অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମାଡୁଛି ମାରାତ୍ମକ ଇ-ଆବର୍ଜନା

ରାଜଧାନୀରେ ହେବ ଇ-ଆବର୍ଜନା ଡମ୍ପିଂୟାର୍ଡ

ସାରା ରାଜ୍ୟରେ କୁଢ କୁଢ ଇ-ଆବର୍ଜନା ବାହାରୁଛି । ବର୍ଷକୁ ପ୍ରାୟ ୭ରୁ ୮ହଜାର ଟନ୍ ଇଲେକ୍ଟ୍ରୋନିକ୍ ଆବର୍ଜନା ବାହାରୁଛି ।  ଏହାକୁ ଆବଶ୍ୟକୀୟ ବିଶୋଧନ କରାଯାଉ ନଥିବାରୁ ଏହାର କୁପ୍ରଭାବ ପରିବେଶ ଉପରେ ପଡୁଛି । ଏଥିରୁ ବାହାରୁଥିବା ସୀମା, କଠିନ ପ୍ଲାଷ୍ଟିକ୍, କ୍ରୋମିଅମ୍, ମର୍କୁରୀ, ବେରିଲିୟମ ଏବଂ କ୍ୟାଡମିୟମ ଯୋଗୁଁ ପରିବେଶ ପ୍ରଦୂଷିତ ହେଉଛି । ଏହାଦ୍ୱାରା ଲୋକଙ୍କ କିଡନି ଫେଲ୍, ବ୍ରୋଙ୍କାଇଟିସ୍, ସ୍ନାୟୁ ରୋଗ, ଫୁସଫୁସ୍ ଉପରେ ପ୍ରଭାବ ଏବଂ ଗଣ୍ଠି ଯନ୍ତ୍ରଣା ଭଳି ରୋଗ ହେଉଛି । ଏହି ସମସ୍ୟା  ଦିନକୁ ଦିନ ବଢି ଚାଲୁଥିବାବେଳେ ଏହା ଉପରେ ରୋକ୍ ଲଗାଇବାକୁ ସରକାରୀସ୍ତରରେ କିଛି ପଦକ୍ଷେପ ନିଆଯାଉନି ।

ପ୍ରଦୂଷଣ ନିୟନ୍ତ୍ରଣ

ଇ-ଆବର୍ଜନା ସମସ୍ୟା ଗୁରୁତ୍ଵର ହେବାରୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବର୍ଷକ ତଳୁ ଏହାର  ଠିକ୍ ଡମ୍ପିଂ ଏବଂ ରି-ସାଇକେଲିଂ ପାଇଁ ପଦକ୍ଷେପ ନେଲାଣି । ୮୫୧ଟି ଅନୁଷ୍ଠାନକୁ ଚିଠି ଲେଖି ଜଣାଇଲାଣି । ହେଲେ କୌଣସି ସଂସ୍ଥା ଉତ୍ତର ଦେଉନାହାନ୍ତି । ଫଳରେ କିଛି ପଦକ୍ଷେପ ନିଆଯାଉପାରୁନି  । ଯେଉଁଥିପାଇଁ ଏବେ ଏହି ଇ-ଆବର୍ଜନା ବିଶାଳ ମୃତ୍ୟୁ ଫାଶ ଧରି ମାଡିବାରେ ଲାଗିଛି ।

ମୋବାଇଲ୍, କମ୍ପ୍ୟୁଟର, ଫ୍ରିଜ୍, ୱାସିଂ ମେସିନ୍, ଟିଭି, ରେଡ଼ିଓ, ମାଇକ୍ରୋଓଭେନ୍, ଲାପଟପ୍ ଠାରୁ ଆରମ୍ଭ କରି ସମସ୍ତ ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ ଏବଂ ପ୍ଲାଷ୍ଟିକ୍ ସାମଗ୍ରୀରୁ ସୃଷ୍ଟି ହେଉଛି । ସାରା ରାଜ୍ୟରେ ପ୍ରାୟ ୮ହଜାର ଟନ୍ ଇ-ଆବର୍ଜନା ବାହାରୁଥିବା ବେଳେ କେବଳ ଭୁବନେଶ୍ଵରରେ ପ୍ରାୟ ୩ହଜାର ଟନ୍ ବାହାରୁଛି । ତେଣୁ ତୁରନ୍ତ ଇ-ଆବର୍ଜନାର ସୂଚାରୁ ଡମ୍ପିଂ ଏବଂ ରି-ସାଇକେଲିଂ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିରେ ଭୁବନେଶ୍ଵରରେ ଏକ ଇ-ଆବର୍ଜନା ଡିସପୋଜାଲ କେନ୍ଦ୍ର କରିବାକୁ ନିଷ୍ପତ୍ତି ହୋଇଛି । ହେଲେ କେଉଁଠି ହେବ, କିପରି ହେବ, କେତେ ଇ-ଆବର୍ଜନା ଏଥିରେ ପଡ଼ିବ ସେନେଇ ନିଷ୍ପତ୍ତି ହୋଇନି ।

ରାଜ୍ୟରେ ଇ-ଆବର୍ଜନା ସ୍ଥିତି ଚିନ୍ତାଜନକ ଏହା  ଦ୍ଵାରା ପରିବେଶ ଉପରେ କୁପ୍ରଭାବ ପଡୁଛି।  ତେଣୁ ଏହାକୁ କିପରି ଗୋଟିଏ ଜାଗାରେ ଠୁଳ କରିହେବ ଏବଂ ଆବଶ୍ୟକୀୟ ରି-ସାଇକେଲିଂ କରିହେବ, ପଦକ୍ଷେପ ନିଆଯାଉଛି । ଆମ ଦେଶରେ ଏନେଇ ପୂର୍ବରୁ କିଛି ନିୟମ ନଥିଲା । ଏବେ ନୂଆ ନିୟମ ଆସିଛି । ନିୟମ ଅନୁଯାୟୀ ଯାହା ପଦକ୍ଷେପ ନିଆଯିବ ତାହା ସରକାର ନେବେ । ପ୍ରାରମ୍ଭିକ ପର୍ଯ୍ୟାୟରେ ଏଥିପାଇଁ ଦୁଇଟି ସଂସ୍ଥାକୁ ଦାୟିତ୍ଵ ଦେବାକୁ ଯୋଜନା ହେଉଛି । ହେଲେ ଚୁଡାନ୍ତ ପଦକ୍ଷେପ ଡିପିଆର୍ ପ୍ରସ୍ତୁତି ପରେ ଜଣାପଡ଼ିବ ।

ଇ-ଆବର୍ଜନା

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏବେ ଇ-ଆବର୍ଜନା କେବଳ କବାଡିବାଲା ଉଠାଉଛନ୍ତି କହିଲେ ଭୁଲ୍ ହେବନି । ଆମେ ବର୍ଷକ ତଳୁ ୮୫୧ଟି  ସଂସ୍ଥାକୁ ଏନେଇ ଚିଠି କରିଥିଲୁ । ହେଲେ କେହି ଆଗ୍ରହ ଦେଖାଇଲେନି । କଡା ଆଇନ ନଥିବାରୁ ସେମାନଙ୍କ ଉପରେ କିଛି ପଦକ୍ଷେପ ନିଆଯାଇପାରିଲାନି । ଇ-ଆବର୍ଜନାକୁ ଗୋଟିଏ ସ୍ଥାନରେ ଠୁଳ କରିବା ଏବଂ ଆବଶ୍ୟକୀୟ ରି-ସାଇକେଲିଂ କରିବା ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ପକ୍ଷରୁ ୩୧ଟି ବ୍ୟାଙ୍କ, ୧୦୨ଟି ଇଞ୍ଜିନିୟରିଂ କଲେଜ, ୧୨୭ଟି ହସ୍ପିଟାଲ, ୪୭୦ଟି ଶିଳ୍ପାନୁଷ୍ଠାନ, ୧୫ଟି ସଫ୍ଟୱେୟାର କମ୍ପାନୀ, ୮ଟି ଟେଲିକମ୍ ସଂସ୍ଥା, ୧୦ଟି ବିଶ୍ଵବିଦ୍ୟାଳୟକୁ ଚିଠି ଲେଖିଥିଲୁ । ସେମାନେ କିପରି ସେମାନଙ୍କର ଇ-ଆବର୍ଜନା ପରିଚାଳନା  କରୁଛନ୍ତି ସେନେଇ ସବିଶେଷ ତଥ୍ୟ  ଦେବାକୁ କହିଥିଲୁ । ହେଲେ କେହି ଉତ୍ତର ଦେଲେନି । ଏବେ ରାଜ୍ୟ ସରକାର ନୂଆ ନିୟମ ଲାଗୁ କରିବାକୁ ଯାଉଥିବାରୁ ଏହାକୁ କଡାକଡି ଲାଗୁ କରିବୁ ବୋଲି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତରଫରୁ ଦେଖାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ନୂଆ ନିୟମରେ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ବିକ୍ରି କରୁଥିବା ବ୍ୟକ୍ତି, ସଂସ୍ଥା ମାଧ୍ୟମରେ ଇ-ଆବର୍ଜନା ପରିଚାଳନା କରାଯିବ । ଯେତେବେଳେ ସାମଗ୍ରୀ ବିକିବେ ସେହି ସମୟରେ ଇ-ଆବର୍ଜନା ପରିଚାଳନା ପାଇଁ କିଛି ଅର୍ଥ ରଖିବେ । ଆଉ ଗ୍ରାହକଙ୍କୁ ଏକ ରସିଦ୍ ଦେବେ । ଗ୍ରାହକ ଜଣଙ୍କ ଏହାକୁ ବ୍ୟବହାର କରିବା ପରେ  ଯେତେବେଳେ ପୁରୁଣା ସାମଗ୍ରୀ ବଦଳରେ ନୂଆ ସାମଗ୍ରୀ କିଣିବାକୁ ଚାହିଁବେ, ସେତେବେଳେ ଏହାକୁ କିଣିଥିବା ସଂସ୍ଥା/ବ୍ୟକ୍ତିଙ୍କ ନିକଟରେ ଦାଖଲ କରିବେ । ଆଉ ସେମାନେ ଦେଇଥିବା ଅର୍ଥ ନେବେ । ଏହାବାଦ୍ ଯେଉଁଠି ୨୦ଜଣରୁ ଅଧିକ କାରବାର ହେଉଥିବ ସେଠାରେ ମଧ୍ୟ ଉକ୍ତ ସଂସ୍ଥା ପକ୍ଷରୁ ଇ-ଆବର୍ଜନା ପରିଚାଳନା ପାଇଁ ସ୍ଵତନ୍ତ୍ର ପଦକ୍ଷେପ ନେବାକୁ କୁହାଯିବ । ଏହାବ୍ୟତୀତ ରାଜ୍ୟ ସରକାର ସମସ୍ତ ସହରାଞ୍ଚଳରେ ଇ-ଆବର୍ଜନା ପରିଚାଳନା କେନ୍ଦ୍ର କରିବେ ।

ଆଧାର – ଦୈନିକ ସମ୍ବାଦ

Last Modified : 12/9/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate