କିଛି ଦିନ ତଳେ ପଶ୍ଚିମବଙ୍ଗର ଖଡ଼ଗପୁରର ଜିଲ୍ଲାରେ ଜଣେ ବ୍ୟକ୍ତି ହୃଦରୋଗରେ ଆକ୍ରାନ୍ତ ହୋଇଥିଲେ । ନିଜ ଚିକିତ୍ସା ପାଇଁ ସେ ସ୍ଥାନୀୟ ଅଞ୍ଚଳର ଜଣେ ଡାକ୍ତରଙ୍କ ପରାମର୍ଶ କଲେ । ମାତ୍ର ତାଙ୍କ ସ୍ୱାସ୍ଥ୍ୟର ଅବସ୍ଥା ସୁଧୁରିଲାନି। ବାଧ୍ୟ ହୋଇ ତାଙ୍କ ପୁଅ ବାଙ୍ଗାଲୋରର ଏକ ହୃଦରୋଗ ବିଜ୍ଞାନ କ୍ଲିନିକକୁ ତାଙ୍କୁ ଚିକିତ୍ସା ପାଇଁ ନେଲେ । ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା କରି ସେ ପୂର୍ବରୁ ଭୁଲ୍ ଔଷଧ ଖାଉଥିଲେ ବୋଲି କହିଥିଲେ । ‘iKure’ର ପ୍ରତିଷ୍ଠାତା ସୁଜୟ ସନ୍ତ୍ରାଙ୍କ ସହ ଏମିତି ଏକ ଘଟଣା ଘଟିଥିଲା । ପ୍ରତିଦିନ ବହୁ ଲୋକେ ଏମିତି ଭୁଲ୍ ଚିକିତ୍ସା ହେଉଛନ୍ତି ଓ ପ୍ରକୃତ ସ୍ୱାସ୍ଥ୍ୟସେବା ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ସେ ଅନୁଭବ କରିଥିଲେ । ଏଇଠୁ ହିଁ ଜନ୍ମ ନେଇଥିଲା ‘iKure’ ।
KPMG ସ୍ୱାସ୍ଥ୍ୟ ରିପୋର୍ଟ-୨୦୧୩ ଅନୁସାରେ, ଭାରତର ପ୍ରାୟ ୮୪୦ନିୟୁତ ଲୋକେ ଦେଶରେ ଥିବା ମୋଟ ସ୍ୱାସ୍ଥ୍ୟସେବାର ମାତ୍ର ୩୦ ପ୍ରତିଶତ ସଂଯୁକ୍ତ ସ୍ୱାସ୍ଥ୍ୟ ଚିକିତ୍ସା ପାଉଛନ୍ତି । ଦେଶରେ ସ୍ୱାସ୍ଥ୍ୟ ସେବାର ଏପରି ସଙ୍ଗୀନ ଚିତ୍ର ଦେଖି ଲୋକଙ୍କ ପାଖରେ ସୁଲଭ ଓ ଶସ୍ତାରେ ଚିକିତ୍ସା ସେବା ପହଞ୍ଚାଇବାକୁ ‘iKure’ ବାବଦରେ ଚିନ୍ତା କଲୁ ବୋଲି ସୁଜୟ କୁହନ୍ତି । ସେ କୁହନ୍ତି, ଦେଶର ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବା ବିଗିଡି ଯାଇଛି । ଆବଶ୍ୟକ ମାନବ ସମ୍ବଳର ଅଭାବ, ତ୍ରୁଟିପୂର୍ଣ୍ଣ ଚିକିତ୍ସା, ଉପଯୁକ୍ତ ସୁବିଧାସୁଯୋଗ ଓ ଗୁଣାତ୍ମକ ମାନ ହ୍ରାସ ଯୋଗୁ ଅନେକ ଜାଗାରେ ଲୋକେ ଆବଶ୍ୟକ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ୨୦୧୨ର ପରିସଂଖ୍ୟାନ ଅନୁସାରେ, ଦେଶର ମାତ୍ର ୪୩.୫ ପ୍ରତିଶତ ଗାଁରେ ମାତ୍ର ଜଣେ ଡାକ୍ତର ଅଛନ୍ତି । ତେବେ ଆହୁରି ଚିନ୍ତାର କଥା ହେଉଛି, ଏହି ଗାଁ ଗୁଡିକ ମଧ୍ୟରେ ଅଧିକାଂଶ ଜାଗାରେ ଡାକ୍ତର ଉପସ୍ଥିତ ରୁହନ୍ତିନି । କିଛି ଡାକ୍ତରଖାନାରେ ପୁରୁଣା ଭିତ୍ତିଭୂମି ପଡିଥାଏ । ଆଉ କେଉଁଠି ଔଷଧ ଯୋଗାଣ ନିୟମିତ ହୁଏନି ବା ସ୍ୱାସ୍ଥ୍ୟସେବାର ଉପଯୁକ୍ତ ଯାଞ୍ଚ ହୁଏନି । ଏହି ସବୁ ସମସ୍ୟା ପାଇଁ ଗ୍ରାମାଞ୍ଚଳରେ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ଆମେ ଆମର ଧ୍ୟାନ କେନ୍ଦ୍ରୀଭୂତ କଲୁ ।
ଗ୍ରାମାଞ୍ଚଳରେ ଲୋକଙ୍କୁ ଯଥାସମ୍ଭବ ସ୍ୱାସ୍ଥ୍ୟସୁବିଧା ଦେବାକୁ iKure ପ୍ରଥମେ WHIMS(ଓୟାରଲେସ୍ ହେଲଥ୍ ଇନ୍ସିଡେଣ୍ଟ ମନିଟରିଂ ସିଷ୍ଟମ୍)ନାମକ ଏକ ନିଜସ୍ୱ ସଫ୍ଟୱେର ବିକାଶ କଲା । ଏହା ଏପରି ଏକ ୱେବ୍ ଆପ୍ଲିକେସନ୍, ଯାହାକି ସ୍ୱଳ୍ପ ହସ୍ପିଟାଲ ଓ କ୍ଲିନିକ୍ ଥିବା ଗାଁ ଗଣ୍ଡାରେ ଲୋକଙ୍କୁ ଚିକିତ୍ସା ଦେଲା । ଏହି ୱେବ୍ ଆପ୍ଲିକେସନ୍ କମ୍ ବ୍ୟାଣ୍ଡୱିଡଥ ଅଞ୍ଚଳରେ କାର୍ଯ୍ୟକ୍ଷମ ହେଲା । ଲୋକଙ୍କୁ ଚିକିତ୍ସା ଦେବାକୁ ଗ୍ରାମାଞ୍ଚଳ ଓ ସହର ମଧ୍ୟରେ ଏହି ନୂଆ ଆପ୍ଲିକେସନ୍ ଏକ ସେତୁ ଭଳି କାମ କରିବା ସହ ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସୁବିଧା ଦେବାକୁ ନୂଆ ଆଶା ଦେଲା । ଏହି ସଫ୍ଟୱେର ମାଧ୍ୟମରେ ଚିକିତ୍ସା ବିଶେଷଜ୍ଞମାନେ ଭିଡିଓ କନଫରେନ୍ସିଂ କରି ସହରରେ ଥାଇ ମଧ୍ୟ ଗ୍ରାମାଞ୍ଚଳର ଲୋକଙ୍କୁ ନିୟମିତ ଭାବେ ଆବଶ୍ୟକ ଚିକିତ୍ସା ଯୋଗାଇବା ସମ୍ଭବ ହେଲା । ଖାଲି ସେତିକି ନୁହେଁ ଏହି ଆପ୍ଲିକେସନ୍ ସହାୟତାରେ ଗ୍ରାମାଞ୍ଚଳରେ ରୋଗୀଙ୍କ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ କରିବା, ଏହାର ରେକର୍ଡ କରି ରଖିବା, ସ୍ୱାସ୍ଥ୍ୟସେବାରେ ନିୟୋଜିତ ଚିକିତ୍ସକଙ୍କ କାମକୁ ଅନୁଧ୍ୟାନ କରିବା ଓ ନିୟମିତ ଭାବେ ରୋଗୀଙ୍କୁ ଔଷଧ ଦେବା ସମ୍ଭବ ହେଲା । ଏହିପରି ଭାବେ ଆପ୍ଲିକେସନରେ ରହୁଥିବା ରୋଗୀଙ୍କ ମେଡିକାଲ ଇତିହାସକୁ ଅନୁଧ୍ୟାନ କରି ଗ୍ରାମାଞ୍ଚଳରେ ଦେଖା ଦେଉଥିବା ରୋଗର ପ୍ରକାର ଓ କାରଣକୁ ଖୋଜି ପାଇବାରେ ସଫଳ ହେଲା iKure କମ୍ପାନୀର ୱେବ୍ ଆପ୍ଲିକେସନ୍ ଉଦ୍ଭାବନ ଯୋଗୁ ଏସବୁ ହୋଇପାରିଲା ବୋଲି ସୁଜୟ କହିଛନ୍ତି ।
ଏବେ iKure ଆୟ ସଂଗ୍ରହ ପାଇଁ ଦୁଇ ପ୍ରକାର ବିଜନେସ୍ ମଡେଲ ବ୍ୟବହାର କରୁଛି । ତାର ଆୟର ପ୍ରଥମ ମାଧ୍ୟମ ହେଉଛି, ଡାକ୍ତର ପରାମର୍ଶ ଓ ଡାଇଗ୍ନୋଷ୍ଟିକ୍(ନିଦାନ) ସେବା । ସେହିପରି ୨୦୧୬ରୁ ଆବଶ୍ୟକ ଚିକିତ୍ସା ପାଇଁ ରୋଗୀଙ୍କୁ ବାହାରକୁ ରେଫରାଲ୍ କରି ଓ ଗ୍ରାମାଞ୍ଚଳରେ ହସ୍ପିଟାଲ ସଂଖ୍ୟା ବଢାଇ ଆୟ କରିବାକୁ iKure ଲକ୍ଷ୍ୟ ରଖିଥିବା ସୁଜୟ କହିଛନ୍ତି । ତେବେ ଗତ କିଛି ବର୍ଷ ହେବ iKure ଟିମ୍ ତାର ୫୦ କର୍ମଚାରୀଙ୍କ ପାଇଁ ଏକ ମ୍ୟାନେଜେରିଆଲ୍ କାୟା ଗଠନ କରିଛି । iKureର ପରିଚାଳନା ଟିମରେ ଡାକ୍ତର, ନର୍ସ ଓ ପାରାମେଡିକାଲ ଷ୍ଟାଫ୍ ଦିନରାତି କାମ କରୁଛନ୍ତି ।
ଭାରତରେ ଏବେ ଟେଲି ମେଡିସିନ ସେବା ଆଗଉଛି । କିନ୍ତୁ ସୁଜୟଙ୍କ କହିବା କଥା, ଆଇକିଓର କେବଳ ଏକମାତ୍ର, ଯିଏ କି ଓୟାରଲେସ୍ ହେଲଥ୍ ଇନ୍ସିଡେଣ୍ଟ ମନିଟରିଂ ସିଷ୍ଟମ୍ ସଫ୍ଟୱୟାର ମାଧ୍ୟମରେ ଗ୍ରାମାଞ୍ଚଳରେ ଲୋକଙ୍କୁ ସ୍ୱାସ୍ଥ୍ୟ ସୁବିଧା ଯୋଗାଉଛି । iKureରେ ସଫ୍ଟୱୟାର ଇଞ୍ଜିନିୟରଙ୍କଠୁ ଆରମ୍ଭ କରି ଡାକ୍ତର, ହସ୍ପିଟାଲ ପରିଚାଳକ ଓ ପଲିସି ଏକ୍ସପର୍ଟ ଟିମର ପ୍ରୟାସ ଯୋଗୁ ଏହା ସମ୍ଭବ ହୋଇଛି ।
ସୂଚନା ଓ ପ୍ରଯୁକ୍ତିବିଦ୍ୟା ଭିତ୍ତିଭୂମିର ଅଭାବ, ଟେଲି ମେଡିସିନ୍ ଶିକ୍ଷା, ପାରମ୍ପରିକ ଚିକିତ୍ସା ପ୍ରଣାଳୀ ଯୋଗୁ ଟେଲି ମେଡିସିନ୍ ବିକାଶରେ ବାଧକ ହେଉଛି । ମାତ୍ର iKure ଶସ୍ତାରେ ଲୋକଙ୍କୁ ସଫ୍ଟୱେର ମୋବାଇଲ ଚିକିତ୍ସା ସୁବିଧା ଦେଉଛି । ଏବେ ସୁଦ୍ଧା ପଶ୍ଚିମବଙ୍ଗର ବୀରଭୂମ ଓ ମେଦିନୀପୁର ଜିଲ୍ଲାରେ iKure ୨୮ଟି ଗ୍ରାମୀଣ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଅଛି । ଏହି କେନ୍ଦ୍ରରେ ପ୍ରଶିକ୍ଷିତ ଡାକ୍ତର, ନିଦାନ ଉପକରଣ, ମେଡିସିନ୍, ସର୍ଜରୀ ପୂର୍ବ ଓ ପରବର୍ତ୍ତୀ ସମୟରେ ପରାମର୍ଶ ସୁବିଧା ଉପଲବ୍ଧ ହେଉଛି । ଆଗାମୀ ଦିନରେ ଓଡିଶା, ବିହାର ଆସାମ ଓ ପୂର୍ବ ଭାରତରେ ଆହୁରି ୧୦୦ଟି ଗ୍ରାମୀଣ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଖୋଲିବାକୁ iKure ଯୋଜନା କରିଛି ।
ସୁଜୟ ତାଙ୍କର ବ୍ୟାପାର ବିଷୟରେ କୁହନ୍ତି, ‘ଦୀର୍ଘ ଦିନର ଯାତ୍ରାରେ ବିଫଳତା ଓ ସଫଳତା ଉଭୟକୁ ଦେଖିଛି । ହେଲେ ସବୁବେଳେ ଅନୁଭବ କରିଛି, ବିଫଳତା ସ୍ୱାଦ ନ ଚାଖିଲେ କେବେବି ସଫଳତା ଆଡକୁ ଯାଇ ହେବନି । ଆଗକୁ ବଢିବାକୁ ହେଲେ ନିଜ ଭିତରେ ଥିବା ସାହସ ଓ ଦୃଢ ସଂକଳ୍ପର ଭଣ୍ଡାର ଖୋଜି ବାହାର କରିବାକୁ ପଡିବ’।
iKure ସମ୍ପର୍କରେ ଅଧିକ ଜାଣିବାକୁ ହେଲେ ତାଙ୍କ"ୱେବସାଇଟ" ଦେଖନ୍ତୁ।
ଆଧାର : Ruchika Panigrahi (freelancer journalist)
Last Modified : 3/3/2020