ଫସଲ
ଅମଳ ପର୍ଯ୍ୟନ୍ତ ଫସଲ ଯେଉଁ ଖାଦ୍ୟସାର ଗୁଡିକ ମୃତ୍ତିକାରୁ ଗ୍ରହଣ କରିଥାଏ । ତାହା ଫସଲର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗରେ ରହିଥାଏ । ଫସଲ ଅମଳ କରିନେବା ଦ୍ଵାରା ସେ ସେଥିରେ ଥିବା ଖାଦ୍ୟସାର ମୃତ୍ତିକାର ଚାଲିଯାଏ । ଫସଲ ଅମଳ ପରିମାଣ ଯେତେ ଅଧିକ ହୁଏ , ସେହି ଅନୁପାତରେ ଅଧିକ ଖାଦ୍ୟସାର ମୃତ୍ତିକାରୁ କ୍ଷୟ ହୋଇଥାଏ । ଫସଲର ଯେଉଁ ଅଂଶ ନେବା ନିହାତି ଆବଶ୍ୟକ ସେତିକି ନେଇ , ଅବଶିଷ୍ଟ ଅଂଶକୁ ମାଟିରେ ମିଶାଇ ଦେଲେ ମାଟିରୁ ଖାଦ୍ୟସାର ହାନି ପରିମାଣ ଯଥେଷ୍ଟ କମିଯିବ ଓ ଉର୍ବରତା ସଂରକ୍ଷିତ ହୋଇପାରିବ ।
ନିକ୍ଷାଳନ
ମୃତ୍ତିକାର ଜଳଧାରଣ ଶକ୍ତି ଠାରୁ ବେଶି ବର୍ଷା ହେଲେ ବା ଜଳସେଚନ କଲେ ବଳକା ଜଳ ମୃତ୍ତିକା ଛିଦ୍ର ମଧ୍ୟ ଦେଇ ତଳକୁ ଓ ଚାରିଆଡକୁ ବହିଯାଏ । ଏଥିରେ ମୃତ୍ତିକାରେ ଥିବା ଦ୍ରବଣୀୟ ଖାଦ୍ୟସାର ମଧ୍ୟ ମିଶି ନଷ୍ଟହୁଏ । ଏହା ଫଳରେ ଉପର ମାଟିର ଖାଦ୍ୟସାର ହାନି ଘଟେ । ଅଧିକ ବଡ ଛିଦ୍ରଥିବା ଏବଂ କମ୍ ଜଳଧାରଣ ଶକ୍ତିଥିବା ବାଲିଆ ମୃତ୍ତିକାରୁ ଏହି ପ୍ରକାର ହାନି ଅଧିକ ହୋଇଥାଏ ।
ଉଦ୍ ବାୟନ
ମୃତ୍ତିକାରୁ କେତେକ ଖାଦ୍ୟସାର ପ୍ରତିକୂଳ ଅବସ୍ଥାରେ ଗ୍ୟାସ ଆକାରରେ ବାହାରିଯାଏ । ଉଦାହରଣସ୍ୱରୂପ କ୍ଷାରୀୟ ମୃତ୍ତିକାରୁ ଯବକ୍ଷାର ଆମୋନିଆ ଗ୍ୟାସ ଆକାରରେ ହାନି ହୁଏ । ମୃତ୍ତିକା କ୍ରମାଗତଭାବେ ଜଳ ପରିପୃକ୍ତ ରହିଲେ ଯବକ୍ଷାର ଓ ତା ପରେ, NO ଗ୍ୟାସରେ ପରିଣତ ହୋଇ ନିର୍ଗତ ହୁଏ। ଏହାକୁ ବିଭୁୟନ କୁହାଯାଏ ରୁ ଗ୍ୟାସରେ ପରିଣତ ହୋଇ ନିର୍ଗତ ହୁଏ ।
ମୃତ୍ତିକା କ୍ଷୟ
ଛେଚାବର୍ଷା ହେଲେ ସୂକ୍ଷ୍ମ ମୃତ୍ତିକା କଣିକା ବିକ୍ଷେପିତ ହୋଇ ଗୋଳିପାଣି ସୃଷ୍ଟି ହୁଏ । ଏହି ଗୋଳିପାଣି ବହିଗଲେ ଏଥିରେ ବିଭିନ୍ନ ଖାଦ୍ୟସାର ବୋହିଯାଏ ।
ଉପରୋକ୍ତ ପ୍ରକ୍ରିୟାରେ ହେଉଥିବା ଖାଦ୍ୟସାର ହାନିକୁ ସଂପୂର୍ଣ୍ଣ ନିରୋଧ କରିବା ସମ୍ଭବ ନହେଲେ ମଧ୍ୟ ଯଥାସମ୍ଭବ କମ୍ କରାଯାଇପାରିଲେ ମୃତ୍ତିକା ଅଧିକଉର୍ବର ରହେ ।
ସବୁ ପ୍ରକାର ଖାଦ୍ୟସାର ଉଦ୍ଭିଦ ଗ୍ରହଣ କରିପାରେ ନାହିଁ । ଉଦ୍ଭିଦ ଗ୍ରହଣୀୟ ଭିତରେ ସେଗୁଡିକୁ ମୋଟାମୋଟି ଭାବେ ୩ଟି ପର୍ଯ୍ୟାୟରେ ବିଭକ୍ତ କରାଯାଏ ଯଥା : -
ସହଜରେ ଗ୍ରହଣୀୟ ଖାଦ୍ୟସାର
ମୃତ୍ତିକା ଦ୍ରବଣରେ ଖାଦ୍ୟସାର ଆୟନ ରୂପରେ ଥିଲେତାହାକୁ ଉଦ୍ଭିଦ ଚେର ଅକ୍ଲେଶରେ ଶୋଷଣ କରିଦେଇପାରେ ।
ଧୀରେ ଧୀରେ ଗ୍ରହଣୀୟ
ମୃତ୍ତିକା ଶ୍ଲେଷାଭରେ ଅଧିଶୋଷିତ ହୋଇ ବିନିମୟଶୀଳ ଆୟନ ଭାବରେ ରହିଥିବା ଖାଦ୍ୟସାର ଏହି ପର୍ଯ୍ୟାୟଭୁକ୍ତ । ମୃତ୍ତିକା ଦ୍ରବଣରେ ଥିବା ବିନିମୟଶୀଳ ଆୟନଗୁଡିକୁ ହିଁ ଉଦ୍ଭିଦ ଗ୍ରହଣ କରିପାରେ । ଉଦ୍ଭିଦ ଗ୍ରହଣ କରିନେବା ହେତୁ ମୃତ୍ତିକା ଦ୍ରବଣରେ ନିର୍ଦ୍ଧିଷ୍ଟ ଆୟନର ସଘନତା ଏବଂ ପରିମାଣହ୍ରାସ ପାଇଲେ ଶ୍ଲେଷାଭ ପୃଷ୍ଠରୁ ବିନିମୟଶୀଳ ଆୟନ ଦ୍ରବଣକୁ ସହଜ ଗ୍ରହଣୀୟ ପର୍ଯ୍ୟାୟକୁ ନେଇଆସେ । ସାର ପ୍ରୟୋଗ ଦ୍ଵାରା ଦ୍ରବଣରେ ନିର୍ଦ୍ଧିଷ୍ଟ ଆୟନର ସଘନତା ବୃଦ୍ଧି ପାଇଲେ ଦ୍ରବଣରୁ ଆୟନ କଲଏଡ ପୃଷ୍ଠରେ ଅଧିକ ମାତ୍ରାରେ ଅଧିଶୋଷିତ ହୋଇଯାଏ । ଯଦି ଏହା ନ ହୁଅନ୍ତା ତେବେ ମୃତ୍ତିକା ଦ୍ରବଣରେ ନିର୍ଦ୍ଧିଷ୍ଟ ଆୟନର ଅତ୍ୟଧିକ ଶୋଷଣ ଯୋଗୁଁ ବିଷାକ୍ତ ପ୍ରଭାବ ପଡନ୍ତା । ନିକ୍ଷାଳନ ଏବଂ ଉଦ୍ ବାୟୀନ ପ୍ରକ୍ରିୟାରେ ଅଧିକ ପରିମାଣ ନଷ୍ଟ ହୁଅନ୍ତା । ତେଣୁ ଯେତେ ଅଧିକ ପରିମାଣରେ ଖାଦ୍ୟସାର କଲଏଡ ପୃଷ୍ଠରେ ବିନିମୟଶୀଳ ରୂପରେ ଅଧିଶୋଷିତ ହୋଇରହିପାରିବ ସେତେ ଭଲ ଏବଂ ମୃତ୍ତିକାର ଉର୍ବରତା ସେହି ଅନୁସାରେ ଅଧିକହେବ ।
ଧୀର ମନ୍ଥରଭାବେ ଗ୍ରହଣୀୟ
ମୃତ୍ତିକାସ୍ଥ କ୍ଲିଷ୍ଟ ଜୈବ ପଦାର୍ଥ ଏବଂ ପ୍ରାଥମିକ ଓ ଦ୍ଵିତୀୟ ପର୍ଯ୍ୟାୟ ଖଣିଜ ଲବଣ ମଧ୍ୟରେ ସନ୍ନିବିଷ୍ଟ ହୋଇରହିଥିବା ଖାଦ୍ୟ ଉପାଦାନ ଏହି ପର୍ଯ୍ୟାୟଭୁକ୍ତ । ଜୈବ ପଦାର୍ଥର ଅବଘଟନ ତତ୍ ସନ୍ନିବିଷ୍ଟ ଉପାଦାନ ସରଳ ଯୌଗିକ ପଦାର୍ଥରେ ପରିଣତ ହୁଏ । ସେହିପରି ଖଣିଜ ଅବକ୍ଷୟ ଓ ବିଘଟନ ହେଲେ ତତ୍ ସନ୍ନିବିଷ୍ଟ ଉପାଦାନ ସରଳ ଯୌଗିକ ଏବଂ ଆୟନରେ ରୂପାନ୍ତରିତ ହୁଏ । କିନ୍ତୁ ଏହି ପ୍ରାକୃତିକ ଅପଘଟନକାରୀ ପ୍ରକ୍ରିୟା ଅତି ମନ୍ଥର । ସ୍ଵଳ୍ପକାଳୀନ ଭିତ୍ତିରେ ଉପରୋକ୍ତ କ୍ଲିଷ୍ଟପଦାର୍ଥ ଗୁଡିକରୁ ଗ୍ରହଣୀୟ ପର୍ଯ୍ୟାୟକୁ ରୂପାନ୍ତରିତ ହେଉଥିବା ପରିମାଣ ଅତି ନଗଣ୍ୟ କହିଲେ ଚଳେ । ତେଣୁ ସ୍ଥଳବିଶେଷରେ କ୍ଲିଷ୍ଟ ପଦାର୍ଥ ଓ ପ୍ରାଥମିକ ଖଣିଜ ସନ୍ନିବିଷ୍ଟ ଖାଦ୍ୟସାର ଉପାଦାନକୁ ଅଗ୍ରହଣୀୟ ବୋଲି ଧରାଯାଏ । କିନ୍ତୁ ଦୀର୍ଘକାଳୀନ ଭିତ୍ତିରେ ବିଚାର କଲେ ଏଥିରେ ଥିବା ଖାଦ୍ୟସାର ଉପାଦାନ କାଳକ୍ରମେ ଗ୍ରହଣୀୟ ପର୍ଯ୍ୟାୟଭୁକ୍ତ ହୋଇଥାଏ । ତେଣୁ ଏହି ପର୍ଯ୍ୟାୟଭୁକ୍ତ ଖାଦ୍ୟସାରକୁ ଗଚ୍ଛିତ ଉତ୍ସ କୁହାଯାଏ ।
ଉପରୋକ୍ତ ୩ଟି ପର୍ଯ୍ୟାୟଭୁକ୍ତ ଖାଦ୍ୟସାର ପରସ୍ପର ସହିତ ସଂପୃକ୍ତ । ଉଦ୍ଭିଦ ଗ୍ରହଣୀୟତା ଦୃଷ୍ଟିରୁ ସେଗୁଡିକୁ ଅବିଚ୍ଛିନ୍ନ ବୋଲି ବିଚାର କରାଯାଏ । ନିମ୍ନରେ ସରଳ ଭାବରେ ବୁଝାଇ ଦିଆଯାଇଛି ।
ମୃତ୍ତିକାରେ ଥିବା ମୋଟ ଖାଦ୍ୟସାର ପରିମାଣର ଅତି ଅଳ୍ପ ଭାଗ ମାତ୍ର ମୃତ୍ତିକା ଦ୍ରବଣରେ ଏବଂ ମୃତ୍ତିକା ଶ୍ଲେଷାଭ ପୃଷ୍ଠରେ ଅଧିଶୋଷିତ ଆୟନ ଭାବରେ ଥାଏ । ଏହି ଉଭୟ ପର୍ଯ୍ୟାୟଭୁକ୍ତ ଖାଦ୍ୟସାର ଉଦ୍ଭିଦକୁ ସଙ୍ଗେ ସଙ୍ଗେ ବା ଅବିଳମ୍ବେ ପ୍ରାପ୍ତ ହେଉଥିବାରୁ ସେହି ପରିମାଣ ଉଦ୍ଭିଦ ଗ୍ରହଣୀୟ ପରିମାଣ ଭାବରେ ଧରାଯାଏ । କିନ୍ତୁ ମୋଟ ପରିମାଣର ମୁଖ୍ୟଭାଗ ଗଚ୍ଛିତ ଖାଦ୍ୟସାର ଭାବରେ ଥାଏ । ଏହା ସାଥି ସାଥି ଉଦ୍ଭିଦକୁ ସହଜରେ ମିଳେ ନାହିଁ ।
ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ
Last Modified : 5/11/2021