অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମଧୁର ଜଳ ଚିଙ୍ଗୁଡ଼ି ଚାଷ

ଚିଙ୍ଗୁଡ଼ି ଚାଷ

ମଧୁର ଜଳ ଚିଙ୍ଗୁଡ଼ି ସାଧାରଣରେ ଗଲଦା, ଭୀମକାୟ ବା ଗଜା ଚିଙ୍ଗୁଡ଼ି ନାମରେ ପରିଚିତ । ଅପେକ୍ଷାକୃତ ଅଧିକ ସୁସ୍ୱାଦୁ ହୋଇଥିବାରୁ ଦେଶ ବିଦେଶରେ ଏହାର ଚାହିଦା ବୃଦ୍ଧି ପାଉଛି । ସେହି ଅନୁପାତରେ ଗ୍ରାହକମାନେ ଅଧିକ ମୂଲ୍ୟ ଦେଇ ଏହି ଚିଙ୍ଗୁଡ଼ି କିଣୁଛନ୍ତି । ତେଣୁ ମଧୁର ଜଳ ଚିଙ୍ଗୁଡ଼ି ଚାଷ ବ୍ୟବସାୟିକ ଦୃଷ୍ଟିକୋଣରୁ ଲାଭପ୍ରଦ ହୋଇଛି । ମଧୁର ଜଳ ବ୍ୟତୀତ ଅଳ୍ପ ଲବଣାକ୍ତ ଜଳରେ ମଧ୍ୟ ଏହା ଚାଷ ହୋଇପାରିବ ।

ଏହି ଚିଙ୍ଗୁଡ଼ି ମିଶ୍ରିତ ଚାଷ ବା ଏକକ ଭାବେ ଚାଷ କରାଯାଇଥାଏ । ଅଳ୍ପ ଲବଣାକ୍ତ ଜଳରେ ଏକକ ଚିଙ୍ଗଡ଼ି ଚାଷ କିମ୍ବା ମଧୁର ଜଳରେ ବିଶେଷ କରି ପୋଖରୀରେ ରୋହୀ, ଭାକୁଡ଼, ମିରିକାଳି ଓ ବିଲାତି ରୋହି ମାଛ ସହ ମିଶ୍ରିତ ଚିଙ୍ଗୁଡ଼ି ଚାଷ କରାଯାଇପାରିବ । ଏକକ ପଦ୍ଧତିରେ କେବଳ ଚିଙ୍ଗଡ଼ି ଚାଷ କରିବାକୁ ହେଲେ ଏକ ଏକର ଚାଷ ପୋଖରୀ ପିଛା ୫୦୦୦ ରୁ ୧୦,୦୦୦ ଚିଙ୍ଗୁଡ଼ି ଜାଆଁଳ ଛାଡ଼ିବାକୁ ପଡ଼ିବ ।

ଉନ୍ନତ ଜାଆଁଳ ଚିହ୍ନିବେ କିପରି

ଉନ୍ନତମାନର ଜାଆଁଳ କିମ୍ବା ଉଚିତ ଜାଆଁଳ ଚିହ୍ନି ଚାଷ କଲେ ଭଲ ଲାଭ ମିଳିଥାଏ । ତେବେ ଉପଯୁକ୍ତ ଜାଆଁଳ ଚିହ୍ନିବେ କିପରି?

  • ଜାତିଆ ଚିଙ୍ଗୁଡ଼ି ଜାଆଁଳର ଶରୀର ସ୍ୱଚ୍ଛ, ଲମ୍ବାଳିଆ ଓ ସରୁ ଦିଶେ କିନ୍ତୁ ଅଜାତିଆ ଚିଙ୍ଗୁଡ଼ି ଜାଆଁଳର ଶରୀର ବେଶୀ ଚଉଡ଼ା ଓ ଅସ୍ୱଚ୍ଛ ହେବା ସହ ଆକାରରେ ଛୋଟ ହୋଇଥାଏ ।
  • ଜାତିଆ ଚିଙ୍ଗୁଡ଼ି ଜାଆଁଳର ଗୋଡ଼ଗୁଡ଼ିକ ଶକ୍ତିଶାଳୀ ଓ ସେମାନେ ଶିଘ୍ର ଗତି କରିପାରନ୍ତି ।
  • ମୁଣ୍ଡ ଖୋଳପାର ଉଭୟ ପାର୍ଶ୍ୱରେ ୧ରୁ ୮ଟି କଳା ବା ଖଇରିଆ ଅନୁପ୍ରସ୍ତ (ହରାଇଜେଣ୍ଟାଲ) ରେଖା ଥାଏ ।
  • ପେଟ ଖୋଳପାରୁ ଉଭୟ ପାଶ୍ୱର୍ରେ କଳା ବା ଖଇରିଆ ବିନ୍ଦୁ ଦେଖାଯାଏ ।

ଏକକ ଏବଂ ମିଶ୍ରିତ ଦୁଇ ପ୍ରକାର ଚାଷ

ମିଶ୍ରିତ ଚାଷ – ରୋହୀ, ଭାକୁଡ଼, ମିରିକାଳି ଓ ବିଲାତି ରୋହି ସହିତ ଚିଙ୍ଗୁଡ଼ି ଚାଷ କରାଯାଇଥାଏ । ଆମ ରାଜ୍ୟର ଚାଷୀମାନେ ପ୍ରାୟତଃ ମିଶ୍ରିତ ଚାଷ କରିଥାନ୍ତି । ଏହାଦ୍ୱାର ଚାଷୀଙ୍କୁ ଚିଙ୍ଗୁଡ଼ିରୁ ବି ଅତିରିକ୍ତ ରୋଜଗାର ମିଳିଥାଏ । ମିଶ୍ରିତ ଚାଷରେ ମିରିକାଳି ଓ ବିଲାତି ରୋହି ଜାଆଁଳ ଆଦୌ ନଛାଡ଼ିବା ଭଲ । ସ୍ଥଳ ବିଶେଷରେ ଏହି ପ୍ରକାରର ଜାଆଁଳ ଯଥା ସମ୍ଭବ କମ୍ ଛଡ଼ାଯାଇପାରେ । ଜଣେ ଚାଷୀ ଏକର ପିଛା ପ୍ରାୟ ୫୦୦୦ ଚିଙ୍ଗୁଡ଼ି ଜାଅଁଳ ସହିତ ୨୦୦୦ ମାଛ ଜାଆଁଳ ଛାଡ଼ିପାରିବେ । ଏକକ ପଦ୍ଧତିରେ କେବଳ ଚିଙ୍ଗୁଡ଼ି ଚାଷ କରାଯାଇଥାଏ । ଏଥିରେ ଚାଷୀଙ୍କୁ ଅଧିକ ଲାଭ ମିଳିଥାଏ । ଏକର ପିଛା ବିଶୁଦ୍ଧ ଚିଙ୍ଗୁଡ଼ି ଜାଆଁଳ ୫,୦୦୦ ରୁ ୧୦,୦୦୦ ପର୍ଯ୍ୟନ୍ତ ଚାଷୀଙ୍କୁ ଛାଡ଼ିବାକୁ ହେବ ।

