବାର ଆଶଙ୍କା ରହିଛି । ଏଥିପାଇଁ ପ୍ରତି ଲିଟର ପାଣିରେ ଏକ ଗ୍ରାମ ହିସାବରେ କାର୍ବେଣ୍ଡାଜିମ୍ (୧୨ ପ୍ରତିଶତ) ସହ ମାଙ୍କୋଜେବ (୬୫ ପ୍ରତିଶତ) ମିଶ୍ରଣ ସିଞ୍ଚନ କରନ୍ତୁ । ପାଉଁଶିଆ ରୋଗର ଦମନ ପାଇଁ ଏକର ପ୍ରତି ୧ କି.ଗ୍ରା. ସଲଫର ସେଚିତ ଗୁଣ୍ଡକୁ ୨୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ । ସବୁଜ, ଶୂଳ ଓ କରତିଆ ମାଛିର ଦମନ ପାଇଁ ପ୍ରତି ଲିଟର ପାଣିରେ ୨ ମିଲି ହିସାବରେ ଏଣେଣ୍ଡାସଲଫାନ କିମ୍ବା ଫୋସଲୋନ୍ ମିଶାଇ ସିଞ୍ଚନ କରନ୍ତୁ । ବର୍ତ୍ତମାନ ପାଗରେ ପତ୍ରଛନ୍ଦା ପୋକ ଏବଂ ଜଉପୋକ ଉପକୂଳବର୍ତ୍ତୀ ଜିଲାରେ ଲାଗିଥାଏ । ପତ୍ରଛନ୍ଦା ପୋକର ଦମନ ପାଇଁ ଏକର ପ୍ରତି ୪୦୦ ମିଲି ଏଣ୍ଡୋସଲଫାନ ୨୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ । ଜଉ ପୋକର ଦମନ ପାଇଁ ଏକର ପ୍ରତି ୪୦୦ମିଲି ଡାଇନୋଥୋଏଟ୍ କିମ୍ବା ମିଥାଇଲ୍ ଅକ୍ତି ଡିମେଟନ୍ କିମ୍ବା ୫୦ ମିଲି ଇମିଡା କ୍ଲୋପ୍ରିଡ୍ ମିଶାଇ ସିଞ୍ଚନ କରନ୍ତୁ । ଗଛ ହଳଦିଆ ପଡି ପତ୍ରଝଡା ଦେଲେ ସଅଳ କିସମ ସୋରିଷ ସକାଳ ସମୟରେ ହିଁ ଅମଳ କରନ୍ତୁ ।
ଆଧାର – କୃଷି ବିଭାଗ
Last Modified : 9/4/2019