ସ୍ପେନ୍ ରୁ ଆମଦାନି ହୋଇଥିବା ହାଲୁକା ଏବଂ ଦ୍ରୁତଗାମୀ ଟେନ୍ ର ପରୀକ୍ଷାମୂଳକ ଚଳାଚଳ ଆଜି ଉତ୍ତର ପ୍ରଦେଶର ବରେଲି ଏବଂ ମୋରଦାବାଦ ଷ୍ଟେସନ ମଧ୍ୟରେ ହୋଇଛି । ଭାରତୀୟ ରେଳ ଦେଶରେ ଅଧିକ ବେଗଗାମୀ ଟ୍ରେନ୍ ଚଳାଚଳ କରିବାକୁ ଲକ୍ଷ୍ୟ ରଖିଛି । ଏହି ପରିପ୍ରେକ୍ଷୀରେ ଟାଲଗୋ ଟ୍ରେନ୍ ର ଟ୍ରାଏଲ ରନ୍ ପ୍ରଥମ ଥର ପାଇଁ କରାଯାଇଛି । ଟାଲଗୋର ୯ଟି କୋଚ୍ କୁ ନେଇ ଭାରତୀୟ ରେଳର ୪୫୦୦ ଏଚ୍ପି ଡ଼ିଜେଲ ଇଞ୍ଜିନ ୯୦ କିମି ପଥ ଯାତାୟତ କରିଥିଲା । ୯ଟି ଟାଲଗୋ କୋଚ୍ ମଧ୍ୟରେ ୨ଟି ଏକ୍ଜିକ୍ୟୁଟିଭ କ୍ଲାସ କାର, ୪ଟି ଚେୟାର କାର, ଗୋଟିଏ କାଫେଟେରିଆ, ଗୋଟିଏ ପାୱାର କାର ଏବଂ ସବା ପଛରେ ଯନ୍ତ୍ରାଂଶ ଓ କର୍ମଚାରୀଙ୍କ ପାଇଁ ଏକ କୋଚ୍ ଲାଗିଥିଲା ।
ଟ୍ରେନ୍ ଟି ସକାଳ ୯ଟା ୫ମିନିଟ୍ ରେ ବରେଲି ଛାଡିଥିବାବେଳେ ମୋରଦାବାଦରେ ୧୦ଟା ୧୫ ମିନିଟରେ ପହଞ୍ଚିଥିଲା । ଟ୍ରେନ୍ ଟି ୮୦ରୁ ୧୧୫ କିମି ବେଗରେ ଯାତ୍ରା କରିଥିଲା । ବର୍ତ୍ତମାନ ସୁଦ୍ଧା ଭାରତରେ ଦିଲ୍ଲୀ-ମୁମ୍ବାଇ ରାଜଧାନୀ ଏକ୍ସପ୍ରେସ୍ ହାରାହାରି ୮୫ କିମି ବେଗରେ ଯାତ୍ରା କରିଥାଏ । ଅବଶ୍ୟ ଭାରତର ପ୍ରଥମ ସେମି-ହାଇସ୍ପିଡ ଟ୍ରେନ୍ ଗତମାସରେ ଦିଲ୍ଲୀ ଏବଂ ଆଗ୍ରା ମଧ୍ୟରେ ଚଳାଚଳ କରିଛି ଯାହାର ଘଣ୍ଟାପ୍ରତି ବେଗ ୧୬୦ କିମି ରହିଛି ।
ଟାଲଗୋ କୋଚ୍ ରେ ଯାତ୍ରା ସମୟରେ ହ୍ରାସ ପାଇବା ସହିତ ୩୦ ପ୍ରତିଶତ କମ୍ ଇନ୍ଧନ ଖର୍ଚ୍ଚ ହେବ । ଏହି ଟ୍ରେନ୍ ଚଳାଚଳରେ ସଫଳତା କିମ୍ବା ବିଫଳତା ସମ୍ପର୍କରେ କୌଣସି ଆକଳନ କରିବା ପୂର୍ବରୁ ୩ ଥର ଟ୍ରାଏଲ ରନ୍ ହେବ । ବରେଲି ଏବଂ ମୋରଦାବାଦ ପରେ ମଥୁରା ଏବଂ ପାଲୱାଲ ମଧ୍ୟରେ ୪୦ଦିନ ପାଇଁ ଘଣ୍ଟାପ୍ରତି ୧୮୦ କିମି ବେଗରେ ପରୀକ୍ଷା ହେବ । ବାର୍ସିଲୋନାରୁ ଆମଦାନି ହୋଇଥିବା ଏହି କୋଚ୍ ଗୁଡିକ ମୁମ୍ବାଇ ବନ୍ଦରରେ ଏପ୍ରିଲ ୨୧ ରେ ପହଞ୍ଚିଥିଲା ।
ଆଧାର –ଦୈନିକ ସମ୍ବାଦ
Last Modified : 12/20/2019