ଜାଆଁଳର ଲମ୍ବ ଦେଢ଼ ଇଞ୍ଚରୁ ୨ ଇଞ୍ଚ ଓ ହାରାହାରି ୩.୫୦ ଗ୍ରାମ ହୋଇଥିଲେ ପୋଖରୀରେ ଛାଡିଲେ ଭଲ । ଜାଆଁଳଗୁଡ଼ିକରେ ସାନ ବଡ଼ ରହିଲେ ସେମାନେ ପରସ୍ପରକୁ ଖାଇଯିବାର ଆଶଙ୍କା ଥାଏ । ତେଣୁ ଜାଆଁଳଗୁଡ଼ିକ ସମାନ ଆକାରର ହେବା ଆବଶ୍ୟକ । ଜାଆଁଳ ବଢ଼ାଉଥିବା ନର୍ସରୀ ପୋଖରୀରେ ମାଇ ଅଣ୍ଡିରା ଚିଙ୍ଗୁଡ଼ି ଚିହ୍ନଟ କରି ଅଲଗା ରଖାଯାଇଥାଏ । ଜାଆଁଳର ପଞ୍ଚମ ୱାକିଙ୍ଗ୍ ଲେଗ୍ ଦୁଇଟିଯାକ ଯଦି ଲାଗିକି ରହିଥାଏ ତେବେ ଅଣ୍ଡିରା (ମେଲ୍) ଓ ଛଡ଼ା ଛଡ଼ା ଥିଲେ ତାହା ମାଇ (ଫିମେଲ୍) ବୋଲି ଜାଣନ୍ତୁ । ଏକ ଏକର ପୋଖରୀରେ ଚାଷ ପାଇଁ ୨୦ ଡିସିମିଲ୍ ନର୍ସରୀ ପୋଖରୀ କରି ଜାଆଁଳ ବଢ଼ାଇବାକୁ ପଡ଼ିଥାଏ । ୨୦ ଡିସିମିଲ୍ ନର୍ସରୀରେ ୨୫,୦୦୦ ପୋଷ୍ଟ ଲାର୍ଭା ଗଚ୍ଛିତ କଲେ ଜଣେ ନିଶ୍ଚିତରୂପେ ୧୫ ରୁ ୨୦ ହଜାର ଜାଆଁଳ ପାଇପାରିବ ।

ପୋଖରୀ ପ୍ରସ୍ତୁତି

ମାଛ ବା ଚିଙ୍ଗୁଡ଼ି ଚାଷ ପାଇଁ ସଠିକ୍ ପୋଖରୀ ପ୍ରସ୍ତୁତି କରିବା ନିହାତି ଜରୁରୀ । ପ୍ରଥମେ ପୋଖରୀକୁ ଶୁଖାଇ ଦୁଇ ଥର ହଳ କରିବାକୁ ପଡ଼ିଥାଏ । ଏହାଦ୍ୱାରା ମାଟି ଭିତରେ ଥିବା ବିଷାକ୍ତ ଅଦରକାରୀ ଗ୍ୟାସ ବାହାରିଯାଏ । ଏହାପରେ ପୋଖରୀରେ ୪ ଫୁଟର ପାଣି ଛାଡ଼ିବା ପରେ ଏକର ପିଛା ୫୦ କିଲୋଗ୍ରାମ ବ୍ଳିଚିଂ ପାଉଡର ପ୍ରୟୋଗ କରିବାକୁ ହେବ । ବ୍ଳିଚିଂ ପାଉଡର ପ୍ରୟୋଗ କରିବାର ୭ ଦିନ ପରେ ଏକର ପିଛା ୫୦ କିଲୋଗ୍ରାମ ଅକ୍ସାଇଡ୍ ଚୂନ ପକାଇବେ ।

ଏହାର ଠିକ୍ ୩ ଦିନ ପରେ ସନ୍ଧ୍ୟା ସମୟରେ ଏକର ପିଛା ୨୦ କିଲୋଗ୍ରାମ ଡୋଲୋମାଇଟ୍ ବ୍ୟବହାର କରିବେ । ତା’ପର ଦିନ ସକାଳୁ ୟୁରିଆ ସାର ୫ କିଲୋଗ୍ରାମ ଏବଂ ସୁପର ସାର ୧୦ କିଲୋଗ୍ରାମ ପାଣିରେ ପ୍ରୟୋଗ କରିବା ନିତାନ୍ତ ଆବଶ୍ୟକ । ଏହିଭଳି ଉପାୟରେ ଡୋଲୋମାଇଟ୍ ଓ ରାସାୟନିକ ସାର ଥରେ ବା ଦୁଇଥର ପକାଇ ସାରିଲା ପରେ ପୋଖରୀ ପାଣିରେ ଯଥେଷ୍ଟ ପରିମାଣର ପ୍ଳାବକ ସୃଷ୍ଟି ହୋଇ ପାଣି ରଙ୍ଗ ଇଷତ୍ ସବୁଜ ଦେଖାଯାଏ । ଏହାପରେ ପୋଖରୀରେ ଜାଆଁଳ ଛଡ଼ାଯାଇଥାଏ ।

ଖାଦ୍ୟ ପରିଚାଳନା

ଚିଙ୍ଗଡ଼ି ଚାଷରେ ଖାଦ୍ୟ ପରିଚାଳନା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଚିଙ୍ଗୁଡ଼ି ଚାଷରେ ଏହା ସମୁଦାୟ ଖର୍ଚ୍ଚର ଶତକଡ଼ା ୫୦-୬୦ ଭାଗ ଅର୍ଥ ବିନିଯୋଗ ଆବଶ୍ୟକ କରେ । ଚିଙ୍ଗୁଡ଼ି ସାଧାରଣତଃ ରାତ୍ରିଚର ହୋଇଥିବାରୁ ସେମାନଙ୍କ ଖାଦ୍ୟ ପରିଚାଳନାକୁ ୨ ଭାଗରେ ବିଭକ୍ତ କରି ସକାଳେ ୪୦ ପ୍ରତିଶତ ଏବଂ ସନ୍ଧ୍ୟା ସମୟରେ ୬୦ ପ୍ରତିଶତ ଦିଆଯିବା ଦରକାର । ୨ କିଲୋଗ୍ରାମ ଲେଖାଏଁ ବାଦାମ ପିଡ଼ିଆ, ସୋୟାବିନ୍ ଗୁଣ୍ଡ, ମାଛ ବା ଚିଙ୍ଗୁଡ଼ ଗୁଣ୍ଡ, କାଣ୍ଡିଆ କୁଣ୍ଡା ୪ କିଲୋଗ୍ରାମ, କଡ୍ ମାଛର ତେଲ ୧୦୦ ଗ୍ରାମ, ଭିଟାମିନ୍ ମିନେରାଲ ମିକ୍ସ ୨୦ ଗ୍ରାମ ଆଦିକୁ ଭଲ ଭାବରେ ମିଶାଇ ଗୁଣ୍ଡ କରି ଚିଙ୍ଗୁଡ଼ି ଖାଦ୍ୟ ଭାବେ ବ୍ୟବହାର କରାଯାଏ।

ଚିଙ୍ଗୁଡ଼ି ଚାଷ ପାଇଁ ପୋଖରୀରୁ ପୁରୁଣା ପାଣି ବାହାର କରି ପୁନର୍ବାର ଭଲ ପାଣି ଭର୍ତ୍ତି କରିବା ନିହାତି ଜରୁରୀ । ଏକକ ଚାଷ ପଦ୍ଧତିରେ ୩ ମାସ ପରଠାରୁ ପ୍ରତି ୧୫ ଦିନ ବ୍ୟବଧାନରେ ପ୍ରାୟ ୨୦-୩୦ ଭାଗ ପାଣି ପରିବର୍ତ୍ତନ କରିବା ଆବଶ୍ୟକ । ଏହା ଦ୍ୱାରା ପୋଖରୀର ତଳଭାଗ ପରିଷ୍କାର ରହିଥାଏ । ବିଷାକ୍ତ ଗ୍ୟାସ ଏବଂ ଅନ୍ୟାନ୍ୟ ମଇଳା ନିଷ୍କାସନ ହୋଇଥାଏ । ଫଳରେ ଚିଙ୍ଗୁଡ଼ି ସୁସ୍ଥ ରୁହନ୍ତି ଓ ଭଲ ବଢ଼ନ୍ତି ।

ଚିଙ୍ଗୁଡ଼ି ଅମଳ

ଜାଆଁଳ ଛାଡ଼ିବାର ୭ ମାସ ବା ୨୦୦ ଦିନ ଭିତରେ ଅମଳ ଯୋଗ୍ୟ ହୋଇଥାନ୍ତି । ମାତ୍ର ଏହା ପୂର୍ବରୁ ଯଦି ମାଇ ଚିଙ୍ଗୁଡ଼ି ଅଣ୍ଡା ଧରିଯାଏ ଏବଂ ଅଣ୍ଡିରା ଚିଙ୍ଗୁଡ଼ିର ବୁଢ଼ା ଗୋଡ଼ର ଅଗ୍ରଭାଗ ନୀଳ ପଡ଼ିବାର ଦେଖାଯାଏ ତେବେ, ସେମାନଙ୍କୁ ଧରି ବିକ୍ରି କରିଦେବା ଉଚିତ । କାରଣ ଏହାପରେ ସେମାନଙ୍କର ଆଉ ଅଭିବୃଦ୍ଧି ଘଟିନଥାଏ । ୭ ମାସ ଭିତରେ ଚିଙ୍ଗୁଡ଼ିର ଓଜନ ୬୦ ରୁ ୭୦ ଗ୍ରାମ ହୋଇଥାଏ ଏବଂ ଏକର ପ୍ରତି ୪୦୦ ରୁ ୫୦୦ କିଲୋ ପର୍ଯ୍ୟନ୍ତ ଅମଳ ମିଳିଥାଏ ।

ମଧୁର ଜଳ ଚିଙ୍ଗୁଡ଼ି ଚାଷ ବିଷୟରେ କିଛି ଜାଣିବା କଥା

ଚାଷ ଉପଯୋଗୀ ପୋଖରୀର ମାନ

  • ମାଟି ସମ୍ପୂର୍ଣ୍ଣ ଦୋରସା କିମ୍ବା ବାଲିଆ ମଟାଳି ମିଶା ହୋଇଥିବା ଆବଶ୍ୟକ ।
  • ପାଣିର ଗୁଣ-ଉତ୍ତାପ ୨୪ ରୁ ୩୪ ଡିଗ୍ରୀ ରହିବା ଜରୁରୀ ।
  • ଅମ୍ଳତା ୭-୮.୫ ପିଏଚ୍
  • ସ୍ୱଚ୍ଛତା ୭୦ ରୁ ୩୫ ସେ.ମି
  • ଦ୍ରବିଭୂତ ଅମ୍ଳଜାନ ୪ ପିପିଏମ୍ ରୁ ଅଧିକ
  • ପୋଖରୀର ଗଭୀରତା ୧.୨ ରୁ ୧.୫ ମି.
  • ପୋଖରୀରେ ଇନ୍ଲେଟ୍ ଏବଂ ଆଉଟ୍ଲେଟ୍ ସୁବିଧା ଥିବା ଦରକାର ।
  • ପୋଖରୀରେ ବର୍ଷ ତମାମ ଜଳ ଯୋଗାଇବା ପାଇଁ ଗଭୀର ନଳକୂପ ଥିଲେ ଭଲ ।

ଚାଷ ସମୟରେ ଆବଶ୍ୟକ ପରିଚାଳନା

  • ପାଣି ଅଧିକ ସ୍ୱଚ୍ଛ ହେଲେ ରାସାୟନିକ ସାର ପ୍ରୟୋଗ କରିବା ଉଚିତ ।
  • ପାଣି ଗାଢ଼ ରଙ୍ଗ ହେଲେ ସାର ଚୂନ ପ୍ରୟୋଗ ବନ୍ଦ କରି କିଛି ପାଣି ପରିବର୍ତ୍ତନ କରି ଖାଦ୍ୟ ପରିମାଣ କମାଇଦେବା ଉଚିତ ।
  • ଚିଙ୍ଗୁଡିମାନେ ମୁଖ୍ୟତଃ ପୂର୍ଣ୍ଣିମା ଏବଂ ଅମାବାସ୍ୟା ସମୟରେ ଖୋଳପା ଛାଡ଼ନ୍ତି । ଏହି ସମୟରେ ଏକର ପିଛା ୨୦ କେ.ଜି. ଚୂନ ପ୍ରୟୋଗ କରାଯିବା ଆବଶ୍ୟକ ।
  • ପ୍ରତି ୧୫ ଦିନରେ ଥରେ ଫିଙ୍ଗାଜାଲ ଦ୍ୱାରା ସ୍ୟାପଲିଙ୍ଗ କରି ଚିଙ୍ଗୁଡ଼ିଙ୍କର ସ୍ୱାସ୍ଥ୍ୟ ଓ ଅଭିବୃଦ୍ଧି ପରୀକ୍ଷା କରିବା ଆବଶ୍ୟକ ।

ଆଧାର - "ସଂକଳ୍ପ ଓଡ଼ିଶା"

Last Modified : 5/11/2021



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate