অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କାଜୁବାଦାମ ଚାଷ

କାଜୁର ଉପାଦେୟତା

କାଜୁବାଦାମ ଏକ ଲାଭଜନକ ଫସଲ  । ଓଡିଶାର ସବୁ ଜିଲ୍ଲାରେ ଏହି ଚାଷ କରାଯାଇପାରିବ  । ସମୁଦ୍ରପତନ ଠାରୁ ଆରମ୍ଭ କରି ୪୦୦ ମି. ଉଚ୍ଚତା ପର୍ଯ୍ୟନ୍ତ ସବୁସ୍ଥାନରେ କାଜୁ  ଚାଷ ହୋଇ ପାରୁଛି  । ଉର୍ବର ଜମି ଠାରୁ ଆରମ୍ଭ କରି ଅନୁର୍ବର ପାହାଡିଆ ଜମିରେ ମଧ୍ୟ ଲଗାଯାଇପାରିବ  ।

  • କାଜୁର ଶସ୍ୟ ଅତ୍ୟନ୍ତ ସ୍ଵାଦିଷ୍ଟ  ।
  • ଏଥିରେ ପ୍ରଚୁର ପରିମାଣର ଶ୍ଵେତସାର, ସ୍ନେହସାର ଓ ପୁଷ୍ଟିସାର ସହିତ ଲୌହ, କ୍ୟାଲସିଅମ, ଫସଫରସ୍ ଆଦି ଲବଣ ଏବଂ ଅନେକ ଖାଦ୍ୟପ୍ରାଣ ରହିଛି  । କାଜୁ ଗଛର କାଠ ଜାଳେଣି ଓ କାଠ କୋଇଲା ପ୍ରସ୍ତୁତିରେ ବ୍ୟବହାର ହୁଏ  । କାଠ ମଣ୍ଡରୁ କାର୍ଡବୋର୍ଡ ବାକ୍ସ କରାଯାଏ  ।
  • କାଜୁ ମଞ୍ଜି ଚୋପା ତେଲରୁ ବ୍ରେକ ଲାଇନିଙ୍ଗ, କାଳି ପ୍ରଭୃତି କରାଯାଏ  ।
  • କାଜୁ ଫସଲ ପାହାଡର ଗଡାଣିଆ ସ୍ଥାନରେ ଲଗାଯାଇ ମୃତ୍ତିକା ସଂରକ୍ଷଣ କରାଯାଏ  ।

ମୃତ୍ତିକା ଓ ଜଳବାୟୁ

  • କାଜୁ ଏକ ଗ୍ରୀଷ୍ମମଣ୍ଡଳୀୟ ଫସଲ  । ଏହା ଆର୍ଦ୍ର ଏବଂ ନାତିଶୀତୋଷ୍ଣ ଅଞ୍ଚଳରେ ଭଲ ହୁଏ  । କୁହୁଡି ଏବଂ ଅତ୍ୟଧିକ ଶୀତପ୍ରବାହ ସହିପାରେ ନାହିଁ  । ଅଧିକ ସମୟ ଗ୍ରୀଷ୍ମପ୍ରବାହ ମଧ୍ୟ ଗଛ ପ୍ରତି କ୍ଷତିକାରକ  ।
  • ବାର୍ଷିକ ୧୦୦ ସେ.ମି. ରୁ ୪୦୦ ସେ.ମି. ବୃଷ୍ଟିପାତ ଅଞ୍ଚଳରେ କାଜୁ ଚାଷ ଭଲ ହୁଏ  ।
  • ଉତ୍ତାପ  ସେଲସିୟସରୁ ଅଧିକ ହେଲେ ଛୋଟ ଫଳ ଗୁଡିକ ଝଡିଯାଏ  ।
  • ବିଭିନ୍ନ ପ୍ରକାର ମାଟିରେ କାଜୁ ଚାଷ କରାଯାଇ ପାରିଲେ ମଧ୍ୟ ନିଗିଡା ନାଲି ଓ ଉପକୂଳ ମାଟି କାଜୁ ଚାଷ ପାଇଁ ଉପଯୁକ୍ତ  ।
  • ମଟାଳ ମାଟି ଏବଂ ଜଳ ନିଷ୍କାସନ ହେଉ ନ ଥିବା ଜମିରୁ ଫସଲ ଅମଳ ବହୁତ କମ ହୁଏ  । ଅତ୍ୟଧିକ ଅମ୍ଳମାଟି, ପଥୁରିଆ ମାଟି, ମାଟିତଳେ ଚଟାଣ (ହାର୍ଡପାନ), ଆଦି ସ୍ଥାନରେ ଫସଲ ଭଲହୁଏ ନାହିଁ  ।
  • ଅତି କମ୍ ରେ ୧୦୦ ସେ.ମି. ଗଭୀରତାର ମାଟିଥିଲେ କାଜୁ ଫସଲ ଅଧିକ ଅମଳ ଦିଏ  ।
  • ଜମି ଚାଷ କରିବା ପରେ ସମତୁଲ କରାଯାଇ ଚାରା ରୋପଣ ପାଇଁ ଗାତ କରାଯାଏ  । ଜମିରେ ୭ ମିଟର ବ୍ୟବଧାନରେ ଚାରା ଲଗାଯାଏ  । ଗାତ ଖୋଳାଗଲେ ବେଳେ ଉପର ଓ ତଳ ମାଟିକୁ ଅଲଗା ରଖାଯାଏ  । ଗାତ ଗୁଡିକୁ ୬୦ X ୬୦ X ୬୦ ସେ.ମି. ଆକାରରେ ଖୋଳାଯାଏ  । ଉପର ମାଟିରେ ଅନୁମୋଦିତ ପରିମାଣର ଖତ, ସାର, ଔଷଧ ମିଢାଇ ଗାତର ତଳ ଭାଗକୁ ପୂରଣ କରାଯାଏ  । ଏହାପରେ ଗାତର ଅବଶିଷ୍ଟ ଉପର ଅଂଶକୁ ତଳମାଟି ଦ୍ଵାରା ପୂରଣ କରାଯାଏ  ।
  • ପୂର୍ବରୁ ପଲିଥିନ୍ ବ୍ୟାଗରେ କାଜୁ କଲମୀ ଚାରା ଯତ୍ନର ସହିତ ପଲିଥିନରୁ ବାହାର କରି   ଗାତ ମଝିରେ ପୋତାଯାଏ  ।
  • ଚାରା ରୋପଣ ବେଳେ କଲମୀ ଯୋଡଟି ଯେପରି ମାଟି ଉପରେ ରହେ ସେଥିପ୍ରତି ଧ୍ୟାନ ଦିଆଯାଏ  ।
  • ଗଛ ସିଧା ରହିବା ପାଇଁ ଗୋଟିଏ କାଠି ପୋତି ଗଛକୁ ସିଧା ରଖାଯାଏ  ।

କିସମ

  • କାଜୁ ମଞ୍ଜିରୁ ଚାରା ପ୍ରସ୍ତୁତ କରି ଲଗାଯାଉଥିବାରୁ ଗଛରେ ବିଭିନ୍ନତା ପରିଲକ୍ଷିତ ହୁଏ  । ବଗିଚାରୁ ଅଧିକ ଅମଳ ଓ ବଡଫଳ ହେଉଥିବା, ଭଲ ବୃକ୍ଷକୁ ଚିହ୍ନଟ କରାଯାଇ ସେହି ଗଛର ଡାଳରୁ କଲମୀ ପ୍ରସ୍ତୁତ କରାଯାଏ  । ସେହିପରି ଉନ୍ନତ କିସମ ସଙ୍କର ବିହନ ଉତ୍ପାଦନ ପ୍ରକ୍ରିୟାରେ ସୃଷ୍ଟି କରାଯାଇଛି  । ଓଡିଶା ପାଇଁ ଅନୁମୋଦନ ଉନ୍ନତ କିସମ ଗୁଡିକ ହେଲା  ।
  • ଭେନୁରଲା – ୪     ବର୍ଷକୁ ଗଛପ୍ରତି ଅମଳ ୧୭.୨ କେ.ଜି
  • ଧନ (ହା ୧୬୦୮) ବର୍ଷକୁ ଗଛପ୍ରତି ଅମଳ ୧୭.୫ କେ.ଜି
  • ଭୁବନେଶ୍ଵର – ୧   ବର୍ଷକୁ ଗଛପ୍ରତି ଅମଳ ୧୦.୫ କେ.ଜି
  • ଏଚ୍ ୨/୧୬        ବର୍ଷକୁ ଗଛପ୍ରତି ଅମଳ ୧୪.୫ କେ.ଜି

ଏହା ବ୍ୟତୀତ ଅନେକ ସଙ୍କର ଜାତୀୟ କିସମ ମଧ୍ୟ ଉଦ୍ଭାବନ ହୋଇଛି  । ଏଗୁଡିକ ଭୁବନେଶ୍ୱର ସ୍ଥିତ କାଜୁ ଗବେଷଣା କେନ୍ଦ୍ର ଓ.ୟୁ.ଏ.ଟି. ଏବଂ ରାଜ୍ୟ କାଜୁ ଉନ୍ନୟନ ନିଗମରୁ ଉପଲବ୍ଧ  ।

ମଞ୍ଜି ଚାରା ଓ କଲମୀ

  • ମଞ୍ଜିରୁ ଚାରା ପ୍ରସ୍ତୁତ କରି ଲଗାଯାଇପାରେ କିମ୍ବା ଯୋଡ କଲମୀରୁ ପ୍ରସ୍ତୁତ ଗଛ ଲଗାଯାଇ ପାରେ  ।
  • କଲମୀ ଗଛରୁ ଉନ୍ନତ ମାନର ଅଧିକ ଫଳ ଅମଳ ହୁଏ  ।
  • କଲମୀ ଫସଲରେ ଶୀଘ୍ର ଫଳଆସେ  ।
  • କଲମୀ ଗଛ ଛୋଟ ଆକାର ହୋଇଥିବାରୁ ଅଧିକ ସଂଖ୍ୟକ ଗଛ ଜମିରେ ଲାଗିପାରେ  ।
  • ଜମିରେ ଅଧିକ ଗଛ ଲଗାଯାଉଥିବାରୁ ଅଧିକ ଅମଳ ମିଳେ  ।

ଚାରାରୋପଣ

ପଲିଥିନ ବ୍ୟାଗରେ ଚାରା ଉତ୍ତରାଯାଇ ଚାରା କିମ୍ବା କଲମୀ ଗଛ ୪-୫ ମାସ ହେଲେ ଜମିରେ ଲଗାଯାଇଥାଏ  । ଜମିରେ କାଜୁ ଫସଲ ପାଇଁ ଆବଶ୍ୟକ ବ୍ୟବଧାନରେ ଗାତଖୋଳି ସେଥିରେ ଖତ ସାର ଓ ମାଟି ପୂରଣ କରି ସିଧା ୨/୩ ଟି ଉନ୍ନତ କିସମର ବିହନ ଦିନେ ବା ଦୁଇଦିନ ପାଣିରେ ବତୁରାଇ ଲଗାଗଲେ  ଶୀଘ୍ର ଗଛ ବାହାରେ  । ପ୍ରତି ଗାତରେ ଗୋଟିଏ ସବଳ ଗଛ ରଖି ଅନ୍ୟ ଗଛ ଗୁଡିକୁ ଉପାଡି ଦିଆଯାଏ  ।

  • ଏହାଦ୍ଵାରା ଗଛର ଛେରା ମାଟିର ଗଭୀରକୁ ସହଜରେ ଚାଲିଯାଏ ଏବଂ ଗଛ ବାତ୍ୟାରେ ନଷ୍ଟ ହୁଏନାହିଁ  ।
  • ଗଛ ଭୂତଳ ଜଳକୁ ସଂଗ୍ରହ କରି ସହଜରେ ବଢେ  ।
  • ମଞ୍ଜିଗଛ ବହୁତ ବଡହୋଇ ଅଧିକ ଅମଳ ଦିଏ  ।
  • ମଞ୍ଜି ଗଛ ଦ୍ଵାରା ଗୁଣାତ୍ମକ ମୂଲ୍ୟ ରକ୍ଷା କରାଯାଇ ପାରେ  ନାହିଁ  । ତେଣୁ ମଞ୍ଜିରୁ ଗଛ କରିବାରୁ ବିରାଟ ହେବା ଆବଶ୍ୟକ  ।

ଖତ ଓ ସାର

  • ଗୋଟିଏ ଗୋଟିଏ ପ୍ରାପ୍ତ ବୟସ୍କ ଗଛ ୫୦୦ ଗ୍ରା.ମ୍ ଯବକ୍ଷାରଜାନ, () 125 ଗ୍ରାମ ଫସଫରସ୍ () ଏବଂ ୧୨୫ ଗ୍ରା.ମ୍ ପଟାସ୍ () ଦରକାର କରିଥାଏ   । ଗାତ ପ୍ରତି ୫୦ କି.ଗ୍ରା. ଗୋବର ଖତ ଓ ୫ କି.ଗ୍ରା ନିମ୍ବ ପିଡିଆ, ୨୦୦ ଗ୍ରାମ୍ ରକ୍ ଫସଫେଟ୍ ଦିଆଯାଇପାରେ  ।

ଜଳସେଚନ

ସାଧାରଣ ଭାବରେ କାଜୁ ଫସଲ ଆମ ରାଜ୍ୟରେ ଅଣଜଳସେଚିତ ଫସଲଭାବେ କରାଯାଉଥିଲେ ମଧ୍ୟ ଜମିର ଆର୍ଦ୍ରତା ଦେଖି ବର୍ଷରେ ୨-୩ ଥର ବିଶେଷତଃ ଫଳ ଆସିବା ସମୟରେ ଜଳସେଚନ କରି ପାରିଲେ ଅଧିକ ଅମଳ ମିଳେ  । ନୂତନ ଭାବେ ଲଗାଯାଇଥିବା କାଜୁ ବଗିଚାକୁ ପ୍ରଥମ ୩ ବର୍ଷ ପର୍ଯ୍ୟନ୍ତ ଜଳସେଚନ କରାଯିବା ନିତାନ୍ତ ଦରକାର  ।

ଅନ୍ତଃ ଚାଷ ଓ ଅନ୍ତଃ ଫସଲ

ଜମିକୁ କୋଡା ଖୁସା କରି ଗଛ ଚତୁଃପାର୍ଶ୍ଵରେ ଥିବା ଅନାବନା ଗଛ ସଫାକରି ଜମିକୁ ପରିଷ୍କାର ରଖାଯାଏ  ।

  • ଏହାଦ୍ଵାରା ମାଟିର ଆର୍ଦ୍ରତା ବେଶିଦିନ ରହେ  ।
  • ମାଟିର ଉର୍ବରତା ବଢିଥାଏ  ।
  • ରୋଗ, ପୋକ କମ ଲାଗେ  ।
  • ଭଲଭାବେ ଜମିକୁ କମଣ କରି କାଜୁ ବଗିଚା ମଧ୍ୟରେ ପ୍ରଥମ ୨-୩ ବର୍ଷ ଅନ୍ତଃଫସଲ କରାଯାଏ  । ଅନ୍ତଃ ଫସଲ ରୂପେ ଅଦା, ହଳଦୀ, ଝୁଡୁଙ୍ଗ, କୋଳଥ, ମୁଗ, ବିରି ଓ ଅନ୍ୟାନ୍ୟ ପନିପରିବା ଚାଷ କରାଯାଇଥାଏ  ।

କାଣ୍ଟଛାଣ୍ଟ

କାଜୁ ଚାରା ଲଗାଯିବାପରେ ପ୍ରଥମରୁ ତାକୁ ସିଧା ବଢାଇବା ପାଇଁ ତଳୁ ବାହାରୁଥିବା ଶାଖା ପ୍ରଶାଖାକୁ କାଟି ବାହାର କରିଦିଆଯାଏ  । ସେହିପରି ରୁଗ୍ଣ ଅଦରକାରୀ ଡାଳଗୁଡିକ ମଧ୍ୟ କାଟି ବାହାର କରିଦିଆଯାଏ  । କାଜୁ ଗଛରେ ୩ ବର୍ଷ ମଧ୍ୟରେ ଫଳ ଆସେ  । ଓଡିଶାରେ ନଭେମ୍ବର ମାସରୁ ଫେବୃୟାରୀ ମଧ୍ୟରେ ଫୁଲ ଧରେ  । ମାର୍ଚ୍ଚରୁ ମେ ମାସ ମଧ୍ୟରେ ଫଳଗୁଡିକୁ ଅମଳ କରାଯାଏ  । ଫଳ ପାକଳ ହେବାକୁ ପ୍ରାୟ ୬୦ ଦିନ ଲାଗିଯାଏ  ।

ଅମଳ

ମଞ୍ଜି ଗଛରୁ ହାରାହାରି ୨.୧ କେଜି କେଜି ମଞ୍ଜି ଅମଳ ମିଳିଥାଏ  କିନ୍ତୁ ଉନ୍ନତ ଓ ସଙ୍କର କିସମରେ ଗଛ ପ୍ରତି ୧୦ କିଲୋଗ୍ରାମ ଫଳ ମିଳିଥାଏ  ।

ପ୍ରକ୍ରିୟା କରଣ

ମଞ୍ଜି ଶୁଖିବାପରେ କଡେଇରେ ଭଜାଯାଏ  । ଶସକୁ ଚୋପାରୁ ବାହାର କରାଯାଏ  । ଛୋଟବଡ ଏବଂ ଭଙ୍ଗା କାଜୁକୁ ଅଲଗା ଅଲଗା କରି ଅନୁମୋଦିତ ପ୍ରଣାଳୀରେ ଶୁଖାଇ ଟିଣରେ ରଖାଯାଏ  ।

କାଜୁର କୀଟ

ମୂଳ ବିନ୍ଧା ପୋକ

ଏହି କୀଟ କାଣ୍ଡରେ ଛିଦ୍ରକରି ଭିତରେ ପ୍ରବେଶ କରେ  । ଛିଦ୍ରରୁ ଅଠା ଦ୍ରବଣ ବାହାରେ  । ଡାଳଟି ହଳଦିଆ ପଡି ଶୁଖିଯାଏ  ।

ନିରାକରଣ

  • ଛିଦ୍ର ମଧ୍ୟକୁ ୦.୧% କାବାରିଲ ଦ୍ରବଣ ପୁରାଇ ତୁଳା ବିଣ୍ଡାଦେଲେ ଛିଦ୍ର ବନ୍ଦ କରାଯାଏ  ।
  • ସମନ୍ଵିତ ପ୍ରଣାଳୀରେ ପୋକରୋଗ ନିୟନ୍ତ୍ରଣ କରାଯାଇପାରିବ  ।

ପତ୍ର ବିନ୍ଧାପୋକ

ପୋକଗୁଡିକ କଅଁଳ ପତ୍ରରେ କଣା କରି ରସ ଶୋଷି ଖାଇ ଯାଆନ୍ତି  । ଫଳରେ ପତ୍ରରେ କଳା କିମ୍ବା ରୂପାଲି ରଙ୍ଗରେ ଅଙ୍କା ବଙ୍କା ଦାଗ ଦେଖାଯାଏ  ।

ନିରାକରଣ

  • ଫସଲକୁ ୦.୦୫%ଏଣ୍ଡୋସଲଫାନ ସିଂଚନ କରି ପୋକ ଦମନ କରାଯାଏ  ।
  • ସମନ୍ଵିତ ପ୍ରଣାଳୀରେ ଏହାକୁ ନିୟନ୍ତ୍ରଣ କରାଯାଇପାରିବ  ।

ରୋଗ

ପତ୍ର ଓ ବଉଳ ୱେବର

ଏହାର ସଂବାଳୁଆ ବଉଳ ଓ କଅଁଳପତ୍ରକୁ ନଷ୍ଟକରେ  । ଏହାକୁ ଦମନ କରିବାକୁ ମାଲାଥିଆନ ୦.୦୫% କିମ୍ବା ଏଣ୍ଡୋଫିଲ୍ ୦.୦୫ କିମ୍ବା କାର୍ବାରିଲ ୦.୦୫% ସିଞ୍ଚନ କରାଯାଏ  ।

ଚାହା ମସକ

ଏହା କାଜୁ ଗଛର ବହୁକ୍ଷତି କରେ  । ବଢୁଥିବା କଅଁଳ ଡାଳ ପତ୍ର, ଫୁଲ ଓ ଛୋଟ ଫଳରୁ ରସ ଶୋଷଣ କରି ଡାଳ, ପତ୍ର ଓ ଫଳକୁ ନଷ୍ଟକରେ  । ଫୁଲ ଓ ଫଳ ଝଡିଯାଏ, ପତ୍ର ଓ ଡାଳ ଶୁଖିଯାଏ  ।

ଦମନ

  • ଏଣ୍ଡୋସଲଫାନ ୦.୦୫% ବା କାର୍ବାରିଲ ୦.୦୫% ଅକ୍ଟୋବର ମାସରୁ ଜାନୁୟାରୀ ଭିତରେ ୨ରୁ ୩ ଥର ସିଞ୍ଚନ କରାଯାଏ  ।
  • ବିଭିନ୍ନ ସମନ୍ଵିତ ପ୍ରଣାଳୀରେ ମଧ୍ୟ ନିୟନ୍ତ୍ରଣ କରାଯାଏ ।
  • ଜୈବିକ ପ୍ରଣାଳୀରେ ଉପରୋକ୍ତ କୀଟଙ୍କୁ ନିମ୍ବତେଲ ୩-୫% କିମ୍ବା କରଞ୍ଜ ତେଲ ୨% ସିଞ୍ଚନ କରି ଦମନ କରାଯାଏ ।

ମଲାଡାଳ

ଏହି ରୋଗ ଆରମ୍ଭ ହେଲେ ଗଛର ବଢୁଥିବା କଅଁଳ ଡାଳ କବକ ଦ୍ଵାରା ଆକ୍ରାନ୍ତ ହୋଇ ସିଲକ ପରି ଦାଗ ସୃଷ୍ଟିକରେ ଏବଂ ପରବର୍ତ୍ତୀ ସମୟରେ ବାଇଗଣୀ ରଙ୍ଗହୋଇ ମରିଆସେ

ଦମନ

  • ଆକ୍ରାନ୍ତ ଡାଳକୁ କାଟି ବାହାର କରିଦିଅନ୍ତୁ  । ଗଛ ଗଣ୍ଡିରେ ବୋର୍ଡରପେଷ୍ଟ  ଲେପ ଦିଅନ୍ତୁ  । ଗଛକୁ ୧% ବୋର୍ଡର ମିକ୍ସଚର ସିଞ୍ଚନ କରନ୍ତୁ  ।
ଗଛରେ ଟ୍ରାଇକୋଡର୍ମା ଭିରିଡି ଜୀବାଣୁ ହେକ୍ଟରପ୍ରତି ୫ କେ.ଜି. ପାଣିରେ ମିଶାଇ ସିଞ୍ଚନ କରନ୍ତୁ  ।

ଆଧାର – ଓଡିଶା ଜଳବିଭାଜିକା ଉନ୍ନୟନ ମିଶନ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate