କଦଳୀ ଏକ ପୁରାତନ ଫଳ । ଏହା ଆମ ସଂସ୍କୃତି ଓ ପର୍ବପର୍ବାଣୀ ସହ ଜଡିତ । କଦଳୀ ସୁସ୍ଵାଦୁ ଓ ପୁଷ୍ଟିକର । ଏଥିରେ ବହୁତ ପରିମାଣରେ ଶ୍ଵେତସାର ଅଛି । କଦଳୀକୁ ପାଚିଲା ଏବଂ ତରକାରୀ କରି ଖିଆଯାଏ । କଦଳୀରେ ଅନେକ ଲବଣ ଏବଂ ଖାଦ୍ୟପ୍ରାଣ ଅଛି । ସେଗୁଡିକ ମଧ୍ୟରେ ଲୌହ, ପଟାସିୟମ, ମ୍ୟାଗ୍ନେସିୟମ, କ୍ୟାଲସିୟମ ଏବଂ ଖାଦ୍ୟପ୍ରାଣ ‘କ’, ‘ଖ’, ‘ଗ’ ପ୍ରଧାନ । କଦଳୀ ପତ୍ରକୁ ପ୍ଲେଟ୍ ଭଳି ଖାଇବା ପାଇଁ ବ୍ୟବହାର କରାଯାଏ ।
ଉଷ୍ମ, ଆର୍ଦ୍ର ଜଳବାୟୁ କଦଳୀ ଚାଷ ପାଇଁ ଉପଯୁକ୍ତ । ୧୦ରୁ ୪୦ ଡିଗ୍ରୀ ସେଣ୍ଟିଗ୍ରେଡ ଉତ୍ତାପ ମଧ୍ୟରେ କଦଳୀ ଚାଷ କରାଯାଇପାରେ । ୧୦ ଡିଗ୍ରୀ ସେଣ୍ଟିଗ୍ରେଡରୁ ଉତ୍ତାପ କମିଗଲେ, ଗଛ ଭଲ ବଢେ ନାହିଁ ଏବଂ ପତ୍ର ହଳଦିଆ ପଡିଯାଏ । କେତେକ ପାହାଡିଆ କଦଳୀ ଥଣ୍ଡା ସହିପାରେ । କଦଳୀ ଚାଷ ପାଇଁ ନିଗିଡା, ଉର୍ବର, ଦୋରସା, ପଟୁ ମାଟି ଓ ମତାଳ ମାଟି ଉପଯୁକ୍ତ ଅଟେ । ସନ୍ତସନ୍ତିଆ ସ୍ଥାନରେ ଏହା ଭଲ ବଢେ ନାହିଁ । ମାଟିର ଅମ୍ଳତା ୬ରୁ ୭ ଭିତରେ ରହିଲେ କଦଳୀ ଭଲ ଫଳେ । କଦଳୀ ଫସଲ ଅଧିକ ଜଳ ଆବଶ୍ୟକ କରେ । ବାର୍ଷିକ ୧୫୦୦ ମି.ମି. ରୁ ୨୫୦୦ ମି.ମି. ବର୍ଷା ହେଉଥିବା ଅଞ୍ଚଳରେ କଦଳୀ ଚାଷ ଭଲ ହୋଇଥାଏ ।
ବ୍ୟବହାରକୁ ଆଧାର କରି କଦଳୀ ମୁଖ୍ୟତଃ ଦୁଇ ପ୍ରକାରର ହୋଇଥାଏ । ବନ୍ତଳ ବା ତରକାରୀ କଦଳୀ ଏବଂ ଅନ୍ୟଟି ପାଚିଲା କଦଳୀ ବନ୍ତଳ କିସମଗୁଡିକ ହେଲା ପାଉଁଶିଆ ବନ୍ତଳ, ମେଣ୍ଢୀ ବନ୍ତଳ ଇତ୍ୟାଦି । ପାଚିଲା କଦଳୀ କିସମଗୁଡିକ ହେଲା ଫାଟକପୁରା, ଚମ୍ପା, ଚକ୍ରକେଳି, ଲାଲ କଦଳୀ, ଭୁଷାବଲ, ରୋବଷ୍ଟା, କାବୁଲି ଇତ୍ୟାଦି । ଶେଷ ତିନି କିସମର ଗଛ ଗେଡା ବା ବାମନ ହୋଇଥିବା ବେଳେ ବନ୍ତଳ ଓ ଅନ୍ୟ କିଆମର ଗଛଗୁଡିକ ଡେଙ୍ଗା । ବିରୁପାକ୍ଷୀ, ମୁଗୁନି, ବୁକୁଫଟା, ଲାଲ, ପୋଢଶିଙ୍ଗା କିସମଗୁଡିକ ଆମ ରାଜ୍ୟର ପାହାଡିଆ ଅଞ୍ଚଳରେ ଦେଖାଯାଏ ।
ଜମିକୁ ଚାରି ପାଞ୍ଚ ଓଡ ଚାଷ କରି ଜଳ ନିଷ୍କାସନର ସୁବିଧା ଦୃଷ୍ଟିରୁ ୧୫ ରୁ ୨୦ ଫୁଟ ଚଉଡାର ପଟାଳି କରାଯାଏ । ପଟାଳି ମଧ୍ୟରେ ଡେଙ୍ଗା ଗଛ ପାଇଁ ୮X୮ ଫୁଟ ବ୍ୟବଧାନରେ ଏବଂ ଗେଡା ବା ବାମନ କଦଳୀ ପାଇଁ ୬X୬ ଫୁଟ ବ୍ୟବଧାନରେ ଗାତ ଖୋଳାଯାଏ । ଗାତଗୁଡିକର ଲମ୍ବ, ଓସାର ଓ ଗଭୀରତା ଦେଢ ଫୁଟ ରଖାଯାଏ ।
ଖତସାର
୬୦ ଦିନ ପରେ - ୧୦୦ ଗ୍ରାମ୍ ସି.ଏ.ଏନ., ୧୦୦ ଗ୍ରାମ୍ ମ୍ୟୁରେଟ ଅଫ୍ ପଟାସ୍
୯୦ ଦିନ ପରେ - ୧୫୦ ଗ୍ରାମ୍ ସି.ଏ.ଏନ୍., ୧୦୦ ଗ୍ରାମ୍ ମ୍ୟୁରେଟ ଅଫ୍ ପଟାସ୍
୧୨୦ ଦିନ ପରେ - ୧୫୦ ଗ୍ରାମ୍ ସି.ଏ.ଏନ୍., ୧୦୦ ଗ୍ରାମ୍ ମ୍ୟୁରେଟ ଅଫ୍ ପଟାସ୍
ସି.ଏ.ଏନ୍. ପ୍ରତିବଦଳରେ ଅର୍ଦ୍ଧ ମାତ୍ରାର ୟୁରିଆ ସାର ପ୍ରୟୋଗ କରାଯାଇପାରେ ।
ସାରକୁ ଗଛ ଠାରୁ ଏକ ଫୁଟ ଦୂରରେ ଓ ଏକ ଫୁଟ ଚଉଡାରେ ଗାତ ଖୋଳି ଦିଆଯାଏ ।
ଗେଡା କିସମରେ କିଛି ଅଧିକ ସାର ପ୍ରୟୋଗ କରାଯାଇପାରେ ।
କଦଳୀ ଫସଲକୁ ଶୀତମାସରେ ଦୁଇ ତିନି ଥର ଏବଂ ଖରାମାସରେ ଚାରି ପାଞ୍ଚ ଥର ଜଳସେଚନ କରାଯାଏ ।
ନିୟମିତ କୋଡାଖୁସା, ଘାସବଛା କରି ଦୁଇ ତିନିମାସରେ ଥରେ ମାଟିକୁ ହାଣି ସଫା ରଖିଲେ ମାଟି ହାଲୁକା ହୁଏ ଏବଂ ରୋଗପୋକ କମ୍ ଲାଗେ । ମାଟିର ଆର୍ଦ୍ରତା ଅଧିକ ଦିନ ରହେ । କାନ୍ଧି ପଡିବା ଆରମ୍ଭ ହେଲେ କୋଡାଖୁସା କରିବା ଅନୁଚିତ୍ ।
ପ୍ରତିଗଛରୁ ଅନେକ ପୁଆ ବାହାରେ । ଏଗୁଡିକ ବଢିଲେ କାନ୍ଧି ଛୋଟ ହୋଇଯାଏ । କମିଯାଏ । ପ୍ରଥମ କାନ୍ଧି ଆସିବା ପରେ ଗୋଟିଏ ମାତ୍ର ସୁସ୍ଥ ପୁଆ ଛଡ଼ାଯାଏ । ତହିଁରୁ ଦ୍ଵିତୀୟ ଫସଲ ଅମଳ କରାଯାଏ । ମାଟି ପତ୍ତନରୁ ଅଦରକାରୀ ପୁଆଗୁଡିକୁ କାଟି ବାହାର କରିଦିଆଯାଏ କଟାଯାଇଥିବା ପୁଆର ମୂଳ ଅଂଶରେ ଗୋଟିଏ ଲେଖାଏଁ ଗାତ କରି ତହିଁରେ କିରୋସିନ ଏକ ଚାମଚ ପକାଇଲେ ପୁଆଗୁଡିକ ଆଉ ବଢେ ନାହିଁ ।
କଦଳୀରେ ବିଶେଷ ରୋଗପୋକ ଦେଖାଯାଉ ନଥିଲେ ମଧ୍ୟ ଦୁଇ ତିନି ମାସ ଅନ୍ତରରେ ମାଲାଥିୟନ ବା ମେଟା ସିଷ୍ଟକ ୨ ମି.ଲି. ଏକ ଲିଟର ପାଣିରେ ମିଶାଇ ଗଛକୁ ସିଞ୍ଚନ କରାଯାଏ । ଏହା ସହିତ ଏକ ଲିଟର ପାଣିରେ ବେଭିଷ୍ଟିନ ଏକ ଗ୍ରାମ୍ କିମ୍ବା ୨ ଗ୍ରାମ୍ ଏଣ୍ଡୋଫିଲ ଏମ୍ – ୪୫ ମିଶ୍ରଣ କରି ସିଞ୍ଚନ କଲେ ରୋଗପୋକ ଦାଉରୁ ରକ୍ଷା ମିଳେ ।
ଅଣକଦଳିଆ ରୋଗ ହେଲେ ପତ୍ରଗୁଡିକ ଛୋଟ ଛୋଟ ହୋଇଯାଏ । ଛାଞ୍ଚୁଣୀ ମୁଣ୍ଡା ପରି ମେଞ୍ଚା ହୋଇ ବାହାରେ ଏହା ଏକ ଭୂତାଣୁ ଜନିତ ରୋଗ । ଏପରି ରୋଗାକ୍ରାନ୍ତ ଗଛ ଦେଖାଗଲେ ତାକୁ ତୁରନ୍ତ କାଟି ପୋତି କିମ୍ବା ପୋଡି ଦେବା ଉଚିତ୍ । ଫଳରେ ଅନ୍ୟ ଗଛଗୁଡିକୁ ଏହି ଭୂତାଣୁ ଆକ୍ରମଣରୁ ଦୂରରେ ରଖାଯାଇପାରିବ । ଜମିରେ ମାଲାଥିଅନ ବା ମେଟାସିଡ ସିଞ୍ଚନ କରାଗଲେ ଏହି ରୋଗବାହୀ ପୋକଗୁଡିକ ମରିଯାଆନ୍ତି ।
ଏହି ରୋଗ ଲାଗିଲେ ପତ୍ର ଝାଉଂଳି ଯାଏ ହଳଦିଆ ପଡିଯାଏ । ବାହୁଙ୍ଗା ଭାଙ୍ଗି ଗଛରେ ଝୁଲେ । କାନ୍ଧି ପଡିବା ସମୟରେ ଏହି ରୋଗ ଦେଖାଦେଇଥାଏ । କାନ୍ଧି ଛୋଟ ହୋଇଯାଏ । ଏହା ଏକ ଫିମ୍ପିଜନିତ ରୋଗ ପାଟକପୁରା କିସମରେ ଏହା ଅଧିକ ଦେଖାଦିଏ । ଚମ୍ପା ଓ କାବୁଲି କଦଳୀରେ କମ୍ ଦେଖାଦିଏ । ଏହି ରୋଗ ନିରାକରଣ ପାଇଁ ନିରୋଗା ଗଛର ସୁସ୍ଥ ପୁଆ ସଂଗ୍ରହ କରାଯିବା ଉଚିତ୍ । ଏକ ଲିଟର ପାଣିରେ ବେଭିଷ୍ଟିନ ୧ ଗ୍ରାମ୍ ମିଶାଇ ତହିଁରେ ପୁଆକୁ ବିଶୋଧନ କରାଯାଏ । ଏକ ଲିଟର ପାଣିରେ ୧୦ ଗ୍ରାମ୍ ବେଭିଷ୍ଟିନ ମିଶାଇ ସେଥିରୁ ୧୦ ମି.ଲି. କଦଳୀ ମୂଳ କନ୍ଦାରେ ଇଞ୍ଜେକ୍ସନ ଦେଲେ ମଧ୍ୟ ଏ ରୋଗ ଦମନ ହୁଏ ।
ଏହା ଏକ କବକ ଜନିତ ରୋଗ । ପତ୍ରରେ ଗାଢ ବବାଦାମୀ ଦାଗ ଦେଖାଯାଏ । ଅନେକ ଦାଗ ଏକତ୍ରିତ ହୋଇ ପତ୍ରଟି ଶୁଖିଯାଏ । ଏହି ରୋଗର ଦମନ ପାଇଁ ବୋର୍ଡର ମିକ୍ସଚର ୧ ଶତାଂଶ ଗଛକୁ ସିଞ୍ଚନ କରାଯାଏ ।
କଦଳୀ ଫସଲରେ କାଣ୍ଡବିନ୍ଧା ପୋକ ବେଳେ ବେଳେ ଦେଖାଦିଏ । ଏହି କୀଟ କଦଳୀ ମୁଣ୍ଡାରେ ଓ ପତ୍ର ସନ୍ଧିରେ ରହୁଥିବାରୁ ସାଧାରଣ ସିଞ୍ଚନ ଔଷଧରେ ସହଜରେ ଦମନ ହୁଏ ନାହିଁ । ଏଣୁଗଛ ମୂଳରେ ୨୦ରୁ ୪୦ ଗ୍ରାମ୍ ଫୁରାଡନ ଦାନା ପ୍ରୟୋଗ କରାଯାଏ ।
କଦଳୀ ପୁଆ ଲଗାଯିବାର ୮ରୁ ୧୨ ମାସ ମଧ୍ୟରେ କାନ୍ଧି ଆସେ । ତିନି ଚାରି ମାସରେ ତାହା ପାକଲା ହୁଏ । ଦ୍ଵିତୀୟ ଫସଲ ୭ରୁ ୧୦ ମାସ ମଧ୍ୟରେ ଆସେ । କଦଳୀ ଅମଳର ସାତ ଦିନ ପୂର୍ବରୁ ପାଣି ମଡା ବନ୍ଦ କରିବା ଉଚିତ୍ । ବାମନ କଦଳୀଗଛଗୁଡିକରେ ଡେଙ୍ଗା କିସମ ଅପେକ୍ଷା ଦୁଇ ତିନି ମାସ ପୂର୍ବରୁ କାନ୍ଧି ଆସେ । କାନ୍ଧିର ଓଜନ କିସମ ଅନୁଯାୟୀ ୧୨ ରୁ ୨୦ କେଜି ପର୍ଯ୍ୟନ୍ତ ହୋଇଥାଏ ।
ଆଧାର – ଓଡିଶା ଜଳବିଭାଜିକା ଉନ୍ନୟନ ମିଶନ
Last Modified : 1/23/2020