অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ରାଜଧାନୀରେ ଖୋଲିବ MUSICAL ଫୁଡ୍ କୋର୍ଟ

ରାଜଧାନୀରେ ଖୋଲିବ MUSICAL ଫୁଡ୍ କୋର୍ଟ

ଉପକ୍ରମ

ସ୍ମାର୍ଟ ସିଟି ଭୁବନେଶ୍ୱର ପାଇଁ ପୁଣି ଏକ ନୂଆ ପରିକଳ୍ପନା । ଏଥର ମୁ୍ୟଜିକାଲ ଫୁଡକୋର୍ଟ ଖୋଲିବା ପାଇଁ ଯୋଜନା ହୋଇଛି । ସହରବାସୀଙ୍କ ଜୀବନ ଶୈଳୀକୁ ଆହୁରି ସ୍ମାର୍ଟ କରିବାକୁ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ଏଭଳି ପ୍ରସ୍ତାବ ଆଣିଛି । ଏଥିପାଇଁ ଦେଶର ଅନ୍ୟ ମେଟ୍ରୋ ସିଟି ଓ ବିଦେଶୀ ଢାଞ୍ଚାରେ ଭୁବନେଶ୍ୱରରେ ଅତ୍ୟାଧୁନିକ ସ୍ମାର୍ଟ ଫୁଡ୍ କୋର୍ଟ ଖୋଲିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ମୁ୍ୟଜିକାଲ ଫୁଡ୍ କୋର୍ଟରେ ବିଭିନ୍ନ ଦେଶୀ ଓ ବିଦେଶୀ ମେନୁ୍ର ଉପଲବ୍ଧ ହେବ । ପୂରା ମୁ୍ୟଜିକ୍ ଓ ବ୍ୟାଣ୍ଡର ମାହୋଲ ଭିତରେ ଲୋକଙ୍କୁ ଖାଦ୍ୟ ପରଷାଯିବ । ବିଏମ୍ ସି ପକ୍ଷରୁ ପ୍ରସ୍ତାବିତ ଫୁଡ୍ କୋର୍ଟରେ ବିଭିନ୍ନ କମ୍ପାନୀର ନାମୀଦାମୀ ବ୍ରାଣ୍ଡର ଖାଦ୍ୟ ସାମଗ୍ରୀ ବିକ୍ରି ହେବ । ଏଠାରେ ଖାଲି ହାଇଫାଇ ଓ ବିଦେଶୀ ଖାଦ୍ୟ ନୁହେଁ ଓଡ଼ିଶାର ପାରମ୍ପରିକ ଦେଶୀ ଖାଦ୍ୟ ମଧ୍ୟ ମିଳିବ । ଖାଲି ସେତିକି ନୁହେଁ, ରାସ୍ତାକଡ଼ର ଚଟପଟା ଖାଦ୍ୟକୁ ମଧ୍ୟ ଏଠାକାର ମେନୁ୍ରେ ସ୍ଥାନିତ କରାଯିବ ।

ଫୁଡ୍ କୋର୍ଟ

ଦିନରେ ନୁହେଁ ଅପରାହ୍ନରେ ଏହି ଫୁଡ୍ କୋର୍ଟ ଖୋଲିବ । ରାତି ୧୦ଟା ପର୍ଯ୍ୟନ୍ତ ଏହା ଖୋଲା ରହିବ । ବିଭିନ୍ନ କିସମର ଖାଦ୍ୟ ସହ ଏଠାରେ ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷଣ ହେବ । ଏହା ସମସ୍ତଙ୍କ ପାଇଁ ଏକ ଭିନ୍ନ ଅନୁଭୂତି ଆଣି ଦେବ । ତେବେ ଏଠାରେ ନାଚଗୀତ ଭଳି ମଜାମସ୍ତିକୁ ସୀମିତ କରାଯିବ । କେବଳ ସୁମଧୁର ଗୀତ ପରିବେଷଣ କରି ଶାନ୍ତିର ପରିବେଶରେ ଲୋକଙ୍କୁ ଖାଦ୍ୟ ପରଷାଯିବ । ଏହି ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ପାଇଁ କିଛି ଖର୍ଚ୍ଚ ପଡ଼ିବନି । କେବଳ ଖାଦ୍ୟ ପାଇଁ ଟଙ୍କା ଦେବାକୁ ପଡିବ । ପ୍ରତି ଥର ନୂଆ କଳାକାର ଓ ଗ୍ରୁପମାନଙ୍କୁ ଏଠାରେ ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷଣ କରିବାକୁ ସୁଯୋଗ ଦିଆଯିବ । ଶନିବାର ଓ ରବିବାର ମଧ୍ୟ ଫୁଡ୍ କୋର୍ଡ ଖୋଲାଯିବ । ଏହି ମୁ୍ୟଜିକାଲ ଫୁଡ୍ କୋର୍ଟକୁ ବିଦେଶ ଓ ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଅନ୍ୟ ଡେଷ୍ଟିନେସନରେ ପରିଣତ କରିବାକୁ ବିଏମ୍ସି ପକ୍ଷରୁ ପ୍ଲାନ୍ ହୋଇଛି ।

ଚିହ୍ନିତ ସ୍ଥାନ

ୟୁନିଟ୍-୩ ସ୍ଥିତ ଏକାମ୍ର ହାଟ, ଖଣ୍ଡଗିରି, ମାର୍କେଟ ବିଲ୍ଡିଂ ଓ ଇନ୍ ଫୋସିଟି ଅଞ୍ଚଳର କୌଣସି ଏକ ଜାଗାରେ ଏହି ମୁ୍ୟଜିକାଲ ଫୁଡ୍ କୋର୍ଟ କରିବାକୁ ଜାଗା ଚୟନ ଚାଲିଛି । ଭୁବନେଶ୍ୱରବାସୀଙ୍କୁ ଅତ୍ୟାଧୁନିକ ସେବା ଯୋଗାଇ ଦେବା ଓ ଏକ ସ୍ମାର୍ଟ ଜୀବନଶୈଳୀ ଦେବା ଉଦେ୍ଦଶ୍ୟରେ ମୁ୍ୟଜିକାଲ ଫୁଡକୋର୍ଟ ଖୋଲିବାକୁ ବିଏମ୍ ସି ପ୍ରୟାସ କରୁଛି । ଏଥିପାଇଁ ଏକାମ୍ର ହାଟ, ଖଣ୍ଡଗିରି, ମାର୍କେଟ ବିଲ୍ଡିଂ ଓ ଇନଫୋସିଟି ସମେତ ୫ଟି ଜାଗା ନଜରରେ ରହିଛି । ଏହି ୫ଟି ଜାଗା ଭିତରୁ ସର୍ବୋତ୍କୃଷ୍ଟ ଜାଗା ଚୟନ କରି ଫୁଡ୍ କୋର୍ଟ ଖୋଲାଯିବ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ଓ ଖୁବଶୀଘ୍ର ଏଥିପାଇଁ ସରକାରୀ ସ୍ତରରେ ଘୋଷଣା ହେବ ।

ସେହିପରି ରାଜଧାନୀରେ କେବଳ ମୁ୍ୟଜିକାଲ ଫୁଡ କୋର୍ଟ ନୁହେଁ ବିଦେଶ ଢାଞ୍ଚାରେ ନାଇଟ୍ ମାର୍କେଟ ବା ରାତିରେ ବଜାର ଖୋଲିବାକୁ ଯୋଜନା କରିଛି ବିଏମ୍ ସି । ରାତି ସାରା ଏହି ମାର୍କେଟ ଖୋଲି ରହିବ । ସନ୍ଧ୍ୟାରୁ ଆରମ୍ଭ ହୋଇ ସକାଳ ଯାଏ ମାର୍କେଟ ଚାଲିବ । ତେବେ କେଉଁଠି ଏହି ନାଇଟ୍ ମାର୍କେଟ୍ ବସିବ ସେଥିପାଇଁ ଲୋକଙ୍କଠାରୁ ସୋସିଆଲ ମିଡିଆରେ ମତ ସଂଗ୍ରହ ଅଭିଯାନ ଚାଲିଛି । ମାରାକେଚ୍, କାନାଡା, ଥାଇଲାଣ୍ଡ, ଲାଓସ୍, ଗୋଆ ଓ ସିଙ୍ଗାପୁର ଭଳି ସ୍ଥାନରେ ନାଇଟ୍ ମାର୍କେଟ ବେଶ୍ ଲୋକପ୍ରିୟ । ଏଠାରେ ବିଭିନ୍ନ ଖାଦ୍ୟସାମଗ୍ରୀଠାରୁ ନେଇ ହସ୍ତତନ୍ତ୍ର ସାମଗ୍ରୀ ଓ ଅନ୍ୟ କିଣାକିଣି ସାମଗ୍ରୀର ପସରା ମେଲିବ । ପ୍ରସ୍ତାବିତ ନାଇଟ୍ ମାର୍କେଟ୍ରେ ସି ଫୁଡ୍ ବିକ୍ରି ଠାରୁ ନେଇ ବିଭିନ୍ନ ଦେଶୀ ଓ ବିଦେଶୀ ଖାଦ୍ୟ ସାମଗ୍ରୀ, ଓପନ ବାର୍ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସ୍ଥାନ ରହିବ । ଲୋକଙ୍କୁ ସ୍ମାର୍ଟ ସିଟିର ଝଲକ୍ ଦେବା ଓ ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଏହି ନାଇଟ୍ ମାର୍କେଟ ଖୋଲିବା ପଛର ମୁଖ୍ୟ ଉଦେ୍ଦଶ୍ୟ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି । ବିଏମ୍ ସି କମିଶନର ଡ. କ୍ରିଷନ କୁମାର ନାଇଟ୍ ମାର୍କେଟ ଖୋଲିବା ବିଷୟରେ କହିଛନ୍ତି ନାଇଟ୍ ମାର୍କେଟ ଖୋଲିବାକୁ ଯୋଜନା ଚାଲିଛି । ଲୋକଙ୍କଠାରୁ ମତ ସଂଗ୍ରହ ପରେ ଆମେ ଏ ନେଇ ସରକାରଙ୍କୁ ପ୍ରସ୍ତାବ ଦେବୁ ।


ଆଧାର - Smrutiranjan Biswal (freelancer journalist)

Last Modified : 12/11/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate