অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଧାନ ଚାଷ ପ୍ରସ୍ତୁତି

ଧାନ ଚାଷ ପାଇଁ ଜମି ପ୍ରସ୍ତୁତି

ଜମିର କିସମ ଅନୁଯାୟୀ ଧାନଚାଷ ପାଇଁ ଜମି ପ୍ରସ୍ତୁତି କରିବା ନିତ୍ୟାନ୍ତ ଆବଶ୍ୟକ । ଖରାଟିଆ ଚାଷ ଅତ୍ୟନ୍ତ ଉପାଦେୟ । ଲଙ୍ଗଳ କିମ୍ବା ଟ୍ରାକ୍ଟର ସାହାଯ୍ୟରେ ୨-୩ ଓଡ଼ ଖରାଟିଆ ଚାଷ କରିବା ଭଲ । ଏଭଳି କରିବା ଦ୍ୱାରା ମାଟି ଓଲଟ ପାଲଟ ହୋଇଥାଏ । ତଳମାଟି ଉପରକୁ ଓ ଉପର ମାଟି ତଳକୁ ହୋଇଯାଏ । ଜମିରେ ଥିବା ଅନିଷ୍ଟକାରୀ ପୋକମାନଙ୍କର ଅଣ୍ଡା, ଶୂକ ଓ ଖୋସାଗୁଡ଼ିକ ମାଟିତଳୁ ପଦାକୁ ବାହାରି ଆସି ସୂର୍ଯ୍ୟକିରଣରେ ମରିଯାନ୍ତି । ମାଟି ହାଲୁକା ହେବା ଫଳରେ ବାୟୁ ଚଳାଚଳ ସୁବିଧାରେ ହୋଇଥାଏ । ମାଟିର ଜଳ ସଂରକ୍ଷଣ ଶକ୍ତି ବଢ଼ିଥାଏ । ଅନାବନା ଘାସ ସୂର୍ଯ୍ୟ ଉତ୍ତାପରେ ଶୁଖି ବର୍ଷା ଜଳରେ ପଚିସଢ଼ି ସେହି ମାଟିରେ ମିଶେ । ଏହାଫଳରେ ମାଟିର ଜୈବିକ ଅଂଶ ବଢେ଼ ଓ ମାଟି ସୁସ୍ଥ ରୁହେ ।

ଢିପ ଜମିରେ ଭଲ ବର୍ଷା ହେବା ପରେ ପରେ ଦୁଇ ତିନି ଓଡ଼ ଗଭୀର ଚାଷ କରି ମଇ ଦେଇ ମାଟି ଗୁଣ୍ଡ କରିବାକୁ ପଡ଼ିଥାଏ । ଗଡ଼ାଣିଆ ଜମିର ବିପରିତ ଦିଗରେ ଚାଷ କରିବା ଉଚିତ । ଜମିର ଗଡ଼ାଣିକୁ ନଜରରେ ରଖି ଛୋଟଛୋଟ ହିଡ଼ ଦେଇ ମାଟି ସମତୁଲ କରିଦେଲେ ଭଲ । ଜମିରେ ଶେଷ ଓଡ଼ ଚାଷ ବେଳକୁ ହେକ୍ଟର ପ୍ରତି ଅତି କମ୍‌ରେ ୫ ଟନ୍ ସଢ଼ା ଗୋବର ଖତ ପ୍ରୟୋଗ କରିବା ଆବଶ୍ୟକ ।

ମଝିଆଳି ଓ ଖାଲ ଜମିରେ ଧାନ ବୁଣାଯାଏ କିମ୍ବା ରୁଆଯାଏ । ବୁଣା ଓ ରୁଆ ଜମିରେ ସବୁଜ ସାର ହିସାବରେ ଧଣିଚା ବୁଣିବାକୁ ପଡ଼ିଥାଏ । ଗଛଗୁଡ଼ିକ ବଡ଼ ହୋଇଗଲେ ବେଉଷଣ ପୂର୍ବରୁ ଟ୍ରାକ୍ଟର ମାଧ୍ୟମରେ ଗଛକୁ ମାଟିରେ ମିଶାଇ ଦେବାକୁ ହୁଏ । ବେଉଷଣ କିମ୍ବା ରୁଆବେଳେ ଜମିର ଉର୍ବରତା ବୃଦ୍ଧି ହେବାସହ ଆବଶ୍ୟକୀୟ ଯବକ୍ଷାରଜାନର ପ୍ରାୟ ୨୦-୨୫ ଭାଗ ପର୍ଯ୍ୟନ୍ତ ଫସଲକୁ ଯୋଗାଏ । ଫଳରେ ସାର ଖର୍ଚ୍ଚ କମ୍ ହୋଇଥାଏ । ଏକର ପ୍ରତି ୧୦କି.ଗ୍ରା ଧଣିଚା ମଞ୍ଜି ସବୁଜ ସାର ହିସାବରେ ବୁଣିବା ଉଚିତ ।

