ଭୁବନେଶ୍ୱରର ଚାରିଜଣ କଲେଜ୍ ପଢୁଆ ପିଲା ଆରମ୍ଭ କରିଛନ୍ତି ଏଭଳି ଏକ ଷ୍ଟାର୍ଟଅପ୍, ଯାହା ଶିକ୍ଷକମାନଙ୍କୁ ତାଙ୍କ ଜ୍ଞାନ ବଢାଇବାରେ ସହାୟକ ହେବ । ସେମାନଙ୍କ ପାଇଁ ଗବେଷଣାର ନୂଆ ଦିଗ ଉନ୍ମୋଚନ କରିବ । ସେମାନଙ୍କୁ ଜାତୀୟ ଓ ଆନ୍ତର୍ଜାତୀୟ ସେମିନାରରେ ଯୋଗଦେବା ଲାଗି ବାଟ ଖୋଲିଦେବ । କେବଳ ସେତିକି ନୁହେଁ, ଏହି ଷ୍ଟାର୍ଟଅପ୍ ଆଗକୁ ବଢିଲେ, ଗୋଟିଏ ପ୍ଲାର୍ଟଫର୍ମରେ ଆମେ ଦେଶର ସମସ୍ତ ଅନୁଷ୍ଠାର ଶିକ୍ଷକମାନଙ୍କୁ ଯୋଡିପାରିବେ ଓ ସେମାନଙ୍କୁ ଖୋଜିପାରିବା । ଦେଖିବାକୁ ଗଲେ ଏହା ଛାତ୍ରଛାତ୍ରୀଙ୍କୁ ମଧ୍ୟ ପରୋକ୍ଷରେ ସାହାଯ୍ୟ କରିବ । ଏହି ଷ୍ଟାର୍ଟଅପ୍ ର ନାଁ ରହିଛି WeSocrates । ଏହା ହେଉଛି ଶିକ୍ଷକଶ୍ରେଣୀଙ୍କ ପାଇଁ ନେଟୱାର୍କିଂ, ଗବେଷଣା ଓ ଶିକ୍ଷଣର ଏକ ପ୍ଲାଟଫର୍ମ । ଆମର ଅଧ୍ୟାପକ, ପ୍ରଫେସର ଓ ରିଡରମାନଙ୍କ ପାଇଁ ଏହା ଏକ ସଂପୂର୍ଣ୍ଣ ସମାଧାନର ସୂତ୍ର ଉପଲବ୍ଧ କରାଇପାରିବ ।
ପ୍ରସିଦ୍ଧ ଦାର୍ଶନିକ ଓ ଶିକ୍ଷକ ସକ୍ରେଟିସ୍ ଙ୍କ ନାଁ ଅନୁସାରେ ଏହି ଷ୍ଚାର୍ଟଅପ୍ ପ୍ରୋଜେକ୍ଟର ନାମ WeSocrates ରଖାଯାଇଛି । ନାଁରୁ ଜଣାପଡେ ଏହା ହେଉଛି ଶିକ୍ଷକମାନଙ୍କ ପାଇଁ ଏକ ପ୍ରୋଜେକ୍ଟ । ଶିକ୍ଷକମାନେ ବିଭିନ୍ନ ବିଷୟରେ ସେମାନଙ୍କ ଜ୍ଞାନ, ଦକ୍ଷତା ଆଦିକୁ ବଢାଇପାରିବେ ଓ ଅନ୍ୟଶିକ୍ଷକଙ୍କ ସହ ସମ୍ପର୍କ ରଖିପାରିବେ, ସେ ଦୃଷ୍ଟିରୁ WeSocrates ର ବ୍ୟବହାର ଅତ୍ୟନ୍ତ ଉପଯୋଗୀ ହୋଇପାରିବ । କେବଳ ସେତିକି ନୁହେଁ ବିଭିନ୍ନ ସ୍ଥାନରେ କୌଣସି ବିଷୟ ଉପରେ ଗବେଷଣା କିମ୍ବା ସେମିନାର୍ ଆଦି ସମ୍ପର୍କରେ ମଧ୍ୟ ଏଥିରୁ ସୂଚନା ପାଇହେବ । ଆଉ ସବୁଠୁ ବଡ କଥା ହେଉଛି, ଏସବୁ ସୁବିଧା ପାଇବା ସହ ଆପଣ ଏଥିରୁ ସାରା ଦେଶରେ ଥିବା ଶିକ୍ଷକମାନଙ୍କୁ ଜାଣିବା ପାଇଁ ଏହାକୁ ସର୍ଚ୍ଚ ଇଂଜିନ୍ ଭାବେ ମଧ୍ୟ ବ୍ୟବହାର କରିପାରିବେ । ଗତ ଫେବୃୟାରୀ ୫ରୁ ୭ ତାରିଖ ପର୍ଯ୍ୟନ୍ତ ଶ୍ରୀ ଶ୍ରୀ ୟୁନିଭରସିଟିରେ ହୋଇଥିବା ଷ୍ଟାର୍ଟଅପ୍ ସପ୍ତାହ ଭୁବନେଶ୍ୱର କାର୍ଯ୍ୟକ୍ରମରେ ଭାଗନେଇ ଚାରି ଜଣ ଛାତ୍ର ଏହି ଷ୍ଟାର୍ଟଅପ୍ ର ପରିକଳ୍ପନା କରିଥିଲେ । ଭୁବନେଶ୍ୱର ବିମଟେକ୍ ଅନୁଷ୍ଠାନର ଅଲିଶା ମହାପାତ୍ର ଓ ଶୁଭଦୀପ ସିଂହା ଏବଂ କଟକର ଶ୍ରୀ ଶ୍ରୀ ୟୁନିଭରସିଟିର ଛାତ୍ରୀ ଶିବାନୀ ଆରୋରା ଓ ଗ୍ରୀଷ୍ମା ପୁତ୍ରନଙ୍କୁ ନେଇ ଏହି ଚାରିଜଣିଆ ଟିମ୍ ଏହାକୁ ପ୍ରସ୍ତୁତ କରିଛନ୍ତି । ଏ ସମ୍ପର୍କରେ ଅଲିଶା କୁହନ୍ତି, ପ୍ରଥମେ ଏହି ଆଇଡିଆଇ ଶୁଭଦୀପ ଦେଇଥିଲେ । ତେବେ ଆମେ ଚାରିଜଣ ଏହା ଉପରେ କାମ କରିଛୁ । ଆମ ଶିକ୍ଷକମାନଙ୍କ ପାଇଁ କିଛି କରିବାର ଇଛା ଫଳରେ ଏହା ଆମେ କରିପାରିଛୁ ।
ଏ ସମ୍ପର୍କରେ ଶୁଭଦୀପଙ୍କ କହିବା କଥା ଯେ,ଏହି ଆଇଡିଆ ଆମପାଖକୁ ହଠାତ୍ ଆସିଥିଲା । ବିଭିନ୍ନ ଆବଶ୍ୟକତା ପାଇଁ ବିଭିନ୍ନ ପ୍ରକାର ଆପ୍ଲିକେସନ୍ ରହିଛି । ଷ୍ଟାର୍ଟଅପ୍ ସପ୍ତାହରେ ଆମ ମୁଣ୍ଡରେ ଏହି ଆଇଡିଆ ଆସିଲେ ଯେ ଆମକୁ ପଢାଉଥିବା ଶିକ୍ଷକମାନଙ୍କ ପାଇଁ କାହିଁକି ଏକ ୱାନ୍-ଷ୍ଟପ୍ ସପୋର୍ଟ ସଲ୍ୟୁସନ୍ କରାନଯିବ ? କିଭଳି ଆପ୍ଲିକେସନ୍ ଏଥିରେ କାମ କରିବ ଓ କିଭଳି ଏହା ଏକ ଷ୍ଟାର୍ଟଅପ୍ ଭାବେ ଉଭା ହୋଇପାରିବ, ଏହାକୁ ନେଇ ଗୋଟିଏ ଦିନ ବ୍ରେନଷ୍ଟୋର୍ମିଂ କରିବାକୁ ପଡିଥିଲା ।
ଷ୍ଟାର୍ଟଅପ୍ ସପ୍ତାହ ଭୁବନେଶ୍ୱର କାର୍ଯ୍ୟକ୍ରମରେ ୧୪ଟି ଟିମ୍ ର ପ୍ରାୟ ୮୦ରୁ ଅଧିକ ଅଂଶଗ୍ରହଣକାରୀ ଥିଲେ । ଅନେକ ଅନ୍ୟାନ୍ୟ ଓ ନୂଆ ଆଇଡିଆ ଏଠାରେ ଉପସ୍ଥାପିତ କରାଯାଇଥିଲା । କିନ୍ତୁ ଶେଷରେ ଏହି ରେସ୍ ରେ WeSocrates ହିଁ ୱିନର୍ ହୋଇଥିଲା । ଶ୍ରେଷ୍ଠ ଷ୍ଟାର୍ଟଅପ୍ ଆଇଡିଆ ଭାବେ ଏହାକୁ ମିଳିଥିଲା ସ୍ୱିକୃତୀ । ଏହାପରେ ଟିମ୍ ମେମ୍ବରମାନେ ଉତ୍ସାହିତ ହୋଇପଡିଛନ୍ତି । ଏ ନେଇ ଶିବାନୀ କୁହନ୍ତି, ଆମ ପାଇଁ ଏହା ଥିଲା ଏକ ବଡ ଅନୁଭବ । ଏଥିରେ ଆମକୁ ସଫଳତା ମିଳିବା ପରେ ଆମେ ସମସ୍ତ ଖୁସୀ ହେବା ସହ ଏହାକୁ ନେଇ ସ୍ୱପ୍ନ ଦେଖିବା ଆରମ୍ଭ କରିଛୁ । ଏହା ନିଶ୍ଚିତ ଭାବେ ଆମ ଜୀବନକୁ ବଦଳାଇଦେବ । ପ୍ରଥମ ପର୍ଯ୍ୟାୟରେ ଓଡିଶାର ଶିକ୍ଷକମାନଙ୍କୁ ନେଇ କାମ କରିବ ବୋଲି ସ୍ଥିର କରିଛି । ତାପରେ ଏହାକୁ ଧୀରେ ଧୀରେ ଦେଶରେ ଅନ୍ୟାନ୍ୟ ଅନୁଷ୍ଠାନର ଶିକ୍ଷକମାନଙ୍କୁ ଏଥିରେ ସାମିଲ କରାଯିବ । ତେବେ ଡାଟା ମ୍ୟାନେଜମେଣ୍ଟ ବର୍ତ୍ତମାନ ଏମାନଙ୍କ ପାଇଁ ବଡ ଚ୍ୟାଲେଂଜ୍ । କାରଣ ଏଠାରେ କେବଳ ଠିକ୍ ସୂଚନା ଦିଆଯିବା ଉପରେ ଗୁରୁତ୍ୱ ଦିଆଯାଉଛି ।
ଆଧାର - Akhand social worker, freelance journalist
Last Modified : 3/4/2020