অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଉନ୍ନତ ପ୍ରଣାଳୀରେ ଗେଣ୍ଡୁଫୁଲ ଚାଷ

ଉନ୍ନତ ପ୍ରଣାଳୀରେ ଗେଣ୍ଡୁଫୁଲ ଚାଷ

ଉପକ୍ରମ

ଯେକୌଣସି ଫୁଲ ପ୍ରକୃତିର ଏକ ନୈସଗିର୍କ ଅବଦାନ । ସୌନ୍ଦର୍ଯ୍ୟ ଓ ସୁଗନ୍ଧିତ ପ୍ରତୀକ ଭାବରେ ଏକ ସମସ୍ତଙ୍କ ମନପ୍ରାଣରେ ଅପୂର୍ବ ଆନନ୍ଦ ଭରିଦିଏ । କବିର କଳ୍ପନାରେ , ପ୍ରେମିକର ଭାବନାରେ ଏକ ସର୍ବଦା ଏକ ଉଚ୍ଚସ୍ଥାନ ଅଧିକାର କରିଛି । ସୌନ୍ଦର୍ଯ୍ୟ ଓ ସୁଗନ୍ଧ ବିତରଣ କରୁଥିବା ଏହିପରି ଏକ ଫୁଲ ହେଉଛି ଗେଣ୍ଡୁ ଯାହାର ଅନେକଗୁଡିଏ ଭଲ ଗୁଣ ଅଛି । ଏହା ଶୀଘ୍ର ନଷ୍ଟ ହୁଏ ନାହିଁ, ଅପେକ୍ଷାକୃତ ଭାବେ ଟାଣ, ଶସ୍ତା, ସୁନ୍ଦର ଓ ସହଜରେ ମିଳିଥାଏ । ଆଜିକାଲି ଏହି ଫୁଲର ଚାହିଦା ଯଥେଷ୍ଟ ଅଧିକ ରହିଛି । ପୂଜା ପର୍ବଠାରୁ ଆରମ୍ଭ କରି ଜନ୍ମଦିନରେ ଘର ଉପାସନା ପୀଠ ଓ ସଭା ସମିତିମାନଙ୍କରେ ଏହି ଫୁଲର ଆଦର ସବୁଠି । ଶୀତଦିନରେ ଏହି ଫୁଲର ବ୍ୟବହାର ସମସ୍ତଏନକେ ଠାରୁ ଆଗରେ । ଶୀତଦିନେ ଅଧିକାଂଶ ଲୋକଙ୍କ ବାଡି ବଗିଚାରେ ବିଭିନ୍ନ ରଙ୍ଗର ଗେଣ୍ଡୁଫୁଲ ଶୋଭାବର୍ଦ୍ଧନ କରେ । ଏହା ଏକ ତୃଣ ଜାତୀୟ ଉଦ୍ଭିଦ ଓ ମୁଖ୍ୟତଃ ଶୀତଦିନେ ଫୁଟିଥାଏ । କିନ୍ତୁ ଏବେ ବୈଜ୍ଞାନିକ ପଦ୍ଧତିରେ ସବୁଦିନିଆ କିସମ ଉଭାବିତ ହେଲାଣି । ଏହାକୁ ବର୍ଷସାରା ଚାଷ କରାଯାଇପାରୁଛି ।

ସୁତରାଂ, ଆମ ରାଜ୍ୟରେ ଗେଣ୍ଡୁ ଫୁଲର ଚାହିଦା ଯଥେଷ୍ଟ ଅଧିକ ରହିଥିଲେ ମଧ୍ୟ ସେହି ତୁଳନାରେ ଉତ୍ପାଦନ ଖୁବ କମ । ତେଣୁ ପଡୋଶୀ ରାଜ୍ୟ ଉପରେ ୯୦ ଶତକଡା ନିର୍ଭର କରିବାକୁ ପଡୁଛି । ଆମର ରାଜ୍ୟରେ ଫୁଲର ବଜାର ରହିଛି । ତେଣୁ ଚାଷୀଭାଇମାନେ ଏହାକୁ ଉନ୍ନତ ପ୍ରଣାଳୀରେ ଚାଷକଲେ ଆର୍ଥିକ ଦୃଷ୍ଟିରୁ ନିଶ୍ଚିତ ଲାଭବାନ ହୋଇପାରିବେ । ତେବେ ଆସନ୍ତୁ ଏହାର ଚାଷ ଓ ସାରା ପରିଚାଳନା ସମ୍ପର୍କରେ ଆଲୋଚନା କରିବା ।

ଜମିପ୍ରସ୍ତୁତି ଓ କିସମ

ନିଗିଡା, ଦୋରସା, ବାଲିଆ ଦୋରସା,ଓ ଅଧିକ ଜୈବ ଅଙ୍ଗାର ଥିବା ଏବଂ ନକ୍ଷାରାମ୍ଳ ମାଟିରେ ଭଲ ଗେଣ୍ଡୁ ଚାଷ କରିହୁଏ । ତଥାପି ଏହାକୁ ପ୍ରତିକୂଳ ପରିବେଶରେ ମଧ୍ୟ ଚାଷ କରାଯାଇପାରିବ । ଏଥିପାଇଁ ମାଟିକୁ ୨-୩ ଓଡ ହଲକରି ଭଲ ଭାବରେ ଗୁଣ୍ଡ କରନ୍ତୁ । ଅନାବନା ଘାସ, ଚେର , ମୂଳ ଇତ୍ୟାଦି ସଫାକରି ସମତଳ କରନ୍ତୁ । ଶେଷ ଓଡ ହଲ ସମୟରେ ହେକ୍ଟର ପ୍ରତି ୧୦-୨୦ ଗାଡି ଶଢା ଗୋବର ଖତ ମିଶାନ୍ତୁ । ଏହି ମାଟିକୁ ଫସଫସିଆ କରେ , ଜଳଧାରଣ ଶକ୍ତି ବୃଦ୍ଧି କରେ ଓ ସର୍ବୋପରି ଉତ୍ପାଦିକା ଶକ୍ତି ବଢାଏ ।

କିସମ

  • ଆଫ୍ରିକାନ କିସମ : ଜାଏଣ୍ଟ ଡବଲ, ଆଫ୍ରିକାନ ୟେଲୋ , ବେଙ୍ଗଲ ୟେଲୋ
  • ଫ୍ରେଞ୍ଚ କିସମ : ଆଫ୍ରିକାନ ଅରେଞ୍ଜ , ବଟରସ୍କଚ ଏଜେଣ୍ଟ ଡବଲ
  • ଅନ୍ୟାନ୍ୟ କିସମ : ଇନକୋ

ଚାରା ରୋପଣ ପଦ୍ଧତି ଓ ଯତ୍ନ

ମା ଗଛର ପ୍ରତ୍ୟେକ ଶାଖା ଆଗରୁ ୨-୩ ଗୁଣ୍ଠ ଛାଡି ଡାଳମାନ କାଟନ୍ତୁ । ବାଲିଆ ମାଟିରେ ଖତ ମିଶା ପଟାଳିରେ ଲଗାଇ ପାଣି ଦିଅନ୍ତୁ । ପ୍ରାୟ ଏକ ସପ୍ତାହ ମଧ୍ୟରେ ଚେର ବାହାରିଥାଏ । ଶୀଘ୍ର ଚେର ହେବା ପାଇଁ ସେରାଡେକ୍ସ ଇତ୍ୟାଦି ବଜାରରେ ମିଳୁଥିବା ହରମୋନ ବ୍ୟବହାର କରାଯାଇପାରେ । ମଞ୍ଜିକୁ ପଟାଳିରେ ବୁଣି ଚାରା ପ୍ରସ୍ତୁତ କରାଯାଇପାରେ । ପାକଳ ଫୁଲର ବହିସ୍ଥ ମଞ୍ଜିକୁ ଉତ୍ପନ୍ନ ଗଛରେ ଫୁଲର ଆକାର ବଡ ହୋଇଥାଏ । ପ୍ରସ୍ତୃତ ଜମିରେ ଧାଡିକୁ ଧାଡି ୪୦-୪୫ ସେମି ଓ ଗଛକୁ ଗଛ ୩୦-୪୦ ସେମି ବ୍ୟବଧାନରେ ଧାଡିରେ ଲଗାନ୍ତୁ । ସପ୍ତାହକୁ ଥରେ ବା ଦୁଇଥର ହାଲୁକା ଜଳସେଚନ କରନ୍ତୁ । ଚାରା ଲଗାଇବାର ୧୫-୨୦ ଦିନ ପରେ କୋଡାଖୁସା ଓ ଘାସ ବଛା ଅବଶ୍ୟକ । ଉଈ ଓ ଅନ୍ୟାନ୍ୟ ରୋଗପୋକ ଦମନ ପାଇଁ ଔଷଧ ସିଞ୍ଚନ କରନ୍ତୁ ।

ସାର ପରିଚାଳନା

ଅଧିକ ଅମଳ ଓ ବ୍ୟବସାୟ ଭିତ୍ତିରେ ଚାଷ କରିବା ପାଇଁ ସାର ପ୍ରୟୋଗର ଅବଶ୍ୟକତା ରହିଛି । ଏହାର ସୁଷମ ପ୍ରୟୋଗ ଓ ପରିଚାଳନା ଲାଭପ୍ରଦ ହୋଇଥାଏ । ହେକ୍ଟର ପ୍ରତି ୬୦-୩୦ କିଲୋ ଯବକ୍ଷାରଜାନ, ଫସଫରସ ଓ ପଟାସ ଆବଶ୍ୟକ କରେ । ଚାରା ଲଗାଇବା ସମୟରେ ଅର୍ଦ୍ଧେକ ଯବକ୍ଷାରଜାନ ଓ ପଟାସ ଏବଂ ସମସ୍ତ ଫସଫରସକୁ ଧାଡିରେ ପ୍ରୟୋଗ କରନ୍ତୁ । ଅବଶିଷ୍ଟ ସାରକୁ ଏହାର ୩୦-୪୦ ଦିନ ପରେ ଧାଡିରେ ପ୍ରୟୋଗ କରନ୍ତୁ । ବାଲିଆ କିମ୍ବା ଦୋରସା ମାଟିରେ ଯବକ୍ଷାରଜାନ ଓ ପଟାସ ସାରକୁ ୩ କିସ୍ତିରେ ଓ ଫସଫରସକୁ ୨ କିସ୍ତିରେ ପ୍ରୟୋଗ କଲେ ସୁଫଳ ମିଳେ ।

ଜୀବାଣୁ ସାର

ରାସାୟନିକ ସାର ସହିତ ଜୀବାଣୁ ସାର ପ୍ରୟୋଗ କରାଯାଇପାରେ । ଗବେଷଣାରୁ ଜଣାଯାଇଛି ଯେ ଜୀବାଣୁ ସାରର ପ୍ରୟୋଗ ପ୍ରାୟ ୨୫-୫୦ ଶତାଂଶ ରାସାୟନିକ ସାର ପରିମାଣ ହ୍ରାସ କରିଥାଏ । ଆଜୋଟ ବ୍ୟାକ୍ଟେରମ ଓ ଫସଫରସ ଦ୍ରାବକ ପ୍ରତ୍ୟେକକୁ ହେକ୍ଟର ପ୍ରତି ୨ କିଲୋ କଲଚର ଗୁଣ୍ଡ ମାଟିରେ ପକାଯାଏ । ଏହି କଲଚର ଗୁଣ୍ଡକୁ ୧ କ୍ଵିଣ୍ଟାଲ ପରିଷ୍କାର ଗୁଣ୍ଡଖତ ମିଶାଇ ପଣି ସିଞ୍ଚି ୭ ଦିନ ପର୍ଯ୍ୟନ୍ତ ପାତ୍ରରେ ଘୋଡାଇ ରଖି ଧାଡିରେ ପ୍ରୟୋଗ କରାଯାଇପାରେ । ଏହି ଫଳରେ ଜୀବାଣୁ ସାରର କାର୍ଯ୍ୟଦକ୍ଷତା ବୃଦ୍ଧି ହୁଏ । ଜୀବାଣୁ ସାର ପ୍ରୟୋଗ ଦ୍ଵାରା ଅନେକ ଉପକାର ମିଳିଥାଏ ଯଥା ରାସାୟନିକ ସାର ବାବଦ ଖର୍ଚ୍ଚ କମ ହୁଏ , ଅଧିକ ଅମଳ ମିଳେ, ଗଛରେ ଅଧିକ ଦିନ ପର୍ଯ୍ୟନ୍ତ ନୂଆ ଫୁଲ ଫୁଟିଥାଏ । ଫଳରେ ଅଧିକ ଫୁଲ ଫୁଟେ ଓ ଫୁଲ ଧରିବା ଡାଳ ସଂଖ୍ୟା ଅଧିକ ହୁଏ । ଏହାଛଡା ଏ ପଦ୍ଧତିରେ ଚାଷ କରିବା ଦ୍ଵାରା ଅଧିକ ଦିନ ଧରି ଫୁଲ ସତେଜ ରହିପାରେ , ଫୁଲର ଆକାର, ରଙ୍ଗ, ଆକର୍ଷଣୀୟ ହୁଏ । ଏ ସମସ୍ତ ଉପକାର ବ୍ୟତୀତ ମାଟିର ଗୁଣବର୍ତ୍ତା ଓ ଉତ୍ପାଦନ କ୍ଷମତା ବଜାୟ ରହେ ।

ସୁତରାଂ, ଆମ ରାଜ୍ୟର ଚାଷୀଭାଇମାନେ ଉପରୋକ୍ତ ଉନ୍ନତ ପ୍ରଣାଳୀରେ ଗେଣ୍ଡୁ ଚାଷ କଲେ ନିଶ୍ଚିତଭାବେ ଲାଭବାନ ହୋଇପାରିବ ।

ଆଧାର - ଓଡିଶା କୃଷି ବୈଷୟିକ ବିଶ୍ଵବିଶ୍ୱବିଦ୍ୟାଳୟ ଭୁବନେଶ୍ଵର

Last Modified : 8/19/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate