অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଧାନ ତଳିଘରା ପ୍ରସ୍ତୁତି ଓ ପରିଚାଳନା

ସାଧାରଣତଃ ଶୁଖିଲା ଓ କାଦୁଆ ଦୁଇଟି ପ୍ରଣାଳୀରେ ତଳିଘରା ପ୍ରସ୍ତୁତ କରାଯାଇଥାଏ । ତଳିଘରା ପ୍ରସ୍ତୁତ ପରେ ସେ ସବୁକୁ ବିଲରେ ରୋଇବା ପାଇଁ ନିଆଯାଇଥାଏ । ତେବେ ଏହି ତଳିଘରା ପ୍ରସ୍ତୁତି କିପରି କରିବା ଉଚିତ ସେ ସମ୍ପର୍କରେ ଜାଣିଲେ ଚାଷୀ ନିଶ୍ଚିତରୂପେ ଲାଭବାନ ହୋଇପାରିବେ ।

ଶୁଖିଲା ତଳିଘରା ପ୍ରସ୍ତୁତି

ବର୍ଷାଦିନିଆ ଧାନଚାଷ ପାଇଁ ଶୁଖିଲା ତଳିଘରା ପ୍ରସ୍ତତ କରିବକୁ ପଡ଼ିଥାଏ । ଏକ ଏକର ଜମିରେ ତଳି ରୋଇବାକୁ ହେଲେ ୧୦ ଡିସିମିଲ୍‌ ଜମିରେ ତଳି ପକାଇବାକୁ ପଡେ଼ । ତଳି କିଆରୀକୁ ଭଲଭାବେ ଚାଷ କରି ଘାସ ବାଛି ମାଟି ଗୁଣ୍ଡ କରିବାକୁ ହୁଏ । ୩ ଫୁଟ ଚଉଡ଼ା, ୬ ଇଞ୍ଚ ଉଚ୍ଚ ଓ ସୁବିଧା ଅନୁଯାୟୀ ଲମ୍ବା କରି ପଟି ତିଆରି କରି ଦୁଇ ପଟି ମଝିରେ ୧ ଫୁଟ ଓସାରର ପାଣି ନାଳ ରଖାଯାଏ । ୧୦ ଡିସିମିଲ ତଳି ପଟିରେ ୪୦ ଝୁଡ଼ି ସଢ଼ା ଗୋବର ଖତ, ୧୨ କି.ଗ୍ରା. ସପର୍ ଫସଫେଟ୍ ଓ ୨ କି.ଗ୍ରା. ମ୍ୟୁରେଟ୍ ଅଫ୍ ପଟାସ୍ ସାର ମାଟିରେ ମିଶାଇବାକୁ ପଡେ଼ । ଏହାପରେ ଧାଡ଼ିରେ ଧାନ ବୁଣି ମାଟି ଘୋଡ଼ାଇ ଦେବା ଉଚିତ । ୧୦ ଡିସିମିଲ୍‌ ବା ୪୦୦ ବର୍ଗମିଟର ଜମିରେ ତଳିଘେରା ପ୍ରସ୍ତୁତି ପାଇଁ ୨୫ କି.ଗ୍ରା. ବିହନ ଆବଶ୍ୟକ ହୋଇଥାଏ ।

କାଦୁଆ ତଳିଘରା ପ୍ରସ୍ତୁତି

ତଳି କିଆରିକୁ ଭଲଭାବେ କାଦୁଅ କରି ମଇ ଦେଇ ସମତୁଲ କରିବାକୁ ହୁଏ । ଶେଷ ଓଡ଼ ଚାଷ ସମୟରେ ଶୁଖିଲା ତଳିଘରା ଭଳି ଖତସାର ଦେଇ ମାଟିରେ ମିଶାଇବାକୁ ପଡ଼ିଥାଏ । ଗାଲିଗଜା ଫିଟିଥିବା ଧାନ ବିହନକୁ ତଳିପଟିରେ ବୁଣାଯାଏ । ବିହନରୁ ଅଗାଡ଼ି ବାହାର କରିବା ପାଇଁ ପ୍ରତି ୧ ଲିଟର ପାଣିରେ ୧୬୫ ଗ୍ରାମ ଲୁଣ ମିଶାଇ ଦ୍ରବଣ ପ୍ରସ୍ତୁତ କରିବାକୁ ପଡ଼ିଥାଏ । ଧାନ ବିହନକୁ ଲୁଣ ପାଣିରେ ପକାଇବାକୁ ପଡେ଼ । ଏହାପରେ ପାଣି ଉପରେ ଭାସୁଥିବା ଧାନକୁ ଛାଣି ବାହାର କଲା ପରେ ବୁଡ଼ି ରହିଥିବା ଧାନକୁ ପରିଷ୍କାର ପାଣିରେ ଧୋଇ ବାହାର କରାଯାଏ । ସେହି ଧାନକୁ କୌଣସି ଏକ ପାତ୍ରରେ ୨୪ ଘଣ୍ଟା ପାଣିରେ ଭିଜାଇବାକୁ ହଏ । ଏହାପରେ ପାଣିରୁ ଉକ୍ତ ଧାନକୁ ଛାଣି ସେଥିରେ ସମ୍ପୂର୍ଣ୍ଣ ପାଣି ନିଗାଡ଼ିବାକୁ ହୋଇଥାଏ । ଏକ ପକ୍କା ଚଟାଣ କିମ୍ବା ମାଟି ଉପରେ ପଲିଥିନ୍ ଜରି ପକାଇ ତା’ ଉପରେ ବିହନ ରଖି ସେଥିରେ ଓଦା ଅଖା ଢାଙ୍କି ଦେବାକୁ ହୁଏ । ଏହାଦ୍ୱାରା ମଞ୍ଜି ଉଷୁମ ପାଇ ଶୀଘ୍ର ଗଜା ହୁଏ । ଏହାପରେ ଉକ୍ତ ବିହନକୁ କାଦୁଅ ତଳି ପଟିରେ ବୁଣାଯାଏ । ଗୋଟିଏ କଥା ମନେ ରଖିବାକୁ ହୁଏ ଯେ, ବଡ଼ ଗଜା ହେବା ପର୍ଯ୍ୟନ୍ତ ରହିଲେ ବୁଣିବା ସମୟରେ ଗଜା ଭାଙ୍ଗିଯାଏ ।

ତଳିପଟିର ଯତ୍ନ

ବିହନ ବୁଣିବାର ପ୍ରଥମ କିଛିଦିନ ପର୍ଯ୍ୟନ୍ତ ତଳି ପଟିକୁ ଓଦା ରଖିବାକୁ ପଡେ଼ । ଧାନ ଗଜା ବଢ଼ିଗଲେ ୨-୩ ଇଞ୍ଚ ପର୍ଯ୍ୟନ୍ତ ଠିଆ ପାଣି ବାନ୍ଧି ରଖନ୍ତୁ । ଗଜା ହେବାର ୧୫ ଦିନ ପରେ ୧୦ ଡିସିମିଲ୍‌ ତଳିପଟି ପାଇଁ ୪ କି.ଗ୍ରା. ୟୁରିଆ ସାର ପକାଇବାକୁ ପଡ଼ିଥାଏ । ଫଳରେ ତଳି ହୃଷ୍ଟପୁଷ୍ଟ ହୋଇ ବଢେ଼ । ତଳିକୁ ପୋକ ଦାଉରୁ ରକ୍ଷା କରିବା ପାଇଁ ତଳି ଉପାଡିବାର ଏକ ସପ୍ତାହ ଆଗରୁ ୧୦ ଡିସିମିଲ୍‌ ତଳି ପଟିରେ ୧୨୦୦ ଗ୍ରାମ କାର୍ବୋଫ୍ୟୁରାନ୍ ବା ୬୦୦ ଗ୍ରାମ ଫୋରାଟ୍ ଜାତୀୟ ଦାନାଦାର ଔଷଧ ପ୍ରୟୋଗ କରିବା ଉଚିତ । ତଳି ଉପାଡିବାର ଦିନକ ପୂର୍ବରୁ ତଳି ପଟିରେ ପାଣି ମଡ଼ାଇବାକୁ ହୁଏ ।

ଯଦି ତଳିଘରାରେ ଦାନାଦାର ଔଷଧ ପ୍ରୟୋଗ କରାହୋଇନଥିବ ତେବେ, ୧ ମି.ଲି. କ୍ଲୋରୋପାଇରିଫ୍ସ ଔଷଧକୁ ୧ ଲିଟର ପାଣିରେ ଗୋଳାଇ ସେଥିରେ ତଳିର ଚେରକୁ ୮-୧୦ ଘଣ୍ଟା ପର୍ଯ୍ୟନ୍ତ ବୁଡ଼ାଇ ରଖି ତଳିକୁ ବିଶୋଧନ କରିଦେବା ଉଚିତ ।

ଆଧାର – "ସଂକଳ୍ପ ଓଡ଼ିଶା"

Last Modified : 5/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate