ମୃତ୍ତିକାର ବୟନ, ଦାନା ଗଠନ ଓ ସଂରଚନା ପ୍ରଭୃତି ଭୌତିକ ଗୁଣ ଚେର ବୃଦ୍ଧିକୁ ପ୍ରଭାବିତ କରେ । ଖାଦ୍ୟସାର ଆୟନର ସମୂହ ପ୍ରବାହ ଓ ବିସ୍ତାରଣ ପ୍ରକ୍ରିୟାକୁ ମଧ୍ୟ ପ୍ରଭାବିତ କରେ । ଚିକିଟା ମଟାଳ ମାଟିରେ ଚେର ବେଶି ବଢିପାରେ ନାହିଁ କିନ୍ତୁ ଛିଦ୍ରଳ ବାଲିଆ ଓ ଦୋରସା ମୃତ୍ତିକାରେ ଚେର ଅଧିକ ବଢିପାରେ । ଚିକିଟା ମାଟିରେ ଖାଦ୍ୟସାର ଆୟନର ସମୂହ ପ୍ରବାହ ଓ ବିସ୍ତାରଣ ବାଧାପ୍ରାପ୍ତ ହୁଏ । ବାଲିଆ ମାଟିରୁ ଦ୍ରବୀଭୂତ ଖାଦ୍ୟସାର ନିକ୍ଷାଳନ ହୋଇ ଉଦ୍ଭିଦ ଗ୍ରହଣ ପୂର୍ବରୁ ବିନଷ୍ଟ ହୋଇଯାଇଥାଏ । ମଟାଳ ଓ ଦୋରସା ମାଟି ତୁଳନାରେ ବାଲିଆ ମାଟିରେ ଅବଶୋଷଣ ବେଗ ପ୍ରଥମରୁ ଅଧିକ ଥାଏ କିନ୍ତୁ ପରେ ହ୍ରାସ ପାଏ । ତେଣୁ ମୋଟ ଅବଶୋଷଣ ସୀମିତ ହୋଇଯାଏ ।
ମୃତ୍ତିକାରେ ଅଧିକ ଜୈବ ପଦାର୍ଥ ଥିଲେ ଅଣୁଜୀବମାନେ ଅଧିକ କ୍ରିୟାଶୀଳ ରହନ୍ତି । ତେଣୁ ଅଧିକ ଯବକ୍ଷାରଜାନ ନିବନ୍ଧନ ହୋଇପାରେ । ଜୈବ ପଦାର୍ଥରେ ଥିବା କ୍ଲିଷ୍ଟ ଯବକ୍ଷାରୀୟ ପଦାର୍ଥର ଅପଘଟନ ହୋଇ ସେଥିରୁ ଆମୋନିଆ, ନାଇଟ୍ରେଟ ରୂପରେ ଗ୍ରହଣୀୟ ଅବସ୍ଥାକୁ ଆସେ । ସେହିପରି ଗନ୍ଧକ ସଲଫେଟକୁ ରୂପାନ୍ତରିତ ହୁଏ । ଜୈବ ପଦାର୍ଥର ଅପଘଟନ ସମୟରେ ନିର୍ଗତ ଅମ୍ଳ ପଦାର୍ଥ ଖଣିଜ ଓ ଅଦ୍ରବଣୀୟ କ୍ଲିଷ୍ଟ ଯୌଗିକ ଗୁଡିକୁ ଦ୍ରବୀଭୂତ କରାଇ ସେଥିରେ ଥିବା ଖାଦ୍ୟସାରକୁ ଧାରଣ ଶକ୍ତି ବୃଦ୍ଧିହୁଏ । ବିଶେଷତଃ ମୃତ୍ତିକାର ଫସଫରସ୍ ବନ୍ଧନ ଶକ୍ତି ହ୍ରାସପାଏ । ଲୌହ, ଦସ୍ତା, ବୋରନ୍ , ପ୍ରଭୃତି ଅଣୁଖାଦ୍ୟ ଉପାଦାନ ଆୟନ ଜୈବିକ ଅମ୍ଳ ସହିତ ଚିଲେଟ୍ ବା ଅତି ସୂକ୍ଷ୍ମ ରୂପରେ ରହିବା ଦ୍ଵାରା ଗ୍ରହଣୀୟତା ବୃଦ୍ଧିପାଏ ।
ଶୁଷ୍କ ମୃତ୍ତିକା ଅପେକ୍ଷା ଆର୍ଦ୍ର ମୃତ୍ତିକାରେ ଖାଦ୍ୟସାର ଗ୍ରହଣୀୟତା ଅଧିକ । କାରଣ ଅଧିକ ଖାଦ୍ୟସାର ଦ୍ରବୀଭୂତ ହୋଇ ରହିପାରେ ଏବଂ ବିସ୍ତାରଣ ପ୍ରକ୍ରିୟା ସହଜହୁଏ । ମୃତ୍ତିକା ଉଷ୍ମ ରହିଲେ ଚେରର ବିସ୍ତାର ଲାଭହୁଏ । ଖାଦ୍ୟସାର ଦ୍ରବନଣୀୟତା ବିସ୍ତାରଣ ମଧ୍ୟ ବୃଦ୍ଧିପାଏ । ତେଣୁ ମୃତ୍ତିକାରେ ଗ୍ରହଣୀୟତା ଅଧିକ । ଏଣୁ ଶୀତକାଳରେ କାଲସିଅମ ଓ ଫସଫରସ୍ ଖାଦ୍ୟସାର ଗ୍ରହଣୀୟତା ଗ୍ରୀଷ୍ମକାଳ ତୁଳନାରେ ଯଥେଷ୍ଟ କମ୍ । ବାୟୁ ଚଳାଚଳ ଠିକ୍ ନ ରହିଲେ ଚେରର ଶ୍ଵାସକ୍ରିୟା ବାଧାପ୍ରାପ୍ତ ହୁଏ ଏବଂ ସକ୍ରିୟ ଅବଶୋଷଣ କମିଯାଏ । ମୃତ୍ତିକାରେ ବାୟୁ ଚଳାଚଳ ନ ହେଲେ ଗନ୍ଧକର ସଲଫେଟକୁ ଏବଂ ଆମୋନିଆର ନାଇଟ୍ରେଟକୁ ରୂପାନ୍ତର ହୋଇପାରେ ନାହିଁ । ବରଂ ମୃତ୍ତିକାରେ ରହିଥିବା ନାଇଟ୍ରେଟ, ଓ NO ରେ ପରିଣତ ହୁଏ । ସେହିପରି ସଲଫେଟ ରେ ପରିଣତ ହୁଏ । ତେଣୁ ଗ୍ରହଣୀୟତା ହ୍ରାସପାଏ । ଜଳପ୍ଲାବିତ ଜମିରେ ଫସଫରସ୍ , ଲୌହର ଗ୍ରହଣୀୟତା ବୃଦ୍ଧିପାଏ ।
ଏହି କାରକର ପ୍ରଭାବ ସବୁଠାରୁ ଅଧିକ । ଖାଦ୍ୟସାର ଉପାଦାନର ଦ୍ରବଣୀୟତା ଏବଂ ବିଭିନ୍ନ ପ୍ରକାର ଆୟନର ବହୁଳତା ବା ସ୍ୱଳ୍ପତା ଏବଂ ଆପେକ୍ଷିକ ମାତ୍ରା, ମୃତ୍ତିକା ଦ୍ରବଣର ପ୍ରତିକ୍ରିୟା ଦ୍ଵାରା ପ୍ରତ୍ୟକ୍ଷ ଭାବରେ ପ୍ରଭାବିତ ହୁଏ । ଶାକାଣୁ , କବକ, ଇଷ୍ଟ ପ୍ରଭୃତି ବିଭିନ୍ନ ଶ୍ରେଣୀର ଅଣୁଜୀବମାନଙ୍କର କ୍ରିୟାଶୀଳତା ମଧ୍ୟ ମୃତ୍ତିକା ପ୍ରତିକ୍ରିୟା ଦ୍ଵାରା ବିଶେଷ ଭାବରେ ପ୍ରଭାବିତ ହୋଇଥାଏ । ନିରପେକ୍ଷ ଓ କ୍ଷାରୀୟ ମୃତ୍ତିକାରେ ଶାକାଣୁମାନେ ଅଧିକ କ୍ରିୟାଶୀଳ କିନ୍ତୁ ଅମ୍ଳମାଟିରେ ସେମାନଙ୍କର ପ୍ରକ୍ରିୟାଶୀଳତା କମିଯାଏ ଏବଂ କବକମାନଙ୍କର କ୍ରିୟାଶୀଳତା ବୃଦ୍ଧିପାଏ । ନିମ୍ନ ଚିତ୍ରରେ ବିଭିନ୍ନ ଖାଦ୍ୟସାରର ଗ୍ରହଣୀୟତା କିପରି ମୃତ୍ତିକାର PH ଦ୍ଵାରା ପ୍ରଭାବିତ ହୁଏ ତାହା ବୁଝାଇ ଦିଆଯାଇଛି । PH କମ୍ ଥିବା ମାଟିରେ ଯବକ୍ଷାର ନିବନ୍ଧନ ଓ ନାଇଟ୍ରିକରଣ କମିଯାଏ । ତେଣୁ ଯବକ୍ଷାର ଗ୍ରହଣୀୟତା ହ୍ରାସପାଏ । ଅପରପକ୍ଷେ ଅତ୍ୟଧିକ କ୍ଷାରୀୟ ମୃତ୍ତିକାରୁ ଯବକ୍ଷାର ଗ୍ୟାସ ଭାବରେ ନଷ୍ଟହୁଏ । ଅଧିକ ଅମ୍ଳୀୟ ମାଟିରେ ଫସଫରସ୍ ଲୌହ ଫସଫେଟ୍ ଓ ଆଲୁମିନିୟମ ଫସଫେଟ୍ ଭାବରେ ବାନ୍ଧି ହୋଇରହେ । ସେହିପରି କ୍ଷାରୀୟ ମାଟିରେ ଏହା କ୍ୟାଲସିୟମ ଫସଫେଟ୍ ଭାବରେ ବାନ୍ଧି ହୋଇରହେ । ତେଣୁ PH 6 ରୁ 7 ମଧ୍ୟରେ ଗ୍ରହଣୀୟତା ସର୍ବାଧିକ । ଅମ୍ଳୀୟ ମାଟିରେ ତଥା ସର୍ବାଧିକ କ୍ଷାରୀୟ ମାଟିରେ କ୍ୟାଲସିୟମ ଓ ମାଗ୍ନେସିୟମ ପରିପୃକ୍ତତା କମ୍ ଥିବାରୁ ଗ୍ରହଣୀୟତା କମ୍ । PH କମିବା ସଙ୍ଗେ ସଙ୍ଗେ ମଲିବଡେନମ୍ ର ଦ୍ରବଣୀୟତା ହ୍ରାସ ପାଏ କିନ୍ତୁ ଲୌହ, ମାଙ୍ଗାନିଜ, ଦସ୍ତା ଓ ତମ୍ବାର ଦ୍ରବଣୀୟତା ବୃଦ୍ଧିପାଏ । ଅମ୍ଳୀୟ ମାଟିରେ ବୋରନର ଦ୍ରବଣୀୟତା ଅଧିକ କିନ୍ତୁ ଏହା ସହଜେ ନିକ୍ଷାଳନ ଯୋଗୁଁ ମୃତ୍ତିକାରୁ ନଷ୍ଟ ହୋଇଯାଏ । ତେଣୁ ଫସଲକୁ ଯଥେଷ୍ଟ ମିଳେ ନାହିଁ । ଅତିକ୍ଷାରୀ ମାଟିରେ ବୋରନ୍ ଦ୍ରବଣୀୟ ସୋଡିୟମ ବୋରେଟ୍ ଭାବରେ ଥାଏ , ତେଣୁ ଆବଶ୍ୟକତା ତୁଳନାରେ ଅଧିକ ଗ୍ରହଣୀୟ ହେବା ଯୋଗୁଁ ଫସଲରେ ବିଷାକ୍ତ ପ୍ରଭାବ ପଡେ । ଉପରୋକ୍ତ ସବୁ ଦୃଷ୍ଟିରୁ ବିଚାର କଲେ ମୃତ୍ତିକାରୁ PH 6 ରୁ 7 ମଧ୍ୟରେ ରହିବା ବିଧେୟ ।
ଅଣୁ ଉପାଦାନଗୁଡିକ ମଧ୍ୟଭଳି ଗ୍ରହଣୀୟ ହେବା ବିଧେୟ । କାରଣ ଆବଶ୍ୟକତା ତୁଳନାରେ ଅଧିକ ଅବଶୋଷଣ ହେଲେ ଉଦ୍ଭିଦରେ ବିଷାକ୍ତ ପ୍ରଭାବ ଦେଖାଯାଏ ।
କେତେକ ଖାଦ୍ୟସାର ଉପାଦାନ ମଧ୍ୟରେ ବିରୋଧାତ୍ମକ ସମ୍ପର୍କ ଏବଂ ଆଉ କେତେକ ମଧ୍ୟରେ ସହଯୋଗୀ ସମ୍ପର୍କ ଦେଖାଯାଏ । ଯଥା : ଅଧିକ ଫସଫେଟ୍ ଗ୍ରହଣୀୟ ହେଉଥିବା ମୃତ୍ତିକାରେ ମଲିବଡେନମ୍ ଗ୍ରହଣୀୟତା ମଧ୍ୟ ଅଧିକ କିନ୍ତୁ ଦସ୍ତାର ଗ୍ରହଣୀୟତା ବାଧାପାଏ । ଅତ୍ୟଧିକ ଲୌହ ଗ୍ରହଣୀୟ ହୋଇ ଉଦ୍ଭିଦରେ ବିଷାକ୍ତ ପ୍ରଭାବ ଦେଖାଦେଲେ । ପୋଟାସିୟମ, ଦସ୍ତା, ମାଙ୍ଗାନିଜ ପ୍ରଭୃତିର ଅଭାବ ଲକ୍ଷଣ ପ୍ରକାଶପାଏ । ଅଧିକ କ୍ୟାଲସିୟମ ଗ୍ରହଣୀୟ ହେଉଥିଲେ ବୋରନ୍ ଗ୍ରହଣୀୟତା କମିଯାଏ ।
ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ
Last Modified : 1/26/2020