অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପନିପରିବା ଫସଲର ବିହନ ଉତ୍ପାଦନ

ଉନ୍ନତ କିସମର ପନିପରିବା ବିହନ ଉତ୍ପାଦନ ଉଦ୍ୟାନ କୃଷିର ଅମଳ ବୃଦ୍ଧିରେ ସହାୟକ ହୋଇପାରିଛି । ମାତ୍ର ଅଧିକ ଅମଳ ହେବା ଫଳରେ ସମୟ ସମୟରେ ପନିପରିବା ଦର କମିଯାଉଛି ଓ ବିକ୍ରି ବଟାରେ ବାଧା ସୃଷ୍ଟି ହେଉଛି । ଏଣୁ ଅଧିକ ଅମଳ ସମୟରେ ପନିପରିବା ନଷ୍ଟ ନକରି ବିହୀନ ଉତ୍ପାଦନ କଲେ  ଚାଷୀ ଅଧିକ ଲାଭବାନ୍ ହୋଇପାରିବେ । ଦେଖିବାକୁ ଗଲେ ପନିପରିବା ମଞ୍ଜି ଉତ୍ପାଦନ ପନିପରିବା ଚାଷ ଅପେକ୍ଷା ଅଧିକ ଲାଭଜନକ ।

ଉତ୍କୃଷ୍ଣ ବିହନର ଗୁଣ

ଅଧିକ ଉତ୍ପାଦନ କ୍ଷମତା, ସଠିକ୍ ଏବଂ ମାଆ ମଞ୍ଜି ଅନୁରୂପ ହେବା ଆବଶ୍ୟକ, ନିରୋଳା, ଓଜନିଆ ଓ ଉପଯୁକ୍ତ ଆକାର ସମ୍ପନ୍ନ, ଅଧିକ ଗଜା ହେବା ଶକ୍ତି ଓ ସଂଜୀବତା ଗୁଣ, ପରିଷ୍କାର ଓ ବିଶୁଦ୍ଧତା, କମ୍ ଜଳୀୟ ଅଂଶ ଯୁକ୍ତ ଓ ଶୁଖିଲା ମଞ୍ଜି ।

ବିହନ ଉତ୍ପାଦନ ପାଇଁ ପଦକ୍ଷେପ

ପନିପରିବା ବିହନ ଉତ୍ପାଦନ ସମୟରେ କିସମର ବିଶୁଦ୍ଧତା ଓ ପରାଗସଙ୍ଗମରୁ ଫସଲକୁ ରକ୍ଷା କରିବା ପାଇଁ ଗୋଟିଏ କିସମର ଅନ୍ୟ କିସମ ଠାରୁ ବାସନ୍ଦ ଦୂରତା ନିର୍ଦ୍ଧାରଣ କରିବାକୁ ପଡ଼େ । ଯେଉଁ ପନିପରିବା ଗୁଡ଼ିକ ସ୍ୱ- ପରାଗସଙ୍ଗମ ପ୍ରକ୍ରିୟା ଅବଲମ୍ବନ କରିଥାଆନ୍ତି ଯଥା- ବାଇଗଣ, ବିଲାତି ବାଇଗଣ, ଶିମ୍ବ, ଲଙ୍କା ସେଥିରେ ବିହନ ଉତ୍ପାଦନ ବେଳେ କମ୍ ବାସନ୍ଦ ଦୂରତା ଓ ଯେଉଁ ପନିପରିବା ପର-ପରାଗସଙ୍ଗମ ପ୍ରକ୍ରିୟା ଆପଣେଇ ଥାଆନ୍ତି ଯଥା-କୋବି, ଜାତୀୟ ଫସଲ , ଗାଜର, ପିଆଜ, କାକୁଡ଼ି, ସେଥିରେ ବାସନ୍ଦ ଦୂରତା ଅଧିକ ରଖାଯାଇଥାଏ । ଆମ ଜଳବାୟୁରେ ବିଲାତି ବାଇଗଣ, ବାଇଗଣ, ଲଙ୍କା, ଭେଣ୍ଠି, କଲରା, ବିନ୍ ଆଦିର ବିହନ ସହଜରେ ଉତ୍ପାଦନ କରିହୁଏ, ମାତ୍ର କୋବି ଜାତୀୟ, ଫସଲ,ଗାଜର, ମୂଳା (ଶୀତଳ ଜଳବାୟୁ), କ୍ୟାପ୍ସିକମ୍ ର ବିହନ ଉତ୍ପାଦନ ଶୀତ ପଡୁଥିବା ଅଞ୍ଚଳ କିମ୍ବା ଉଚ୍ଚ ପାହାଡ଼ିଆ ଅଞ୍ଚଳରେ ସମ୍ଭବ ହୋଇଥାଏ ।

ବିହନର ପ୍ରକାର ଭେଦ

ପ୍ରଜନନ ବିହନ, ପିଣ୍ଡ ବିହନ, ପଞ୍ଜୀକୃତ ବିହନ, ପ୍ରମାଣିତ ବିହନ ।

ବିହନ ଉତ୍ପାଦନ ଓ ପଞ୍ଜୀକରଣ

ବୈଜ୍ଞାନିକ ପଦ୍ଧତିରେ ନିଜ ଜମିରେ ପ୍ରମାଣିତ ପନିପରିବା ବିହନ ଉତ୍ପାଦନ କରିବା ପାଇଁ ସ୍ଥାନୀୟ ଉଦ୍ୟାନ ଅଧିକାରୀ ଏବଂ ବିହନ ପ୍ରମାଣନ ସଂସ୍ଥା ସହ ସଂପର୍କ ସ୍ଥାପନ କରିବା ଦରକାର । ବିହନ ଉତ୍ପାଦନ କରିବା ପାଇଁ ବିହନ ପ୍ରମାଣନ ସଂସ୍ଥାକୁ ଦରଖାସ୍ତ କରି ନିଜର ନାମକୁ ପଞ୍ଜୀକୃତ କରିବାକୁ ପଡ଼ିବ । ସଂସ୍ଥା ଠାରୁ ବିହନ ଉତ୍ପାଦନ ପାଇଁ ଆଦେଶ ପତ୍ର ପାଇଲା ପରେ ସଂସ୍ଥାର ଅଧିକାରୀଙ୍କ ପ୍ରତ୍ୟେକ୍ଷ ତତ୍ଵାବଧାନରେ ଚାଷୀଙ୍କର ଜମିର ଅବସ୍ଥିତି, ଉର୍ବରତା, ପୂର୍ବ ଫସଲର ବିବରଣୀ ଅନୁସନ୍ଧାନ କରି ବିହନ ଉତ୍ପାଦନ ପାଇଁ ନିର୍ଦ୍ଦେଶ ଦିଆହୁଏ । ବିହନ ପ୍ରମାଣନ ସଂସ୍ଥାଙ୍କ ଜରିଆରେ ଉନ୍ନତ କିସମର ବିହନ କିଣିବା ଦରକାର । ଜମିକୁ ହଳ କରି ଆବଶ୍ୟକ  ପରିମାଣର ଖତ ସାର ଦେଇ, ମଞ୍ଜିକୁ ବିଶୋଧନ କରି ତଳି ପକାଇବା ଦରକାର କିମ୍ବା ସିଧା ଜମିରେ ମଞ୍ଜିକୁ ବୁଣାଯାଇପାରିବ । ମଞ୍ଜି ଉତ୍ପାଦନ ସମୟରେ ଧ୍ୟାନ ଦେବାକୁ ହେବ ଯେ, ନିକଟରେ ସେହି କିସମର ଚାଷ କରାଯାଉନଥିବ । ଫସଲ ହେଲା ପରେ ବିହନ ସଂସ୍ଥା ଅଧିକାରୀଙ୍କ ପ୍ରତ୍ୟେକ୍ଷ ତତ୍ଵାବଧାନରେ ଫୁଲ ଫୁଟିବା ପୂର୍ବରୁ, ଫୁଲ ହେବା ପରେ, ଫଳ ପାକଳ ହେବା ପୂର୍ବରୁ ଓ ଫଳ ଅମଳ ସମୟରେ ‘ଫସଲ ପର୍ଯ୍ୟବେକ୍ଷଣ ପ୍ରକ୍ରିୟା ଅବଲମ୍ବନ କରାଯାଏ । ନିର୍ବାରିତ ସମୟରେ ରୋଗ, ପୋକ ଓ ଘାସ ଦମନ ପାଇଁ ଉପଦେଶ ମୁତାବକ ଆବଶ୍ୟକ ପଦକ୍ଷେପ ନିଆଯାଏ । ବିହନର ବିଶୁଦ୍ଧତାକୁ ବଜାୟ ରଖିବା ପାଇଁ ଅନ୍ୟ କିସମର ଗଛ ବିହନ ଫସଲରେ ଥିଲେ ତାହାକୁ ବାହାର କରି ଦିଆଯାଏ । ଠିକ୍ ସମୟରେ ବିହନ ଅମଳ କରି, ପାଛୋଡ଼ି ଶୁଖାଇ ରଖାଯାଏ । ବିହନର ନମୁନା ସଂଗ୍ରହ କରି ବିହନ ସଂସ୍ଥା ଦ୍ଵାରା ପରୀକ୍ଷା କରି ଗଜା ହେବା ଶକ୍ତି, ସଂଜୀବତା ଗୁଣ, ବିଶୁଦ୍ଧତା, ଜଳୀୟ ଅଂଶ ପରିମାଣ ସମ୍ବନ୍ଧରେ ଏକ ପ୍ରମାଣପତ୍ର ସଂସ୍ଥା ଠାରୁ ପ୍ରାପ୍ତ କରାଯାଏ । ପ୍ରମାଣପତ୍ର ପାଇଲା ପରେ ପନିପରିବା ବିହନ, ସରକାରୀ ଓ ବେସରକାରୀ ସଂସ୍ଥାକୁ ବିକ୍ରି କରାଯାଇଥାଏ । ଉନ୍ନତ କୌଶଳ ଅବଲମ୍ବନ କରି ଶଙ୍କର କିସମ ପନିପରିବା ବିହନ ମଧ୍ୟରୁ ଉତ୍ପାଦନ କରାଯାଇପାରିବ । ଏହା ବ୍ୟାୟ ସାପେକ୍ଷ ମାତ୍ର ଅଧିକ ଲାଭଜନକ ।

ବିହନର ସାଇତା ଓ ମାନ

ଥଣ୍ଡା ଓ ଶୁଷ୍କ ସ୍ଥାନରେ, କୀଟ ପତଙ୍ଗ ଠାରୁ ଦୂରରେ ବିହନକୁ ସାଇତି ରଖିଲେ ତାହା ନିର୍ବାରିତ ସମୟ ପର୍ଯ୍ୟନ୍ତ ଗଜାଶକ୍ତି ଧାରଣ କରିଥାଏ । ପନିପରିବା ବିହନର ଗଜାଶକ୍ତି ଅତି କମରେ ୬ ମାସରୁ ଅଧିକ ଦୁଇ ବର୍ଷ ପର୍ଯ୍ୟନ୍ତ ପରିବାର ପ୍ରକାର ଉପରେ ନିର୍ଭରଶୀଳ ହୋଇଥାଏ । ପନିପରିବା ବିହନର ସର୍ବନିମ୍ନ ଗଜା ଶକ୍ତି ଶତକଡ଼ା ୫୫ ଭାଗ ଓ ସର୍ବାଧିକ ଶତକଡ଼ା ୮୦ ଭାଗ ଅନୁସାରେ ନିର୍ବାରିତ ହୋଇଥାଏ । ପରିବା ବିହନର ନିରୋଳା ୯୪ ରୁ ୯୮ ଶତକଡ଼ା ମଧ୍ୟରେ ବିଭିନ୍ନ ପରିବା ପାଇଁ ନିର୍ବାରିତ ହୋଇଥାଏ । ଚାଷୀମାନେ ଉନ୍ନତ କୌଶଳ ଅବଲମ୍ବନ କରି ପନିପରିବା ବିହନ ଚାଷ ପ୍ରତି ମନୋନିବେଶ କଲେ, ଆମ ରାଜ୍ୟରେ ଅଧିକ ଅମଳଯୁକ୍ତ ପନିପରିବା ଚାଷ ହୋଇପାରିବ ଏବଂ ଚାଷୀମାନେ ଲାଭବାନ୍ ହୋଇପାରିବେ ।

ସଂଗୃହିତ - ଅଭିଳାଷ ସ୍ଵରୂପ ମହାପାତ୍ର,  ଗ୍ରାମୀଣ ବିକାଶ ଅଧିକାରୀ,  ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ

Last Modified : 1/6/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate