ଉଦ୍ଭିଦର ବୃଦ୍ଧି ଓ ଫଳ ଧାରଣ ପାଇଁ ସବୁ ଗୁଡିକ ଖାଦ୍ୟସାର ଆବଶ୍ୟକ ପରିମାଣରେ ଏବଂ ସଠିକ୍ ଅନୁପାତରେ ମିଳିବା ଦରକାର । ଯେଉଁ ଖାଦ୍ୟସାରଟି ଅଭାବ ହୁଏ ତାହା ବୃଦ୍ଧି ଓ ଅମଳକୁ ସୀମିତ କରିଦିଏ । ଖାଦ୍ୟସାରର ଅଭାବର ତୀବ୍ରତା ଅନୁସାରେ ଉଦ୍ଭିଦର କ୍ଷୁଧାକୁ ଦୁଇଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି ।
ଅନ୍ତର୍ନିହିତ ବା ଅପ୍ରକାଶିତ କ୍ଷୁଧା
ଆବଶ୍ୟକତା ତୁଳନାରେ କୌଣସି ଖାଦ୍ୟସାରର ଅଭାବର ମାତ୍ରା ଅଳ୍ପ ହୋଇଥିଲେ ଅଭାବ ଜନିତ ଲକ୍ଷଣ ବାହାରକୁ ପ୍ରକାଶ ପାଏନାହିଁ । ଉଦ୍ଭିଦର ବାହ୍ୟ ଆକୃତି, ରଙ୍ଗ ପ୍ରଭୃତି ସାଧାରଣ ଥିବା ଭଳି ଜଣାପଡେ। କିନ୍ତୁ ପରିଶେଷରେ ସେତିକି ଅମଳ ମିଳିବା କଥା ତାହା କମିଯାଏ । ଉଦ୍ଭିଦ ନିଜର ସମସ୍ତ ସାମର୍ଥ୍ୟ ବିନିଯୋଗ କରି ମୃତ୍ତିକାରୁ ଉକ୍ତ ଖାଦ୍ୟସାରକୁ ନିଃଶେଷ କରିନିଏ । ତେଣୁ ମୃତ୍ତିକାର ଉର୍ବରତା ହ୍ରାସପାଏ ।
ବର୍ଦ୍ଧନଶୀଳ ଅବସ୍ଥାରେ ଉଦ୍ଭିଦର ପତ୍ର ବା କଅଁଳ କାଣ୍ଡର ରାସାୟନିକ ପରୀକ୍ଷା କଲେ ସେଥିରେ ଉକ୍ତ ଖାଦ୍ୟସାରର ମାତ୍ରା କମ୍ ଥିବାର ଜଣାଯାଏ । ସଙ୍ଗେ ସଙ୍ଗେ ଉକ୍ତ ଖାଦ୍ୟସାର ପ୍ରୟୋଗ କଲେ ଉଦ୍ଭିଦର ଖାଦ୍ୟସାର ଅଭାବ ମେଣ୍ଟିଯାଏ ।
ପ୍ରକାଶିତ କ୍ଷୁଧା
ଆବଶ୍ୟକତା ତୁଳନାରେ କୌଣସି ଖାଦ୍ୟସାରର ଅଭାବ ବହୁତ ବେଶି ହୋଇଥିଲେ ଉଦ୍ଭିଦ ଶରୀରରେ ନିର୍ଦ୍ଧିଷ୍ଟ ଲକ୍ଷଣ ପ୍ରକାଶ ପାଏ । ପରିଶୋଷଣ କ୍ରିୟା ବାଧାପ୍ରାପ୍ତ ହେବାରୁ ଉଦ୍ଭିଦର ଅଭିବୃଦ୍ଧି କମିଯାଏ, ଗଛର ଆକାର କ୍ଷୁଧା ହୋଇଯାଏ, ପତ୍ର, ଫୁଲ ବା ଫଳର ଆକାର, ରଙ୍ଗ ଓ ଆକୃତି ଅସ୍ଵାଭାବିକ ହୋଇଯାଏ । କେତେକ କ୍ଷେତ୍ରରେ ଉଦ୍ଭିଦର ନିର୍ଦ୍ଧିଷ୍ଟ ଅଙ୍ଗ ବା ସମ୍ପୂର୍ଣ୍ଣ ଉଦ୍ଭିଦଟି ମରିଯାଇପାରେ । ତୀବ୍ର ଖାଦ୍ୟଭାବ ଯୋଗୁ ଏପରି ଘଟେ ।
ଖାଦ୍ୟସାର ଅଭାବର ଲକ୍ଷଣ ପ୍ରକାଶ ପାଇବା ସଙ୍ଗେ ସଙ୍ଗେ ନିର୍ଦ୍ଧିଷ୍ଟ ଖାଦ୍ୟସାର ପ୍ରୟୋଗ କଲେ ଅଭାବଜନିତ କ୍ଷତିରୁ ଆଂଶିକ ରକ୍ଷା ମିଳେ । କିନ୍ତୁ ସମ୍ପୂର୍ଣ୍ଣ ଭରଣା ହୁଏ ନାହିଁ । କାରଣ ଅଭାବଜନିତ ଲକ୍ଷଣ ପ୍ରକାଶ ପାଇବା ବେଳକୁ ଉଦ୍ଭିଦର ଅଭିବୃଦ୍ଧି ଯଥେଷ୍ଟ ହ୍ରାସ ପାଇଥାଏ ।
ପ୍ରକାଶିତ ଲକ୍ଷଣ ଗୁଡିକ ନିର୍ଦ୍ଧିଷ୍ଟ ଖାଦ୍ୟସାରର ପରିଶୋଷଣ ସମ୍ବନ୍ଧୀୟ ଭୂମିକା ସହିତ ସମ୍ପର୍କିତ । ଆହୁରି ମଧ୍ୟ ଯେଉଁ ଖାଦ୍ୟସାର ଉଦ୍ଭିଦ ଶରୀର ମଧ୍ୟରେ ଗତିଶୀଳ , ଅଭାବ ସମୟରେ ପାକଲା ଅଙ୍ଗ ପ୍ରତ୍ୟଙ୍ଗ ଓ ପତ୍ରରୁ, ନୂଆ ବାହାରୁଥିବା ମୁକୁଳ ଓ ପତ୍ରକୁ ସ୍ଥାନାନ୍ତରିତ ହୁଏ । ତେଣୁ ଅଭାବଜନିତ ଲକ୍ଷଣ ଉଦ୍ଭିଦ ଶରୀରର ତଳଭାଗରେ ପ୍ରଥମେ ଦେଖାଯାଏ ଏବଂ କ୍ରମେ ଉପର ଅଂଶକୁ ସଂପ୍ରସାରିତ ହୁଏ । ଯବକ୍ଷାର, ଫସଫରସ୍, ପଟାସ୍ ମାଗ୍ନେସିଅମ ମଲିବଡେନମ୍ ପ୍ରଭୃତି ଖାଦ୍ୟସାର ଅଭାବ କ୍ଷେତ୍ରରେ ଏହା ଦେଖାଯାଏ ।
କ୍ୟାଲସିୟମ, ଲୌହ, ଦସ୍ତା, ମାଙ୍ଗାନିଜ, ତମ୍ବା, ଟାଙ୍ଗଣ ପ୍ରଭୃତି ଖାଦ୍ୟସାର ଉଦ୍ଭିଦ ଶରୀର ମଧ୍ୟରେ ସ୍ଥିତିଶୀଳ । ତେଣୁ ଯେତେବେଳେ ଅଭାବ ପଡେ, ପ୍ରଥମେ ଅଗ୍ରଭାଗ ଓ କଅଁଳ ପତ୍ରରେ ଲକ୍ଷଣ ଦେଖାଯାଏ । ସ୍ଥଳ ବିଶେଷରେ ଅଗ୍ରଭାଗ ଆଡୁ ମରିଯାଏ ବା ଶୁଖିଯାଏ ।
ତେଣୁ ପ୍ରତ୍ୟକ ଖାଦ୍ୟସାରର ଅଭାବଜନିତ କେତେକ ବିଶେଷ ଲକ୍ଷଣ ଏଠାରେ ବର୍ଣ୍ଣନା କରାଗଲା।
- ଯବକ୍ଷାରଜାନ
- ଏହାର ଅଭାବରେ ପତ୍ରରେ ହରିତ୍ କଣିକା ପରିମାଣ ହ୍ରାସ ପାଏ। ପତ୍ର ସ୍ଵାଭାବିକ ସବୁଜ ରଙ୍ଗ ହରାଏ ଓ ସେଗୁଡିକ ଫିକା ସବୁଜ ବା ପୀତ ସବୁଜ ରଙ୍ଗ ଦେଖାଯାଏ । ଏହି ଲକ୍ଷଣ ପ୍ରଥମେ ତଳ ପତ୍ରର ଅଗ୍ରଭାଗରୁ ଆରମ୍ଭ ହୋଇ ମଝିଶିରା ପାର୍ଶ୍ଵ ଦେଇ ପତ୍ରର ମୂଳ ଅଂଶ ଆଡକୁ ସଂପ୍ରସାରିତ ହୁଏ । ମକା, ଜୁଆର, ଆଖୁ, ପ୍ରଭୃତି ଗଛର ଲାମ୍ବା ଚଉଡା ପତ୍ରରେ ଏହି ଲକ୍ଷଣ ପରିଷ୍କାର ଦେଖିହୁଏ । ଧାନ, ଗହମ, ମାଣ୍ଡିଆ ପ୍ରଭୃତି ଗଛର ସରୁଆ ପତ୍ର, ଅଗ୍ରଭାଗ ଆଡକୁ ପୁରାପୁରି ହଳଦିଆ ପଡି ଆସେ । ପରିଶେଷରେ ତଳ ପତ୍ରଗୁଡିକ ନଡାଭଳି ରଙ୍ଗ ହୋଇ ଶୁଖିଯାଏ । ଉପର କଅଁଳ ପତ୍ର ଗୁଡିକ ସ୍ଵାଭାବିକ ସବୁଜ ଥାଏ କିନ୍ତୁ ସେଗୁଡିକର ଆକାର ଛୋଟ ହୋଇଯାଏ । ଦୂରରୁ ଫସଲ କିଆରି ପୀତ ସବୁଜ ଦେଖାଯାଏ ।
- ଯବକ୍ଷାରଜାନ ଅଭାବରେ ଗଛର ଶାରୀରିକ ଅଭିବୃଦ୍ଧି କମିଯାଏ । ତେଣୁ ଗଛ କ୍ଷୁଦ୍ରାକାର ହୁଏ । ଡାଳ ବା ପିଲ ସଂଖ୍ୟା ହ୍ରାସ ପାଏ । କେଣ୍ଡା ବା ଫଳର ଆକାର ଛୋଟ ହୋଇଯାଏ । ଏହାଫଳରେ ଅମଳ ବିଶେଷ ବାଧାପ୍ରାପ୍ତ ହୁଏ ।
- ଯବକ୍ଷାର ଅଭାବ ଥିବା ଗଛ ରୁଗୁଡିଆ ହୁଏ ଏବଂ ସଅଳ ହୋଇଯାଏ ।
ଯବକ୍ଷାରଜାନ ଆଧିକ୍ୟ ଥିଲେ ଗଛର ଶାରୀରିକ ବୃଦ୍ଧି ଅସ୍ଵାଭାବିକ ଭାବରେ ଅଧିକ ହୁଏ , ଗଛ ଅତ୍ୟଧିକ ନରମା ବା କଅଁଳିଆହୋଇଯାଏ । ପବନରେ ଭାଙ୍ଗି ପଡେ ବା ନଇଁଯାଏ , ଅଧିକ ରୋଗ ପୋକ ଦ୍ଵାରା ଆକ୍ରାନ୍ତ ହୁଏ । ଫୁଲ – ଫଳ ଆସିବାରେ ଡେରି ହୁଏ ଏବଂ ଇଚ୍ଛୁକରେ ପାକଳ ହୁଏ ।
- ଫସଫରସ୍
- ଏହି ଉପାଦାନ ଅଭାବରେ ଚାରାଗଛର ଚେର ବୃଦ୍ଧି ହୋଇପାରେ ନାହିଁ । ତେଣୁ ପ୍ରଥମରୁ ଚାରାଗଛଟି ଦୁର୍ବଳିଆ ହୁଏ ଏବଂ ଏହାର ଅଭିବୃଦ୍ଧି ମନ୍ଥର ହୋଇଯାଏ ।
- ଫସଫରସ୍ ଅଭାବରେ ପାକଳ ତଳ ପତ୍ର ଗୁଡିକର ରଙ୍ଗ ଗାଢ ସବୁଜ ଦେଖାଯାଏ । ମକା, ଜୁଆର ପ୍ରଭୃତି ପତ୍ରରେ ଅଗ୍ରଭାଗ ଆଡକୁ ସାମାନ୍ୟ ବାଇଗିଣିଆ ରଙ୍ଗ ମିଶିଥିବାର ଦେଖାଯାଏ । ପରିଶେଷରେ ତଳପତ୍ର ଶୁଖିଯାଇ ବଳିତା ଭଳି ମୋଡି ହୋଇଯାଏ ।
- ଗଛର ରଙ୍ଗ ଗାଢ ସବୁଜ ଦେଖାଯାଉଥିଲେ ମଧ୍ୟ ଡାଳ ଓ ପିଲ ସଂଖ୍ୟା କମ୍ ଥାଏ , ପତ୍ରଗୁଡିକ ସରୁଆ ବା ଛୋଟିଆ ହୋଇଯାଏ । ଗଛର ଉଚ୍ଚତା ଓ ଆକାର କମିଯାଏ, ଗଛକୁ ଟାଣି ଦେଲେ ତାହା ସହଜରେ ଉପୁଡି ଆସର କାରଣ ଚେର ଅଧିକ ସଂପ୍ରସାରିତ ହୋଇନଥାଏ । ଫସଲର ପ୍ରାରମ୍ଭିକ ଅବସ୍ଥାରେ ଏହିସବୁ ଲକ୍ଷଣ ଦେଖାଯାଏ ।
- ଗଛରେ ଫୁଲ ଫଳ ଆସିବାରେ ଡେରି ହୁଏ, ଫସଲ ଡେରିରେ ପାକଳ ହୁଏ, ଦାନା ହୃଷ୍ଟପୃଷ୍ଟ ହୁଏ ନାହିଁ, ବହୁତ ଅଜାଡି ହୁଏ ।
- ଶିମ୍ବ ଜାତୀୟ ଫସଲରେ ଫୁଲ ହେବା ଅବସ୍ଥାରେ ପତ୍ରରେ ଗାଢ ବାଦାମୀ ରଙ୍ଗର ଦାଗମାନ ଦେଖାଯାଏ, ପୁରୁଣା ପତ୍ର ଝଡିପଡେ, ଛୁଇଁ ଫମ୍ପାହୁଏ, କମ୍ ଫୁଲ ଫୁଟେ ଓ ଛୁଇଁ ଧରେ ।
ସାଧାରଣତଃ ପ୍ରାରମ୍ଭିକ ଅବସ୍ଥାରେ ଫସଫରସ୍ ଅଭାବ ନହୋଇଥିଲେ ପରବର୍ତ୍ତୀ ଅବସ୍ଥାରେ ହୁଏ ନାହିଁ ।
- ପୋଟାସିୟମ୍
- ଏହାର ଅଭାବରେ ଗଛ ବାଙ୍ଗରା ହୋଇଯାଏ । ଅଧିକ ଡାଳ ବା ପିଲ ହେବାର ଦେଖାଯାଏ ।
- ବର୍ଦ୍ଧନଶୀଳ ଅବସ୍ଥାରେ ତଳ ପତ୍ରର ଅଗ୍ରଭାଗ ଓ ଧାର ପ୍ରଥମେ ହଳଦିଆ ତାପରେ କମଳାରଙ୍ଗ ହୋଇ ଅବଶେଷରେ ପତ୍ର ଅଗ୍ରଭାଗରୁ ବା ଧାରରୁ ପୋଡି ପୋଡି ଯାଏ । ଚଟକା ପତ୍ରଗୁଡିକରେ ଶିରା ମଧ୍ୟବର୍ତ୍ତୀ ଅଂଶରେ ବାଦାମୀ ରଙ୍ଗର ମଲାଦାଗ ସୃଷ୍ଟି ହୁଏ। କ୍ରମେ ଉପରୋକ୍ତ ଲକ୍ଷଣ ଉପର ପତ୍ର ଗୁଡିକରେ ଦେଖାଯାଏ ।
- ପତ୍ରଗୁଡ଼ିକ ଜଳୀୟ ଅଂଶ ସଂରକ୍ଷଣ କରିବାରେ ଅସମର୍ଥ ହୁଅନ୍ତି ଏବଂ ଜଳାଭାବ ପଡି ଝାଉଁଳିବା ଭଳି ଦେଖାଯାନ୍ତି ।
- ଗଛର କାଣ୍ଡ ନରମା ରହେ । ତେଣୁ ଦାନ ଜାତୀୟ ଫସଲ ଝଡପବନରେ ପଡିଯାଏ । ରୋଗ – ପୋକ ନିରୋଧ ଶକ୍ତି ହ୍ରାସପାଏ । ତେଣୁ ଫସଲ ରୋଗ ପୋକ ଦ୍ଵାରା ସହଜରେ ଆକ୍ରାନ୍ତ ହୁଏ ।
- ଫଳ ହୃଷ୍ଟପୃଷ୍ଟ ହୁଏ ନାହିଁ । ଏହାର ରଙ୍ଗ ଓ ସ୍ଵାଦ ନିକୃଷ୍ଟ ହୁଏ। ଫଳ ବଢିବାସମୟରେ ଫାଟି ଯାଇପାରେ । ଧାନଜାତୀୟ ଫସଲରେ ଅଧିକ କଣ୍ଠା – ଅଗାଡି ହୁଏ । ଆଲୁଗଛ ବହୁତ ବଢିଯାଏ କିନ୍ତୁ ଆଳୁଗୁଡିକର ଆକାର ଛୋଟ ହୁଏ ଓ ଅମଳ କମ୍ ହୁଏ ।
ସାଧାରଣତଃ ପୋଟାସିୟମ୍ ଅଭାବ ପ୍ରାରମ୍ଭିକ ଅବସ୍ଥାରେ ଦେଖାଯାଏ ନାହିଁ । ଗଛର ସର୍ବାଧିକ ବର୍ଦ୍ଧନଶୀଳ ଅବସ୍ଥାରେ ପୋଟାସିୟମ୍ ଚାହିଦା ବଢିଯାଏ ଏବଂ ଆବଶ୍ୟକ ପରିମାଣରେ ପୋଟାସ ନମିଳିଲେ ଅଭାବ ଦେଖାଯାଏ ।
- କାଲ୍ ସିଅମ
- ଏହାର ଅଭାବଜନିତ ଲକ୍ଷଣ ପ୍ରଥମେ ଅଗ୍ରଭାଗରେ ଦେଖାଯାଏ । ଅଗ୍ର ମୁକୁଳ ମୋଡି ହୋଇ ରହେ । ଖୋଲି ପାରେ ନାହିଁ । ଅନେକ ସମୟରେ ଅଗ୍ର – ମୁକୁଳ ମରିଯାଏ । ଅଗ୍ର ଭାଗର ପତ୍ର ଫଳକ ଭାଙ୍ଗ ଭାଙ୍ଗ ହୋଇଯାଏ । ମକାଗଛର କନ୍ଦାରୁ ମୋଡି ହୋଇ ବାହାରୁଥିବା ପତ୍ର ଉପରେ ଅଠାଳିଆ ପଦାର୍ଥ ଥାଏ ଏବଂ ଶୁଖିଗଲେ କନ୍ଦାପତ୍ରଗୁଡିକ ପରସ୍ପର ସହିତ ଲାଗି ରହନ୍ତି ।
- କପା, ଭେଣ୍ଡି, ଅମୃତଭଣ୍ଡା ପ୍ରଭୃତି କେତେକ ଗଛର ପତ୍ରର ଡେମ୍ଫ ନଇଁଯାଏ ବା ଭାଙ୍ଗିପଡେ ।
- କାଲସିଅମ ଅଭାବରେ ଚେରର ଅଗ ମରିଯାଏ ଏବଂ ଚେର ଥୁଣ୍ଟାଳିଆ ହୋଇଯାଏ ।
- ଶିମ୍ବ ଜାତୀୟ ଫସଲର ଛୁଇଁଗୁଡିକ ଫମ୍ପା ହୁଏ ବା ତହିଁରେ ମଝିରେ ମଝିରେ ମଲା ମଞ୍ଜିଥାଏ ।
- ମାଗ୍ନେସିଅମ
- ଏହି ଉପାଦାନର ଅଭାବରେ ପତ୍ରରୁ ସବୁଜ ରଙ୍ଗ କମିଯାଏ । ପ୍ରଥମେ ତଳ ପତ୍ରର ଶିରା ମଧ୍ୟବର୍ତ୍ତୀ ଅଂଶ ହଳଦିଆ ପଡେ । କପା ଗଛର ତଳ ପତ୍ରର ଶିରା ମଧ୍ୟବର୍ତ୍ତୀ ଅଂଶ ପାଟଳ ରଙ୍ଗ ହୋଇଯାଏ । ପତ୍ରର ଧାର ଉପରକୁ ମୋଡି ହୋଇଯାଏ ।
- ଧାନ ଗଛର ତଳ ପତ୍ର ଗୁଡିକ ଶିରାଳ ହୋଇଯାଇ ନଇଁ ପଡନ୍ତି ।
- ମାଗ୍ନେସିଅମ ଅଭାବରେ ଚେର ଅତିସରୁ ଓ ଲମ୍ବା ହୁଏ ।
- କେତେକ କ୍ଷେତ୍ରରେ ତୀବ୍ର ମାଗ୍ନେସିଅମ ଅଭାବ ଥରେ ଗଛରେ ଫସଫରସ୍ ଅଭାବ ଲକ୍ଷଣ ଦେଖାଯାଏ ।
- ଗନ୍ଧକ
- ପ୍ରଥମେ ନୂଆ ପତ୍ରଗୁଡ଼ିକ ଫିକା ସବୁଜ ରଙ୍ଗ ହୋଇଯାଏ । ଶିରା ଗୁଡିକ ପତ୍ରର ଅନ୍ୟ ଅଂଶ ଅପେକ୍ଷା ଅଧିକ ଫିକା ଦେଖାଯାଏ । ପରେ ଗଛର ତଳ ପତ୍ର ଏବଂ କାଣ୍ଡ ଫିକା ସବୁଜ ଦେଖାଯାଏ ।
- ଚେର ଓ କାଣ୍ଡର ପବ ଅସ୍ଵାଭାବିକ ଭାବରେ ଲମ୍ବା, କଠିନ ଓ ଗଣ୍ଠି ଗଣ୍ଠିଆ ହୋଇଯାଏ ।
- ଗନ୍ଧକ ଅଭାବରେ ଶିମ୍ବଜାତୀୟ ଫସଲର ମଞ୍ଜିଦାନା ଗୁଡିକ ନିକୃଷ୍ଟ ହୁଏ ଓ ତୈଳବୀଜ ଦାନାରେ ତୈଳଭାଗ କମିଯାଏ ।
- ଲୌହ
- ଲୌହ ଅଭାବରେ ଅଗ୍ରଭାଗରେ କଅଁଳ ପତ୍ର ଗୁଡ଼ିକ ପୂରାପୂରି ହଳଦିଆ ପଡିଯାନ୍ତି । ପତ୍ର ଦୁଇ ଧାରରେ ଦୁଇଟି ଫିକା ସବୁଜ ପଟିଥାଏ ।
- ଚେର ଛୋଟ ଓ ବହୁ ଶାଖାଯୁକ୍ତ ହୁଏ ।
- ଫଳଗଛର ଡାଳ ଅଗ୍ରଭାଗ ଆଡୁ ମରିମରି ଆସେ ।
ଜଳ ନିଷ୍କାସିତ ହେଉନଥିବା ଅମ୍ଳୀୟ ମାଟିଥିବା ଧାନ ଜମିରେ ଅଧିକ ଲୌହ ଦ୍ରବୀଭୂତ ଅବସ୍ଥାରେ ରହେ । ଲୌହର ଆଧିକ୍ୟ ଯୋଗୁଁ ଧାନଗଛରେ ଏହାର ବିଷାକ୍ତ ପ୍ରଭାବ ଦେଖାଯାଏ । ପିଲ ଅବସ୍ଥାରେ ଧାନଗଛର ପତ୍ର ପ୍ରଥମ ବାଦାମୀ ରଙ୍ଗ ଓ ପରେ କଳଙ୍କି ରଙ୍ଗ ହୋଇଯାଏ । ଶେଷ ଆଡକୁ ପତ୍ରଗୁଡିକ ପୋଡି ପୋଡି ଯାଏ । କେବଳ କନ୍ଦା ପତ୍ର ଗୋଟିଏ ଦୁଇଟି ସବୁଜ ଥାଏ । ଧାନ ଗଛ ବାଙ୍ଗରା ହୋଇଯାଏ ଏବଂ କେଣ୍ଡାଧରିବା ବିଳମ୍ବ ହୁଏ । ଅତି ଛୋଟ ଛୋଟ କେଣ୍ଡା ବାହାରେ । ଧାନ ଚଷୁ ଉପରେ ମଧ୍ୟ କଳଙ୍କି ଦାଗ ଦେଖାଯାଏ । ଧାନ ଜମିରେ ଥିବା ପାଣି ଉପରେ ଚିକ୍ ଚିକ୍ କରୁଥିବା ଲୌହ ଅକସାଇଡ ଆସ୍ତରଣ ଭାସୁଥିବାର ଦେଖାଯାଏ । ଧାନ ବୁଦା ଓପାଡି ଚେରକୁ ଧୋଇଲେ ଚେରଗୁଡିକ ଗାଢ ବାଦାମୀ ବା ଖଇରିଆରଙ୍ଗ ପଡିଯାଇଥିବାର ଦେଖାଯାଏ । ବେଶି ଧାନ ତୁଳନାରେ ଅଧିକ ଅମଳକ୍ଷମ ଧାନ ଲୌହ ବିଷାକ୍ତ ପ୍ରଭାବ ଯୋଗୁ ଅଧିକ ଆକ୍ରାନ୍ତ ହେବାର ଦେଖାଯାଏ ।
- ମାଙ୍ଗାନିଜ୍
- ଏହି ଉପାଦାନର ଅଭାବରେ ନୂଆ ପତ୍ର ଗୁଡିକର ଶିରା ମଧ୍ୟବର୍ତ୍ତୀ ଅଂଶ ହଳଦିଆ ପଡିଯାଏ। ପୁରୁଣା ପତ୍ରରେ ଗାଢ ବାଦାମୀ ରଙ୍ଗର ଦାଗମାନ ଥାଏ ।
- ଧାନ ଗଛର ନୂଆ ପତ୍ରର ଶିରା ସବୁଜ ଥାଇ ଅନ୍ୟ ଅଂଶ ହଳଦିଆ ପଡିଯିବା ଦ୍ଵାରା , ପତ୍ର ଉପରେ ହଳଦିଆ ଗାର ପଡିଥିବା ଭଳି ଦେଖାଯାଏ ।
- ଦସ୍ତା
- ଦସ୍ତା ଅଭାବ ଯୋଗୁ ନୂଆ ବାହାରୁ ଥିବାପତ୍ର ବଢିପାରେ ନାହିଁ । ତେଣୁ ତାହାର ଆକାର ଛୋଟ ହୋଇଯାଏ । ଏହି ପତ୍ର ସମ୍ପୂର୍ଣ୍ଣ ସବୁଜ ରଙ୍ଗ ବିହୀନ ହୋଇ ବାହାରେ।
- ଧାନ ବୁଦାରେ କମ୍ ପିଲ ବାହାରେ ଓ ଗଛ ବାଙ୍ଗରା ହୋଇଯାଏ ।
- ଗହମ ପତ୍ର ମଝି ଶିରାରେ ସବୁଜ ରଙ୍ଗ ବିହୀନ ଦାଗ ଦେଖାଯାଏ ଓ ପତ୍ର ମଝିରୁ ଭାଙ୍ଗି ପଡେ ।
- ଆଳୁ, ସୋୟାବିନ୍ ପ୍ରଭୃତି ଗଛର ପତ୍ର ଉପରେ ଧୂସର ବାଦାମୀ ରଙ୍ଗର ଛୋଟ ଛୋଟ ଦାଗମାନ ଦେଖାଯାଏ।
- ଫଳଗଛର ଡାଳ ଆଗଆଡୁ ମରି ଆସେ ।
- ତମ୍ବା
- ତମ୍ବା ଅଭାବରେ ଗଛର ନୂଆ ପତ୍ର ଝାଉଁଳି ପଡିଥିବା ପରି ଦେଖାଯାଏ । ଏହା ପନିପରିବା ଫସଲରେ ସାଧାରଣ ଲକ୍ଷଣ ।
- ଧାନ, ଗହମ ପ୍ରଭୃତି ଫସଲର କନ୍ଦାପତ୍ରର ଅଗ୍ରଭାଗ ମୋଡି ହୋଇ ଛୁଞ୍ଚି ଭଳି ଦେଖାଯାଏ ।
- କମଳା, ଲେମ୍ବୁ ପ୍ରଭୃତି ଫଳଗଛର ଗଣ୍ଡି ଫାଟି ଅଠା ଜମା ହୁଏ । ଫଳ ଛୋଟ ଓ ଟାଣୁଆ ହୁଏ ଏବଂ ସେଥିରେକମ୍ ରସଥାଏ । ବେଳେ ବେଳେ ଫଳ ଚୋପା ଫାଟିଯାଏ । ଫଳ ଉପରେ ବାଦାମି ରଙ୍ଗର ଦାଗ ଦେଖାଯାଏ ।
- ବୋରନ୍
- ବୋରନ୍ ଅଭାବରେ ଗଛର ଅଗ୍ର ମୁକୁଳ ମରିଯାଏ ଓ ଠିକ୍ ତାର ତଳ ଭାଗରୁ ଶାଖା ବାହାରେ । ଶାଖାର ଅଗ୍ର ମୁକୁଳ ମଧ୍ୟ କିଛିଦିନ ପରେ ମରିଯାଏ ଏବଂ ପୁଣି ତା ତଳଭାଗରୁ ଶାଖା ବାହାରେ । ଏପରି ହେବା ଦ୍ଵାରା ଅଗ୍ରଭାଗରେ ଅନେକଗୁଡିଏ ଛୋଟ ଛୋଟ ଡାଳ ହୋଇ ଗୁଚ୍ଛ ଭଳି ଦେଖାଯାଏ ।
- ଫୁଲର ପରାଗ ରେଣୁ ନଷ୍ଟ ହୋଇଯାଉଥିବାରୁ କଷିଫଳ ଝଡି ପଡେ ତେଣୁ ଯଥେଷ୍ଟ ଫୁଲ ଫୁଟିଲେ ମଧ୍ୟ ଫଳ ରହେନାହିଁ । ନଡିଆ ଗଛରୁ ଗୋଟମା ସବୁ ଝଡି ପଡେ ।
- ପତ୍ର ଫଳକରେ ଗୋଟିଏ ପାଖ ଓସାର ଓ ଅନ୍ୟପାଖ ଅଣଓସାର ହୋଇ ପଢେ । ତେଣୁ ପତ୍ର ଫଳକ ଗୋଟିଏ ପାଖକୁ ବାଙ୍କିଯାଏ ଓ ଛୋଟ ହୁଏ ।
- ଧାନ ଗଛର କଅଁଳ ପତ୍ରର ଅଗ୍ରଭାଗ ଫିକା ପଡିଯାଏ ।
- କୋବି ଗଛର କାଣ୍ଡର କନ୍ଦା ଅଂଶ କଳା ପଡିଯାଏ ଓ ମରିଯାଏ । ବନ୍ଧାକୋବି ଭିତର ମଞ୍ଜ ସଢିଯାଏ ଓ ଫୁଲ କୋବି ଫୁଲ ଉପରେ ମନ୍ଦା ମନ୍ଦା ପାଟଳ ଦାଗ ବା କଳାମଲା ଦାଗ ଦେଖାଯାଏ ।
- ବିଲାତି ବାଇଗଣ ଫଳ ଉପରେ କଳା ପଚାଦାଗ ଦେଖାଯାଏ । ଡାଳର ଅଗ୍ରଭାଗରେ ଥିବା ପତ୍ର ଗୁଡିକ ଛୋଟ ଛୋଟ ହୋଇଯାଏ ଓ ପଟାଳିଆ ପଡିଯାଏ ।
- ମଲିବଡେନମ୍
- ଶିମ୍ବ ଜାତୀୟ ଫସଲରେ ଏହି ଅଭାବ ବିଶେଷ ଦେଖାଯାଏ । ଗଛଗୁଡିକ ସାଧାରଣତଃ ଫିକା ସବୁଜ ରଙ୍ଗ ହୋଇଯାଏ ଏବଂ ଛୋଟ ହୋଇଯାଏ । ଚେରରେ ଶାକାଣୁ ଭାତୁଡି ବା ଗୁଟିକା ସଂଖ୍ୟା କମିଯାଏ ।
- କୋବିପତ୍ର ଠୋଲାଳିଆ ହୋଇଯାଏ ଓ ପତ୍ରର ଧାର ଭାଙ୍ଗ ଭାଙ୍ଗ ହୋଇଯାଇ ପାଟଳ ରଙ୍ଗ ପଡିଯାଏ । ଅନେକ କ୍ଷେତ୍ରରେ ମଝିଶିରା ଦୁଇପାର୍ଶ୍ଵରେ ସରୁଫଳକ ଥାଇଘୋଡାଛାଟ ଭଳି ଲମ୍ବା ପତ୍ର ସୃଷ୍ଟି ହୁଏ ।
- କମଳା ଜାତୀୟ ଗଛର ପତ୍ରରେ ହଳଦିଆ ପତ୍ରଚିତା ଲକ୍ଷଣ ଦେଖାଯାଏ । କ୍ଳୋରିନ ଓ କୋବାଲଟ୍ ଉପାଦାନ ଅଭାବଜନିତ ଲକ୍ଷଣ ନିର୍ଦ୍ଧିଷ୍ଟ ଭାବେ ଜଣାଯାଇନାହିଁ ।
ଅନେକ କ୍ଷେତ୍ରରେ ରୋଗ ବା ପୋକ ଆକ୍ରମଣ ହେତୁ କିମ୍ବା ଖରାପ ପାଗ ବା ମୃତ୍ତିକା ପରିବେଶ ହେତୁ ଗଛରେ ଯେଉଁ ଲକ୍ଷଣ ଦେଖାଯାଏ । ତାହା ଖାଦ୍ୟସାର ଅଭାବ ଜନିତ ଲକ୍ଷଣର ଭ୍ରମ ଧାରଣା ସୃଷ୍ଟି କରେ । ଏକ ସମୟରେ ଗଛରେ ଦୁଇ ବା ତତୋଧିକ ଖାଦ୍ୟ ଉପାଦାନର ଅଭାବ ହେତୁ ଲକ୍ଷଣ ଗୁଡିକ ମିଶାଗୋଳା ହୋଇଯାଏ ତେଣୁ ସଠିକ୍ ଭାବରେ ଜାଣି ହୁଏ ନାହିଁ ।
ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