ଧାନ ବିହନ କିସମଚୟନ

କଥାରେ ଅଛି ବିହନ ଗୁଣେ ଫସଲ । ଜମିରକିସମ, ପାଣିପାଗ ଏବଂ ରୋଗ ପୋକଙ୍କ ପ୍ରାଦୁର୍ଭାବକୁ ଆଖିରେ ରଖି ବିହନ କିସମଚୟନ କରିବ ନିତ୍ୟାନ୍ତ ଜରୁରୀ । ଉନ୍ନତ ମାନର ବିହନ ବ୍ଳକମାନଙ୍କରେ ଥିବା ବିହନ ବିକ୍ରୟକେନ୍ଦ୍ରରେ ଧାର୍ଯ୍ୟ ଦରରେ ବିକ୍ରି କରାଯାଉଛି । ଜମିରକିସମ ନିରୂପଣ କରି ବିକ୍ରୟକେନ୍ଦ୍ରରୁ ଉଚିତବିହନ ସଂଗ୍ରହ କରିଲେ ଚାଷୀ ଅଧିକ ଲାଭ ପାଇାପାରିବେ । କେଉଁଜମି ପାଇଁ କେଉଁ କିସମବିହନ ଆବଶ୍ୟକ ହୋଇଥାଏ ଓ ସେଥିରୁ କେତେ ଦିନରେ ଅମଳ ମିଳିବ ତାହା ଜାଣି ରଖିଲେ ଚାଷୀଙ୍କୁ ବିହନ ଚୟନରେ କୌଣସି ଅସୁବିଧା ହେବନାହିଁ ।

ଅତିଢିପ ଜମି

ହୀରା – ୭୦ ଦିନ, କଳିଙ୍ଗ୩ – ୭୫ ଦିନ, ଧଳାହୀରା – ୮୦ ଦିନ, ବନ୍ଦନା – ୮୫ ଦିନ, ଅଞ୍ଜଳୀ – ୯୫ ଦିନ ।

ଢିପ ଜମି

ଖଣ୍ଡଗିରି – ୯୦ ଦିନ, ଘଣ୍ଟେୱରୀ – ୯୦ ଦିନ, ବନପ୍ରଭା – ୯୦ ଦିନ, ଉଦୟଗିରି – ୯୫ ଦିନ, ପାରିଜାତ – ୯୫ ଦିନ, ପଥରା – ୧୦୦ ଦିନ, ଲଳିତଗିରି – ୯୫ ଦିନ ।

ଉଚ୍ଚ ମଝିଆଳି ଜମି

ଅନ୍ନଦା – ୧୧୦ ଦିନ, ଶତାବ୍ଦୀ – ୧୧୦ ଦିନ, ଏମ୍‌ଟିୟୁ୧୦୧୦- ୧୨୦ ଦିନ, ଭୋଇ – ୧୨୦ ଦିନ, ରାଧି – ୧୨୦ ଦିନ, କୋଣାର୍କ – ୧୨୫ ଦିନ, ଲଲାଟ – ୧୨୫ ଦିନ, ଖରାବେଳ – ୧୨୫ ଦିନ, ସେବତୀ – ୧୨୫ ଦିନ ।

ମଝିଆଳି ଜମି

ଏମ୍‌ଟିୟୁ୧୦୦୧ – ୧୩୦ ଦିନ, ସୁରେନ୍ଦ୍ର – ୧୩୫ ଦିନ, ଗଜପତି – ୧୩୫ ଦିନ, ତମସ୍ୱିନୀ – ୧୩୫ ଦିନ, ମେହେର – ୧୩୫ ଦିନ, ବସୁନ୍ଧରା – ୧୩୫ ଦିନ ।

ମଝିଆଳ ଖାଲ ଜମି

ସ୍ୱର୍ଣ୍ଣ – ୧୪୦ ଦିନ, ପଦ୍ମିନୀ – ୧୪୦ ଦିନ, ପ୍ରତୀକ୍ଷା – ୧୪୨ ଦିନ, ଉର୍ବଶୀ – ୧୪ ଦିନ, ମୋତି – ୧୪୫ ଦିନ, ମଶୁରୀ – ୧୪୫ ଦିନ, ପୂଜା – ୧୪୫ ଦିନ, ବିପିଟି୫୨୦୪ – ୧୪୫ ଦିନ, ରତ୍ନଗିରି – ୧୪୦ ଦିନ ।

ଖାଲ ଜମି

ଇନ୍ଦ୍ରାବତୀ – ୧୫୦ ଦିନ, ମହାନଦୀ – ୧୫୦ ଦିନ, ରାମଚଣ୍ଡୀ – ୧୫୫ ଦିନ, ଗାୟତ୍ରୀ – ୧୫୫ ଦିନ, କାଞ୍ଚନ – ୧୫୫ ଦିନ, ଜଗବନ୍ଧୁ – ୧୫୫ ଦିନ, ଉତ୍କଳ ପ୍ରଭା – ୧୫୦ ଦିନ, ସାବିତ୍ରୀ – ୧୫୫ ଦିନ, ସିଆର୍୧୦୧୪ – ୧୫୦ ଦିନ, ପ୍ରାଚୀ – ୧୫୦ ଦିନ ।

ଅତିଖାଲ ଜମି

ଦୁର୍ଗା – ୧୬୦ ଦିନ, ଆର୍‌ଜିଏଲ୍୨୫୩୭ – ୧୬୦ ଦିନ, ସରଳା – ୧୬୫ ଦିନ, ତୁଳସୀ – ୧୭୦ ଦିନ, ପାଣିଧାନ – ୧୮୦ ଦିନ ।

ଏତଦ୍ ବ୍ୟତୀତ ଯଦି ଜଣେଚାଷୀ ଲୁଣିଜମିରେ ଧାନ ଚାଷକରୁଥାନ୍ତି ତେବେ ଲୁଣିଶ୍ରୀ ଓ ସୋନାମଣିକିସମ ଧାନ ଚାଷକରିପାରିବେ । ଯେଉଁଥିରେ ଯଥାକ୍ରମେ ୧୪୫ ଓ ୧୫୦ ଦିନରେ ଅମଳମିଳିଥାଏ । ଶଙ୍କର ଧାନ ଚାଷ ପାଇଁ ପିଏ୬୨୦୧, କେଆର୍‌ଏଚ୍୨, ଅଜୟ, ରାଜଲକ୍ଷ୍ମୀ, ପିଏଚ୍‌ବି୭୧ ଆଦି କିସମଚାଷ କରିଲେ୧୨୫ ରୁ ୧୩୫ ଦିନ ମଧ୍ୟରେ ଭଲ ଅମଳ ମିଳିଥାଏ । ଏହାଛଡ଼ା ବାସନା ଧାନ ଚାଷ କରିବାକୁହେଲେ କେତକୀ ଜୋହାକିସମରୁ ୧୪୫ ରୁ ୧୬୦ ଦିନ ମଧ୍ୟରେ ଅମଳ ମିଳିଥାଏ ।

ଧାନ ଚାଷ ପାଇଁ ବିହନ ବିଶୋଧନ

ବିଶୋଧିତ ବିହନ ଚାଷ ପାଇଁ ଉପଯୋଗୀ । ଫସଲର ପରବର୍ତ୍ତୀ ଅବସ୍ଥାରେ ରୋଗ ନହେବା ପାଇଁ ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ବିହନ ବିଶୋଧନ ଆବଶ୍ୟକ । ଉଚିତ ମାନର ବିହନ ଆଣି ଜମିରେ ବୁଣିବା ପୂର୍ବରୁ ବିହନକୁ ଭଲଭାବେ ଖରାରେ ଶୁଖାଇବା ଦରକାର । ବଜାରରୁ କିମ୍ବା ବ୍ଲକରେ ଥିବା ବିହନ ବିକ୍ରୟକେନ୍ଦ୍ରରୁ ବିଶୋଧକ ଆଣି ଭଲଭାବେ ବିହନରେ ଗୋଳାଇବାକୁ ପଡ଼ିଥାଏ ।

୧ କି.ଗ୍ରା. ବିହନ ପିଛା ୩ଗ୍ରାମ ଥିରାମ୍‌ବାକ୍ୟାପ୍ଟାନ୍‌ ମିଶାଇବାକୁ ହୁଏ । ଏକ ଡ୍ରମ୍‌ରେ ବା ମାଠିଆରେ ଅଧା ପର୍ଯ୍ୟନ୍ତ ବିହନ ପୁରାଇ ଆବଶ୍ୟକ ପରିମାଣର ବିଶୋଧନ ସେଥିରେ ମିଶାଯାଏ । ମାଠିଆର ମୁହଁକୁ କନା ଦ୍ୱାରା ବନ୍ଦ କରି ଭଳଭାବରେ ତଳଉପର କରି ମିଶାଇ କିମ୍ବା ବିଶୋଧନ ଡ୍ରମର ଘୋଡ଼ଣୀ ବନ୍ଦ କରି ହ୍ୟାଣ୍ଡେଲ ଦ୍ୱାରା ଘୁରାଇ କିଛି ସମୟ ପରେ ମୁହଁ ଖୋଲି ବିହନକୁ ବାହାର କରାଯାଏ।

ବିହନ ବିଶୋଧନ ହୋଇଗଲା ପରେ ସେଥିରେ ଏକ ଆସ୍ତରଣ ଲାଗିଲା ଭଳି ଦେଖାଯାଏ । ସେହିବିହନ ଜିମରେ ବୁଣିବା ପାଇଁ ଉପଯୁକ୍ତ । ମନେରଖିବେ ଖାଲିହାତରେ ବିଶୋଧନ କରିବା ଅନୁଚିତ । ହାତରେ ଗ୍ଳୋବ୍ସ ପିନ୍ଧି କିମ୍ବା କୌଣସି ବସ୍ତୁ ସାହାଯ୍ୟରେ ବିହନ ଓ ବିଶୋଧକକୁ ଗୋଳାଇବା ଉଚିତ ।

ଆଧାର – "ସଂକଳ୍ପ ଓଡ଼ିଶା"

Last Modified : 6/23/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate