অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଆମ୍ବ ଚାଷ

ଗୁରୁତ୍ଵ

ଆମ୍ବକୁ ଫଳ ମାନଙ୍କର ରାଜା କୁହାଯାଏ  । ଏହାର ଫଳ ଖୁବ୍ ରସାଳ  । ପାଚିଲା ଫଳର ଶତକଡା ୬୦-୭୦ ଭାଗ ଖିଆଯାଏ  । ପାଚିଲା ଆମ୍ବରୁ ପ୍ରଚୁର ପରିମାଣର ଶର୍କରା ଓ ଜୀବନିକା ‘କ’ ମିଳିଥାଏ  । କଞ୍ଚା ଆମ୍ବରୁ ପ୍ରଚୁର ପରିମାଣର ଲୌହ ମିଳିଥାଏ  । ଆମ୍ବରୁ ଆଚାର, ଆମ୍ବୁଲ, ଆମ୍ବସଢା, ଜ୍ୟାମ, ସ୍କ୍ୱାସ୍ ପ୍ରଭୃତି ଦ୍ରବ୍ୟ ପ୍ରସ୍ତୁତ କରାଯାଏ  । ଆମ ଦେଶରୁ ବିଦେଶକୁ ଅନେକ ଆମ୍ବଜାତ ଦ୍ରବ୍ୟ ରପ୍ତାନୀ କରାଯାଉଛି  ।

ଆମ୍ବ ଗୋଟିଏ ଚିର ସବୁଜ ବୃକ୍ଷ  । ପ୍ରକାର ଭେଦରେ ଏହା ୧୦-୧୪ ମିଟର ପର୍ଯ୍ୟନ୍ତ ଉଚ୍ଚ ହୁଏ  । କିସମ ଅନୁସାରେ ଗଛରେ ପ୍ରତିବର୍ଷ କିମ୍ବା ଦୁଇବର୍ଷରେ ଥରେ ବଉଳ ଆସେ  ।

ଗୋଟିଏ ବଉଳ ପେନ୍ଥାରେ ପ୍ରାୟ ୧୦୦୦ ରୁ ୬୦୦୦ ପର୍ଯ୍ୟନ୍ତ ଫୁଲଥାଏ  । ସେଥି ମଧ୍ୟରୁ ସାଧାରଣତଃ ଶତକଡା ଛଅ ଭାଗ ପର୍ଯ୍ୟନ୍ତ ଉଭୟଲିଙ୍ଗୀ ଫୁଲ ଓ ଅନ୍ୟସବୁ ଅଣ୍ଡିରା ଫୁଲ  । କେତେକ କିସମରେ ବହୁ ସଂଖ୍ୟାରେ ଉଭୟଲିଙ୍ଗୀ ଫୁଲଥାଏ  । କେବଳ ମାଈ ଫୁଲରେ ଆମ୍ବ ଧରେ  ।

ଆମ୍ବଚାଷ ପାଇଁ ପରିବେଶ

  • ସମୁଦ୍ର ପତ୍ତନଠାରୁ ୧୨୦୦ ମିଟର ଉଚ୍ଚସ୍ଥାନ ପର୍ଯ୍ୟନ୍ତ ଆମ୍ବଚାଷ କରାଯାଇପାରିବ  ।
  • ଆମ୍ବ ଗଛର ବୃଦ୍ଧି ପାଇଁ ୨୨ ରୁ ୩୫ ଡିଗ୍ରୀ ସେଲସିଅସ ଉତ୍ତାପ ଆବଶ୍ୟକ  ।
  • ୭୫୦ ରୁ ୨୫୦୦ ମିଲିମିଟର ପର୍ଯ୍ୟନ୍ତ ବୃଷ୍ଟିପାତ ଅଞ୍ଚଳରେ ଆମ୍ବ ଚାଷ ଭଲହୁଏ  ।
  • ଆମ୍ବରେ ବଉଳ ଆସିବା ସମୟରେ ଶୁଷ୍କ ଜଳବାଯୁ ଓ ପାଚିବା ସମୟରେ ଅଧିକ ଉତ୍ତାପ ଆବଶ୍ୟକ ହୋଇଥାଏ  ।

ମୃତ୍ତିକା

ଗଭୀର, ଦୋରସା, ବାଲିଆ, ନିଗିଡା ମାଟି ଆମ୍ବ ଚାଷ ପାଇଁ ଅନୁକୂଳ । ନାଲି ମାଟିରେ ମଧ୍ୟ ଆମ୍ବ ଚାଷ କରାଯାଇପାରିବ  । ପଥୁରିଆ, ଚିକିଟା, ମଟାଳ ଓ ରୁଗୁଡିଆ ମାଟିରେ ଆମ୍ବଗଛ ଭଲ ବଢେ ନାହିଁ  । ମାଟିର ଅମ୍ଳତ୍ଵ ୫.୫ ରୁ ୭.୦ ପିଏଚ ମଧ୍ୟରେ ରହିବା ଭଲ  ।

କିସମ

ଆମ ଦେଶରେ ୧୦୦୦ ରୁ ଉର୍ଦ୍ଧ୍ଵ କିସମର ଆମ୍ବ ଦେଖାଯାଏ  । ବିଭିନ୍ନ ପ୍ରକାର ଜଳବାୟୁରେ ଭିନ୍ନ ଭିନ୍ନ କିସମର ଆମ୍ବାଚାଷ କରାଯାଏ  । ଅମଳ ସମୟ ଅନୁସାରେ ଆମ୍ବକୁ ସଅଳ, ମଧ୍ୟମ ଏବଂ ଉଛୁର ଏହିପରି ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଇଛି  । ଗୁଲାବ ଖାସ, ବମ୍ବାଇ ଓ ସୁବର୍ଣ୍ଣରେଖା ସଅଳ କିସମର, ବାଇଗଣପଲ୍ଲୀ, ହିମସାଗର, ଦେଶରୀ ଲାଙ୍ଗଡା ମଧ୍ୟମ  ଏବଂ ଚୌସା, ଫଜିଲ ପ୍ରଭୃତି ଉଛୁର କିସମର ଆମ୍ବ ଅଟେ  । ଏହା ବ୍ୟତୀତ ଆମ୍ବକୁ ମାଂସାଳ, ରସାଳ ଓ ଆଚାର କିସମରେ ଭାଗ କରାଯାଇଛି  । ଆମ ପ୍ରଦେଶରେ ବ୍ୟବସାୟିକ ଭିତ୍ତିରେ ପ୍ରାୟ ୨୦ଟି କିସମର ଆମ୍ବ ଚାଷ କରାଯାଏ  । ମୁଖ୍ୟ କିସମ ଗୁଡିକ ହେଲା ବାଇଗଣପଲ୍ଲୀ, ନିଲମ୍, ସୁବର୍ଣ୍ଣରେଖା, ଆଖୁରସ, ତୋତାପୁରୀ, ଲାଙ୍ଗଡା, ଦଶେରୀ ପ୍ରଭୃତି  । ଏହା ବ୍ୟତୀତ ଆମ୍ରପଲ୍ଲୀ, ମଲିକା, ଅର୍କକିରଣ, ରତ୍ନା, ଅର୍କପୁନିତ ପ୍ରଭୃତି କେତେକ ସଙ୍କର କିସମ ଆମ୍ବାଚାଷ କରାଯାଉଛି  । ନିଲମ୍, ତୋତାପୁରୀ, ସୁବର୍ଣ୍ଣରେଖା ଓ କେତେକ ସଙ୍କର କିସମକୁ ଛାଡି ଅଧିକାଂଶ କିସମରେ ପ୍ରାୟ ବର୍ଷେ ଛଡା ବର୍ଷେ ଫୁଲ ଆସେ  ।

କଲମି ପ୍ରସ୍ତୁତି

ଆଗ କାଳରେ କେବଳ ଟାକୁଆ ଆମ୍ବ ଗଛ ଲଗାଯାଉଥିଲେ  । ଏହା ଯଦିଓ ପ୍ରତିକୂଳ ଅବସ୍ଥାରେ ଭଲ ବଢିପାରେ, କିନ୍ତୁ ମା’ ଗଛର ଗୁଣ ରକ୍ଷାକରିପାରେନାହିଁ  । ତେଣୁ ନିର୍ଦ୍ଧିଷ୍ଟ କିସମର ଗୁଣବତ୍ତା ରକ୍ଷାକରିବା ପାଇଁ କଲମି ପ୍ରଣାଳୀରେ ଗଛର ବଂଶବୃଦ୍ଧି କରାଯାଉଛି  । କଲମି ଗଛ ପ୍ରସ୍ତୁତ ପାଇଁ ଟାକୁଆ ଗଛକୁ ମୂଳଦଣ୍ଡ ରୂପେ ବ୍ୟବହାର କରାଯାଏ  । ଏହି ମୂଳଦଣ୍ଡ ଉପରେ ମା ଗଛର ପୋଷ୍ୟ ଡାଳକୁ ବିଭିନ୍ନ ପ୍ରଣାଳୀରେ ସଂଯୋଗ କରି କଲମି ଗଛ ପ୍ରସ୍ତୁତ କରାଯାଏ  । ଯୋଡ କଲମି, ଶୀର୍ଷ କଲମି, ପାର୍ଶ୍ଵ କଲମି ପ୍ରଭୃତି ପ୍ରଣାଳୀ ଦ୍ଵାରା ଆମ୍ବ କଲମି କରାଯାଇଥାଏ  । ନଅ ମାସରୁ ବର୍ଷିକିଆ କଲମି ଗଛକୁ ଲଗାଯାଏ  ।

ଜମି ପ୍ରସ୍ତୁତି ଓ ଲଗାଇବା ପ୍ରଣାଳୀ

ଆମ୍ବ ଚାଷ କରିବା ପୂର୍ବରୁ ଜମିକୁ ସଫା କରି ଦୁଇତିନି ଓଡ ଚାଷ କରିଦିଆଯାଏ  । ଏହା ପରେ ୧୦ ମିଟର ଦୂରତାରେ ୧ ଘନ ମିଟର ଆୟତନର ଗାତ ଖୋଳାଯାଏ  । ଗାତ ଖୋଳିଲାବେଳେ ଉପରମାଟି ଓ ତଳମାଟିକୁ ଅଲଗା ଅଲଗା ରଖାଯାଏ  । ଖରାଦିନର ଶେଷ ସମୟରେ ଗାତ ଖୋଳି ସେ ଭିତରେ କିଛି ଶୁଖିଲା ପତ୍ର, ଘାସ, ନଡା ଇତ୍ୟାଦି ପୋଡି ମାଟିକୁ ବିଶୋଧନ କରାଯାଏ  । ଜୁନ୍ ଜୁଲାଇ ମାସରେ ପ୍ରଥମ ବର୍ଷା ପରେ ପରେ ଗଛ ଲଗାଯାଏ  । ଗଛ ଲଗାଇବା ସମୟରେ ଗାତ ପିଛା ୨୫ କି.ଗ୍ରା. ସଢା ଗୋବର ଖତ, ୧୦ କି.ଗ୍ରା. ପାଉଁଶ, ୨ କି.ଗ୍ରା. ହାଡଗୁଣ୍ଡ, ୫୦ ଗ୍ରାମ ନିମ୍ବ ପିଡିଆ ଉପରମାଟିରେ ମିଶାଇ ଏହାକୁ ପ୍ରଥମେ ଗାତରେ ଭର୍ତ୍ତି କରି ଓ ତଳମାଟି ତା ଉପରେ ରଖି ଗଛ ଲଗାଯାଏ  । କଲମିର ଯୋଡ ଅଂଶଟି ମାଟିଠାରୁ ୧୦ ସେ.ମି. ଉପରେ ରହିବା ଆବଶ୍ୟକ  । ଗଛକୁ ସିଧା ରଖିବା ପାଇଁ ଗୋଟିଏ କାଠି ପୋତି ତା ସହିତ ବାନ୍ଧି ଦିଆଯାଏ  ।

ଅନ୍ତଃ ଫସଲ

ଗଛ ଲଗାଇବାର ଚାରି ରୁ ପାଞ୍ଚ ବର୍ଷ ପରେ ଫଳ ଆସେ  । ଗଛଗୁଡିକ ମଧ୍ୟ ଧୀରେ ଧୀରେ ବଢିଥାଏ  । ତେଣୁ ଆମ୍ବ ବଗିଚାର ମଧ୍ୟବର୍ତ୍ତୀ ସ୍ଥାନକୁ ପଡିଆ ନରଖି ଅମୃତଭଣ୍ଡା, ସପୁରୀ, କଦଳୀ ପ୍ରଭୃତି ଅଳ୍ପଦିନିଆ ଫଳଗଛ କିମ୍ବା ଝୁଡୁଙ୍ଗ, ଗୁଆଁର, ଭେଣ୍ଡି, କଖାରୁ, କାକୁଡି ପ୍ରଭୃତି ପନିପରିବା କିମ୍ବା କୋଳଥ, ବିରି, ମୁଗ ପ୍ରଭୃତି ଡାଲି ଜାତୀୟ ଫସଲ ଚାଷ କରାଯାଇପାରେ  ।

ଖତ ଓ ସାର ପ୍ରୟୋଗ

ଆମ୍ବ ଏକ ବିରାଟକାୟ ଗଛ  । ଏହା ସାଙ୍ଗକୁ ଏଥିରେ ପ୍ରଚୁର ପରିମାଣରେ ଫୁଲ ଓ ଫଳ ଆସେ  । ସେହି ଦୃଷ୍ଟିରୁ ଏହି ଗଛ ଅନେକ ଖାଦ୍ୟ ସାର ଆବଶ୍ୟକ କରିଥାଏ  । ପ୍ରତିବର୍ଷ କିଛି କିଛି ଖତସାର ପ୍ରୟୋଗ ନ କଲେ ଗଛ ଦୁର୍ବଳ ହୁଏ ଏବଂ ନିୟମିତ ଫୁଲ ଫଳ ଆସେ ନାହିଁ  । ଗଛ ଲଗାଇବା ପରଠାରୁ ନିୟମିତ ଖତସାର ପ୍ରୟୋଗ କରିବା ଉଚିତ୍ ।ପ୍ରତିବର୍ଷ ଜୁନ୍ ମାସ ଶେଷରେ ବର୍ଷଦିନ ଆରମ୍ଭରୁ ଖତ ପ୍ରୟୋଗ କରାଯାଏ  । ଗଛ ଲଗାଇବାର ଏକ ବର୍ଷ ପରେ ପ୍ରତି ଗଛମୂଳରେ ଦୁଇ ଝୁଡି ଖତ, ଯଦି ସମ୍ଭବ ହୁଏ ୮୦ ଗ୍ରାମ୍ ଯବକ୍ଷାରଜାନ, ୧୦୦ ଗ୍ରାମ୍ ଫସଫରସ୍ ଏବଂ ୬୦ ଗ୍ରାମ୍ ପଟାସ ପ୍ରୟୋଗ କରାଯାଏ  । ଏହାକୁ ଧୀରେ ଧୀରେ ବୃଦ୍ଧି କରି ସାତବର୍ଷ ବେଳକୁ ଗଛ ପିଛା ୪ ଝୁଡି ଖତ, କିଲୋଗ୍ରାମ୍ ଯବକ୍ଷାରଜାନ, ୫୦୦ ଗ୍ରାମ୍ ଫସଫରସ୍ ଏବଂ ୬୦୦ ଗ୍ରାମ୍ ପଟାସ ପ୍ରୟୋଗ କରାଯାଏ  । ଗଛର ଉପରି ଭାଗରେ ବିସ୍ତୃତି ଆକାରରେ ଗଣ୍ଡି ଚାରିପଟେ ଗୋଲାକାର ଗାତ ଖୋଳି ଖତ ଓ ସାର ଏକତ୍ର ମିଶାଇ ପ୍ରୟୋଗ କରାଯାଏ  ।

ଅନ୍ତଃ ଚାଷ କାଣ୍ଟଛାଣ୍ଟ ଓ ଅନ୍ୟାନ୍ୟ ବ୍ୟବସ୍ଥା

ପ୍ରଥମ ଅବସ୍ଥାରେ ଗଛ ଭାରସାମ୍ୟ ରଖି ସିଧାରେ ବଢିବାପାଇଁ ସାମାନ୍ୟ କାଣ୍ଟଛାଣ୍ଟ କାରାଯାଏ  । ଗଛ ପୁରୁଣା ହୋଇଗଲେ ଗଛର ଡାଳକୁ ଡାଳ ଲାଗିଯାଏ ଏବଂ ବଗିଚାରେ କମ୍ ସୂର୍ଯ୍ୟାଲୋକ ପଡେ  । ତେଣୁ ପୁରୁଣା ବଗିଚାରୁ କିଛି କିଛି ଡାଳକାଟି ଦେବା ଆବଶ୍ୟକ  । ଗଛ ଲଗାଇବାର ତିନି ବର୍ଷଭିତରେ ଯଦି ବଉଳ ଆସେ ତେବେ ସେଗୁଡିକୁ ଛିଣ୍ଡାଇ ଦେବା ଆବଶ୍ୟକ  । ଝଡ ତୋଫାନ ହେଉଥିବା ଅଞ୍ଚଳରେ ବଗିଚା ଚାରିପଟେ ଝାଉଁ, ଇଉକାଲିପଟାସ୍, ସିଲଭରଓକ ପ୍ରଭୃତି ବାୟୁନିରୋଧକ ବୃକ୍ଷ ପାଖପାଖ କରି ଲଗାଇବା ଆବଶ୍ୟକ  । ବଉଳ ଆସିବା ପୂର୍ବରୁ ବଗିଚାର ବିଭିନ୍ନ ସ୍ଥାନରେ ଶୁଖିଲା ପତ୍ର ଏକାଠି କରି ଗଛକୁ ଧୂଆଁ ଦେଲେ ବେଶୀ ବଉଳ ଆସିଥାଏ  । ଆମ୍ବ ଫଳରେ କଳାନାସୀ ଦେଖାଦେଲେ ପ୍ରତି ଲିଟର ପାଣିରେ ୨ ଗ୍ରାମ୍ ବୋରାକ୍ସ ମିଶାଇ ସିଂଚନ କରିବା ଆବଶ୍ୟକ  । ପ୍ରତିବର୍ଷ ଖରାଦିନ ବର୍ଷା ପରେ ପରେ ଆମ୍ବ ବଗିଚାକୁ ହାଲୁକା ଭାବରେ ଚାଷ କରି ଦିଆଯାଏ  । ଏହାଦ୍ଵାରା ବର୍ଷାଜଳ ମାଟିରେ ସଂରକ୍ଷିତ ହୁଏ  । ବର୍ଷା ଦିନେ ବଗିଚାରୁ ଅନାବନା ଘାସ ବାଛି ବାଛି ଦେବା ଆବଶ୍ୟକ  ।

ଜଳସେଚନ

ପ୍ରଥମ ଅବସ୍ଥାରେ ଅମ୍ବଗଛକୁ ନିୟମିତ ଜଳସେଚନ କରିବା ଉଚିତ୍ । ଏହାଦ୍ଵାରା ଗଛ ଭଲ ବଢେ  । ଫୁଲଆସିବା ପୂର୍ବରୁ ଜଳସେଚନ କରିବା ନିଷେଧ  । କଷି ଧରିବା ଠାରୁ ଆମ୍ବ ପାକଲା ହେବାର ପୂର୍ବାବସ୍ଥା ପର୍ଯ୍ୟନ୍ତ ମଝିରେ ମଝିରେ ଜଳସେଚନ କରିବା ଉଚିତ୍  । ଏହାଦ୍ଵାରା ଫଳ ବଡ ହୁଏ  ଏବଂ ଫଳ ଝଡିବା କମିଯାଏ  ।

ସମନ୍ଵିତ ପ୍ରଣାଳୀରେ ରୋଗ ଓ ପୋକ ନିୟନ୍ତ୍ରଣ

ଆମ୍ବ ଗଛରେ ଆମ୍ବ ଡାହାଣୀ ଲାଗିଲେ ମହୁଭଳି ଏକ ପ୍ରକାର ରାସାୟନିକ ପଦାର୍ଥ ବାହାରିଥାଏ  । ସେଥିରେ କବକ ଲାଗିଲେ ଆମ୍ବ ବଉଳ ପୋଡିଯାଏ  ଓ କଳା ପଡିଯାଏ  । ଏହା ପରେ ଆମ୍ବ କଷି ଝଡିଯାଏ  । ଏହାର ନିରାକରଣ ପାଇଁ ଆମ୍ବ ବଉଳ ଆସିବାର ୨-୩ ସପ୍ତାହ ପୂର୍ବରୁ ଲିଟର ପାଣିରେ ୪ ଗ୍ରାମ୍ ସଲଫ୍ୟାକ୍ସ ଓ ୨ ମିଲିମିଟର ରୋଗର ମିଶାଇ ସିଂଚନ କରିବା ଦରକାର  । ଆମ୍ବ କଷି ମଟର ଆକାରର ହୋଇଗଲେ ଏହି ଦ୍ରବଣକୁ ଆଉଥରେ ସିଂଚନ କରାଯାଏ  । ଏହା ଦ୍ଵାରା ବଉଳ ନଷ୍ଟ ହୁଏ ନାହିଁ  । ଛୋଟ ଆମ୍ବ ଝଡେ ନାହିଁ  ଆମ୍ବରେ ଫଳମାଛି ଲାଗି ପାଚିଲା ଫଳକୁ ନଷ୍ଟ କରିଦିଏ   । ଏଥିରୁ ରକ୍ଷା ପାଇବା ପାଇଁ ଏକ ଲିଟର ପାଣିରେ ୧୦ ଗ୍ରାମ୍ ଗୁଡ, ଏକ ମି.ଲି ମାଲାଥିଅନ ଏବଂ ୪ ଗ୍ରାମ୍ ସେଭିନ୍ ମିଶାଇ ଛୋଟ ଛୋଟ ପ୍ଲାଷ୍ଟିକ ପାତ୍ର, ନଡିଆ ସଢେଇ କିମ୍ବା ମାଟି ପାତ୍ରରେ ବଗିଚାରେ ରଖିଦେଲେ ଫଳ ମାଛି ଗୁଡିକ ସେଥିରେ ମରିଯାଆନ୍ତି  । ପାଉଁଶିଆ ରୋଗର ନିରାକରଣ ପାଇଁ ଗଛରେ ୦.୨% ସଲଫ୍ୟାକ୍ସ ସିଞ୍ଚନ କରିବା ଦରକାର  । ପତ୍ର, ଡେମ୍ଫ, ଫୁଲ ଓ ଫଳରେ ଆନ୍ଥ୍ରାକନୋଜ ରୋଗ ଲାଗେ  । ଶତକଡା ୦.୧ ଭାଗ ବାଭିଷ୍ଟିନ ସିଞ୍ଚନ କରନ୍ତୁ  । ପତ୍ର, ଡାଳ, ବଉଳ ଓ ଫଳରେ ଯାଦୁରା ରୋଗ ବର୍ଷାଦିନରେ ଦେଖାଯାଏ  ୧୦ ଦିନ ବ୍ୟବଧାନରେ ୩ଥର ଷ୍ଟ୍ରେପ୍ଟସାଇକ୍ଲିନ ୦.୧ ଗ୍ରାମ୍ ସହିତ କପର ଆକ୍ସିକ୍ଳୋରାଇଡ ୩ଗ୍ରାମ୍ ପତିଲିଟର ପାଣି ପିଛା ମିଶାଇ ସିଞ୍ଚନ କରନ୍ତୁ  ।

ଫଳ ପଚାରୋଗ ଦମନ ପାଇଁ ଅମଳର ୫ – ୧୦ ଦିନ ଆଗରୁ ପ୍ରତିଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ  । ଫଳ ତୋଳିବା ପରେ ପ୍ରତି ଲିଟର ସାମାନ୍ୟ ଗରମ ପାଣିରେ (୫୧ – ୫୩ ଡିଗ୍ରୀ ସେଲସିଅସ) ୦.୫ ଗ୍ରାମ୍ କାର୍ବାଣ୍ଡିଜମ ମିଶାଇ ଫଳକୁ ୫ ମିନିଟ ବୁଡାଇ ରଖିଲେ ଫଳ ପଚେ ନାହିଁ  ।

ଆମ୍ବରେ କେତେକ ବିଶେଷ

ଆମ୍ବ ଫଳର ଅଗ୍ରଭାଗ ପାକଲା ପୂର୍ବରୁ ପଚିବାକୁ ଆରମ୍ଭ କରେ  । ଏଥିପାଇଁ ୦.୨% ବୋରାକ୍ସ ସିଞ୍ଚନ କରିବାକୁ ପଡେ  । ଆମ୍ବ ଗଛରେ ବେଳେ ବେଳେ ପତ୍ର ବା ଫୁଲ ଛୋଟ ଛୋଟ ହୋଇ ମହୁ ଫେଣା ଭଳି ଦେଖାଯାଏ  । ପ୍ରଥମେ ସେଗୁଡିକୁ ସଫା କରିଦିଆଯାଏ  । ପତ୍ରରେ ୨୦୦ ପି.ପି.ଏମ୍ ଏନ୍.ଏ.ଏ କିମ୍ବା ପ୍ଲାନୋଫିକ୍ସ ସିଞ୍ଚନ କରାଯାଏ  । ଅନେକ ସମୟରେ ପାକଲା ଆମ୍ବର ଭିତର ସ୍ପଞ୍ଜ ଭଳି ଦେଖାଯାଏ  । ଏଥିରୁ ରକ୍ଷା ପାଇବା ପାଇଁ ଫଳ ପାକଲା ହେବା ପୂର୍ବରୁ ସଂଗ୍ରହ କରି ସାମାନ୍ୟ ଉଷୁମ ପାଣିରେ ବୁଡାଇଦେଲେ ଫଳ ଭଲ ରୁହେ  ।

ଫଳ ଝଡିବା

ଆମ୍ବ ଗଛରୁ ପ୍ରଚୁର ପରିମାଣରେ ଆମ୍ବ ଝଡିଯାଏ  । ଫଳ ଝଡିବା ବନ୍ଦ କରିବା ପାଇଁ ଜଳସେଚନ କରିବା ଦରକାର  । ଗୋଟିଏ ଲିଟର ପାଣିରେ ୧୦ ଟୋପା ପ୍ଲାନୋଫିକ୍ସ ମିଶାଇ ସିଞ୍ଚନ କରିବା ଦରକାର  ।

ଅମଳ ଓ ସାଇତା

ଆମ୍ବ ଗଛ ଲଗାଇବାର ୪ ରୁ ୫ ବର୍ଷ ପରେ ଫଳ ଆସେ  । ଦଶବର୍ଷ ବେଳକୁ ଗଛରେ ପୂର୍ଣ୍ଣମାତ୍ରାରେ ଫଳ ଧରେ  । ଫଳ ଧରିବାଠାରୁ ପାଚିବା ପର୍ଯ୍ୟନ୍ତ ୪ ରୁ ୫ ମାସ ଲାଗେ  । ଫଳରେ ରଙ୍ଗ ଫିକା ହଳଦିଆ ପଡିଲେ ଆମ୍ବ ପାକଳ ହୁଏ  । ଆମ୍ବ ତୋଳିବା ବେଳେ ଫଳ ତଳେ ପଡିଗଲେ ନଷ୍ଟ ହୋଇଯାଏ  । ବାଉଁଶ ଝୁଡିରେ ନଡା ଦେଇ ଆମ୍ବ ସଜାଇ ପ୍ୟାକିଂ କରାଯାଇ ଦୂରସ୍ଥାନକୁ ପଠାଯାଏ  । ଆଜିକାଲି ପତଳା କାଠ ପଟାରେ ତିଆରି ବାକ୍ସରେ କିମ୍ବା ମୋଟା କାଗଜ ବାକ୍ସରେ ଆମ୍ବ ପ୍ୟାକିଂ କରି ଦୂର ସ୍ଥାନକୁ ପଠାଯାଉଛି  । ସୁନାରୀ ପତ୍ର ଦେଇ ପ୍ୟାକିଂ କଲେ ଆମ୍ବ ଶୀଘ୍ର ପାଚିଥାଏ  । ଗୋଟିଏ ପୂର୍ଣ୍ଣବୟସ୍କ ଗଛରୁ ୫୦୦ରୁ ଅଧିକ ପର୍ଯ୍ୟନ୍ତ ଫଳ ଅମଳ ହୁଏ  । ହାରାହାରି ଗୋଟିଏ ହେକ୍ଟର ଜମିରୁ ୫ଟନ ପର୍ଯ୍ୟନ୍ତ ଫଳ ମିଳିଥାଏ  ।

ଆମ୍ବଜାତ ଦ୍ରବ୍ୟ

ଆମ୍ବ ଏକ ଋତୁଜ ଫସଲ ହୋଇଥିବାରୁ ଗୋଟିଏ ସମୟରେ ପ୍ରଚୁର ଫଳ ମିଳିଥାଏ  । ବଜାରରେ ବିକ୍ରୀ କଲାପରେ ବି ଅନେକ ଫଳ ବିକ୍ରୀ ହୋଇପାରେ ନାହିଁ  । ତେଣୁ ଆମ୍ବରୁ ସ୍କ୍ୱାସ୍, ଜାମ, ନେକଟାର, ଆମ୍ବସଢା, ଆମ୍ବୁଲ, ଚମ୍ପେଇତି ପ୍ରଭୃତି ପ୍ରସ୍ତୁତ କରିବା ଦରକାର  । ଅଧାପାକଳ ଆମ୍ବରୁ ଚଟଣି ଏବଂ ଆଚାର ପ୍ରସ୍ତୁତ କରାଯାଇଥାଏ  । ଛୋଟ କଷି ଆମ୍ବକୁ ଶୁଖାଇ ଗୁଣ୍ଡକରି ଆମଚୁର ପ୍ରସ୍ତୁତ କରାଯାଏ  ।

ଆଧାର – ଓଡିଶା ଜଳବିଭାଜିକା ଉନ୍ନୟନ ମିଶନ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate