ଫସଲ ଉତ୍ପାଦନ (ନିରୁତା ଏବଂ ମିଶ୍ରିତ ଫସଲ ଚାଷ)
ନିରୁତା ଫସଲ ଚାଷ
ଏକ ସମୟରେ ଜମିର ଯେକୌଣସି ଗୋଟିଏ ଫସଲକୁ ଅନୁକୂଳତମ ବ୍ୟବଧାନରେ ଲଗାଯାଏ ।
ମିଶ୍ରିତ ଫସଲ ଚାଷ
ଦୁଇ ବା ତହିଁରୁ ଅଧିକ ଫସଲକୁ ଗୋଟିଏ ଜମିରେ ଏକ ସମୟରେ ମିଶାମିଶି ଚାଷ କରିବାକୁ ମିଶ୍ରିତ ଫସଲ ଚାଷ କୁହାଯାଏ । ଏହି ପଦ୍ଧତିରେ ଫସଲଗୁଡିକୁ ବିକଳ୍ପ ଧାଡିରେ ଲଗାଯାଏ ନାହିଁ କିମ୍ବା ଜମିର କୌଣସି ଅଂଶରେ ଫସଲ ଗୁଡିକର ଏକତ୍ଵ ରକ୍ଷା କରାଯାଏ ନାହିଁ । ବୁଣିବା ପୂର୍ବରୁ ଫସଲର ମଞ୍ଜିକୁ ମିଶାଇ ଛଟା ବୁଣା କରାଯାଇପାରେ ବା ଧାଡିରେ ବୁଣାଯାଇପାରେ ଅଥବା ଗୋଟିଏ ଫସଲକୁ ବୁଣି ସାରିବା ପରେ ଆଉ ଗୋଟିଏ ଫସଲକୁ ବୁଣାଯାଇପାରେ । ଫସଲଗୁଡିକର ବୁଣିବା ସମୟ ପ୍ରାୟ ସମାନ ହୋଇଥାଏ କିନ୍ତୁ ଅମଳ ସମୟ ସମାନ କିମ୍ବା ପୃଥକ୍ ହୁଏ । ଗହମ + ବୁଟ ମିଶ୍ରିତ ଫସଲ ଚାଷରେ ଉଭୟ ଫସଲର ଅମଳ ସମୟ ସମାନ ଅଟେ । କିନ୍ତୁ ହରଡ + ଧାନ ମିଶ୍ରିତ ଫସଲ ଚାଷରେ ଉଭୟ ଫସଲର ଅମଳ ସମୟ ପୃଥକ୍ ଅଟେ । ବନ୍ୟା, ମରୁଡି, ତୁଷାରପାତ ଆଦି ପ୍ରାକୃତିକ ବିପତ୍ତି ପଡୁଥିବା ଅଞ୍ଚଳରେ ଏବଂ ଜୀବନଧାରଣ କୃଷିରେ ପରିବାରର ଶସ୍ୟ , ଡାଲି, ପନିପରିବା ଆବଶ୍ୟକତା ପୂରଣ କରିବା ପାଇଁ ସାଧାରଣତଃ ମିଶ୍ରିତ ଫସଲ ଚାଷ ଅନୁସୃତ ହୁଏ ।
ମିଶ୍ରିତ ଫସଲ ଚାଷ ବିଧି
- ଛୁଇଁ ଜାତୀୟ ଫସଲ ସହିତ ଅଣଛୁଇଁ ଜାତୀୟ ଫସଲ ମିଶାଇ ଚାଷ କରିବା ଉଚିତ୍ , ଯଥା : ହରଡ + ଧାନ, କପା +ମୁଗ, ଗହମ + ବୁଟ ।
- ଡେଙ୍ଗା ଫସଲ ସହିତ ଗେଡା ଫସଲ ମିଶାଇ ଚାଷ କରିବା ଉଚିତ, ଯଥା : ହରଡ + ଧାନ, ମକା + ବରଗୁଡି ।
- ପ୍ରଧାନ ମୂଳ ଫସଲ ସହିତ ଗୁଚ୍ଛ – ମୂଳ ଫସଲ ମିଶାଇ ଚାଷ କରିବା ଉଚିତ , ଯଥା : ହରଡ + ଧାନ , ମକା+ ବରଗୁଡି ।
- ଠିଆରେ ବଢୁଥିବା ଫସଲ ସହିତ ଝଙ୍କାଳିଆ ଫସଲକୁ ମିଶାଇ ଚାଷ କରିବା ଉଚିତ୍ । କୋଳଥ, ସୋରିଷ ।
- ସମାନ ପ୍ରକାର ଅନିଷ୍ଟକାରୀ କୀଟ ଓ ରୋଗ ସୃଷ୍ଟିକାରୀ ଜୀବ ଦ୍ଵାରା ଆକ୍ରାନ୍ତ ହେଉଥିବା ଫସଲକୁ ଏକତ୍ର ଚାଷ କରିବା ଅନୁଚିତ ।
- ଅଧିକ ବ୍ୟବଧାନ ଓ କାମ ବ୍ୟବଧାନ ଆବଶ୍ୟକ କରୁଥିବା ଫସଲକୁ ଏକତ୍ର ଚାଷ କରିବା ଉଚିତ ।
- ଛାୟା ପ୍ରଦାନ କରୁଥିବା ଓ ଛାୟା ଆବଶ୍ୟକ କରୁଥିବା ଫସଲକୁ ଏକତ୍ର ଚାଷ କରିବା ଉଚିତ ।
- ଅଧିକ ଦିନରେ ଏବଂ କମ ଦିନରେ ଅମଳ ହେଉଥିବା ଫସଲକୁ ମିଶାଇ ଚାଷ କରିବା ଉଚିତ ।
ମିଶ୍ରିତ ଚାଷ ଫସଲର ଚାଷର ଉପକାର
- ପ୍ରତିକୂଳ ପାଖରେ ସବୁ ଫସଲ ଏକାଭଳି କ୍ଷତିଗ୍ରସ୍ତ ହୁଏ ନାହିଁ । ତୁଷାରପାତ ହେଲେ ଛୁରୀ ଜାତୀୟ ଫସଲ, ବନ୍ୟା ହେଲେ ଦ୍ଵିବୀଜ ପତ୍ରୀ ଫସଲ ଏବଂ ମରୁଡି ପଡିଲେ ଏକବୀଜ ପତ୍ରୀ ଫସଲ ଅଧିକ ନଷ୍ଟ ହୁଏ । ଏଣୁ ମିଶ୍ରିତ ଫସଲ ଚାପ ଦ୍ଵାରା ସମ୍ପୂର୍ଣ୍ଣ କ୍ଷତିରୁ ରକ୍ଷା ମିଳେ ।
- କୌଣସି ଅନିଷ୍ଟକାରୀ କୀଟ କିମ୍ବା ରୋଗ ବ୍ୟାପିଗଲେ ସବୁ ପ୍ରକାର ଫସଲ ଏକ ସମୟରେ ନଷ୍ଟ ହୁଏ ନାହିଁ ।
- ବିଭିନ୍ନ ଫସଲ ମିଶାଇ ଚାଷ କରିବା ଦ୍ଵାରା ପରିବାରର ଶସ୍ୟ , ଡାଲି ଓ ତୈଳ ଆବଶ୍ୟକତା ପୂରଣ କରିହୁଏ ।
- ମିଶ୍ରିତ ଫସଲ ଚାଷ ଦ୍ଵାରା ମୃତ୍ତିକାକ୍ଷୟ ଏବଂ ତୃଣକ ବୃଦ୍ଧି କମ୍ ହୁଏ ।
- ମୃତ୍ତିକା ଉତ୍ପାଦକତା ବୃଦ୍ଧିପାଏ କିମ୍ବା ସୁରକ୍ଷିତ ରହେ ।
- ବର୍ଷସାରା ପରିବାରକୁ ଏବଂ ଗୃହପାଳିତ ପଶୁଙ୍କୁ କାମ ମିଳେ ।
- ଜମି, ଶ୍ରମ, ଖତସାର, ଜଳ ଆଦି ଚାଷ ଉପକରଣ ସର୍ବାଧିକ ବିନିଯୋଗ ହୁଏ ।
- ମିଶ୍ରିତ ଫସଲ ଗୁଡିକରୁ ସାଧାରଣତଃ ନିରୁତା ଫସଲ ଅପେକ୍ଷା ଅଧିକ ଆଦାୟ ମିଳେ ।
ମିଶ୍ରିତ ଫସଲ ଚାଷର ଅପକାର
- କମ୍ ସମୟ ଆବଶ୍ୟକ କରୁଥିବା କୃଷି ଯନ୍ତ୍ରପାତି ବ୍ୟବହାର କରିହୁଏ ନାହିଁ ।
- କେତେକ ଫସଲର ଅନିଷ୍ଟକାରୀ କୀଟକୁ ନିୟନ୍ତ୍ରଣ କରିବା ପାଇଁ ମୃତ୍ତିକାକୁ ଖୁସାଇବା ଏବଂ ସଫା ରଖିବା ଆବଶ୍ୟକ ହୁଏ । କିନ୍ତୁ ମିଶ୍ରିତ ଚାଷରେ ଏହା ସମ୍ଭବ ହୁଏ ନାହିଁ ।
- ଜଳସେଚନ ସୁବିଧା ନଥିବା ଜମିରେ ଫସଲ ଅମଳ ପରେ ପରେ ଜମିକୁ ଚାଷ କରିଦେବା ଉଚିତ । କିନ୍ତୁ ମିଶ୍ରିତ ଫସଲ ଚାଷ କରିବା ଦ୍ଵାରା ଏ ପଦକ୍ଷେପ ନେବା ସମ୍ଭବ ହୁଏ ନାହିଁ ।
- ଆଗେ ପାଚୁଥିବା ଫସଲ କାଟିବାବେଳେ ବା ଉପାଡିବାବେଳେ ପଛେ ପାଚୁଥିବା ଫସଲ କେତେକାଂଶରେ କ୍ଷତିଗ୍ରସ୍ତ ହୁଏ ।
ମିଶ୍ରିତ ଫସଲ ଏକ ପୁରୁଣାକାଳିଆ ଚାଷ ପଦ୍ଧତି । ଏବେ ତା ବଦଳରେ ଅନ୍ତଃ ଫସଲ ଚାଷ କରିବା ଉପରେ ଗୁରୁତ୍ଵ ଦିଆଯାଉଛି । ଅନ୍ତଃ ଫସଲ ଚାଷରୁ ମିଶ୍ରିତ ଫସଲ ଚାଷର ଉପକାର ମିଳେ, ନିରୁତା ଫସଲଠାରୁ ଅଧିକ ଆଦାୟ ମିଳେ ଏବଂ ଅନ୍ତଃ ଫସଲ ଦ୍ଵାରା ମିଶ୍ରିତ ଫସଲ ଚାଷର ଅପକାରକୁ ଦୂର କରି ହୁଏ ।
ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ
Last Modified : 1/26/2020
0 ratings and 0 comments
Roll over stars then click to rate.
© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.