ମୃତ୍ତିକା ବିଭିନ୍ନ ପ୍ରକାର ଉଦ୍ଭିଦ ଖାଦ୍ୟସାରର ଭଣ୍ଡାର । ମୃତ୍ତିକାରେ ଯେ କୌଣସି ଖାଦ୍ୟସାରର ଗଚ୍ଛିତ ପରିମାଣ ସେହି ଖାଦ୍ୟସାରର ମୃତ୍ତିକାକୁ ମିଳୁଥିବା ପରିମାଣ ଏବଂ ମୃତ୍ତିକାରୁ ବାହାରି ଯାଉଥିବା ପରିମାଣର ସନ୍ତୁଳନ ଉପରେ ନିର୍ଭର କରେ । ମୃତ୍ତିକାକୁ ମିଳୁଥିବା ପରିମାଣ, ମୃତ୍ତିକାରୁ ବାହାରି ଯାଉଥିବା ପରିମାଣଠାରୁ ଅଧିକ ହେଲେ ମୃତ୍ତିକାରେ ମିଶୁଥିବା ପରିମାଣ ଠାରୁ ଅଧିକ ହୋଇଥାଏ ତେବେ ମୃତ୍ତିକାର ଗଚ୍ଛିତ ପରିମାଣ ହ୍ରାସ ପାଏ ଏବଂ କାଳକ୍ରମେ ମୃତ୍ତିକା ଅନୁର୍ବର ହୋଇଯାଏ ।
ବାୟୁମଣ୍ଡଳ
ଯବକ୍ଷାର ଓ ଗନ୍ଧକ ଏହି ୨ଟି ଉଦ୍ଭିଦ ଖାଦ୍ୟସାର ବାୟୁମଣ୍ଡଳରୁ ମୃତ୍ତିକା ମଧ୍ୟକୁ ଆସେ ବିଭିନ୍ନ ଜୈବ ପଦାର୍ଥ ବିଘଟ ଦ୍ଵାରା ଆକାଶରେ ବିଜୁଳି ମାରିଲେ ବାୟୁମଣ୍ଡଳରେ ଯବକ୍ଷାରଜାନ ଓ ଅମ୍ଳଜାନ ସହିତ ମିଶି ନାଇଟ୍ରେଟରେ ପରିଣତ ହୁଏ । କଳକାରଖାନାରୁ ନିର୍ଗତ ଧୂଆଁରେ ସଲଫର୍ ଅକସାଇଡ ଗ୍ୟାସ ଥାଏ । ଏଗୁଡିକ ବୃଷ୍ଟିଜଳ ସହିତ ମିଶି ମୃତ୍ତିକାରେ ମିଶେ ଉଷ୍ମ ମଣ୍ଡଳୀୟ ଅଞ୍ଚଳରେ ବାର୍ଷିକ ହେକ୍ଟର ପିଛା ୫– ୭ କି.ଗ୍ରା. ଯବକ୍ଷାର ଏହି ଉପାୟରେ ଲାଭ ହୁଏ । ମୃତ୍ତିକା ମଧ୍ୟରେ ଥିବା ଯବକ୍ଷାର ନିବନ୍ଧନକାରୀ ଶାକାଣୁ , ନୀଳହରିତ ଶୈବାଳ ମଧ୍ୟ ବାୟୁମଣ୍ଡଳୀୟ ଯବକ୍ଷାରକୁ ଜୈବ ଯବକ୍ଷାରରେ ନିବନ୍ଧନ କରି ମୃତ୍ତିକାରେ ମିଶାନ୍ତି । ସହଜୀବୀ ଏବଂ ଅସହଜୀବୀ ଅଣୁଜୀବମାନଙ୍କ ଦ୍ଵାରା ଯବକ୍ଷାର ନିବନ୍ଧନ ବିଷୟରେ ଆଲୋଚନା କରାଯାଇଛି ।
ମୃତ୍ତିକା ସୃଜନକାରୀ ଶିଳା
ଶିଳାରେ ଥିବା ବିଭିନ୍ନ ଖଣିଜଗୁଡିକ ଫସଫରସ୍ , ପଟାସ୍ , କାଲସିଅମ, ମାଗ୍ନେସିଅମ ପ୍ରଭୃତି ଖାଦ୍ୟ ଉପାଦାନର ମୂଳ ଉତ୍ସ । ଶିଳାର ଭୌତିକ ଓ ରାସାୟନିକ ପରିବର୍ତ୍ତନ ହେତୁ ମୃତ୍ତିକା ସୃଷ୍ଟି ହେବା ବେଳେ ଅନେକ ଖଣିଜର ରାସାୟନିକ ବିଘଟନ ହୁଏ ଏବଂ କେତେକ ଖଣିଜର ରାସାୟନିକ ପରିବର୍ତ୍ତନ ଘଟେ। ମୂଳ ଖଣିଜରୁ ଦାନା ପ୍ରକାର ଉପାଦାନର ଉତ୍ପତ୍ତି ହୁଏ । ଏହି ପ୍ରକ୍ରିୟାରେ ଶିଳା ଓ ମୂଳ ଖଣିଜରୁ ଉଦ୍ଭିଦ ଖାଦ୍ୟ ଉପାଦାନ ନିର୍ଗତ ହୁଏ ଓ ମୃତ୍ତିକା ସହି ମିଶି ରହେ ଓ ମୃତ୍ତିକାରେ ସେହି ଖାଦ୍ୟ ଉପାଦାନଗୁଡିକର ପରିମାଣ ବୃଦ୍ଧିପାଏ । ଉପମୃତ୍ତିକା ତଳସ୍ତରରେ ଥିବା ଆଂଶିକ ଅପକ୍ଷୟୀଭୂତ ଶିଳାରୁ ଖାଦ୍ୟ ଉପାଦାନ ନିର୍ଗତ ହୋଇ ଉପରସ୍ତର ମୃତ୍ତିକାକୁ ଆସିଥାଏ ।
ଖତ ଓ ସାର ପ୍ରୟୋଗ
ଜମିକୁ ଉର୍ବର ରଖିବା ପାଇଁ ଏବଂ ଅଧିକ ଉତ୍ପାଦନ କରିବା ପାଇଁ ଖତ ଓ ରାସାୟନିକ ସାର ଏବଂ ସ୍ଥଳ ବିଶେଷରେ ମୃତ୍ତିକା ଶୋଧନକାରୀ ପଦାର୍ଥ ପ୍ରୟୋଗ କରାଯାଏ । ଖତସାର ମାଧ୍ୟମରେ ମୃତ୍ତିକାରେ ମିଶୁଥିବା ଉଦ୍ଭିଦ ଖାଦ୍ୟ ଉପାଦାନର ପରିମାଣ, ଖତସାରର ପ୍ରକାର ଓ ପ୍ରୟୋଗ ପରିମାଣ ଉପରେ ନିର୍ଭର କରେ ।
ପଟୁ ଓ ଧୂଳି
ବନ୍ୟା ଜଳରେ ସୂକ୍ଷ୍ମ ପଟୁ ଓ କର୍ଦ୍ଦମ କଣିକା ଭାସମାନ ଅବସ୍ଥାରେ ଏହା ଗୋଳିଆ ଦେଖାଯାଏ । ବନ୍ୟାଜଳ କୌଣସି ଜମିରେ କିଛିଦିନ ଜମିରହିଲେ ବା ମନ୍ଥର ଗତିରେ ପ୍ରବାହିତ ହେଲେ ଭାସମାନ ପଟୁ ଓ କର୍ଦ୍ଦମ ତଳକୁ ବସିଯାଏ ଓ ପାଣି ଛାଡିଗଲେ ମୃତ୍ତିକା ପୃଷ୍ଠରେ ଗୋଟିଏ ପଟୁ ସ୍ତର ଜମି ରହିଥିବାର ଦେଖାଯାଏ । ଏହି ପଟୁ ସ୍ତରରେ ବହୁତ ପରିମାଣର ଉଦ୍ଭିଦ ଖାଦ୍ୟସାର ରହିଥାଏ । ତେଣୁ ବନ୍ୟା ପ୍ଲାବିତ ମୃତ୍ତିକାଗୁଡିକ ସାଧାରଣତଃ ଅଧିକ ଉର୍ବର । ଝଡ ପବନରେ ଧୂଳି ଗୋଟିଏ ସ୍ଥାନରୁ ଉଡିଆସି ଅନ୍ୟ ଜମିରେ ପଡେ । ଏହି ଧୂଳିରେ କିଛି ଖାଦ୍ୟସାର ମଧ୍ୟ ଥାଏ ।
ଜଳସେଚନ
ଜଳସେଚନ ପାଇଁ ନଦୀ, କେନାଲ, ପୁଷ୍କରିଣୀ ଓ ଭୂତଳ ଜଳ ବ୍ୟବହାର କରାଯାଏ । ଏହି ଜଳରେ ନାଇଟ୍ରେଟ, ସଲଫେଟ, କ୍ଳୋରାଇଡ, କାଲସିଅମ, ମାଗ୍ନେସିଅମ, ପୋଟାସିୟମ ପ୍ରଭୃତି ଖାଦ୍ୟସାର ଦ୍ରବୀଭୂତ ଅବସ୍ଥାରେ ରହିଥାଏ । ଅବଶ୍ୟ ଏହାର ମାତ୍ରା ବା ପରିମାଣ ଯଥେଷ୍ଟ କମ୍ । ସହରର ନାଳ ନର୍ଦ୍ଦମାରେ ବହିଯାଉଥିବା ପାଣି ମଧ୍ୟ ଜଳସେଚନ ପାଇଁ ବ୍ୟବହାର କରାଯାଏ । ଏଥିରେ ଦ୍ରବୀଭୂତ ଖାଦ୍ୟସାରର ମାତ୍ରା ଅପେକ୍ଷାକୃତ ଅଧିକ । ତେଣୁ ନର୍ଦ୍ଦମା ପାଣି ମାଡୁଥିବା ଜମିର ମୃତ୍ତିକା ଅଧିକ ଉର୍ବର ।
ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ
Last Modified : 5/11/2021